କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର ଘଟଣାରେ ଓଡ଼ିଶା ନିନ୍ଦିତ ହେଲା । ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ କ୍ଷମା ମାଗିଲା । ତଥାପି ଓଡ଼ିଶାକୁ ନିନ୍ଦିତ କରିଥିବା କିଟ୍ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ସାମାନ୍ୟତମ ରାଜ୍ୟ ପୁଲିସ କିମ୍ବା ରାଜ୍ୟ ସରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହେଲେନି । ସରକାରଙ୍କ ଉଚ୍ଚସ୍ତରୀୟ ଯାଂଚ କମିଟି ଓ କମିଶନରେଟ ପୁଲିସ ଉଭୟ ତଦନ୍ତ ଆଳରେ କେବଳ ଦିନ ଗଡ଼ାଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କଲେ । ମାତ୍ର ଜାତୀୟ ମାନବାଧିକାର ଆୟୋଗ(ଏନଏଚଆରସି) ଏହି ମାମଲାରେ କଠୋର ଆଭିମୁଖ୍ୟ ପୋଷଣ କରି ଘଟଣାର ସରଜମିନ୍ ତଦନ୍ତ ନିର୍ଦ୍ଦେଶ ଦେଲେ । ଗୁରୁବାରଠୁ ଆୟୋଗଙ୍କ ଲ’ ରେଜିଷ୍ଟ୍ରାର ଯୋଗିନ୍ଦର ସିଂଙ୍କ ନେତୃତ୍ୱରେ ଏକ ଟିମ୍ କିଟ୍ ପରିସରରେ ତଦନ୍ତ ଆରମ୍ଭ କରିଛନ୍ତି । ନେପାଳୀ ଛାତ୍ରୀ ମୃତ୍ୟୁ, ନେପାଳୀ ଛାତ୍ରଛାତ୍ରୀଙ୍କୁ ବଳପୂର୍ବକ ବିଦା, କିସ୍ ବିଶ୍ୱବିଦ୍ୟାଳୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଆଦି ସମସ୍ତ ଘଟଣାରେ ଟିମ୍ ତଦନ୍ତ କରିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ କିଟ୍ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ପାଇଁ କ୍ୟାମ୍ପସକୁ ଫେରିବାକୁ ବାଧ୍ୟ ହୋଇଥିବାବେଳେ ଏବେ ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ସମ୍ପର୍କରେ ନେପାଳୀ ଦୂତାବାସ ନିୟମିତ ଭାବେ ଉଭୟ ନେପାଳୀ ଛାତ୍ରଛାତ୍ରୀ ଓ କିଟ୍ ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କଠୁ ରିପୋର୍ଟ ସଂଗ୍ରହ କରୁଥିବା ଜଣାପଡ଼ିଛି ।
କିଟ୍ କ୍ୟାମ୍ପସରେ ଏନଏଚଆରସି ଟିମ୍
କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଉପୁଜିଥିବା ପରିସ୍ଥିତି ଆଦିର ସରଜମିନ୍ ତଦନ୍ତ ଗୁରୁବାରଠୁ ଆରମ୍ଭ କରିଛନ୍ତି ଏନଏଚଆରସିଙ୍କ ଟିମ୍ । ଲ’ ରେଜିଷ୍ଟ୍ରାର ଯୋଗିନ୍ଦର ସିଂଙ୍କ ନେତୃତ୍ୱରେ ଆସିଥିବା ଟିମ୍ ତଦନ୍ତ ଶେଷ ହେବାପର୍ଯ୍ୟନ୍ତ ଏଠାରେ ରହିବେ । କମିଶନଙ୍କ ଯାହା ନିର୍ଦ୍ଦେଶ ରହିଛି ସେହି ଆଧାରରେ ତଦନ୍ତ କରାଯିବ ବୋଲି ଶ୍ରୀ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ପହଂଚିବା ପରେ ବିମାନବନ୍ଦରରୁ ସିଧାସଳଖ କିଟ୍ ପରିସରକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଏହି ଟିମ୍ ବିଭିନ୍ନ ଷ୍ଟେକହୋଲଡରଙ୍କ ସହ ଆଲୋଚନା କରିଛନ୍ତି । ଏବେ ନେପାଳୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ପାଠପଢ଼ା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ତାହା ପଚାରି ବୁଝିବା ସହ କେଉଁ ପରିସ୍ଥିତିରେ ଫେବୃୟାରୀ ୧୬ତାରିଖରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହେଲା ଏବଂ କିଟ୍ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୁଲିସର ଭୂମିକାକୁ ନେଇ ମଧ୍ୟ ଟିମ୍ ନିଜର ଯାଂଚ ଆରମ୍ଭ କରିଥିବା ଜଣାପଡ଼ିଛି । ୧୦ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଟିମକୁ ନିର୍ଦ୍ଦେଶ ରହିଥିବାବେଳେ ଶନିବାର ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହି କିଟ୍ ମାମଲାର ସରଜମିନ୍ ତଦନ୍ତ କରିବେ ବୋଲି ସୂଚନା ମିଳିଛି । କିଟ୍ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ, କିଟ୍ ପ୍ରଶାସନିକ ଅଧିକାରୀ, ଅଧ୍ୟାପକମାନଙ୍କ ବ୍ୟତୀତ ସ୍ଥାନୀୟ ପୁଲିସ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଏନଏଚଆରସି ସଦସ୍ୟ ପ୍ରିୟଙ୍କ କାନୁନଗୋ ମଧ୍ୟ ଗଣମାଧ୍ୟମ ଜରିଆରେ ଏହି କମିଟିକୁ ସହଯୋଗ କରିବାକୁ ଅପିଲ୍ କରିଛନ୍ତି । ଯେକୌଣସି ବ୍ୟକ୍ତି ଯଦି କିଛି ତଥ୍ୟ ଦେବାକୁ ଚାହିଁବେ ସେମାନେ କମିଟିକୁ ଭେଟି ଦେଇପାରିବେ ବୋଲି ଶ୍ରୀ କାନୁନଗୋ କହିବା ପରେ କିଟ୍ ସହ ଜଡ଼ିତ ଜମି କେଳେଙ୍କାରୀ, ଆଦିବାସୀ ଛାତ୍ରଛାତ୍ରୀଙ୍କ ନିର୍ଯାତନା ଆଦି ଘଟଣାରେ ବିଭିନ୍ନ ବର୍ଗର ଲୋକମାନେ ନିଜର ଅଭିଯୋଗ କରିବାର ସମ୍ଭାବନା ରହିଛି ।
ଏନଏଚଆରସିଙ୍କ ତଦନ୍ତ ପରେ ଚେତା ପଶିଲା
କିଟ୍ ବିଶ୍ୱବିଦ୍ୟାଳୟରେ ଫେବୃୟାରୀ ୧୬ତାରିଖରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ତା’ପରଦିନ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ବଳପୂର୍ବକ ଅମାନୁଷିକ ମାଡ଼ ମାରି ହଷ୍ଟେଲରୁ ବିଦା କରିବା ଘଟଣାରେ ଚୁପ୍ ବସିଥିବା ରାଜ୍ୟ ସରକାରଙ୍କ ଏବେ ଚେତା ପଶିଛି । ଏନଏଚଆରସିଙ୍କ ଟିମ୍ ନିଜର ତଦନ୍ତ ଆରମ୍ଭ କରିବା ପରେ ଗୁରୁବାର ସନ୍ଧ୍ୟାରେ ତରବରିଆ ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ‘ଏକ ସ୍ୱତନ୍ତ୍ର ସେଲ୍ ଗଠନ’ କରାଯାଇଥିବା ସୂଚନା ଦିଆଯାଇଛି । ଏହି ସେଲ୍ ରାଜ୍ୟରେ ଥିବା ସମସ୍ତ ସରକାରୀ, ଘରୋଇ ଓ ଡିମଡ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇ ଦେବାକୁ କାର୍ଯ୍ୟ କରିବ । ଏହି ସେଲ୍ ବିଦେଶୀ ଛାତ୍ରଛାତ୍ରୀଙ୍କୁ ସହାୟତା ଓ ମାର୍ଗଦର୍ଶନ କରିବା ସହ ସେମାନଙ୍କର ଅଭିଯୋଗର ସମାଧାନ ଏବଂ ସହଜ ଏକାଡେମିକ୍ ଓ ସାଂସ୍କୃତିକ ଅଭିଜ୍ଞତା ପ୍ରଦାନରେ ସହଯୋଗ କରିବ । ଏହି ସେଲ୍ ପ୍ରତ୍ୟେକ କାର୍ଯ୍ୟଦିବସରେ ପୂର୍ବାହ୍ନ ସାଢ଼େ ୧୦ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ହେଲପଲାଇନ୍ ନମ୍ବର ୦୬୭୪-୨୩୨୩୪୦୩, ୦୬୭୪-୨୩୨୩୪୦୪ ମଧ୍ୟ ଜାରି କରାଯାଇଛି । ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଅବା ପଢ଼ିବାକୁ ଇଚ୍ଛୁକ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଏକ ଅନୁକୂଳ ପରିବେଶ ଦେବା ନିମନ୍ତେ ଏହି ସେଲ୍ କାର୍ଯ୍ୟ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏନଏଚଆରସିଙ୍କ ଟିମ୍ କାଳେ ସରକାରଙ୍କ କାର୍ଯ୍ୟ ଓ ପଦକ୍ଷେପକୁ ନେଇ ପ୍ରଶ୍ନ କରିବେ ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ତରବରିଆ ଭାବେ ଏଭଳି ସେଲ୍ ଗଠନ କରିଥିବା ଚର୍ଚ୍ଚା ।
