୧୦ ଜିଲ୍ଲାରେ କଂଗ୍ରେସର ନୂଆ ସଭାପତି, ପତ୍ନୀଙ୍କ ପଦ ରଖିପାରିଲେନି ତାରା: ସାଲୁଜା ଓ ପଂଚାନନଙ୍କୁ ଗୁରୁଦାୟିତ୍ୱ

ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଓ ଯଜ୍ଞେଶ୍ୱର ବାବୁଙ୍କୁ ଗୁରୁତ୍ୱ ମିଳିଛି ।

ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ

  • Published: Friday, 09 June 2023
  • , Updated: 09 June 2023, 09:51 PM IST

କଂଗ୍ରେସ ନେତୃତ୍ୱ ଆଜି ଓଡ଼ିଶାର ୧୦ଟି ଜିଲ୍ଲାରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଏହାସହିତ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦ ବଜାୟ ରଖିବା ପାଇଁ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଦଳ ଉପରେ ପକାଇଥିବା ଚାପ ମଧ୍ୟ ଫେଲ୍ ମାରିଛି । କୋରାପୁଟ ଜିଲ୍ଲାରେ ମିନାକ୍ଷୀଙ୍କ ପରିବର୍ତ୍ତେ ଦୁର୍ଗା ଶଙ୍କର ସାହୁଙ୍କୁ ଦଳର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି । ସେହିପରି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାଜ୍ୟରେ ନିଜର ଇସ୍ତାହାର କମିଟି, ଶୃଙ୍ଖଳା କମିଟି, ପ୍ରଚାର ଓ ପ୍ରସାର କମିଟି, ଏଆଇସିସି କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ଗଠନ କରିଛି । ଏଥିରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଓ ଯଜ୍ଞେଶ୍ୱର ବାବୁଙ୍କୁ ଗୁରୁତ୍ୱ ମିଳିଛି ।

ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ସୂଚନା ଅନୁସାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନକ୍ରମେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦୁର୍ଗା ଶଙ୍କର ସାହୁ, ନୂଆପଡ଼ା- ସୁରେଶ କୁମାର ଆଜାଦ, କେନ୍ଦୁଝର-ମୋହନ ପରିଡ଼ା, ପୁରୀ-ଜୟରାମ ପଟ୍ଟନାୟକ, ଭଦ୍ରକ-ଅଶୋକ ଦାସ, ଅନୁଗୁଳ-ସଂଗ୍ରାମ ମିଶ୍ର, ସମ୍ବଲପୁର- ଆସିଫ ଅଲ୍ଲୀ ଖାନ୍‌, ସୁନ୍ଦରଗଡ଼-ଦନାର୍ଦ୍ଦନ ଦେହୁରୀ, ରାୟଗଡ଼ା-ବିଜୟ କୁମାର ଗମାଙ୍ଗ ଓ ଦେବଗଡ଼ ସେମ୍ ହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଭାବେ ତତକାଳ ପ୍ରଭାବରୁ ନିଯୁକ୍ତି ମିଳିଛି । ପତ୍ନୀ ମିନାକ୍ଷୀଙ୍କ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦ ବଜାୟ ରଖିବାକୁ ତାରା ଗତ ସପ୍ତାହରେ କଂଗ୍ରେସ ଭବନରେ କରିଥିବା ପାୱାର ଶୋ’ କାମ ଦେଇନି । କୋରାପୁଟ ନୂଆ ଜିଲ୍ଲା ସଭାପତି ଘୋଷଣା ହେବାପରେ ତାରାଙ୍କ ପତ୍ନୀ ମିନାକ୍ଷୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସ୍ଥାନୀୟ ସାଂସଦ(ସପ୍ତଗିରି ଶଙ୍କର ଉଲାକା) ଦିଲ୍ଲୀରେ ରହୁଛନ୍ତି ତ ଦିଲ୍ଲୀ ଲଡ଼ୁ ଖାଉଛନ୍ତି ।

କୋରାପୁଟରେ କର୍ମୀ କିଭଳି ଅଛନ୍ତି ସେ ଜାଣନ୍ତି ନାହିଁ । ତେଣୁ ଏଭଳି କରିଛନ୍ତି । ମିନାକ୍ଷୀ କହିଛନ୍ତି ଯେ, ସେ ନିଜେ ୨୦୦୯ରୁ ୨୦୨୩ ପର୍ଯ୍ୟନ୍ତ ଦଳର ସଭାପତି ଅଛନ୍ତି । ପଂଚାୟତ,ପୌର ଓ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସବୁଥିରେ ଦଳର ପ୍ରଦର୍ଶନ ଜିଲ୍ଲାରେ ଭଲ ରହିଛି । ତଥାପି ତାଙ୍କୁ ହଟାଇ ଦିଆଯାଇଛି । କର୍ମୀ ଯାହା ନିଷ୍ପତ୍ତି ନେବେ ତାକୁ ସମ୍ମାନ ଦିଆଯିବ । ତାଙ୍କର ଏହି ନିଯୁକ୍ତି ଉପରେ କିଛି ପ୍ରତିକ୍ରିୟା ଦେବାର ନାହିଁ । ତେବେ ଏ ପ୍ରସଙ୍ଗରେ ତାରାଙ୍କ ପ୍ରତିକ୍ରିୟା ମିଳିପାରିିନି ।

ଅନ୍ୟପକ୍ଷରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ପଂଚାନନ କାନୁନଗୋଙ୍କୁ ନିଯୁକ୍ତି ମିଳିଛି । ସେହିପରି ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳାଗତ କମିଟି ଗଠନ ହୋଇଛି ଓ ଏହାର ଅଧ୍ୟକ୍ଷ ଭାବେ ସନ୍ତୋଷ ସିଂ ସାଲୁଜା ଥିବାବେଳେ ଆବାହକ ଜାନକୀ ବଲ୍ଲଭ ପଟ୍ଟନାୟକ, ସଦସ୍ୟ ଭାବେ ଭୁଜବଳ ମାଝୀ, ରାଜେନ୍ଦ୍ର ଛତ୍ରିଆ, ଦେବେନ୍ଦ୍ର ସାହୁ ଓ ପ୍ରତିମା ମଲ୍ଲିକ ରହିଛନ୍ତି । ସେହିପରି ଏଆଇସିସି କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ଅଧ୍ୟକ୍ଷ ଭାବେ ଯଜେ୍ଞଶ୍ୱର ବାବୁ ଏବଂ ପ୍ରଚାର-ପ୍ରସାର କମିଟି ଅଧ୍ୟକ୍ଷ ଭାବେ ସଞ୍ଜୟ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି ।

Related story