କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଉପୁଜିଥିବା ବିବାଦକୁ ୧୨ଦିନ ପୁରିଲାଣି । କିନ୍ତୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଶୂନ। କିଟ୍ କ୍ୟାମ୍ପସରୁ ବିତାଡ଼ିତ ନେପାଳୀ ଛାତ୍ରଛାତ୍ରୀମାନେ ଫେରୁନାହାନ୍ତି କି ରାଜ୍ୟ ସରକାର କିମ୍ବା କିଟ୍ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କୁ ଫେରାଇ ଆଣିବାକୁ ମାହୋଲ ମଧ୍ୟ କରୁନାହାନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଯାଂଚ କମିଟି ୯ଧରି ନିଜର ତଦନ୍ତ ପ୍ରକ୍ରିୟାକୁ କେବଳ କିଟ୍ ବିଶ୍ୱବିଦ୍ୟାଳୟ ଅଧିକାରୀମାନଙ୍କୁ ଜେରା ମଧ୍ୟରେ ସୀମିତ ରଖିଛନ୍ତି । ଗୁରୁବାର ବିଶ୍ୱବିଦ୍ୟାଳୟର ଆଉ ୬ଜଣ ଅଧିକାରୀଙ୍କୁ ଡାକି ଜେରା କରିଥିବା ଯାଂଚ କମିଟି ଏପର୍ଯ୍ୟନ୍ତ ସ୍ଥାନୀୟ ପୁଲିସର ଭୂମିକା ଉପରୁ ପରଦା ହଟାଇ ପାରିନାହାନ୍ତି କିମ୍ବା ମୃତ ଛାତ୍ରୀଙ୍କ ସହପାଠୀ ଓ ବିଶେଷକରି ବିତାଡ଼ିତ ନେପାଳୀ ଛାତ୍ରଛାତ୍ରୀଙ୍କ ବୟାନକୁ ମଧ୍ୟ ରେକର୍ଡକୁ ନେବାକୁ ଉଚିତ୍ ମଣିନାହାନ୍ତି । ତଦନ୍ତ ଆଳରେ ଏଭଳି ଦିନ ଗଡ଼ାଇବାରେ କମିଟି ବ୍ୟସ୍ତ ଥିବାବେଳେ ମୃତ ନେପାଳୀ ଛାତ୍ରୀଙ୍କ ପିତା ଗୁରୁତର ଅଭିଯୋଗ ଆଣିଛନ୍ତି । ତାଙ୍କ ଝିଅଙ୍କ ମୃତ୍ୟୁ ଅସ୍ୱାଭାବିକ ପରିସ୍ଥିତିରେ ହୋଇଛି ଓ ସବୁ ଦୋଷୀମାନଙ୍କୁ ଦଣ୍ଡିତ କରାଯାଉ ବୋଲି ଦାବି କରିବା ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ମଧ୍ୟ ସନ୍ଦେହବ୍ୟକ୍ତ କରିଛନ୍ତି । ଏପଟେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ତଥା ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ବିବାଦୀୟ ଭୂମିକା ଏବଂ କିଟ୍ ବିଶ୍ୱବିଦ୍ୟାଳୟକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରାଯାଉ ବୋଲି ଦାବି ହୋଇଛି । ଏସବୁ ମଧ୍ୟରେ କିଟ୍ ପ୍ରସଙ୍ଗରେ ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେଡି ଓ ବିଜେପି ମୁହଁ ଖୋଲୁନଥିବାବେଳେ କଂଗ୍ରେସ ନେତାମାନଙ୍କ ପରସ୍ପରବିରୋଧୀ ବୟାନ ଦେବାରେ ଲାଗିଛନ୍ତି । ଯାହାକି ଓଡ଼ିଶାକୁ ବିଶ୍ୱଦରବାରରେ ନିନ୍ଦିତ କରିଥିବା କିଟ୍ କର୍ତ୍ତୃପକ୍ଷଙ୍କୁ ସୁହାଇବାରେ ଲାଗିଛି ।
ଉଚ୍ଚସ୍ତରୀୟ ଯାଂଚ କମିଟି କରୁଛି କ’ଣ
ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଉଚ୍ଚସ୍ତରୀୟ ଯାଂଚ କମିଟିର ତଦନ୍ତ ରିପୋର୍ଟ ଉପରେ କେବଳ ରାଜ୍ୟ ନୁହେଁ ନେପାଳ ସରକାରଙ୍କ ନଜର ରହିଥିବାବେଳେ କମିଟିର କାର୍ଯ୍ୟଶୈଳୀକୁ ନେଇ କଂଗ୍ରେସ ସନ୍ଦେହବ୍ୟକ୍ତ କରିସାରିଲାଣି । ତଥାପି କମିଟି ତ୍ୱରିତ୍ ପଦକ୍ଷେପ ନେଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସକ୍ଷମ ହୋଇପାରିନି । କେବଳ କିଟ୍ ବିଶ୍ୱବିଦ୍ୟାଳୟର ଅଧିକାରୀମାନଙ୍କୁ ଡାକି ଜେରା(୬ଦିନ ବ୍ୟବଧାନରେ ଦ୍ୱିତୀୟ ଥର ଆଉ ୬ଜଣଙ୍କୁ) ମଧ୍ୟରେ ନିଜର ତଦନ୍ତକୁ ସୀମିତ ରଖିଛନ୍ତି । ଯେଉଁ ୪ଟି ଦିଗ ଉପରେ କମିଟି ଯାଂଚ କରୁଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ତାହା ଚୂଡ଼ାନ୍ତ କରିବାରେ ଏତେ ବିଳମ୍ବ କାହିଁକି ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି । କମିଟିର ତଦନ୍ତ ମୁଖ୍ୟତଃ ଯେଉଁ ୪ଟି ଦିଗ ଉପରେ ଆଧାରିତ ସେଗୁଡ଼ିକ ହେଲା-କ’ଣ ପାଇଁ ବିଶ୍ୱବିଦ୍ୟାଳୟରେ ସାଇନ୍ ଡାଏ ହୋଇଥିଲା, ଛାତ୍ରଛାତ୍ରୀଙ୍କୁ କାହିଁକି ଷ୍ଟେସନରେ ଛଡ଼ାଗଲା,ଛାତ୍ରଛାତ୍ରୀଙ୍କୁ କାହିଁକି ମାଡ଼ ମରାଗଲା ଓ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମୃତ ନେପାଳୀ ଛାତ୍ରୀଙ୍କ ଅଭିଯୋଗ ଗ୍ରହଣ କରାଗଲା ନାହିଁ କାହିଁକି? ଏହି ୪ଟି ପ୍ରଶ୍ନର ଉତ୍ତର ଖୋଜିବାକୁ କମିଟିକୁ ୧୦ଦିନରୁ ଅଧିକ ସମୟ ଲାଗିସାରିଲାଣି । ଯଦିଓ କମିଟି ଚାହିଁଥିଲେ ମାତ୍ର ୨-୩ଦିନ ମଧ୍ୟରେ ଏହି ତଥ୍ୟକୁ ଖୋଳତାଡ଼ କରି ନିର୍ଯ୍ୟାସରେ ପହଂଚି ସାରନ୍ତାଣି ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ମଧ୍ୟ ଯେଉଁ ଦୁଇଜଣ ମହିଳା ଅଧିକାରୀ ନେପାଳ ସମ୍ପର୍କରେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ ସେମାନଙ୍କର ଅଡିଓର ସତ୍ୟାସତ୍ୟ ଯାଂଚ ପରେ ସେମାନଙ୍କ ବିରୁଦ୍ଧରେ ଆଇଟି ଆକ୍ଟ ଆଧାରରେ ମାମଲା ରୁଜୁ ହେବ ବୋଲି କହିଥିଲେ । କିନ୍ତୁ ଦୁଇ ମହିଳା ନିଜର ବୟାନ ପାଇଁ କ୍ଷମା ପ୍ରାର୍ଥନା କରିସାରିଥିବାବେଳେ ସେମାନଙ୍କ ନାଁରେ ଏପର୍ଯ୍ୟନ୍ତ ମାମଲା ବି କରିବାକୁ ସରକାର କିମ୍ବା ପୁଲିସ ଆଗଭର ହେଇନାହିଁ । ଯାହାକି ସାଧାରଣରେ ସନ୍ଦେହ ବଢ଼ାଇଛି ।
ବିଶ୍ୱବିଦ୍ୟାଳୟର ସୁରକ୍ଷା ଯେଉଁ ଅଧିକାରୀଙ୍କ ଉପରେ ନ୍ୟସ୍ତ ତାଙ୍କ ପାଖରେ ପହଂଚିବାକୁ ଅବା ତାଙ୍କୁ ଜେରା କରିବାକୁ ଯାଂଚ କମିଟିକୁ ୧୦ଦିନ ସମୟ ଲାଗିଗଲା । କାହା ନିର୍ଦ୍ଦେଶରେ କ୍ୟାମ୍ପସ କେବଳ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ସାଇନଡାଏ ହେଲା ଓ ସେମାନଙ୍କୁ ହଷ୍ଟେଲରୁ ବଳପୂର୍ବକ ବିଦା କରାଗଲା ତାହା କ’ଣ ଯାଂଚ କମିଟି ଜାଣିପାରୁନି ନା ଅନ୍ୟ କାହାମୁଣ୍ଡରେ ଦୋଷ ଲଦିବା ପାଇଁ ‘ମୁଣ୍ଡଟିଏ’ ଖୋଜା ଚାଲିଛି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି? ଆଜି କିଟ୍ ବିଶ୍ୱବିଦ୍ୟାଳୟର ୬ଜଣ ଅଧିକାରୀ ଯଥା ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପସିତା ଶତପଥୀ, ହଷ୍ଟେଲ ଅଧୀକ୍ଷକ ସଂହିତା ମିଶ୍ର, ବରିଷ୍ଠ ପ୍ରଶାସନିକ ଅଫିସର ସିଦ୍ଧାର୍ଥ ରାୟ, ସହାୟିକା ନିର୍ଦ୍ଦେଶିକା ସ୍ମରିକା ପତି ଓ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାସ ହାଜର ହୋଇଥିଲେ । ପୂର୍ବରୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ଅନ୍ୟ ୭ଜଣ ପଦାଧିକାରୀ କମିଟି ଆଗରେ ହାଜର ହୋଇଥିଲେ ।
