କେନ୍ଦୁଝର(ପ୍ରଣୟ ପାଣି): ୪ଟି ପର୍ଯ୍ୟାୟରେ ଏଥର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ୩ୟ ପାଳିରେ ଭୋଟ ଦେବେ କେନ୍ଦୁଝରବାସୀ। ଏନେଇ ନିର୍ଵାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତଥା ନିର୍ଵାଚନ ଅଧିକାରୀ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଗୋଟିଏ ଲୋକସଭା ଓ ୬ଟି ବିଧାନସଭା ନିମନ୍ତେ ୧୭୨୦ଟି ବୁଥ୍ରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆଜିଠାରୁ ନାମାଙ୍କନ ପତ୍ର ଗ୍ରହଣ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି ।
ଆନନ୍ଦପୁର, ଘଷିପୁରା ବିଧାନସଭା ନିମନ୍ତେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କେନ୍ଦୁଝର ସଦର ଓ ତେଲକୋଇ ବିଧାନସଭା ନିମନ୍ତେ କେନ୍ଦୁଝର ଉପଜିଲ୍ଲାପାଳ କାର୍ଯ୍ୟଳୟ, ଚମ୍ପୁଆ ବିଧାନସଭା ନିମନ୍ତେ ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ପାଟଣା ନିର୍ଵାଚନ ମଣ୍ଡଳୀ ନିମନ୍ତେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନାମାଙ୍କନ ପତ୍ର ବିକ୍ରି ଓ ଦାଖଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ନିର୍ଵାଚନ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ୧୭୨୦ଟି ବୁଥ୍ରେ ପୁଲିସ୍ ମୁତୟନ ହେବା ସହ ୧୩୦ ଟି ଭ୍ରାମ୍ୟମାଣ ଫୋର୍ସ ଗଠନ କରାଯାଇଛି । ସମସ୍ତ ବୁଥ୍ ମଧ୍ୟରୁ ପାଖାପାଖି ୪୯୬ ଟି ବୁଥ୍କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ନିର୍ଵାଚନକୁ ନେଇ କଂଗ୍ରେସ ୩ ଟି ବିଧାନସଭା ପାର୍ଥୀ ଘୋଷଣା କରିଥିବା ବେଳେ, ବିଜେଡି ୪ଟି ବିଧାନସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି । ହେଲେ ବିଜେପି ଚମ୍ପୁଆକୁ ଛାଡି ୫ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଯାହାକୁ ନେଇ ଏବେ ଜିଲ୍ଲାରେ ରାଜନୀତି ସରଗରମ।