ଏଣିକି ମନ୍ତ୍ରୀମାନେ ଜିଲ୍ଲା କଥା ବୁଝିବେ । ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ବିକାଶ କାର୍ଯ୍ୟକୁ ଆଗେଇ ନେବା ଓ ଲୋକଙ୍କ ସମସ୍ୟାର ତ୍ୱରିତ୍ ସମାଧାନ ପାଇଁ ନିଜ ମନ୍ତ୍ରିପରିଷଦ ସହଯୋଗୀଙ୍କୁ ଆଜି ଦାୟିତ୍ୱ ବାଂଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ‘ଜିଲ୍ଲା ପ୍ରଭାରୀ ମନ୍ତ୍ରୀ’ ଭାବେ ନାମିତ କରାଯାଇ ସେମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୧୩ଜଣ ମନ୍ତ୍ରୀଙ୍କୁ ମୋଟ ୩୦ଟି ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବାବେଳେ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ମିଳିଛି ।
ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସୁନ୍ଦରଗଡ଼ ଓ ଦେବଗଡ଼, ରବିନାରାୟଣ ନାଏକଙ୍କୁ ସୋନପୁର ଓ ବଲାଙ୍ଗୀର, ନିତ୍ୟାନନ୍ଦ ଗଣ୍ଡଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଅନୁଗୁଳ ଓ ସମ୍ବଲପୁର, ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଗଞ୍ଜାମ ଓ ଗଜପତି, ମୁକେଶ ମହାଲିଙ୍ଗଙ୍କୁ ଝାରସୁଗୁଡ଼ା ଓ ବରଗଡ଼, ବିଭୂତିଭୂଷଣ ଜେନାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ କନ୍ଧମାଳ ଓ ବୌଦ୍ଧ, ଗଣେଶରାମ ସିଂ ଖୁଂଟିଆଙ୍କୁ କଳାହାଣ୍ଡି ଓ ନୂଆପଡ଼ା,ସୂର୍ଯ୍ୟବଂଶୀ ସୂରଜଙ୍କୁ ଯାଜପୁର ଓ କେନ୍ଦ୍ରାପଡ଼ା, ପ୍ରଦୀପ ବଳ ସାମନ୍ତଙ୍କୁ ଖୋର୍ଦ୍ଧା ଓ ନୟାଗଡ଼, ଗୋକୁଳାନନ୍ଦ ମଲ୍ଲିକଙ୍କୁ କୋରାପୁଟ ଓ ମାଲକାନଗିରି, ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଢେଙ୍କାନାଳ ଓ ପୁରୀ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ନ୍ୟସ୍ତ ହୋଇଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମନ୍ତ୍ରୀମାନଙ୍କୁ ନିଜ ଜିଲ୍ଲା ବ୍ୟାପାରରୁ ଦୂରେଇବା ରଖିବା ପାଇଁ ଏଭଳି ଦାୟିତ୍ୱ ବଂଟନ ହୋଇଛି ନା ଏହାପଛରେ ଅନ୍ୟ କିଛି କାରଣ ରହିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।