ମୃତା ନେପାଳୀ ଛାତ୍ରୀଙ୍କ ପିତାଙ୍କ ସଙ୍ଗୀନ ଅଭିଯୋଗ
କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ମୃତା ନେପାଳୀ ଛାତ୍ରୀଙ୍କ ପିତା ସୁନୀଲ ଲମସଲ ବୁଧବାର ‘ ଏକ ଜାତୀୟ ଇଂରାଜୀ ସମ୍ବାଦପତ୍ର’କୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ରାମାୟଣ ଯୁଗରୁ ନେପାଳ ଓ ଭାରତ ମଧ୍ୟରେ ‘ରୋଟି-ବେଟି’ର ସମ୍ପର୍କ । ତଦନ୍ତ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିପାରିବା ସମ୍ଭବପର ନୁହେଁ । କିନ୍ତୁ ଭାରତ ସରକାର ନିଶ୍ଚିତ ଏଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଆଶାବାଦୀ ଅଛନ୍ତି । ତାଙ୍କ ଝିଅ ଜଣେ ଭଲ ଇଞ୍ଜିନିୟର ହେବାକୁ ଆଶା ରଖିଥିଲା । କିନ୍ତୁ ତାହା ହୋଇପାରିଲା ନାହିଁ । ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରକୁ ଅଙ୍ଗୁଳି ଉଠାଇ କହିଛନ୍ତି ଯେ, ଘଟଣା ଦିନ ତାଙ୍କ ଝିଅ ଘରକୁ ଫୋନ୍ କରି ତାର ମା’ଙ୍କ ସଙ୍ଗେ ସ୍ୱାଭାବିକ କଥା ହୋଇଥିଲା । କିନ୍ତୁ ସେଭଳି କୌଣସି ସନ୍ଦେହଜନକ କଥା ନଥିଲା ଯେ ସେ ଏଭଳି ଗୁରୁତର ନିଷ୍ପତ୍ତି ନେଇଥିବ । ମାତ୍ର କିଛି ଘଣ୍ଟା ଭିତରେ ତା’ର ମୃତ୍ୟୁ ଖବର ମିଳିଥିଲା । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାକୁ ନେଇ ଶ୍ରୀ ଲମସଲ୍ ଏବେବି ସନ୍ଦେହଘେରରେ ରହିଛନ୍ତି । ସେହିପରି ଅଭିଯୁକ୍ତ ଛାତ୍ରଙ୍କ ବିରୁଦ୍ଧରେ ତାଙ୍କ ଝିଅ ଦୁଇଥର ବିଶ୍ୱବିଦ୍ୟାଳୟରେ ଅଭିଯୋଗ କରିଛି । ବିଶ୍ୱବିଦ୍ୟାଳୟ ଏହି ଅଭିଯୋଗ ଉପରେ ଦୁଇଜଣଙ୍କୁ ଡାକି ବୁଝାସୁଝା କରି ଛାଡ଼ିଥିଲା, କିନ୍ତୁ ଏଭଳି ଘଟଣା ସମ୍ପର୍କରେ ପରିବାରକୁ କିଟ୍ କର୍ତ୍ତୃପକ୍ଷ ଜଣାଇନଥିଲେ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିନଥିଲେ ବୋଲି ସେ କହିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ତାଙ୍କୁ ମଙ୍ଗଳବାର ଫୋନ୍ କରି କଥା ହେବା ସହ ସମବେଦନା ଜଣାଇଛନ୍ତି । ତାଙ୍କ ଝିଅକୁ ନ୍ୟାୟ ଦେବା ପାଇଁ ନେପାଳ ସରକାର ଉଭୟ କୂଟନୀତିକ ଓ ଆଇନଗତ ପଦକ୍ଷେପ ନେଉଛନ୍ତି ଓ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଭାରତ ସରକାରଙ୍କ ସହ ଯୋଗାଯୋଗରେ ରହିଥିବା ନେପାଳ ପ୍ରଧାନମନ୍ତ୍ରୀ ତାଙ୍କୁ ଅବଗତ କରାଇଛନ୍ତି ବୋଲି ଶ୍ରୀ ଲମସଲ୍ କହିଛନ୍ତି । ସେପଟେ କିଟ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ମୋଟ ୧୧୬୯ଜଣ ନେପାଳୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏବେବି ପ୍ରାୟ ୯୦୦ରୁ ଅଧିକ ପିଲା ଓଡ଼ିଶା ଫେରିବାକୁ ଅନିଚ୍ଛୁକ ଥିବା ଜଣାପଡ଼ିଛି ।
