ଏବେ ବଦଳି ଗଲାଣି ବିଜେଡି: ବିବାଦୀୟଙ୍କୁ ସାତ ଖୁଣ ମାଫ୍, ସଂଗଠନରେ ଗୁରୁତ୍ୱ

ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ସଂଯୁକ୍ତା ମହଲଙ୍କ ବିରୁଦ୍ଧରେ ତାଙ୍କ ନିଜ ମା’ ଓ ଭାଉଜ ନିର୍ଯାତନା ଓ ବ୍ଲାକମେଲ୍ ଅଭିଯୋଗ ଆଣିଛନ୍ତି । ଅନ୍ୟଜଣେ ଗରିବ ମହିଳା ନମିତା ସାହୁ ମଧ୍ୟ ଜୀବନପ୍ରତି ବିପଦ ଥିବା ନେଇ ଥାନାରେ ମାମଲା ରୁଜୁ କରିଛନ୍ତି ।

ବାମରୁ ସଞ୍ଜୁକ୍ତା ମହଲା ଓ ଦିବ୍ୟଶଙ୍କର ମିଶ୍ର(ଫାଇଲ ଫଟୋ)

  • Published: Monday, 03 July 2023
  • , Updated: 03 July 2023, 09:27 PM IST

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଯେଉଁ ବିଜେଡିରେ ଦୁର୍ନୀତିର ଗନ୍ଧ ଓ ବିବାଦର ଛାଇ ପଡ଼ିଲେ ଯେତେ ପ୍ରଭାବଶାଳୀ ନେତା ହେଲେ ବି କାର୍ଯ୍ୟାନୁଷ୍ଠାନ ହେଉଥିଲା, ଏବେ ସେହି ବିଜେଡିରେ ବିବାଦୀୟଙ୍କୁ ସାତ ଖୁଣ୍ ମାଫ । ଓଲଟା ପୁରସ୍କାରସ୍ୱରୂପ ସଂଗଠନ ଓ ସରକାରରେ ମିଳୁଛି ଗୁରୁତ୍ୱ। ଗତ ପ୍ରାୟ ଏକ ଦଶନ୍ଧିରେ ଏଭଳି ରୂପାନ୍ତରଣ ହୋଇଛି ବିଜେଡିର ।

ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ବିବାଦୀୟ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାହାଣ୍ଡି ଜିଲ୍ଲା  ବିଜେଡିର କାର୍ଯ୍ୟକାରୀ ସଭାପତି ନିଯୁକ୍ତି, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିବାଦୀୟ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କର ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ସଂଗଠନରେ ଅନଧିକାର ପ୍ରବେଶ ସହ ମାମଲାତି କରିବା ଏବଂ ଗରିବ ଲୋକଙ୍କୁ ସରକାରୀ ସୁବିଧା ଯୋଗାଇବା ଆଳରେ ଉତ୍କୋଚ ଦାବି ସହ ବ୍ଲାକମେଲ୍ ଅଭିଯୁକ୍ତ ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ସଂଯୁକ୍ତା ମହଲଙ୍କୁ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟ କରାଯିବା ଭଳି ଏହାର ଗୋଟିଏ ଲେଖାଏଁ ଉଦାହରଣ ।

ସୂଚନା ଅନୁସାରେ, ଆଜି ଗୋଟିଏ ଦିନରେ ଦୁଇଟି ଘଟଣା ବିଜେଡିର ରାଜନୀତିକ ଚରିତ୍ରରେ ହୋଇଥିବା ରୂପାନ୍ତରଣକୁ ସାମ୍ନାକୁ ଆଣିଛି । କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ଦିବ୍ୟଶଙ୍କର ମିଶ୍ରଙ୍କୁ ପୁଣିଥରେ ନିଯୁକ୍ତି ମିଳିଛି । କଳାହାଣ୍ଡି ଜିଲ୍ଲା ବିଜେଡିର ପୁନର୍ଗଠନ ପରେ ଆଜି ୩୪ଜଣିଆ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପୁଣିଥରେ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ମିଳିଥିବାବେଳେ ଦିବ୍ୟଶଙ୍କରଙ୍କ ଅଧାରୁ ଅଧିକ ସମର୍ଥକଙ୍କୁ ଜିଲ୍ଲା ପଦାଧିକାରୀ ଭାବେ ଥଇଥାନ କରାଯାଇଛି ।

ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଓ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ନେଇ ବିରୋଧୀ ଦଳ ଅଭିଯୋଗ ସହ ରାଜ୍ୟବ୍ୟାପୀ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନିଜର ଭାବମୂର୍ତ୍ତି ସୁଧାରିବା ପାଇଁ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ବିତାଡ଼ିତ କରିଥିଲେ । ଏବେବି ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଉକ୍ତ ଦୁଇ ପରିବାର ସମେତ ସାଧାରଣ ଲୋକେ ନ୍ୟାୟ ଅପେକ୍ଷାରେ ରହିଛନ୍ତି। ଦିବ୍ୟଶଙ୍କରଙ୍କ ବିବାଦୀୟ ଭୂମିକା ସମ୍ପର୍କରେ ବିରୋଧୀ ଦଳ ଅନେକ ଅଭିଯୋଗ ଆଣିଥିଲା। କିନ୍ତୁ ରାଜ୍ୟ ବିଜେଡି ସଂଗଠନ ସମ୍ପାଦକଙ୍କ ଖାସ୍ ଅନୁଗତ ହୋଇଥିବାରୁ ଦିବ୍ୟଶଙ୍କରଙ୍କୁ ଦଳ ପକ୍ଷରୁ ଦୁଇଟି ଜିଲ୍ଲା କୋରାପୁଟ ଓ ମାଲକାନଗିରିର ପର୍ଯ୍ୟବେକ୍ଷକ ଭାବେ ଗତ ମାର୍ଚ୍ଚ ମାସରେ ନିଯୁକ୍ତି ମିଳିଥିଲା ।

ଆଜି ତାଙ୍କୁ କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପଦରେ ଥଇଥାନ କରାଯାଇଛି। ଗୋଟିଏପଟେ ବିଜେଡି ନେତୃତ୍ୱ ଦଳୀୟ ପର୍ଯ୍ୟବେକ୍ଷକ ଥିବା ନେତାମାନଙ୍କୁ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେବାରୁ ରବୀନ୍ଦ୍ର ଜେନା, ପ୍ରଫୁଲ୍ଲ ମଲ୍ଲିକ, ପ୍ରଶାନ୍ତ ମୁଦୁଲି,ଶାରଦା ନାୟକ ଓ ଈଶ୍ୱର ପାଣିଗ୍ରାହୀଙ୍କ ଭଳି ନେତାମାନଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। ମାତ୍ର ଏପଟେ ଦଳର ଦୃଢ଼ ସଂଗଠନ ନଥିବା ଦୁଇ ଦୁଇଟି ଆଦିବାସୀବହୁଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥାଇ ମଧ୍ୟ ଦିବ୍ୟଶଙ୍କରଙ୍କୁ ଜିଲ୍ଲାର କାର୍ଯ୍ୟକାରୀ ସଭାପତି କରାଯାଇଛି। ପରୋକ୍ଷରେ ଦିବ୍ୟଶଙ୍କରଙ୍କୁ କ୍ଲିନଚିଟ୍ ଦେବା ଏବଂ ତାଙ୍କ ବିନା ବିଜେଡିରେ ସାଂଗଠନିକ କାର୍ଯ୍ୟକ୍ରମ ସମ୍ଭବପର ନୁହେଁ ବୋଲି ସନ୍ଦେଶ ଦେବାକୁ ଦଳ ପ୍ରୟାସ କରିଛି।

ସେହିପରି କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଏବେବି ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରିବାରେ ସକ୍ଷମ ହୋଇନଥିବା ଓଡ଼ିଶା ପୁଲିସ, ହତ୍ୟା ପଛର ରହସ୍ୟ ଉଜାଗର କରିପାରିନି । ହତ୍ୟା ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ସମ୍ପୃକ୍ତିକୁ ନେଇ ବିରୋଧୀ ଦଳର ବାରମ୍ବାର ଅଭିଯୋଗ, ଏପରିକି ଗତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ତାଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ସେ ବିଦ୍ରୋହ କରିବା ସତ୍ତ୍ୱେ ଦଳୀୟ ସଂଗଠନରେ ତାଙ୍କୁ ଗୁରୁତ୍ୱ ମିଳୁଛି । ମନ୍ତ୍ରୀ ନହେବାରୁ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ବିରୁଦ୍ଧରେ ବିଦ୍ରୋହ କରିବା ଭଳି ଅକ୍ଷମଣୀୟ ତ୍ରୁଟି ବିଜେଡିରେ ପ୍ରଥମଥର ପାଇଁ ସୁଶାନ୍ତଙ୍କ ସମର୍ଥକମାନେ କରିଥିଲେ । କିନ୍ତୁ ଏହାସତ୍ତ୍ୱେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନିରବ ରହିଲା। ଦଳର ଆନୁଷ୍ଠାନିକ ନିର୍ଦ୍ଦେଶନାମା ବିନା ସୁଶାନ୍ତ ନିଜ ଜିଲ୍ଲା ଛାଡ଼ି ସମ୍ବଲପୁର ଓ ଦେବଗଡ଼ର  ଦଳୀୟ ସାଂଗଠନିକ ବ୍ୟାପାରରେ ପ୍ରବେଶ କରି ପଶ୍ଚିମଓଡ଼ିଶାର ସର୍ବେସର୍ବା ସାଜିଛନ୍ତି । ଯାହାକୁ ନେଇ ଏହି ଦୁଇ ଜିଲ୍ଲାର ଦଳୀୟ କର୍ମୀମାନଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି ।

ସୁଶାନ୍ତ ଏବେ ବଲାଙ୍ଗିର ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଅଛନ୍ତି । କିନ୍ତୁ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ଖାସ୍ ଅନୁଗତ ହୋଇଥିବାରୁ ସେ ଏସବୁ ଜିଲ୍ଲା ସଂଗଠନରେ ଅନଧିକାର ପ୍ରବେଶ କରିବାରେ ଲାଗିଛନ୍ତି । ଯାହାକି ଦଳର ଅନ୍ୟ ପୁରୁଖା କର୍ମୀ ଓ ନେତାମାନଙ୍କୁ କ୍ଷୁବ୍ଧ କରିଛି । ଆଉ ତାଙ୍କୁ ଆଗକୁ ଆଣି ତାଙ୍କ ବିନା ପଶ୍ଚିମଓଡ଼ିଶାରେ ଦଳୀୟ ସଂଗଠନ ସମ୍ଭବପର ନୁହେଁ ବୋଲି ପରୋକ୍ଷରେ ସନ୍ଦେଶ ଦେବାକୁ ପ୍ରୟାସ ହେବା ସହ ସିଧାସଳଖ ସୁଶାନ୍ତଙ୍କୁ ଏସବୁ ବିବାଦରୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ ହେଉଛି ।

ସେହିପରି ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ସଂଯୁକ୍ତା ମହଲଙ୍କ ବିରୁଦ୍ଧରେ ତାଙ୍କ ନିଜ ମା’ ଓ ଭାଉଜ ନିର୍ଯାତନା ଓ ବ୍ଲାକମେଲ୍ ଅଭିଯୋଗ ଆଣିଛନ୍ତି । ଅନ୍ୟଜଣେ ଗରିବ ମହିଳା ନମିତା ସାହୁ ମଧ୍ୟ ଜୀବନପ୍ରତି ବିପଦ ଥିବା ନେଇ ଥାନାରେ ମାମଲା ରୁଜୁ କରିଛନ୍ତି । ଏପରିକି ସଂଯୁକ୍ତା ନିଜେ ଗତ କିଛିମାସ ତଳେ ପୋଲସରା ବିଧାୟକ ତଥା ତତକାଳୀନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ସଂଯୁକ୍ତାଙ୍କ ଏଭଳି ଯୌନ ନିର୍ଯାତନା ଅଭିଯୋଗ ପରେ ଶ୍ରୀ ସାହୁଙ୍କୁ ନିଜର ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା । କିନ୍ତୁ ସଂଯୁକ୍ତା ବିଜେଡିର ପାୱାର ଦେଖାଇ ଯେଉଁ ଗରିବ ଲୋକମାନଙ୍କୁ ଏପରିକି ନିଜ ପରିବାର ସଦସ୍ୟଙ୍କୁ ନିର୍ଯାତନା ଦେଉଛନ୍ତି ସେ ଦିଗରେ ଲିଖିତ ଅଭିଯୋଗ ସତ୍ତ୍ୱେ ପୁଲିସ୍ କିମ୍ବା ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଗତ କିଛିବର୍ଷ ପୂର୍ବରୁ ସଂଯୁକ୍ତାଙ୍କ ନାଁରେ ଲେବର କାର୍ଡ କରିବା ଆଳରେ ଗରିବ ଲୋକମାନଙ୍କଠୁ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ଆସିଥିଲା । ଏହାସତ୍ତ୍ୱେ ବିଜେଡି ତାଙ୍କୁ ରାଜ୍ୟ ମହିଳା ଉପସଭାନେତ୍ରୀ କରିବା ସହ ଗତ ୩ମାସ ତଳେ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଭାବେ ସରକାରୀ ପଦବୀରେ ଥଇଥାନ କରିଛି ।

ଏଥିରୁ ବିଜେଡିର ରୂପାନ୍ତରଣ କେଉଁ ଢଙ୍ଗରେ ଓ କିଭଳି ଦିଗରେ ହେଉଛି ତାହା ଜଳଜଳ ଜଣାପଡ଼ୁଛି ।

Related story