ମହଙ୍ଗା ପଡ଼ୁଛି ବିଜେଡି କଳି: ବିଏମସି ମେୟରଙ୍କ ବିରୁଦ୍ଧରେ ଆସିପାରେ ଅନାସ୍ଥା!

ଅଶୋକ ଓ ଅନନ୍ତଙ୍କ ସମର୍ଥକ କର୍ପୋରେଟରମାନେ ସିଧାସଳଖ ନହେଲେ ମଧ୍ୟ ମେୟର ସୁଲୋଚନା ଦାସଙ୍କୁ ବୁଲେଇବଙ୍କେଇ ବିରୋଧ କରିବା ଆରମ୍ଭ କରିଛନ୍ତି ।

ବିଏମସି ମେୟର ସୁଲୋଚନା ଦାସ (ଫାଇଲ ଫଟୋ)

  • Published: Monday, 30 September 2024
  • , Updated: 30 September 2024, 10:45 PM IST

ବିଜେଡିକୁ ମହଙ୍ଗା ପଡ଼ିପାରେ ଦଳୀୟ ଗୋଷ୍ଠୀକନ୍ଦଳ । ଭୁବନେଶ୍ୱରରେ ବିଜେଡିର ଦୁଇ ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଦୁଇ କର୍ପୋରେଟର ଅମରେଶ ଜେନା(ବାଇଁଆ) ଓ ବିରଂଚି ନାରାୟଣ ମହାସୁପକାର (ଲିଟୁ) ଖୋଲାଖୋଲି ବିରୋଧ କରିବାର ସାଇଡଇଫେକ୍ଟ ଏବେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ରାଜନୀତିକୁ ଉଷ୍ମ କରିଦେଇଛି।

ଅଶୋକ ଓ ଅନନ୍ତଙ୍କ ସମର୍ଥକ କର୍ପୋରେଟରମାନେ ସିଧାସଳଖ ନହେଲେ ମଧ୍ୟ ମେୟର ସୁଲୋଚନା ଦାସଙ୍କୁ ବୁଲେଇବଙ୍କେଇ ବିରୋଧ କରିବା ଆରମ୍ଭ କରିଛନ୍ତି । ଆଉ ସୁଲୋଚନାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ଉଭୟ ଅଶୋକ ଓ ଅନନ୍ତ ଭୁବନେଶ୍ୱର ରାଜନୀତିରେ ନିଜର ଦମ୍ ଦେଖାଇବାକୁ ଯୋଜନା କରିଥିବା ସୂଚନା ମିଳିଛି।

ବିଜେଡିର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କ ଛତ୍ରଛାୟାରେ ରହି ବାଇଁଆ ଓ ଲିଟୁ ବିଏମସି ରାଜନୀତିରେ ବାରମ୍ବାର ଅସ୍ଥିରତା ସୃଷ୍ଟି କରୁଥିବା ଏବଂ ମେୟରଙ୍କ ସନ୍ଦେହଜନକ ଭୂମିକା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଅଶୋକ ଓ ଅନନ୍ତଙ୍କ ଗୋଷ୍ଠୀ ଏବେ ନିର୍ଣ୍ଣାୟକ ଲଢ଼େଇ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ କାରଣକୁ ନେଇ ଅସନ୍ତୁଷ୍ଟ ଥିବା ବିଜେଡିର ୩୦ରୁ ଅଧିକ କର୍ପୋରେଟର ଖୁବଶୀଘ୍ର ମେୟର ସୁଲୋଚନା ଦାସଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି । ବିଜେପିର ୧୦ଜଣ ଓ କିଛି ସ୍ୱାଧୀନ କର୍ପୋରେଟରଙ୍କ ସମର୍ଥନରେ ମେୟରଙ୍କୁ ପଦଚ୍ୟୁତ କରି ଉଭୟ ଅଶୋକ ଓ ଅନନ୍ତ ଦଳ ପାଖରେ ନିଜର ପତିଆରା ଦେଖାଇବାକୁ ରଣନୀତି କରିଛନ୍ତି । ବିଶେଷକରି ବାଇଁଆ ଓ ଲିଟୁ ବାରମ୍ବାର ବୟାନବାଜି ସତ୍ତ୍ୱେ  ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ନହେବା ଏବଂ ବବି ତାଙ୍କୁ ଏସବୁରେ ସହଯୋଗ କରୁଥିବାକୁ ଆଉ ସହଜରେ ହଜମ କରିବା ମୁଡରେ ଅଶୋକ ଓ ଅନନ୍ତଙ୍କ ସମର୍ଥକମାନେ ନଥିବା ଜଣାପଡ଼ିଛି।

