Advertisment

ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା, ରାହୁଲ ଗାନ୍ଧୀ ରଖିବେ ପ୍ରଥମ ବିତର୍କ

ଆଜି ଲୋକସଭାରେ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। 133 ଦିନ ପରେ ସଦସ୍ୟତା ଫେରି ପାଇଥିବା ରାହୁଲଙ୍କ ବିତର୍କରୁ ଆରମ୍ଭ ହେବ ଆଲୋଚନା।

author-image
Debibandita Barick
ଅଦ୍ୟତନ ହୋଇଛି
Rahul Gandhi In Parliament

Rahul Gandhi In Parliament

ଆଜି ଲୋକସଭାରେ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ଏହି ଆଲୋଚନାରେ 133 ଦିନ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ଅଭିଭାଷଣରୁ ବିତର୍କ ଆରମ୍ଭ କରିବେ, ଯାହା ଉପରେ ସମସ୍ତଙ୍କ ନଜର ରହିଛି। ମୋଦୀ ସାଙ୍ଗିଆ ସହ ଜଡିତ ଅପରାଧିକ ମାନହାନୀ ମାମଲାରେ ସଦସ୍ୟତା ହରାଇବା ପରେ ପ୍ରଥମ ଥର ଲୋକସଭାରେ ଅଭିଭାଷଣ ଦେବେ ରାହୁଲ ଗାନ୍ଧୀ। ଚଳିତ ବର୍ଷ ଫେବୃଆରୀରେ ଏହି ମାମଲାରେ ତାଙ୍କୁ ସଦସ୍ୟତା ହରାଇବାକୁ ପଡିଥିଲା।

Advertisment

ମୋଦୀ ସାଙ୍ଗିଆ ଅପରାଧିକ ମାନହାନୀ ମାମଲାରେ ଗୁଜୁରାଟର ଏକ ଟ୍ରାଏଲ କୋର୍ଟ ଫେବ୍ରୁଆରୀରେ ରାହୁଲଙ୍କୁ ସର୍ବାଧିକ ଦୁଇ ବର୍ଷ ଦଣ୍ଡିତ କରିଥିଲେ। ମାତ୍ର ନିକଟରେ ସୁପ୍ରିମକୋର୍ଟରୁ ତାଙ୍କୁ ଆସ୍ୱସ୍ଥି ମିଳିବା ପରେ ସଦସ୍ୟତା ଫେରିଛି। ଏହାପରେ ଗତକାଲି ରାହୁଲ 133 ଦିନ ପରେ ପ୍ରଥମ କରି ସଂସଦ ମୌସୁମୀ ଅଧିବେଶନରେ ଯୋଗ ଦେଇଥିଲେ। ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଥିବାରୁ ରାହୁଲ ପ୍ରଥମେ ବିତର୍କ ରଖିବେ ବୋଲି କୁହାଯାଉଛି। 

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, "ରାହୁଲ ଗାନ୍ଧୀ ମଙ୍ଗଳବାର ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିତର୍କର ନେତୃତ୍ୱ ନେଇପାରନ୍ତି। ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାର ପୁନଃସ୍ଥାପନକୁ ସ୍ୱାଗତ କରି ସେ କହିଛନ୍ତି, ଏହା ଦେଶବାସୀ, ବିଶେଷ କରି ୱାଏନାଡ ସଂସଦୀୟ କ୍ଷେତ୍ରବାସୀଙ୍କୁ ଆସ୍ୱସ୍ଥି ଦେଇଛି। ରାହୁଲଙ୍କ ସଂସଦର ସଦସ୍ୟତା ଫେରାଇ ଆଣିବା ନିଷ୍ପତ୍ତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।"

Advertisment

ସଂସଦରେ ଅନାସ୍ଥା ପ୍ରସ୍ତାବର ଆଲୋଚନା ଦୁଇ ଦିନ ଅର୍ଥାତ୍ ଅଗଷ୍ଟ 10 ପର୍ଯ୍ୟନ୍ତ ଚାଲିବ। ଆଜି ଦିନ 12ଟା 10ରୁ ବିତର୍କ ଆରମ୍ଭ ହେବ। ଏହାପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ବିବୃତ୍ତି ରଖିବାର ସମ୍ଭାବନା ରହିଛି। ମଣିପୁରରେ ଦେଖା ଦେଇଥିବା ଜାତିଗତ ହିଂସା କାରଣରୁ ଅନାସ୍ଥା ପ୍ରସ୍ଥାବ ଆଣିଛନ୍ତି ବିରୋଧୀ। ଏନେଇ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପାଇଁ ମଧ୍ୟ ଅଡି ବସିଛନ୍ତି। ଏହି କାରଣରୁ 20 ଜୁଲାଇରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ତୁମ୍ୱି ତୁଫାନ ଦେଖିବାକୁ ମିଳୁଛି।

ଜୁନରେ ରାହୁଲ ଗାନ୍ଧୀ ହିଂସା କ୍ଷେତ୍ର ମଣିପୁର ଗସ୍ତ କରିଥିବା ବେଳେ ନିକଟରେ ବିରୋଧୀ ଦଳ 'ଇଣ୍ଡିଆ'ର 22 ଜଣିଆ ସାଂସଦଙ୍କ ଟିମ୍ ମଧ୍ୟ ମଣିପୁର ଯାଇଥିଲେ। ତେବେ ଏନେଇ ରାହୁଲ ଏବଂ ବିରୋଧୀ ଦଳର ଅନ୍ୟ ସାଂସଦମାନେ କେଉଁ ବିତର୍କ ରଖୁଛନ୍ତି, ତା ଉପରେ ନଜର୍। 

PM Modi Rahul Gandhi Manipur Burning No-confidence Motion Parliament No Confidence Motion Lok Sabha