କିଟ୍ କେଳେଙ୍କାରୀର ଫର୍ଦ୍ଦ ଖୋଲିଲା ଓସା
କିଟ୍ ବିବାଦ ଘଟଣାର ପ୍ରାୟ ୧୨ଦିନ ପରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ତାଙ୍କର ସାମନ୍ତବାଦ ନୀତିକୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି । ଏହାସହିତ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରବର୍ତ୍ତୀ ଘଟଣା ଯୋଗୁ ବିଶ୍ୱଦରବାରରେ ଓଡ଼ିଶା ନିନ୍ଦିତ ହୋଇଛି । ତେବେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟକୁ ଆଧାର କରି ଯେଉଁସବୁ କେଳେଙ୍କାରୀ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କରିଛନ୍ତି ତା’ର ଖୋଳତାଡ଼ କରିବାକୁ ଓସା ମୁଖ୍ୟ ପ୍ରଦୀପ ପ୍ରଧାନ ଦାବି କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବା ପାଇଁ ଓସା କେବେ କହିନି । କିନ୍ତୁ ଏହି ଅନୁଷ୍ଠାନକୁ ନେଇ ଯେଉଁ କେଳେଙ୍କାରୀ କରିଛନ୍ତି ତା’ର ପର୍ଦ୍ଦାଫାସ ହେଉ । ସେଥିପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସୂଚନା ଅଧିକାର ଆଇନ ପରିସରକୁ ଆସୁ ବୋଲି ଦୀର୍ଘବର୍ଷ ପୂର୍ବରୁ ଆମେ ପ୍ରୟାସ କରିଥିଲୁ । କିନ୍ତୁ ଅଚ୍ୟୁତ ନିଜର ପ୍ରଭାବ ମାଧ୍ୟମରେ ଏହା କରାଇ ଦେଇନଥିଲେ । ମାମଲା ସୂଚନା କମିଶନରେ ପ୍ରାୟ ୫ବର୍ଷ ଧରି ରହିଲା ଓ ଆମେ ସୂଚନା ଆଇନର ବିଭିନ୍ନ ଧାରାରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ପରେ କିଟ୍ ବିଶ୍ୱବିଦ୍ୟାଳୟକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରାଯିବାକୁ କମିଶନ ନିର୍ଦ୍ଦେଶ ଦେଲେ । କିନ୍ତୁ ଯାହାକୁ ହାଇକୋର୍ଟରେ କିଟ୍ କର୍ତ୍ତୃପକ୍ଷ ଚ୍ୟାଲେଞ୍ଜ କଲେ । ଆଉ କିଟ୍ କର୍ତ୍ତୃପକ୍ଷଙ୍କ ପାଇଁ ଢାଲ ସାଜିଲେ ତତକାଳୀନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା । ଯିଏକି ପରବର୍ତ୍ତୀ ସମୟରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଲେ । ଏହା ପଛରେ କି ଡିଲ୍ ରହିଥିଲା ବୋଲି ପ୍ରଶ୍ନ କରିବା ସହ ଅଶୋକ ପରିଜାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଓସା ଦାବି କରିଛି । ଯେହେତୁ ରାଜ୍ୟ ସରକାରଙ୍କ ଜମିରେ ଅଚ୍ୟୁତଙ୍କ ସଂସ୍ଥା ଗଢ଼ି ଉଠିଛି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠୁ ଅନୁଦାନ ନେଉଛି ତେଣୁ ସରକାର ଏହି ସଂସ୍ଥାର ପରିଚାଳନା ହାତକୁ ନିଅନ୍ତୁ ବୋଲି ଓସା ଦାବି କରିଛି ।