Advertisment

ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Niharika Rout
Niranjan Pujari

Niranjan Pujari

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗତକାଲି ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳି ମାଡ଼ରେ ନିହତ ହେବା ପରେ ଆଜି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପୂଜାରୀ ଏବେ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗର କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି।

Advertisment

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନ ପଟ୍ଟନାୟକ ସରକାରରେ ନବ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ।

ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବ୍ରଜରାଜନଗର ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣି ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତରୀ ଟିମ୍‌ର ଶତ ଚେଷ୍ଟା ସତ୍ତ୍ୱେ ନବ ଦାସ ଆଖି ବୁଜିଥିଲେ।  

Advertisment

ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ ଆଉଟପୋଷ୍ଟର ଏଏସ୍‌ଆଇ ଗୋପାଳ ଦାସ ହିଁ ସର୍ବ ସମ୍ମୁଖରେ ନବ ଦାସଙ୍କ ଉପରକୁ ଗୁଳି କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ପୁଲିସ୍‌ କବଜାକୁ ନେଇ ଗିରଫ କରିଥିଲା। ଆଜି ଅପରାହ୍ନ ୨ଟାରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। 

 ତେବେ ଗୋପାଳ ଦାସ କାହିଁକି ମନ୍ତ୍ରୀ ନବ ଦାସଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ ତାହା ଜଣାପଡ଼ିନି। ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ କ୍ରାଇମବ୍ରାଞ୍ଜ ଟିମ୍‌ ଗଠିତ ହୋଇଛି।  ସୁନ୍ଦରଗଡ଼ ରେଞ୍ଜ କାର୍ଯ୍ୟାଳୟରେ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜେରା କରୁଥିବା ବେଳେ ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ପ୍ରଥମେ ସ୍ୱୀକାର କରୁ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। 

ଅପରପକ୍ଷେ, ନବ ଦାସଙ୍କ ପାର୍ଥିବ ଶରୀର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ଯାଇ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେଠାରେ ଆଜି ଅପରାହ୍ନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାଯାଇଛି। 

Niranjan Pujari