Advertisment

ନବୀନଙ୍କୁ ଭେଟିଲେ ବିଜେଡିର ନବନିର୍ବାଚିତ ବିଧାୟକ, ପାଣ୍ଡିଆନ ଅନୁପସ୍ଥିତ

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପାଇଁ ନବନିର୍ବାଚିତ ଦଳୀୟ ବିଧାୟକମାନେ ଆସିଥିଲେ ।

author-image
Ordigital Desk
undefined

Naveen Pattnayak

ବିଜେଡିର ଦୀର୍ଘ ୨୪ବର୍ଷ ଶାସନର ଅନ୍ତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ସନ୍ଧ୍ୟାରେ ନବୀନ ନିବାସରେ ତାଙ୍କୁ ଦଳର ନବନିର୍ବାଚିତ ବିଧାୟକମାନେ ସାକ୍ଷାତ କରିଛନ୍ତି । ତେବେ ଏହି ସାକ୍ଷାତ ସମୟରେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି ।

Advertisment

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ପାଇଁ ନବନିର୍ବାଚିତ ଦଳୀୟ ବିଧାୟକମାନେ ଆସିଥିଲେ । ନବୀନ ସମସ୍ତଙ୍କୁ ଭେଟିବା ସହ ନିର୍ବାଚନମଣ୍ଡଳୀରେ ଲୋକେ ଜିତାଇଛନ୍ତି ସେମାନଙ୍କ ପାଇଁ କାର୍ଯ୍ୟ କରିବାକୁ  ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି । ଦଳ କାହିଁକି ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଲା ତା’ର କାରଣ ଖୋଜିବା ପାଇଁ ବରିଷ୍ଠ ନେତାମାନଙ୍କୁ ନେଇ ଏକ କମିଟି ଗଠନ ହେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଦଳ ପକ୍ଷରୁ ଜାରି ଏକ ଭିଡିଓରେ ନବୀନ ଦଳର ବିଧାୟକମାନଙ୍କୁ ଉଦବୋଧନ ଦେଇ ତାଙ୍କ ସରକାର ୨୦୦୦ ମସିହାରେ ଓଡ଼ିଶାରେ କ୍ଷମତାକୁ ଆସିବାବେଳେ ରାଜ୍ୟର ୭୦ ପ୍ରତିଶତ ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିଲେ ଓ ଏବେ ସେହି ପରିମାଣ ମାତ୍ର ୧୦ ପ୍ରତିଶତ ରହିଥିବା କହିଛନ୍ତି । ତାଙ୍କ ସରକାର ଅନୁସୂଚିତ ଜାତି-ଜନଜାତି, ମହିଳା ଓ ସବୁ ବର୍ଗ ପାଇଁ ଯୋଜନା କରିଛି । ଜଳସେଚନ, ସ୍ୱାସ୍ଥ୍ୟ, କୃଷି ଓ ଶିକ୍ଷା ଆଦି କ୍ଷେତ୍ରରେ ଭଲ କାମ କରିଛି ବୋଲି କହିଛନ୍ତି । ବିଜେଡି ଆଗକୁ ମଧ୍ୟ ରାଜ୍ୟବାସୀଙ୍କ ପାଇଁ ଭଲ କାମ ଜାରି ରଖିବ ବୋଲି ନବୀନ କହିଛନ୍ତି ।

ଆଜିର ବୈଠକରେ ଦଳର ନବନିର୍ବାଚିତ ବିଧାୟକ ତଥା ବରିଷ୍ଠ ନେତା ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ବଦ୍ରିନାରାୟଣ ପାତ୍ର, ଅରୁଣ ସାହୁ, ପ୍ରତାପ ଦେବ, ଗଣେଶ୍ୱର ବେହେରା, ଅନନ୍ତ ନାରାୟଣ ଜେନା, ପ୍ରଶାନ୍ତ ବେହେରା, ସୁଶାନ୍ତ ରାଉତ, ସଞ୍ଜିବ ମଲ୍ଲିକ, ବ୍ୟୋମକେଶ ରାୟ, ସୁବାସିନୀ ଜେନା, ରୋମାଂଚ ରଞ୍ଜନ ବିଶ୍ୱାଳ, ସୌଭିକ ବିଶ୍ୱାଳ, ଚକ୍ରମଣି କହଁର, ଦେବୀରଞ୍ଜନ ତ୍ରିପାଠୀ, ସତ୍ୟେନ୍ଦ୍ର ହରିପାଲ, ବିଶ୍ୱରଞ୍ଜନ ମଲ୍ଲିକ, କଳିକେଶ ସିଂହଦେଓ, ଅଭିମନ୍ୟୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଦଳର ବରିଷ୍ଠ ଉପସଭାପତି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟଗତ କାରଣରୁ ନବୀନ ନିବାସରେ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି ।

Advertisment

ଅନ୍ୟପକ୍ଷରେ ଆଜିର ନବନିର୍ବାଚିତ ବିଧାୟକମାନଙ୍କ ବୈଠକବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ ମଧ୍ୟ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଅନୁପସ୍ଥିତ ରହିଥିଲେ । ତାଙ୍କର ଅନୁପସ୍ଥିତିକୁ ନେଇ କେହି କିଛି ସୂଚନା ଦେଇପାରିନଥିଲେ। ତେବେ ପାଣ୍ଡିଆନ ନବୀନ ନିବାସରେ ଥାଇ ମଧ୍ୟ ବିଧାୟକମାନଙ୍କ ବୈଠକରେ ସାମିଲ ହୋଇନଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ।

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତିର୍ତ୍ତୋଲ ନବନିର୍ବାଚିତ ବିଧାୟକ ରମାକାନ୍ତ ଭୋଇ କହିଛନ୍ତି ଯେ, ନିର୍ବାଚନ ଫଳାଫଳକୁ ସମ୍ମାନ ଦେଉଛୁ । କାହିଁକି ଦଳ ହାରିଲା ତା’ର କାରଣ ଖୋଜାଯିବ । ପ୍ରତ୍ୟେକ ନିର୍ବାଚନ ପରେ ସମୀକ୍ଷା କରାଯାଏ । ତେବେ ଦଳର ପରାଜୟ ପାଇଁ ପାଣ୍ଡିଆନ ସାରଙ୍କୁ ଦୋଷ ଦେବା ଠିକ୍ ନୁହେଁ । ଆମର କର୍ମୀମାନଙ୍କ ଭିତରେ କ’ଣ ଅସୁବିଧା ରହିଲା,କାହିଁକି ହାରିଲୁ ତା’ର ସମୀକ୍ଷା କରାଯିବ । ବିଜୁ ଜନତା ଦଳ ପୁଣିଥରେ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି ।

BjD Naveen Patnaik