Advertisment

Nuapada By Election : ବିଜେଡିର ‘ଆତ୍ମସର୍ମପଣ’, ଦେଲା ଜିଲ୍ଲା ବାହାରର ପ୍ରାର୍ଥୀ, ଫାଇଦାରେ ବିଜେପି-କଂଗ୍ରେସ

୨୦୨୪ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ପଛରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଭୂମିକାକୁ ଦାୟୀ କରାଯାଉଥିଲେ ମଧ୍ୟ ଦଳୀୟ ବ୍ୟାପାରରେ ଏବେବି ତାଙ୍କର ହସ୍ତକ୍ଷେପ ଯୋଗୁ ବିଜେଡି ପୁଣିଥରେ ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରିସ୍ଥିତିର ସାମ୍ନା କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

Nuapada-By-Election-

BJP-BJD- Congress Candidate_ Jay-Snehangini-Gashiram

Advertisment

ନୂଆପଡ଼ା ଉପନିର୍ବାଚନରେ ନାଟକୀୟ ଢଙ୍ଗରେ ଆଜି ଦୁର୍ବଳ ପ୍ରାର୍ଥୀ ଦେଇ ଆତ୍ମସମର୍ପଣ କରିଛି ବିଜେଡି । ଉପନିର୍ବାଚନ ମଇଦାନରେ ଲଢ଼େଇ ପୂର୍ବରୁ ଦଳ ଅସ୍ତ୍ର ଛାଡ଼ି ଦେଇଛି ଓ ବିଜେପି ପ୍ରାର୍ଥୀଙ୍କ ଜିତିବାର ମାର୍ଗକୁ ପ୍ରଶସ୍ତ କରିବା ନିମନ୍ତେ ଅନ୍ୟ ଜିଲ୍ଲାରୁ ମହିଳା ନେତ୍ରୀଙ୍କୁ ଆଣି ନୂଆପଡ଼ା ବିଧାନସଭା ଭୋଟରଙ୍କ ଉପରେ ଲଦି ଦେବାକୁ ପ୍ରୟାସ କରିଛି । ୨୦୨୪ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟର ଆଘାତକୁ ଏପର୍ଯ୍ୟନ୍ତ ଭୁଲିପାରୁନଥିବା ଲକ୍ଷଲକ୍ଷ କର୍ମୀ ଓ ନେତାମାନେ ନୂଆପଡ଼ା ଉପନିର୍ବାଚନରେ ଦଳର ଏଭଳି ଆଭିମୁଖ୍ୟକୁ ନେଇ କ୍ଷୁବ୍ଧ ଥିବା ଜଣାପଡ଼ିଛି । ଏହାସହିତ ନୂଆପଡ଼ା ଆସନକୁ ବିଜେପିକୁ ଟେକି ଦେବାପାଇଁ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ‘ଅଘୋଷିତ ଦିଲ୍ଲୀ ଡିଲ୍ ’କୁ ନେଇ ହେଉଥିବା ଚର୍ଚ୍ଚାକୁ ମଧ୍ୟ ଏହି ପ୍ରାର୍ଥୀ ଘୋଷଣା ବଳ ଯୋଗାଉଛି ବୋଲି କୁହାଯାଉଛି । 

Advertisment

ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କଲା ବିଜେଡି, ଆସନ୍ତାକାଲି ନାମାଙ୍କନ ଭରିବେ ଜୟ

