Advertisment

ମହିଳାଙ୍କ ପାଇଁ ସଂରକ୍ଷଣ ପରେ ଏବେ ମାଗଣା ବିଜୁଳି କାର୍ଡ ଖେଳିଲେ ନୀତୀଶ କୁମାର

ଆସନ୍ତା ଅଗଷ୍ଟ ୧ ତାରିଖରୁ ରାଜ୍ୟ ସରକାର ବିହାରବାସୀଙ୍କୁ ୧୨୫ ଯାଏ ମାଗଣା ବିଜୁଳି ଦେବେ ବୋଲି ନୀତୀଶ କୁମାର ଆଜି ସମସ୍ତଙ୍କୁ ଜଣାଇଛନ୍ତି। ମାଗଣା ବିଜୁଳି ଦ୍ୱାରା ରାଜ୍ୟର ୧.୬୭ କୋଟି ପରିବାର ଲାଭବାନ ହେବେ।

Nitish Kumar

Nitish Kumar

Advertisment

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବିଜେପି ଭରସାରେ ମୁଖ୍ୟମନ୍ତ୍ରୀ ହୋଇଥିବା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ଲୋକଙ୍କୁ ନିଜ ସପକ୍ଷରେ ଆଣିବା ପରେ ସେ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରି ଚାଲିଛନ୍ତି।

Advertisment

ଏହିକ୍ରମରେ ନୀତୀଶ କୁମାର ଆଜି ମାଗଣା ବିଜୁଳି ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ଅଗଷ୍ଟ ୧ ତାରିଖରୁ ରାଜ୍ୟ ସରକାର ବିହାରବାସୀଙ୍କୁ ୧୨୫ ଯାଏ ମାଗଣା ବିଜୁଳି ଦେବେ ବୋଲି ନୀତୀଶ କୁମାର ଆଜି ସମସ୍ତଙ୍କୁ ଜଣାଇଛନ୍ତି। ମାଗଣା ବିଜୁଳି ଦ୍ୱାରା ରାଜ୍ୟର ୧.୬୭ କୋଟି ପରିବାର ଲାଭବାନ ହେବେ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ୍ସରେ କହିଛନ୍ତି ଯେ “ଆମେ ଆରମ୍ଭରୁ ହିଁ ସମସ୍ତଙ୍କୁ ଶସ୍ତାରେ ବିଜୁଳି ପ୍ରଦାନ କରି ଆସୁଛୁ। ଏବେ ଆମେ ନିଷ୍ପତ୍ତି ନେଇଛୁ ଯେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଅର୍ଥାତ ଜୁଲାଇ ମାସର ବିଲ ଠାରୁ ହିଁ ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ ଯାଏ ବିଜୁଳି ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହା ରାଜ୍ୟର ୧.୬୭ କୋଟି ପରିବାରକୁ ଲାଭ ଦେବ।”

Advertisment

ସେ ଆହୁରି କହିଛନ୍ତି ଯେ “ଆସନ୍ତା ୩ ବର୍ଷ ମଧ୍ୟରେ ଆମେ ସମସ୍ତ ଘରୋଇ ଉପଭୋକ୍ତାଙ୍କ ସହମତି ଆଧାରରେ ସେମାନଙ୍କ ଛାତ ଉପରେ କିମ୍ବା ନିକଟସ୍ଥ ସାର୍ବଜନୀନ ସ୍ଥାନରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରି ଲାଭ ଦେବୁ। କୁଟୀର ଜ୍ୟୋତି ଯୋଜନା ଅଧୀନରେ ସୋଲାର ପ୍ଲାଣ୍ଟ ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେଉଥିବା ସବୁ ଟଙ୍କା ଗରିବ ପରିବାରକୁ ସରକାର ଦେବେ।

ବାକି ପରିବାରକୁ ମଧ୍ୟ ଆବଶ୍ୟକ ସହାୟତା ସରକାର ଯୋଗାଇ ଦେବେ। ଏହି ବ୍ୟବସ୍ଥା ଦ୍ୱାରା ଘରୋଇ ଉପଭୋକ୍ତାଙ୍କୁ ୧୨୫ ୟୁନିଟ ବିଜୁଳି ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ସେହିପରି ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟ ସୌର ଶକ୍ତିରୁ ୧୦ ହଜାର ମେଗାୱାଟ ବିଜୁଳି ମଧ୍ୟ ଉତ୍ପାଦନ କରିପାରିବ।”

