nimapada--Pic
ନିମାପଡ଼ା (ସଞ୍ଜୟ ପତି): ପୁରୀ ଜିଲ୍ଲାର ହଟ୍ ସିଟ୍ ନିମାପଡ଼ା ବିଧାନସଭା ଆସନ। ଜଗତ୍ସିଂହପୁର ଲୋକସଭା ଆସନରେ ଥିବା ଅଣସଂରକ୍ଷିତ ଏହି ନିର୍ବାଚନମଣ୍ଡଳୀରେ ୪ର୍ଥ ପର୍ଯ୍ୟାୟରେ ହେବ ମତଦାନ।
ରାଜେନୈତିକ ସ୍ଥିତି: ଏହି ଆସନରୁ ଲଗାତର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି ସମୀର ରଞ୍ଜନ ଦାଶ। ଏବେ ବିଜେଡିର ମୁଖପାତ୍ର ତଥା ଦଳରେ ଜଣେ ଆଗ ଧାଡିର ଯୁବ ନେତା। ନିବାର୍ଚନମଣ୍ଡଳୀରେ ତାଙ୍କର ସ୍ଥିତି ମଜବୁତ କରିପାରିଛନ୍ତି । ସେ ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ମେଣ୍ଟ ସରକାର ଥିବାବେଳେ ୨୦୦୪ ଓ ୨୦୧୪ରେ ଏହି ସଂରକ୍ଷିତ ବିଧାନସଭା ଆସନକୁ ବିଜେପି ଦୁଇ ଥର ନିଜ ଅକ୍ତିଆରକୁ ନେଇଥିଲା। ମେଣ୍ଟ ଭାଙ୍ଗିବା ପରେ ବିଜେପି ଛାଡ଼ି ସମୀର ରଞ୍ଜନ ଦାଶ ବିଜେଡିରେ ଯୋଗ ଦେଇ ୨୦୦୯ ଓ ୨୦୧୪ରେ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ।
ଭୌଗୋଳିକ ଦୃଷ୍ଟି କୋଣରୁ ପୁରୀ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ସହର ଭାବେ ପରିଚିତ ନିମାପଡା। ରାଜ୍ୟ ସ୍ଵାଧୀନତା ସଂଗ୍ରାମ ଇତିହାସର ଏକ ପ୍ରମୁଖ ପୃଷ୍ଠା ଭାବେ ମଧ୍ୟ ପରିଚିତ । ଲୋକଙ୍କର ମୁଖ୍ୟ ବ୍ୟବସାୟ ଧାନ ଓ ପରିବା ଚାଷ। ଶାସକ ଦଳରୁ ପ୍ରତିନିଧିତ୍ଵ କରୁଥିବା ବିଧାୟକଙ୍କ ନେତୃତ୍ୱରେ ନେତପୁରଠାରୁ ଆରମ୍ଭ କରି ବଳଙ୍ଗା ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ଜାଗାରେ ବ୍ରିଜ ନିର୍ମାଣ, ପାନୀୟ ଜଳ ଯୋଗାଣ, ଧନୁଆ ବନ୍ୟା ନିୟନ୍ତ୍ରଣ ପାଇଁ ତିନି ମୁହାଣି ଠାରେ ସ୍ଲୁଇଜ ଗେଟ୍ ସଂପ୍ରସାରଣ ,ନିମାପଡ଼ା ଏନଏସିର ସୌନ୍ଦର୍ଯ୍ୟକରଣ ଆଦି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ୧୦ ବର୍ଷ ମଧ୍ୟରେ ଉନ୍ନତି ଠାରୁ ଦୁର୍ନୀତି ବଳି ଯାଇଛି ବୋଲି ଅଭିଯୋଗ ହେଉଛି। ବିରୋଧୀଙ୍କ ସ୍ଥିତି ଦୁର୍ବଳ ଥିବାର ବିଧାୟକଙ୍କ ସ୍ଥିତି ଅବଶ୍ୟ ଭଲ ଅଛି। ହେଲେ ଲୋକପ୍ରିୟତା କମିଛି।