ସେଥିପାଇଁ ମେୟରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ବବିଙ୍କ ମାମଲାତି ଏବଂ ବାଇଁଆ ଓ ଲିଟୁଙ୍କ ରାଜନୀତିକ ପତିଆରା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଅଶୋକ ଓ ଅନନ୍ତ ଗୋଷ୍ଠୀ ହାତ ମିଳାଇଥିବା ଜଣାପଡ଼ିଛି । ବାଇଁଆ ଓ ଲିଟୁଙ୍କ ୧୫ଦିନିଆ କାରଣଦର୍ଶାଅ ନୋଟିସ କେବଳ ‘ଧର୍ମକୁ ଆଖିଠାର’ ମାରିବା ସଦୃଶ ବୋଲି ଅଶୋକଙ୍କ ଗୋଷ୍ଠୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି । ବିଜେଡିରେ କୌଣସି ନେତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହେବାର ନଜିର ପ୍ରାୟତଃ ନାହିଁ । ସିଧାସଳଖ ଆକ୍ସନ ହୋଇଥାଏ । ଯଦି ବି ନୋଟିସ୍ ଜାରି ହୋଇଛି ତା’ହେଲେ ଜବାବ ରଖିବା ପାଇଁ ସପ୍ତାହେ ଯଥେଷ୍ଟ ହୋଇଥାନ୍ତା । କିନ୍ତୁ ବାଇଁଆ ଓ ଲିଟୁଙ୍କୁ ପରୋକ୍ଷରେ ସୁରକ୍ଷା ଦେବା ପାଇଁ ଏଭଳି ଚକ୍ରବ୍ୟୁହ ରଚନା କରାଯାଇଛି ବୋଲି ଅଶୋକଙ୍କ ସମର୍ଥକ ଥିବା ଜଣେ କର୍ପୋରେଟର କହିଛନ୍ତି ।

ବାରମ୍ବାର ଦାବି ସତ୍ତ୍ୱେ ଲିଟୁ ଓ ବାଇଁଆଙ୍କ ଉପରେ ଦଳ କିଛି କାର‌୍ୟ୍ୟାନୁଷ୍ଠାନ କରୁନଥିବାକୁ ନେଇ ଏହି ଗୋଷ୍ଠୀ କ୍ଷୁବ୍ଧ ଅଛନ୍ତି । ଏପରିକି ବିଗତ ୩ମାସ ଧରି ମେୟରଙ୍କଠୁ ଆବଶ୍ୟକ ସହଯୋଗ ମଧ୍ୟ ମିଳୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ସେମାନେ ଅନାସ୍ଥା ପ୍ରସ୍ତାବ ଆଣି ମେୟରଙ୍କୁ ପଦଚ୍ୟୁତ କରି ଦଳରେ ଚାଲିଥିବା କନ୍ଦଳ ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଏହି ଗୋଷ୍ଠୀ ଚାହିଁଛି । ସାଧାରଣ ନିର୍ବାଚନ ପୂର୍ବରୁ ବାଇଁଆ ଓ ଲିଟୁ ଖୋଲାଖୋଲି ଭାବେ ଦଳର ଦୁଇ ବିଧାୟକ ପ୍ରାର୍ଥୀ ଅଶୋକ ଓ ଅନନ୍ତଙ୍କୁ ବିରୋଧ କରି ସମାନ୍ତରାଳ ସଭାସମିତି କରିବା ଏବଂ ସେମାନଙ୍କୁ ଏଥିପାଇଁ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପ୍ରୋତ୍ସାହିତ କରିବାରୁ ଅଶୋକଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

ଆଉ ଅନନ୍ତ ସ୍ୱଳ୍ପ ଭୋଟ୍ ବ୍ୟବଧାନରେ ନିଜର ସିଟ୍ ବଂଚାଇବାକୁ ସକ୍ଷମ ହୋଇଥିଲେ । ତେବେ ସାଧାରଣ ନିର୍ବାଚନରେ ଦଳର ବିପର‌୍ୟ୍ୟୟ ପରେ ମଧ୍ୟ ବାଇଁଆ ଓ ଲିଟୁ ପୂର୍ବଭଳି ଦଳରେ ଅସ୍ଥିରତା ସୃଷ୍ଟି କଲାଭଳି ବୟାନବାଜି କରିବା ଯୋଗୁ ଜିଲ୍ଲା ସଭାପତି ସୁଶାନ୍ତ ରାଉତ ନେତାଙ୍କ ଗଣମାଧ୍ୟମରେ ବୟାନକୁ ନେଇ କଟକଣା ଜାରି କରିଥିଲେ । କିନ୍ତୁ ଦଳୀୟ ଶୃଙ୍ଖଳାକୁ ଭଙ୍ଗ କରି ଏହି ବାଇଁଆ ଓ ଲିଟୁ ବୟାନବାଜି କରିବା ସହ ବାରମ୍ବାର ନବୀନ ନିବାସ ଯାଇ ସେମାନଙ୍କ ପତିଆରା ଦେଖାଇବାକୁ ପ୍ରୟାସ କରିଥିଲେ।

ବାଇଁଆ ଓ ଲିଟୁଙ୍କ ଏଭଳି କାର‌୍ୟ୍ୟକୁ ଅଶୋକ ଓ ଅନନ୍ତଙ୍କ ସମର୍ଥକ କର୍ପୋରେଟରମାନେ ବିରୋଧ କରୁଥିବାବେଳେ ମେୟର ଶ୍ରୀମତୀ ଦାସଙ୍କଠୁ ମଧ୍ୟ ବିଭିନ୍ନ କାରଣରୁ ସେମାନଙ୍କୁ ଆଶାନୁରୂପକ ସହଯୋଗ ମିଳୁନଥିଲା । ଯାହାକି ଦଳ ଭିତରେ ଦିନକୁ ଦିନ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିଥିଲା । ଗତ ସପ୍ତାହରେ ଶଙ୍ଖ ଭବନରେ କର୍ପୋରେଟରମାନଙ୍କ ବୈଠକ ଓ ପରେ ବିଏମସି କାର‌୍ୟ୍ୟାଳୟରେ ବୈଠକବେଳେ ଅଶୋକ ଓ ଅନନ୍ତଙ୍କ ସମର୍ଥକମାନେ ଖୋଲାଖୋଲି ଭାବେ ଏସବୁକୁ ବିରୋଧ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ବିଏମସି କାର‌୍ୟ୍ୟାଳୟରେ ବୈଠକକୁ ମଧ୍ୟ ବର୍ଜନ କରିବାକୁ ପଛାଇ ନଥିଲେ ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମରେ ମୋଟ ୬୭ଜଣ କର୍ପୋରେଟରଙ୍କ ମଧ୍ୟରୁ ବିଜେଡିର ୪୮ଜଣ, ବିଜେପିର ୧୦ଜଣ ଓ ୯ଜଣ ସ୍ୱାଧୀନ କର୍ପୋରେଟର ଅଛନ୍ତି । ମହାନଗର ନିର୍ବାଚନ ଜିତିବା ପରେ ସମସ୍ତ ୯ ସ୍ୱାଧୀନ କର୍ପୋରେଟର ଆସି ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ଇତିମଧ୍ୟରେ ଜଣେ ସ୍ୱାଧୀନ  କର୍ପୋରେଟର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

ମେୟରଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାକୁ ହେଲେ ଦୁଇ ତୃତୀୟାଂଶ କର୍ପୋରେଟର ବା ୪୫ଜଣ କର୍ପୋଟେରଙ୍କ ସହମତି ଜରୁରୀ । ବିଜେପିର ୧୦ଜଣ ଓ ଜଣେ ସ୍ୱାଧୀନ କର୍ପୋରେଟରଙ୍କୁ ମିଶାଇ ୧୧ଜଣ ଥିବାବେଳେ ଅଶୋକ-ଅନନ୍ତଙ୍କ ପାଖରେ ପ୍ରାୟ ୩୫ଜଣ କର୍ପୋରେଟରଙ୍କ ସମର୍ଥନ ରହିଛି । ତେଣୁ ‘ଘର ପଛେ ପୋଡ଼ୁ, ମୂଷା ମରିବା’ ନ୍ୟାୟରେ ଏବେ ଦଳୀୟ କନ୍ଦଳ ଓ ଅଣଦେଖାକୁ ସମାପ୍ତ କରିବା ପାଇଁ ଅଶୋକ ଓ ଅନନ୍ତ ଗୋଷ୍ଠୀର କର୍ପୋରେଟରମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି । ଆଉ ଶାସକ ବିଜେପି ମଧ୍ୟ ଏଭଳି ବିବାଦରୁ ନିଜର ରାଜନୀତିକ ଫାଇଦା ଉଠାଇବାକୁ ପଛାଇବ ନାହିଁ ବୋଲି ଚର୍ଚ୍ଚା ହେଉଛି।

Related story