Advertisment

ଛାତ୍ର ସଂସଦ ନିର୍ବାଚନ ପାଇଁ ଛାତ୍ର କଂଗ୍ରେସର ବିକ୍ଷୋଭ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼

‘ଯଦି ଛାତ୍ର ସଂସଦ ନିର୍ବାଚନ ହେବ, ତା’ହେଲେ ରାଜ୍ୟରେ ବିଜେଡି ସଫା ହୋଇଯିବ’

author-image
Jitendra Garnayak
Protest

Protest

ଛାତ୍ର ସଂସଦ ନିର୍ବାଚନ ନ କରାଯିବାକୁ ନେଇ ତେଜିବାରେ ଲାଗିଛି ବିଭିନ୍ନ ଛାତ୍ର ସଂଗଠନର ଅସନ୍ତୋଷ। ଏହି କ୍ରମରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ତା’ ସହିତ ତାଙ୍କ ଘର ଉପରକୁ ଅଣ୍ଡାମାଡ଼ କରାଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏମିତିକି ଛାତ୍ର କଂଗ୍ରେସ ନେତା ଓ ସଦସ୍ୟମାନେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ପ୍ରୟାସ କରିଥିଲେ। ତେବେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ଫଳରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ପରେ ପୁଲିସ୍ ଛାତ୍ର କଂଗ୍ରେସ ନେତାଙ୍କୁ ସେଠାରୁ ଉଠାଇ ନେଇଥିଲା।

Advertisment

କଂଗ୍ରେସର ଛାତ୍ର ଶାଖା ଏନ୍‌ଏସ୍‌ୟୁଆଇର ରାଜ୍ୟ ସଭାପତି ୟାସିର ନବାଜ କହିଛନ୍ତି, ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରି ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରନ୍ତୁ। ନଚେତ୍ ଛାତ୍ର କଂଗ୍ରେସ ଚୁପ୍ ବସିବ ନାହିଁ। ଆଗାମୀ ଦିନରେ ସାରା ରାଜ୍ୟରେ ଆନ୍ଦୋଳନ କରିବ। ଯେଉଁଠାକୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଯିବେ, ସେଠାରେ ବିରୋଧ କରାଯିବ।

ସେ ଆହୁରି କହିଛନ୍ତି, ନବୀନ ବାବୁ ଭୟଭୀତ ହୋଇଯାଇଛନ୍ତି। ତାଙ୍କ ଗୁଇନ୍ଦା ରିପୋର୍ଟ କହୁଛି, ଯଦି ଛାତ୍ର ସଂସଦ ନିର୍ବାଚନ ହେବ, ତା’ହେଲେ ରାଜ୍ୟରେ ବିଜେଡି ସଫା ହୋଇଯିବ। ବିଜେଡିର ପତନ ଆରମ୍ଭ ହେବ। ୨୩ ବର୍ଷ ଶାସନକାଳରେ ସେ ଛାତ୍ରଛାତ୍ରୀମାନଙ୍କ ପାଇଁ କିଛି କରି ନାହାନ୍ତି।

Advertisment
Congress NSUI Students’ Union Election