ନୂଆପଡ଼ା ଉପନିର୍ବାଚନରେ ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହେବେ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଘୋଷଣା କରିଛନ୍ତି । ବରଗଡ଼ ଜିଲ୍ଲାର ଅତାବିରା ବିଧାନସଭା ଆସନରୁ ୨୮୯୧୦ଖଣ୍ଡ ଭୋଟରେ ପରାଜିତ ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କରାଯିବା ଖୋଲାଖୋଲି ଭାବେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଅପୂର୍ବ ସୁଯୋଗ ଆଣିଦେଇଛି । ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଏକାଧିକ ଦଳୀୟ ଆଶାୟୀଙ୍କୁ ଅଣଦେଖା କରି ବିଜେଡି କାହିଁକି ସ୍ନେହାଙ୍ଗିନୀଙ୍କୁ ଅନ୍ୟ ଜିଲ୍ଲାରୁ ଆଣି ଏଠାରେ ପ୍ରାର୍ଥୀ କଲା ତାହା ଜଣାପଡ଼ିନି । ମାତ୍ର ଦଳର ଅଘୋଷିତ ସର୍ବେସର୍ବାଙ୍କ ‘ଅଘୋଷିତ ଡିଲ’କୁ ସଫଳ କରାଇବା ପାଇଁ ବିଜେଡି ଏଭଳି ପ୍ରାର୍ଥୀ ଦେଇ ସିଧାସଳଖ ବିଜେପି ପ୍ରାର୍ଥୀଙ୍କୁ ଅଧିକ ଫାଇଦା ଦେବାକୁ ରଣନୀତି କରୁଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଆଜି ନୂଆପଡ଼ା ଉପନିର୍ବାଚନ(NuaapadaByElection)ରେ ବିଜେପି ପ୍ରାର୍ଥୀ ଭାବେ ଜୟ ଢ଼ୋଲକିଆଙ୍କ ନାଁକୁ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କରିଛନ୍ତି । ସେ (BJP Candidate) ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ଦଳର ନୂଆପଡ଼ା ବ୍ଲକର ଅଧ୍ୟକ୍ଷାଙ୍କ ସମେତ ବହୁ ସମିତି ସଭ୍ୟ ଓ ସରପଂଚ ମଧ୍ୟ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଆଜି କୋମନା ବ୍ଲକର ଉପାଧ୍ୟକ୍ଷ ଜୟଦେବ ପ୍ରଧାନଙ୍କ ସମେତ ୧୮ଜଣ ସରପଂଚ ଓ ୯ଜଣ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।

Advertisment

କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆସନ୍ତା ୧୮ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ବିଜେଡି ପ୍ରାର୍ଥୀ(BJD Candidate) ସ୍ନେହାଙ୍ଗିନୀ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଅର୍ଥାତ୍ ୨୦ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବାର ସମ୍ଭାବନା ରହିଛି ।

ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ,ନବୀନ ନିବାସରେ ଅଙ୍କକଷା

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଉପନିର୍ବାଚନରେ ପ୍ରଚାର କରିବେ। ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ ଆଜି ପୂର୍ବାହ୍ନରେ ନବୀନ ନିବାସରେ ନବୀନଙ୍କୁ ଭେଟିବା ପରେ କହିଛନ୍ତି ଯେ, ଦୁଇଦିନ ନୂଆପଡ଼ାରେ ରହି ନବୀନ ବାବୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ ଓ ଅନ୍ୟମାନେ ବୈଠକ କରି ନୂଆପଡ଼ା ବିଧାନସଭାର କେଉଁ ଜୋନରେ କିଏ ରହିବେ ତାହା ଚୂଡ଼ାନ୍ତ କରିଛନ୍ତି । ପୂର୍ବରୁ ଦଳ ଯେଉଁ ଜୋନାଲ କମିଟି ଗଠନ କରିଥିଲା ସେଥିରେ ସଂଶୋଧନ କରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଆସିଥିବା ଆଶାୟୀମାନଙ୍କ ସହ ଦଳର ବରିଷ୍ଠ ନେତାମାନେ ଆଲୋଚନା କରି ସେମାନଙ୍କୁ ବୁଝାସୁଝା କରିଥିବା ମଧ୍ୟ ଜଣାପଡ଼ିଛି । ଦଳର ଅଘୋଷିତ ସର୍ବେସର୍ବା ଯେଉଁ ‘ଅଘୋଷିତ ଡିଲ’ କରି ଦଳକୁ ତଳିତଳାନ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି ତାକୁ ଏହି କୋର ଟିମ୍ ଓ ଆଗଧାଡ଼ିର ନେତାମାନେ ପରୋକ୍ଷରେ ମୋହର ମାରିଥିବା ଜଣାପଡ଼ିଛି । ତେବେ ବିଜେଡି ଏହି ନିର୍ବାଚନରେ ଜିତିବା ପାଇଁ ନୁହେଁ ବରଂ ତୃତୀୟ ସ୍ଥାନରେ ରହିବାର ରଣନୀତି କରିଥିବା ଚର୍ଚ୍ଚା ହେଉଛି।

ଆତ୍ମସମର୍ପଣ ରଣନୀତି : ବିଜେପିକୁ ଫାଇଦା ଦେବାକୁ ଚାହୁଁଛି କିