/odisha-reporter/media/media_files/2025/10/14/jdu-2025-10-14-13-37-10.jpg)
ଜେଡିୟୁ ନେତା ଓ କର୍ମୀଙ୍କ ବିକ୍ଷୋଭ
ବିହାର ନିର୍ବାଚନ( Bihar Election) ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏକରେ ସାଂଘାତିକ ବିଶୃଙ୍ଖଳା। ଅତି କଷ୍ଟରେ ସିଟ୍ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିଥିବା ଏନଡିଏ ଏବେ ଟିକେଟ ଆଶାୟୀଙ୍କ ଯୋଗୁ ଅଡ଼ୁଆରେ ପଡ଼ିଛି। ବିଜେପିରେ ଏଯାଏ ଟିକେଟ ବଣ୍ଟନକୁ ନେଇ କୌଣସି ପ୍ରକାରର ମତପାର୍ଥକ୍ୟ ସାମ୍ନାକୁ ଆସିନାହିଁ। କିନ୍ତୁ ସହଯୋଗୀ ଜେଡିୟୁରେ ଟିକେଟ ଆଶାୟୀମାନେ ସିଧାସଳଖ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆଜି ଶତାଧିକ ଜେଡିୟୁ(JDU) ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଟନା ସ୍ଥିତି ବାସଭବନ ନିକଟରେ ଏକାଠି ହୋଇ ନାରାବାଜୀ କରିଛନ୍ତି। ଅନେକ ବରିଷ୍ଠ ନେତାଙ୍କୁ ଟିକେଟ ମିଳି ନଥିବାରୁ ସେମାନେ ଏପରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିଯୋଗୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ପୁଲିସ୍ ଓ ସୁରକ୍ଷା କର୍ମଚାରୀମାନେ ପୂରା ଅଞ୍ଚଳକୁ ଦଉଡ଼ି ଦ୍ୱାରା କର୍ଡନ କରିଛନ୍ତି। ସେମାନେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି। କଟକଣା ସତ୍ତ୍ୱେ ଅନେକ ନେତା ଓ ଦଳୀୟ କର୍ମୀ ଏକାଠି ହେବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଧାରଣାରେ ବସିଛନ୍ତି। ଏକାଧିକ ନେତାଙ୍କ ଶତକାଧିକ କର୍ମୀ ଦଳୀୟ ଟିକେଟ ପାଇଁ ଦାବି କରିଛନ୍ତି। ଏହାବାଦ ଅନେକ ବାହାର ଲୋକଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଟିକେଟ ଦିଆଯିବା ନିଷ୍ପତ୍ତିକୁ ମଧ୍ୟ ଜେଡିୟୁ ନେତା ଓ କର୍ମୀ ବିରୋଧ କରିଛନ୍ତି।
ପୂର୍ବତନ ବିଧାୟକ ଗୋପାଲ ମଣ୍ଡଳ ଟିକେଟ ପାଇବାରୁ ବଞ୍ଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆଜି ସକାଳୁ ଧାରଣା ଦେଇଛନ୍ତି। କୁର୍ଥା, ନବିନଗର ଓ ଦରଭଙ୍ଗାର ଜେଡିୟୁ କର୍ମୀମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଏଥିଯୋଗୁ ମୁଖ୍ୟମନ୍ତ୍ରୀ(Bihar CM Nitish Kumar)ଙ୍କ ବାସଭବନ ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ଧାରଣାରେ ବସିଥିବା ଶ୍ରୀ ମଣ୍ଡଳ ଭାଗଲପୁରର ଗୋପାଳପୁର ଆସନରୁ କ୍ରମାଗତ ୪ର୍ଥ ଥର ପାଇଁ ଲଢ଼ିବାକୁ ଚାହୁଁଛନ୍ତି। କିନ୍ତୁ ଏଥର ତାଙ୍କୁ ଦଳ ଟିକେଟ ନ ଦେବାକୁ ନିଷ୍ପତ୍ତି ନେଇଛି। ଏଥିଯୋଗୁ ସେ ଧାରଣାରେ ବସିଛନ୍ତି। ସେ କହିଛନ୍ତି, “ମୁଁ ଏଠାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛି। ସେ ମୋତେ ଭେଟି ଟିକେଟ ପ୍ରତିଶ୍ରୁତି ନ ଦେବା ଯାଏ ମୁଁ ଏଠାରେ ବସିବି। ମୁଁ ତାଙ୍କୁ ଅପେକ୍ଷା କରିବି ଓ ମୋ ର ବିଶ୍ୱାସ ମୋତେ ଟିକେଟ ଦେବାକୁ ସେ ମନା କରିପାରିବେ ନାହିଁ। ସୁରକ୍ଷାକର୍ମୀମାନେ ଚାହିଁଲେ ଲାଠିଚାର୍ଜ କରିପାରିବେ। କିନ୍ତୁ ମୁଁ ଏଠାରୁ ଯିବି ନାହିଁ।”
ଜେଡିୟୁ ନେତା ତଥା ଭାଗଲପୁର ସାଂସଦ ଅଜୟ ମଣ୍ଡଳ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସେ ନିଜ ସଂସଦୀୟ କ୍ଷେତ୍ରରେ ଥିବା ବିଧାନସଭା ଆସନଗୁଡ଼ିକ ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଏପରି ନିଷ୍ପତ୍ତି ନେଇଛନ୍ତି।
ତାଙ୍କ ସମର୍ଥକମାନେ ମଧ୍ୟ ନୀତୀଶ କୁମାରଙ୍କ ବାସଭବନ ଆଗରେ ଏକାଠି ହୋଇଛନ୍ତି। ଟିକେଟ ବଣ୍ଟନ ପୂର୍ବରୁ ତାଙ୍କ ସହ କୌଣସି ପ୍ରକାରର ଆଲୋଚନା କରାଯାଇ ନଥିବାରୁ ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।
ଏହି ଦୁଇ ଜଣ କିମ୍ବା ସେମାନଙ୍କ ସମର୍ଥକ ନୁହନ୍ତି, ଅନେକ ଜେଡିୟୁ ନେତା ଓ କର୍ମୀମାନେ ଟିକେଟ ବଣ୍ଟନରେ ସ୍ୱଚ୍ଛତା ଆଣିବା ଦାବିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