୨୦୦୮ ମସିହାରୁ ଧନୁଆ ନଦୀ ଉପରେ ଅସମ୍ପୂର୍ଣ୍ଣ ବୋଇତିବଙ୍ଗା ସେତୁ, କୁଶଭଦ୍ରା ନଦୀ ଉପରେ ଅଂସପୂର୍ଣ୍ଣ ବ୍ରିଜ ସଂପ୍ରସାରଣ କାମ, ନିମାପଡା ପିପିଲି ରାସ୍ତାର ନିର୍ମାଣଧିନ ବ୍ରିଜ କାର୍ଯ୍ୟରେ ଅହେତୁକ ବିଳମ୍ବ ଲୋକଙ୍କ ମନରେ ଅସନ୍ତୋଷ ନିଆଁ ଜାଳିଛି। ବିଭିନ୍ନ ଗାଁରେ ରାସ୍ତା ଘାଟର ସମାସ୍ୟା ସମାଧାନରେ ମଧ୍ୟ ସରକାର ବିଫଳ ହୋଇଛନ୍ତି। ନିମାପଡାର ସବୁଠାରୁ ବଡ ସମସ୍ୟା ଶୀତଳଭଣ୍ଡାର ଅଭାବ। ଶୀତଳଭଣ୍ଡାରଟିଏ ନ ଥିବାରୁ ପରିବା ଚାଷୀ ପ୍ରତିବର୍ଷ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ହେଲେ ସରକାର ଏହି ସମାସ୍ୟା ସମାଧାନ ଦିଗରେ ବିଫଳ ହୋଇଥିବା ଚାଷୀ ଅଭିଯୋଗ କରନ୍ତି।
୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରମୁଖ ରାଜନୈତିକ ଦଳ ସହ ନିମାପଡ଼ାରେ ନୂତନ କରି ଅଭ୍ୟୁଦୟ ହୋଇଛି ଗୋପ-ନିମାପଡା ନବ ନିର୍ମାଣ ପରିଷଦ। ଏହି ଦଳ ଆଗାମୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ ବୋଲି ଘୋଷଣା କରିବା ସହ ତାର ପ୍ରସ୍ତୁତି ଆରମ୍ଭ କରିଛି।
/odisha-reporter/media/post_attachments/wp-content/uploads/2019/03/nimapada-vote.jpg)
ବିଜେଡି:ବିଧାନସଭା ନିର୍ବାଚନରେ ବିଜେଡିକୁ ଏହି ଆସନରୁ ୮୬,୯୫୯ ଭୋଟ ମିଳିଥିଲେ ମଧ୍ୟ ଜିଲ୍ଲା ପରିଷଦ ନିର୍ବାଚନରେ ୮୪,୭୦୫ ଭୋଟ ମିଳିଥିଲା। ତେଣୁ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ପୁଣି ଥରେ ବିଜେଡି ପ୍ରାର୍ଥୀ ହେବା ପାଇଁ ବିଧାୟକ ସମୀର ରଞ୍ଜନ ଦାଶ ଆଶା ରଖିଛନ୍ତି। ତାଙ୍କ ବିରୁଦ୍ଧରେ ଆସୁଥିବା ସମସ୍ତ ଅଭିଯୋଗକୁ ଅସ୍ଵୀକାର କରି ସେ ନିଶ୍ଚିତ ପ୍ରାର୍ଥୀ ହେବେ ଓ ବିଜୟ ଲାଭ କରିବେ ବୋଲି କହୁଛନ୍ତି।
କଂଗ୍ରେସ:୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ସ୍ଥିତି ଏଠାରେ ଦୁର୍ବଳ ହେବାରେ ଲାଗିଛି। ୨୦୦୯ରେ କଂଗ୍ରେସ ୪୧ହଜାର ଭୋଟ ପାଇଥିବା ବେଳେ ୨୦୧୪ ନିର୍ବାଚନରେ AICCର ସାଧାରଣ ସମ୍ପାଦକ ଥିବା ବିଶ୍ଵ ରଞ୍ଜନ ମହାନ୍ତି ମାତ୍ର ୨୬ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଦିନକୁ ଦିନ ଅବସ୍ଥା ଦୁର୍ବଳ ହେଉଥିବାରୁ କଂଗ୍ରେସ ସଂଗଠନ ପାଇଁ ଏହା ଚିନ୍ତାଜନକ ହୋଇ ପଡ଼ିଛି। ତଥାପି ବିଜେପିର ଲୋକପ୍ରିୟତା ହ୍ରାସ ଓ ବିଜେଡିର ଦୁର୍ନୀତିକୁ ଅସ୍ତ୍ର କରି କଂଗ୍ରେସ ପୁଣି ମଇଦାନକୁ ଓହ୍ଲାଇବା ଲକ୍ଷ୍ୟ ରଖିଛି। ୨୦୦୯ରେ ପ୍ରାର୍ଥୀ ହୋଇଥିବା ତଥା ବର୍ତ୍ତମାନ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଥିବା ସତ୍ୟବ୍ରତ ଏହି ଆସନରୁ ପ୍ରାର୍ଥୀ ହେବା ଆଶାରେ ଅଛନ୍ତି। ଅନ୍ୟପକ୍ଷେ ଚଳିତ ଥର ବିଶ୍ଵ ରଞ୍ଜନ ପ୍ରାର୍ଥୀ ହେବାକୁ ମନା କରିଦେଇଛନ୍ତି।
ବିଜେପି:ଏହି ଆସନ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରି ଦେଇଛି। ୨୦୧୪ ରେ ପ୍ରାର୍ଥୀ ହୋଇଥିବା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କୁ ଟିକଟ ଦେବ ବୋଲି ଘୋଷଣା କରିଛି। ଇତି ମଧ୍ୟରେ ସେ ତାଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଗତ ବିଧାନ ସଭା ନିର୍ବାଚନରେ ୫୭ ହଜାରରୁ ଅଧିକ ଭୋଟ ପାଇଥିବା ବିଜେପି ଗତ ଜିଲ୍ଲା ପରିଷଦ ନିର୍ବାଚନରେ ୭୭ ହଜାରରୁ ଅଧିକ ଭୋଟ ପାଇ ବିଜେଡ଼ିକୁ କଡା ଟକ୍କର ଦେଇଥିଲା । ଏପରିକି ପୁରୀ ଜିଲ୍ଲାରେ ବିଜେପି ଗୋଟିଏ ଜିଲ୍ଲା ପରିଷଦ ଜୋନ ଜିତିବାରେ ସକ୍ଷମ ହୋଇଥିଲା । ବିଜେପିର ଭୋଟ ହାର ଅହେତୁକ ଭାବେ ବୃଦ୍ଧି ବିଜେପିକୁ ବେଶ ଉତ୍ସାହିତ କରିଛି। ପରିଶ୍ରମ ଓ ଦୃଢ ସଂଗଠନ ଜରିଆରେ ଆଗାମୀ ନିର୍ବାଚନରେ ଏହି ଆସନରୁ ବିଜେପିକୁ ନିଶ୍ଚୟ ସଫଳତା ମିଳିବ ବୋଲି ପ୍ରଭାତୀ ଆଶା ରଖିଛନ୍ତି।
ନବ ନିର୍ମାଣ ପରିଷଦ:ନିମାପଡ଼ରେ ଗୋପ-ନିମାପଡ଼ା ନବ ନିର୍ମାଣ ପରିଷଦ ମାତ୍ର ୨୦ ମାସ ମଧ୍ୟରେ ନିମାପଡ଼ାରେ ନିଜର ସ୍ଥିତି ଜାହିର କରି ରାଜନୈତିକ ଗଣିତକୁ ଅଡୁଆ କରି ଦେଇଛି । ପରିଷଦର ଅଧକ୍ଷ୍ୟ ଦିଲୀପ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଇବା ସହ ରାଜନୈତିକ ବିକଳ୍ପ ହେବା ପାଇଁ ତାଙ୍କର ଘୋଷଣା ରାଜନୈତିକ ଦଳ ମାନଙ୍କୁ ଅଡୁଆରେ ପକାଇ ଦେଇଛି । କୌଣସି ଦଳରୁ ଟିକେଟ ନପାଇଲେ ମଧ୍ୟ ନବ ନିର୍ମାଣ ପରିଷଦ ଆଗାମୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ ବୋଲି ଏହାର ଅଧକ୍ଷ୍ୟ ଦିଲୀପ ନାୟକ ଘୋଷଣା କରି ଅନ୍ୟ ମାନଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଛନ୍ତି।
ଉଭୟ ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣାରେ ବିଳମ୍ବ କରୁଛନ୍ତି। ଫଳରେ ଆଶାୟୀ ପ୍ରାର୍ଥୀଙ୍କୁ ଟକଟ କଟିଯିବା ଭୟ ଘାରିଛି। ଅନ୍ୟପକ୍ଷେ ବିଜେଡି ଟିକେଟ ପାଇବା ପାଇଁ କୁଆଡେ ନିମାପଡା ଗୋପ ନବନିର୍ମାଣ ପରିଷଦ ଅଧକ୍ଷ୍ୟ ଦିଲୀପ ନାୟକଙ୍କୁ ସଞ୍ଜୟ ଦାସ ବର୍ମା ଓ ବାବି ଦାସ ଗ୍ରୀନ ସିଗନାଲ ଦେଇଥିବା କଥା ଏବେ ନିମାପଡା ରାଜନୀତିକୁ ଗୋଳମାଳିଆ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/nimapada-Pic.jpg)