Advertisment

Nuapada: ନବୀନଙ୍କ ଗସ୍ତ ପୂର୍ବରୁ ଆଉ ୧୭ ନେତାଙ୍କୁ ନୂଆପଡ଼ା ପଠାଇଲା ବିଜେଡି, ପୁଣି ବବି କଲେଣି ମାମଲାତି

ବିଜେଡିର ନୂଆପଡ଼ା ଉପନିର୍ବାଚନ ପରିଚାଳନା ଦାୟିତ୍ୱରେ ଶତାଧିକ ବରିଷ୍ଠ ନେତାମାନେ ଥିଲେ ମଧ୍ୟ ପୁରୁଣା ଫର୍ମୂଲାରେ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବି ସବୁକିଛି ତଦାରଖ କରୁଥିବା ସୂଚନା ମିଳିଛି ।

author-image
Odisha Reporter
Naveen-pandian-Bobby

Naveen-Pandian- Bobby ( File pic)

ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୩ତାରିଖରେ ନବୀନ କୋମନାରେ ଦଳୀୟ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ଦଳ ପକ୍ଷରୁ ଆଜି ଆଉ ୧୭ଜଣ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦାୟିତ୍ୱ ନ୍ୟସ୍ତ ହୋଇଛି । ଦଳ ବିଭିନ୍ନ ପର୍ଯ୍ୟାୟରେ ବରିଷ୍ଠ ନେତାମାନଙ୍କୁ ନୂଆପଡ଼ା ପଠାଇ ଆଭ୍ୟନ୍ତରୀଣ ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବାରେ ଲାଗିଛି । ଏପଟେ ବିଜେଡିର ନୂଆପଡ଼ା ଉପନିର୍ବାଚନ ପରିଚାଳନା ଦାୟିତ୍ୱରେ ଶତାଧିକ ବରିଷ୍ଠ ନେତାମାନେ ଥିଲେ ମଧ୍ୟ ପୁରୁଣା ଫର୍ମୂଲାରେ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ(V.k Pandian)ଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବି ସବୁକିଛି ତଦାରଖ କରୁଥିବା ସୂଚନା ମିଳିଛି । ଯଦିଓ ବବିଙ୍କୁ ଦଳର ଅନ୍ୟ ୨ଡଜନ ନେତାଙ୍କ ସହ କୋମନା ବ୍ଲକ ଦାୟିତ୍ୱ ନ୍ୟସ୍ତ ହୋଇଛି, ମାତ୍ର ସେ ଏବେ ସମଗ୍ର ଦଳୀୟ ନିର୍ବାଚନ ପରିଚାଳନାର ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି । ଯାହାକି ପୁଣିଥରେ ବିଜେଡିରେ ପାଣ୍ଡିଆନ-ବବିଙ୍କ ମାମଲାତି ଫେରିଥିବାର ସଙ୍କେତ ବୋଲି ଚର୍ଚ୍ଚା ହେଉଛି ।

Advertisment


ନବୀନଙ୍କ ପ୍ରଚାର ଓ ବିଜେଡି ଶିବିରରେ ଉତ୍ସାହ


ତିନି ପ୍ରମୁଖ ଦଳର ପ୍ରଚାର ସରଗରମ ଥିବାବେଳେ ଆସନ୍ତା ୩ତାରିଖରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ସେ କୋମନାରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ପ୍ରାୟ ୧ଘଣ୍ଟା ୧୫ମିନିଟ୍ କୋମନାରେ ରହିବେ ବୋଲି ସୂଚନା ମିଳିଛି । ନବୀନଙ୍କ ଏହି ଗସ୍ତକୁ ନେଇ ବିଜେଡି ଶିବିର ବେଶ୍ ଉତ୍ସାହିତ ଅଛି । ନବୀନଙ୍କ ଗସ୍ତ ପରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ଜନସମର୍ଥନ ବୃଦ୍ଧି ପାଇବ ବୋଲି ଦଳ ଦାବି କରୁଛି । ନବୀନଙ୍କ ଜନସଭାକୁ ସଫଳ କରିବାକୁ ବିଜେଡି( Biju Janata Dal ) ଏବେ ଜୋରଦାର ପ୍ରୟାସ ଜାରି ରଖିଛି।


ଆଉ ୧୭ ନେତାଙ୍କୁ ନୂଆପଡ଼ା ଦାୟିତ୍ୱ, ବବି କରୁଛନ୍ତି ମାମଲାତି


ଦଳ ଆଜି ୫ମ ପର୍ଯ୍ୟାୟରେ ଆଉ ୧୭ଜଣ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଦାୟିତ୍ୱ ନ୍ୟସ୍ତ କରିଛି । ପୂର୍ବରୁ ୪ଟି ପର୍ଯ୍ୟାୟରେ ୮୫ଜଣ ବରିଷ୍ଠ ନେତାଙ୍କୁ ନୂଆପଡ଼ା ପଠାଇଥିଲେ ମଧ୍ୟ ରାଜ୍ୟସ୍ତରର ପ୍ରାୟ ୧୫୦ଦଳୀୟ ନେତା ଏବେ ସେଠାରେ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଜି ପଦ୍ମନାଭ ବେହେରା, ଅଶୋକ ପଣ୍ଡା,ମହେଶ ସାହୁ, ସୁମିତ୍ରା ଜେନା, ଝିନ ହିକକା, ରଘୁରାମ ପୋଡ଼ାଲ, ମହିଧର ରଣା, ଦୁଷ୍ମନ୍ତ ନାୟକ ପ୍ରମୁଖଙ୍କୁ ନୂଆପଡ଼ା ନିର୍ବାଚନରେ ସଂଯୋଜନା ଦାୟିତ୍ୱ ଦେଇଛି ।

Advertisment


 ତେବେ ଦଳର ସବୁ ବରିଷ୍ଠ ନେତା ଏବେ ନୂଆପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର ଓ ରଣନୀତିରେ ମାତିଥିବାବେଳେ ପ୍ରଣବପ୍ରକାଶ ଓରଫ ବବି ଦାସ(Bobby Das) ନିଜର ପୁରୁଣା ଫର୍ମକୁ ଫେରିଥିବା ଜଣାପଡ଼ିଛି । ସେ ତାଙ୍କୁ ଆବଂଟିତ କୋମନା ବ୍ଲକ ବଦଳରେ ଏବେ ନୂଆପଡ଼ା ବ୍ଲକ, ଖରିଆର ରୋଡ୍ ଏନଏସି ଓ ନୂଆପଡ଼ା ଏନଏସିରେ ମଧ୍ୟ ମାମଲାତି କରୁଛନ୍ତି । ଏପରିକି ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମଠୁ ଆରମ୍ଭ କରି ନିର୍ବାଚନୀ ଦଳୀୟ ପାଣ୍ଠି ମଧ୍ୟ ତାଙ୍କ ଦ୍ୱାରା ମନଟରିଂ ହେଉଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।


ସ୍ନେହାଙ୍ଗିନୀଙ୍କ ‘ମାମୁଁ ଘର' ପ୍ରସଙ୍ଗ ଏବେ ବି ଚର୍ଚ୍ଚାରେ


ଜିଲ୍ଲା ବାହାରର ନେତ୍ରୀଙ୍କୁ ନୂଆପଡ଼ାବାସୀଙ୍କ ଉପରେ ଲଦି ଦେଇଛି ବିଜେଡି । ଅତବିରାର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ାବାସୀଙ୍କ ଉପରେ ବିଜେଡି ଲଦି ଦେଇଥିଲେ ମଧ୍ୟ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗକୁ ସଠିକ୍ ଢଙ୍ଗରେ ଏପର୍ଯ୍ୟନ୍ତ ଉଠାଇବାରେ ସକ୍ଷମ ହୋଇନାହାନ୍ତି । ଯଦିଓ ଜିଲ୍ଲା ବାହାରର ପ୍ରାର୍ଥୀ ଦେଇ ବିଜେଡି ପରୋକ୍ଷରେ ନୂଆପଡ଼ାରେ ଦଳର କୌଣସି ଯୋଗ୍ୟ ବ୍ୟକ୍ତି ନଥିବାର ସନ୍ଦେଶ ଦେଇଛି, ତଥାପି ବିଜେପି ଓ କଂଗ୍ରେସ ଏହାକୁ ଭାବନାତ୍ମକ ସ୍ୱାଭିମାନର ପ୍ରସଙ୍ଗ କରି ଭୋଟରଙ୍କ ନିକଟତର ହେବାରେ ସଫଳ ହୋଇନାହାନ୍ତି । ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ଗତ ସପ୍ତାହରେ ଏହି ପ୍ରସଙ୍ଗକୁ ଉଠାଇ ‘ମାମୁଁଘରର କ୍ରମିକ ନମ୍ବର\' ଖୋଜା ଚାଲିଛି ବୋଲି କହି ସିଧାସଳଖ ସ୍ନେହାଙ୍ଗିନୀଙ୍କୁ ଟାର୍ଗେଟ୍ କରିଥିଲେ । ତଥାପି ନୂଆପଡ଼ାକୁ ନିଜର ‘ମାମୁଁ ଘର\' ବୋଲି ସ୍ନେହାଙ୍ଗିନୀ କହୁଥିଲେ ମଧ୍ୟ ତାଙ୍କର ସେହି ମାମୁଁଘର ବାସ୍ତବରେ କେଉଁଠି, ତାଙ୍କ ମାମୁଁଘରର ସଦସ୍ୟମାନେ କିଏ ଏବଂ କେଉଁଠି ଅଛନ୍ତି, କାହିଁକି ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରିନାହାନ୍ତି ତାହା ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।  


ବିଜେପିକୁ ଚେକ୍ ଦେବାକୁ ଚାଲିଛି କି ବଡ଼ ଡିଲ୍‌


ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ଚେକ୍ ଦେବାକୁ ପରଦା ପଛରେ ବଡ଼ଧରଣର ଡିଲ୍ ଚାଲିଥିବା ଚର୍ଚ୍ଚା ହେଉଛି । ବିଜେପି ଓ ବିଜେଡିର ହାଇଭୋଲଟେଜ୍ ପ୍ରଚାର ଅଭିଯାନରେ ପଛରେ ପଡ଼ିଯାଇଥିବା କଂଗ୍ରେସ ନିଜର ପ୍ରାର୍ଥୀ ଘାସିରାମଙ୍କୁ ଆଗରେ ରଖି ଦୀର୍ଘଦିନ ପରେ କୌଣସି ଏକ ଉପନିର୍ବାଚନରେ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳୁଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ଏବେବି ସାଧାରଣ ଦଳିତ ଓ ଆଦିବାସୀ ଭୋଟରଙ୍କ ମଧ୍ୟରେ ପରିଚିତ ଚେହେରା ହୋଇ ରହିଛନ୍ତି । ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ଘାସିରାମ ନିଜର ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ ନଭେମ୍ବର ୧୧ତାରିଖରେ ଭୋଟଗ୍ରହଣର ଅବ୍ୟବହିତ ପୂର୍ବରୁ କିଛି ଗୋଟିଏ ବଡ଼ଧରଣର ଡିଲ୍ ହୋଇପାରେ, ଯାହା ନିର୍ବାଚନୀ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି ।

Biju Janata Dal Bobby Das V.k Pandian