ବିହାର ମହିଳାଙ୍କୁ ଚାକିରି

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ସପ୍ତାହରେ ବିହାରର ସ୍ଥାୟୀ ମହିଳାଙ୍କ ପାଇଁ ସରାକାରୀ ଚାକିରିରେ ୩୫% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଥିଲେ। ଶ୍ରୀ କୁମାର କହିଥିଲେ, “ସମସ୍ତ ବର୍ଗ, ସମସ୍ତ ସ୍ତର ଓ ସବୁ ଧରଣର ସରକାରୀ ଚାକିରିରେ ଏଣିକି ୩୫% ପଦବୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ହୋଇ ରହିବ। ବିହାରର ମୂଳ ବାସିନ୍ଦାଙ୍କୁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ଏପରି ସଂରକ୍ଷଣ ସୁବିଧା ମିଳିବ। ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଅଧିକରୁ ଅଧିକ ମହିଳା କର୍ମକ୍ଷେତ୍ରରେ ସାମିଲ ହୋଇ ପାରିବେ। ଏଥିସହ ବିହାରର ଶାସନ ନୀତି ଓ ପ୍ରଶାସିକ ବ୍ୟବସ୍ଥାରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହେବେ।” ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ବୈଠକରେ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବ ଉପରେ ମୋହର ଲଗାଯାଇଥିଲା।

ବିହାର ୟୁଥ କମିଶନ

ଯୁବଗୋଷ୍ଠୀଙ୍କୁ ଅଧିକ ସଶକ୍ତ କରିବାକୁ ମଧ୍ୟ ନୀତୀଶ କୁମାର ବିହାର ୟୁଥ କମିଶନ ଗଠନ ହେବ ବୋଲି କହିଥିଲେ। ସେ କହିଥିଲେ, “ବିହାରର ଯୁବଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି, ସେମାନଙ୍କୁ ତାଲିମ ଓ ସେମାନଙ୍କୁ ଅଧିକ ସକ୍ଷମ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାର ବିହାର ୟୁଥ କମିଶନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରାସ୍ତବ ଉପରେ କ୍ୟାବିନେଟ ମୋହର ଲଗାଇଛି।”

ବିହାର ୟୁଥ କମିଶନ ଯୁବଗୋଷ୍ଠୀଙ୍କୁ ସଶକ୍ତ ଓ ଅଧିକ ସକ୍ଷମ କରିବା ପାଇଁ କ’ଣ ସବୁ କରାଯିବା ଦରକାର ସେ ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବେ। ଯୁବଗୋଷ୍ଠୀଙ୍କୁ ଉତ୍ତମ ଶିକ୍ଷା ଓ ସେମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାମ କରିବ। କମିଶନରେ ଜଣେ ଅଧ୍ୟକ୍ଷ, ଦୁଇ ଜଣ ଉପାଧ୍ୟକ୍ଷ ଓ ୭ ଜଣ ସଦସ୍ୟ ରହିବେ। ଏମାନଙ୍କ ବୟସ ୪୫ ବର୍ଷରୁ କମ ରହିବ।

ରାଜ୍ୟରେ ଥିବା ଘରୋଇ ସଂସ୍ଥାରେ ସ୍ଥାନୀୟ ଯୁବକମାନଙ୍କୁ ଉପଯୁକ୍ତ ସୁଯୋଗ ମିଳୁଛି କି ନାହିଁ, ତା’ର ଯାଞ୍ଚ ମଧ୍ୟ ଏହି କମିଶନ କରିବ। ସେହିପରି ବିହାର ବାହାରେ କାମ କରୁଥିବା କିମ୍ବା ପାଠପଢ଼ୁଥିବା ପିଲାମାନଙ୍କ ସୁରକ୍ଷାକୁ ମଧ୍ୟ କମିଶନ ନିଶ୍ଚିତ କରିବ।

Bihar Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe