‘କୌଣସି ପୁଲିସ ଅଧିକାରୀଙ୍କ ଘରେ ଜଣେ ବି ହୋମଗାର୍ଡ କରୁନାହାନ୍ତି କାମ’

ହୋମଗାର୍ଡମାନେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ହେଉଥିବା ଖବରକୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସିଧାସଳଖ ଫାଙ୍କି ଦେଇଛନ୍ତି ।

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

  • Published: Monday, 25 September 2023
  • , Updated: 25 September 2023, 09:22 PM IST

ରାଜ୍ୟର କୌଣସି ହୋମଗାର୍ଡ ବରିଷ୍ଠ ପୁଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ନାହାନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି । ଏହାସହିତ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଘରୋଇ କାର୍ଯ୍ୟରେ ହୋମଗାର୍ଡ ନିୟୋଜିତ ହେଉଥିବାର ଅଭିଯୋଗକୁ ମଧ୍ୟ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି । ଗତ ମାସରେ ବରିଷ୍ଠ ଆଇପିଏସ୍ ବ୍ରିଜେଶ ରାଏଙ୍କ ପତ୍ନୀଙ୍କ ନିର୍ଯାତନାର ଶିକାର ହୋଇ ଜଣେ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରି ନିଜର ଦୁଇ ଗୋଡ଼ ହରାଇବା ଘଟଣା ପଦାକୁ ଆସିଥିଲା । ତେବେ ପୁଲିସ ପ୍ରଶାସନ ଏହି ଘଟଣାକୁ ଚପାଇ ଦେବା ସହ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଆଇପିଏସ୍ ବ୍ରିଜେଶ ରାଏ କିମ୍ବା ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି ।

ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ରାଜ୍ୟରେ କୌଣସି ହୋମଗାର୍ଡଙ୍କୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ କରାଯାଇ ନାହିଁ । ଅନୁଗୁଳରେ ଆତ୍ମହତ୍ୟା ଉଦ୍ୟମ କରି ଦୁଇ ଗୋଡ଼ ହରାଇଥିବା ମହିଳା ହୋମଗାର୍ଡଙ୍କ ଚିକିତ୍ସାର ସମସ୍ତ ବନ୍ଦୋବସ୍ତ କରାଯାଇଅଛି । ଏହାବ୍ୟତୀତ ଗୃହରକ୍ଷୀ କଲ୍ୟାଣ ପାଣ୍ଠିରୁ ତଶଙ୍କୁ ୩୦ହଜାର ଟଙ୍କା ମଧ୍ୟ ପ୍ରଦାନ ହୋଇଛି। ଦୁଇ ଗୋଡ଼ ହରାଇଥିବା ଉକ୍ତ ମହିଳା ହୋମଗାର୍ଡଙ୍କ ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନ ଓ ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟ ମହିଳା ଅପରାଧ ଶାଖା ଘଟଣାର ତଦନ୍ତ କରୁଛି । ଗୋଡ଼ ହରାଇଥିବା ସମ୍ପୃକ୍ତ ମହିଳା ହୋମଗାର୍ଡ ଏବେ ଚିକିତ୍ସାଧୀନ,ବିପଦମୁକ୍ତ ଓ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ତେବେ ଘଟଣାର ଏତେଦିନ ପରେ ବି ବ୍ରିଜେଶ ରାଏଙ୍କ ପତ୍ନୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ସେ ସମ୍ପର୍କରେ ଶ୍ରୀ ବେହେରା କିଛି ସୂଚନା ଦେଇନାହାନ୍ତି । ଏହାସହିତ ହୋମଗାର୍ଡମାନେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ହେଉଥିବା ଖବରକୁ ଶ୍ରୀ ବେହେରା ସିଧାସଳଖ ଫାଙ୍କି ଦେଇଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବେହେରା ଏହା କହିଛନ୍ତି ।

ଅନ୍ୟପକ୍ଷରେ, ଆଇପିଏସ୍ ବ୍ରିଜେଶ ରାଏଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ମହିଳା ହୋମଗାର୍ଡଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବା ଯୋଗୁ ସେ ଆତ୍ମହତ୍ୟା ଉଦ୍ୟମ କରି ନିଜର ୨ଗୋଡ଼ ହରାଇଛନ୍ତି । ବ୍ରିଜେଶ ରାଏଙ୍କ ପତ୍ନୀଙ୍କ ନିର୍ଯାତନା ଯୋଗୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଗଣମାଧ୍ୟମରେ ଅଭିଯୋଗ କରିବା ପରେ ସରକାରଙ୍କ ଅଡ଼ୁଆ ବଢ଼ିଥିଲା । ଆଉ ତରବରରେ ଅନୁଗୁଳରେ ଡିଆଇଜି ଥିବା ଶ୍ରୀ ରାଏଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ସରକାର ଆନ୍ତରିକତା ଦେଖାଇନାହାନ୍ତି । ଚର୍ଚ୍ଚା ହେଉଛି, ବହୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ବ୍ୟକ୍ତିଗତ ଓ ଘରୋଇ କାର୍ଯ୍ୟରେ ହୋମଗାର୍ଡମାନେ ନିୟୋଜିତ ଅଛନ୍ତି । କିନ୍ତୁ ପୁଲିସ ବିଭାଗର ମାନୁଆଲ୍ ଓ ଶୃଙ୍ଖଳା ଦୃଷ୍ଟିରୁ ଏ ସମ୍ପର୍କରେ କେହି ମୁହଁ ଖୋଲୁନାହାନ୍ତି ।

Related story