Advertisment

କ୍ୟାବିନେଟ ନାହିଁକି ଜନଶୁଣାଣି ନାହିଁ, ଏନଏଏସି ଘୋଷଣା କେବଳ ନିର୍ବାଚନୀ ଭେଳିକି : ବିଜେପି

ରାଜ୍ୟ ସରକାର ଆଜି ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିତ ଅଂଚଳ ପରିଷଦ(ଏନଏସି) ଘୋଷଣାକୁ ନେଇ ବିଜେପି ବର୍ଷିଛି।

Kankavardhan Singhdeo

Kankavardhan Singhdeo

Advertisment

ରାଜ୍ୟ ସରକାର ଆଜି ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିତ ଅଂଚଳ ପରିଷଦ(ଏନଏସି) ଘୋଷଣାକୁ ନେଇ ବିଜେପି ବର୍ଷିଛି । କ୍ୟାବିନେଟ୍ ଅନୁମୋଦନ ନାହିଁ କିମ୍ବା ବିଧାନସଭାର ଅନୁମତି ନାହିଁ । ଏପରିକି ରାଜ୍ୟପାଳ ବି ଅନୁମୋଦନ କରିନାହାନ୍ତି । ଏନେଇ ଜନଶୁଣାଣି ବି ହୋଇନି । ସବୁ ନିୟମକୁ ଫୁ’ କରି ଅଚାନକ ୩୪ଟି ନୂଆ ଏନଏଏସି ଗଠନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ ବୋଲି ବିଜେପି ଅଭିଯୋଗ କରିଛି।

Advertisment

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନ ଆସିଲେ ବିଜେଡି ସରକାର ଲୋକଙ୍କୁ ପ୍ରତିଶ୍ରୁତି ଦିଏ। ଆଉ ପରେ ତାକୁ ଭୁଲିଯାଏ। ନୂଆ ଏନଏସି ଘୋଷଣା କରିବାପାଇଁ ହେଲେ ସେହି ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରିବାକୁ ପଡ଼େ, କ୍ୟାବିନେଟ ପ୍ରସ୍ତାବକୁ ବିଧାନସଭାରେ ଅନୁମୋଦନ କରିବାକୁ ପଡ଼େ। ଏହାକୁ ରାଜ୍ୟପାଳ ଅନୁମୋଦନ କଲାପରେ ଯାଇ କୌଣସି ନୂଆ ଏନଏସି ବା ନୂଆ ପୌରପରିଷଦ ଗଠନ କରାଯାଇଥାଏ । ଏବେ ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭା ବସିବାର ନାହିଁ। ଆଜି ରାଜ୍ୟ ସରକାର ଘୋଷଣା କରିଥିବା ୩୪ଟି ନୂଆ ଏନଏସିକୁ ନେଇ କ୍ୟାବିନେଟରେ କୌଣସି ପ୍ରସ୍ତାବ ପାରିତ ହୋଇନାହିଁ ।

ତେଣୁ ରାଜ୍ୟ ସରକାର କେଉଁଭଳି ଭାବରେ ହଠାତ୍ ରାତିଅଧିଆ ଏହି ଘୋଷଣା କଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା ମ୍ୟୁନିସିପାଲ ଆକ୍ଟ ୧୯୫୦, ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ ୨୦୦୩ ଅନୁସାରେ ଓଡ଼ିଶାରେ କୌଣସି ନୂଆ ଏନଏସି ଘୋଷଣା କରିବା ପୂର୍ବରୁ ସେହି ଅଂଚଳରେ ଜଣଶୁଣାଣି କରାଯିବାର ନିୟମ ରହିଛି। କିନ୍ତୁ ରାଜ୍ୟ ସରକାର ନା କୌଣସି ଜାଗାରେ ଜନଶୁଣାଣି କରିଛନ୍ତି ନା କୌଣସି ନିର୍ବାଚିତ ଜନପ୍ରତିନିଧି ମାନଙ୍କର ମତାମତ ନେଇଛନ୍ତି। ଲୋକଙ୍କ ସୁବିଧା ଦୃଷ୍ଟିରୁ ନୂଆ ପୌରାଂଚଳ ଗଠନକୁ ବିଜେପି ସବୁବେଳେ ସମର୍ଥନ କରିବ। କିନ୍ତୁ ଯଦି ସରକାର କେବଳ ନିର୍ବାଚନ ପୂର୍ବରୁ ଘୋଷଣା କରି ଲୋକଙ୍କୁ ଠକିବା ପାଇଁ ଚାହୁଁଥିବେ ତାହେଲେ ଏହାକୁ ବରଦାସ୍ତ କରାଯିବନାହିଁ। ସମ୍ବିଧାନର ଅନୁଚ୍ଛେଦ-୧୨ ଓ ଧାରା-୨୪୩ (ଡବ୍ଲ୍ୟୁ) କୁ ଉଲ୍ଲଂଘନ କରି ନୂଆ ଏନଏସି ଘୋଷଣାର ମାନେ କିଛି ନାହିଁ।

Advertisment

ପଦ୍ମପୁର ଉପନିର୍ବାଚନବେଳେ ନୂଆ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରତାରଣାରେ ପରିଣତ ହୋଇଛି। ପ୍ରାୟୋଜିତ ଢଙ୍ଗରେ ହାଇକୋର୍ଟରେ ନିଜର ଦଳୀୟ ଓକିଲଙ୍କୁ ଲଗାଇ ଜିଲ୍ଲା ଘୋଷଣା ନିଷ୍ପତ୍ତି ଉପରେ ରୋକ୍ ଲଗାଇବାର ଷଡ଼ଯନ୍ତ୍ର ବିଜେଡି କରିଛି। ଏବେ ସମାନ ଢଙ୍ଗରେ ଏହି ନୂଆ ଏନଏସି ଗଠନର ଭାଗ୍ୟ ହେବ ବୋଲି ସେ ଅଭିଯୋଗ କରିଛନ୍ତି। ପୌରସଂସ୍ଥାକୁ କ୍ଷମତା ହସ୍ତାନ୍ତର ନକରିବା ଯୋଗୁ ବିଗତ ଦିନରେ ରାଜ୍ୟ ସରକାରଙ୍କୁ ସିଏଜି ଭର୍ତ୍ସନା କରିସାରିଛନ୍ତି। ତେଣୁ ଏଭଳି ନୂଆ ଏନଏଏସି ଘୋଷଣା କେବଳ ନିର୍ବାଚନୀ ଧୂଆଁବାଣ ବୋଲି ବିଜେପି ଅଭିଯୋଗ କରିଛି। ଏ ସମ୍ପର୍କରେ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ସିଂହଦେଓ ଦାବି କରିଛନ୍ତି।

Bjp Kankavardhan Singhdeo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe