ମୁଖ୍ୟମନ୍ତ୍ରୀ ଏବେ ନାଁକୁ ମାତ୍ର, ଯିଏ ଓଡ଼ିଶାକୁ ଚିହ୍ନିନି ସିଏ ଏବେ ମାଲିକ ପାଲଟିଛି: ଧର୍ମେନ୍ଦ୍ର

ଓଡ଼ିଶାର ବିଧାୟକ, ମନ୍ତ୍ରୀ ଓ ଜନପ୍ରତିନିଧିମାନେ ନିଜସ୍ୱ କ୍ଷମତା ହରାଇ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଏଠି ନାଁକୁ ମାତ୍ର । ଆଉ ଘରେ କାମ କରୁଥିବା ଲୋକ ନିଜକୁ ମାଲିକ ଭାବୁଛି । ମନ୍ତ୍ରୀମାନେ ଏବେ ଅମଲାଙ୍କ ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି ।

Dharmendra Pradhan

  • Published: Saturday, 10 June 2023
  • , Updated: 10 June 2023, 09:39 PM IST

ଓଡ଼ିଶାର ବିଧାୟକ, ମନ୍ତ୍ରୀ ଓ ଜନପ୍ରତିନିଧିମାନଙ୍କର ନିଜସ୍ୱ କ୍ଷମତା କିଛି ନାହିଁ । ମୁଖ୍ୟମନ୍ତ୍ରୀ ଏବେ ନାଁକୁ ମାତ୍ର । ଯିଏ ଓଡ଼ିଶାକୁ ଚିହ୍ନିନି, ଓଡ଼ିଶାର ଭାବାବେଗ ସହ ଯାହାର ସମ୍ପର୍କ ନାହିଁ ସିଏ ଏବେ ମାଲିକ ବନିଛି । ଘରେ କାମ କରୁଥିବା ଲୋକ,ଭାବୁଛି ମାଲିକ ହୋଇଯିବ । ମନ୍ତ୍ରୀମାନେ ଏଠି ଅମଲାତନ୍ତ୍ରର ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ସହ ଓଡ଼ିଶା ଏଭଳି ଏକ ବଡ଼ ସମସ୍ୟା ଦେଇ ଗତି କରୁଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି ।

ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ଜମନକିରା ବ୍ଲକ ଫାଶୀମାଳଠାରେ ଆୟୋଜିତ କର୍ମକର୍ତ୍ତା ବୈଠକ ଓ ରେଙ୍ଗାଲିର ଟାମ୍ପରକେଲାଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ଭାବାବେଗ ସହ ଯାହାର ସମ୍ପର୍କ ନାହିଁ, ସେମାନେ ଏବେ ରାଜ୍ୟର ଦାୟିତ୍ୱରେ ଅଛନ୍ତି । ଯିଏ ଓଡ଼ିଆ ଲୋକଙ୍କ କର ଖଜଣାରେ ଦରମା ପାଏ,ଆଜି ସିଏ ମାଲିକ ହୋଇ ବସିଛି ।

ଓଡ଼ିଶାର ବିଧାୟକ, ମନ୍ତ୍ରୀ ଓ ଜନପ୍ରତିନିଧିମାନେ ନିଜସ୍ୱ କ୍ଷମତା ହରାଇ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଏଠି ନାଁକୁ ମାତ୍ର । ଆଉ ଘରେ କାମ କରୁଥିବା ଲୋକ ନିଜକୁ ମାଲିକ ଭାବୁଛି । ମନ୍ତ୍ରୀମାନେ ଏବେ ଅମଲାଙ୍କ ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି । ଯାହାକି ସମ୍ବିଧାନବିରୋଧୀ । ରାଜ୍ୟରେ ସମ୍ବିଧାନ ବିରୋଧୀ ସମୂହ ଓ ଭ୍ରଷ୍ଟାଚାରୀ ସମୂହଙ୍କୁ ଓଡ଼ିଶାରୁ ବାହାର କରିବାକୁ ପଡ଼ିବ ଓ ମୋଦିଙ୍କ ଶାସନ ପ୍ରଣାଳୀକୁ ଆଗକୁ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି ଯେ, ବିଜେଡି ନେତାଙ୍କ ନାଁରେ ତାଙ୍କ ଦଳର ନେତ୍ରୀ ଶୋଷଣ ଅଭିଯୋଗ ଆଣିଲେ । ସେହି ମହିଳାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଲାନି । ବିଜେଡି ନେତା,ମନ୍ତ୍ରୀମାନଙ୍କ ନାଁରେ ଡଜନ ଡଜନ ହତ୍ୟା ଅଭିଯୋଗ ରହିଛି । ରାଜ୍ୟରେ ପିଲାମାନଙ୍କ ଶାରୀରିକ ଅଭିବୃଦ୍ଧି ହେଉନି । ଅପପୁଷ୍ଟିର ଶିକାର ହେଉଛନ୍ତି, ଯାହାକି ଉଦବେଗନକ ସ୍ଥିତିରେ ରହିଛି । ବିଜେଡି ସରକାରର ୨୩ବର୍ଷ ଶାସନ କାଳରେ ରାଜ୍ୟରେ ଅପପୁଷ୍ଟି ସମସ୍ୟା ରହିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୯ବର୍ଷର ମୋଦି ସରକାରରେ ସମ୍ବଲପୁରକୁ ଜିଲ୍ଲାକୁ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ଦିଆଯାଇଥିବା ସହାୟତାର ହିସାବ ଦେଇଛନ୍ତି । ପରିବାର ପିଛା ପ୍ରାୟ ୫ଲକ୍ଷ ଟଙ୍କା ମୋଦି ସରକାର ଦେଇଥିବା ଶ୍ରୀ ପ୍ରଧାନ ହିସାବ ଦେଇଛନ୍ତି । ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ , ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା , ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସମ୍ବଲପୁର ଜିଲ୍ଲାର ମୋଟ ୧ ଲକ୍ଷ ୬୪ ହଜାର ୫୭୪ ଟି ପରିବାରକୁ ସର୍ବମୋଟ ୭ ୯୧୮ କୋଟି ଟଙ୍କା ଦେଇଛନ୍ତି । ଅର୍ଥାତ୍ ଜିଲ୍ଲାର ପରିବାର ପିଛା ପ୍ରାୟ ୪ ଲକ୍ଷ ୮୧ ହଜାର ୧୨୧ ଟଙ୍କା ମୋଦି ସରକାର ଦେଇଛନ୍ତି ବୋଲି ସେ କହିଛନ୍ତି ।

Related story