ସନ୍ଦେହରେ ଯାଂଚ କମିଟି ଓ ପୁଲିସ ତଦନ୍ତ
କିଟ୍ ବିଶ୍ବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀଙ୍କୁ ବିଦା କରାଯିବାର ପ୍ରାୟ ୨୪ଘଣ୍ଟା ମଧ୍ୟରେ ଅର୍ଥାତ୍ ଫେବୃୟାରୀ ୧୮ ତାରିଖରେ ରାଜ୍ୟ ସରକାର ଗୃହସଚିବଙ୍କ ନେତୃତ୍ୱରେ ଏକ ୩ଜଣିଆ ଉଚ୍ଚସ୍ତରୀୟ ଯାଂଚ କମିଟି ଗଠନ କରିଥିଲେ । କମିଟି ଦୁଇଟି ପର୍ଯ୍ୟାୟରେ ଫେବୃୟାରୀ ୨୧ ଓ ୨୭ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟର ପଦାଧିକାରୀଙ୍କୁ ଡାକି ପଚରାଉଚୁରା କଲା । କିନ୍ତୁ ତା’ପରଠୁ ସମ୍ପୂର୍ଣ୍ଣ ନିରବ ହୋଇଗଲା । ଏବେ ଏହି କମିଟିର ସ୍ଥିତି କ’ଣ ଓ କାହିଁକି ନିରବ ଅଛି ତାକୁ ନେଇ ସାଧାରଣରେ ସନ୍ଦେହ ବଢ଼ିଚାଲିଛି ।
ସମାନ ସ୍ଥିତି ମଧ୍ୟ କମିଶନରେଟ ପୁଲିସର । ନେପାଳୀ ଛାତ୍ରୀ ମୃତ୍ୟୁ ଓ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ମାରପିଟ୍ ଘଟଣାର ତଦନ୍ତ କରୁଥିବା କମିଶନରେଟ ପୁଲିସର ଭୂମିକା ମଧ୍ୟ ସନ୍ଦେହଘେରରେ । ଫେବୃୟାରୀ ୧୬ତାରିଖରେ ଛାତ୍ରୀ ମୃତ୍ୟୁ ଘଟଣା ପରଠୁ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲରୁ ବିଦା କରିବା ପର୍ଯ୍ୟନ୍ତ ସ୍ଥାନୀୟ ପୁଲିସ ଉପସ୍ଥିତ ରହିଥିଲା । ଏପରିକି ନେପାଳୀ ଛାତ୍ରଛାତ୍ରୀଙ୍କୁ ବିଦା କରିବାରେ ମଧ୍ୟ ପୁଲିସ କର୍ମଚାରୀମାନେ ଭୂମିକା ତୁଲାଉଥିଲେ । କିନ୍ତୁ ସେମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ହୋଇନି । ଏପରିକି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି ତାଙ୍କର ପୋଷ୍ଟମର୍ଟମ ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତାକୁ ମଧ୍ୟ ପୁଲିସ ସାର୍ବଜନୀନ କରୁନି । ପୁଲିସର ତଦନ୍ତରେ ଶିଥିଳତା ଓ ତଥ୍ୟପ୍ରମାଣ ଅଭାବରୁ ଅଭିଯୁକ୍ତ ଛାତ୍ର ଅଦ୍ୱିକ୍ ଶ୍ରୀବାସ୍ତବଙ୍କୁ ବେଶୀଦିନ ହାଜତରେ ରଖିବା ମଧ୍ୟ ପୁଲିସ ପାଇଁ ସହଜ ହେବନି ବୋଲି ଜଣାପଡ଼ିଛି ।
ନିୟମିତ ରିପୋର୍ଟ ନେଉଛି ନେପାଳ ଦୂତାବାସ
କିଟ୍ କର୍ତ୍ତୃପକ୍ଷଙ୍କ ଅମାନବୀୟ ଆଚରଣର ଶିକାର ହୋଇ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହୋଇଥିବା ନେପାଳୀ ଛାତ୍ରଛାତ୍ରୀମାନେ ନିଜ ନିଜର ସେମିଷ୍ଟାର ଓ ଫାଇନାଲ ପରୀକ୍ଷା ଦେବା ପାଇଁ ପୁଣିଥରେ କ୍ୟାମ୍ପସକୁ ଫେରିବାରେ ଲାଗିଛନ୍ତି । ବୁଧବାର ସନ୍ଧ୍ୟା ସୁଦ୍ଧା ମୋଟ ୧୧୬୯ଜଣ ନେପାଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୧୩ଜଣ ଛାତ୍ରଛାତ୍ରୀ(ପ୍ରାୟ ୭୮%) କ୍ୟାମ୍ପସକୁ ଫେରିଥିବା ନେଇ ଭାରତରେ ଅବସ୍ଥାପିତ ନେପାଳ ରାଷ୍ଟ୍ରଦୂତ ଶଙ୍କର ଶର୍ମାଙ୍କୁ କିଟ୍ କୁଳପତି ପ୍ରଫେସର ଶରଣଜିତ୍ ସିଂ ଲିଖିତ ଭାବେ ଅବଗତ କରାଇଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନିକଟରେ ପହଂଚି ସେମାନଙ୍କୁ କ୍ଷମା ମାଗିବା ସହ ପିଲାମାନଙ୍କ ଫେରିବା ନିମନ୍ତେ ବିମାନ ଟିକେଟ୍ ମଧ୍ୟ ବ୍ୟବସ୍ଥା କରିଥିବା ନେଇ ନେପାଳୀ ଦୂତାବାସକୁ ସୂଚନା ଦେଇଛନ୍ତି । ୮୨୮ଜଣ ନେପାଳୀ ଛାତ୍ରଛାତ୍ରୀ ହଷ୍ଟେଲକୁ ଫେରିଥିବାବେଳେ ୮୫ଜଣ ଛାତ୍ରଛାତ୍ରୀ ଏବେ ବାହାରେ ଇଂଟର୍ଣ୍ଣସିପ୍ କରୁଛନ୍ତି । ବାକି ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ଫେରିବା ପାଇଁ ଅନୁରୋଧ କରାଯାଇଛି । ନେପାଳୀ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା, ପରୀକ୍ଷା ଓ ପ୍ଲେସମେଂଟ ଆଦି କାର୍ଯ୍ୟକ୍ରମକୁ ପୁଣିଥରେ ଆରମ୍ଭ କରାଯାଇଛି । ଯେଉଁ ନେପାଳୀ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିନଥିଲେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ପିଲାମାନଙ୍କ ନିମନ୍ତେ ନିରାପଦ ପରିବେଶ ସୁନିଶ୍ଚିତ କରାଯାଇଥିବା କିଟ୍ କୁଳପତି ନେପାଳ ସରକାରଙ୍କୁ ଜଣାଇଛନ୍ତି ।
ନେପାଳର ତୃତୀୟବର୍ଷର କମ୍ପ୍ୟୁଟର ସାଇନ୍ସ ଛାତ୍ର ବିପ୍ଲବ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୂର୍ବ ଅପେକ୍ଷା ହଷ୍ଟେଲ ଓ କ୍ୟାମ୍ପସ ପରିବେଶରେ ସୁଧାର ଆସିଛି । ୱାର୍ଡନ୍ ଓ ସୁରକ୍ଷାଗାର୍ଡଙ୍କୁ ହଟାଇ ଦିଆଯାଇଛି । ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ନିୟମିତ ଭାବେ ନେପାଳ ଛାତ୍ରଛାତ୍ରୀଙ୍କୁ ଭେଟୁଛନ୍ତି । ପରୀକ୍ଷା ଦେଇପାରିନଥିବା ଛାତ୍ରଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ମିଡ୍ ସେମିଷ୍ଟାର ଓ ତୃତୀୟ-ଚତୁର୍ଥ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମଧ୍ୟ ଜାରି ରହିଛି । ପ୍ରାୟ ୨୦ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଛି ।
ସେହିପରି ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସରେ ଅବସ୍ଥାପିତ ପୁଲିସ ଅଧିକାରୀ ସଞ୍ଜିବ ଶର୍ମା ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ନେପାଳ ଛାତ୍ରଛାତ୍ରୀମାନଙ୍କ ସହ ନିୟମିତ ଭାବେ ଯୋଗାଯୋଗ କରାଯାଉଛି । ପ୍ରାୟ ୯୦୦ ଛାତ୍ରଛାତ୍ରୀ କ୍ୟାମ୍ପସକୁ ଫେରିଆସିଲେଣି ଓ ସେମାନଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ରାଜ୍ୟ ପୁଲିସ, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଏହି ଘଟଣାର ଯାଂଚ କରୁଛନ୍ତି। ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ତାଙ୍କର ଟିମ୍ ଦ୍ୱାରା ନିରପେକ୍ଷ ତଦନ୍ତ କରାଉଛନ୍ତି । ତେଣୁ ଦୋଷୀମାନଙ୍କୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି ।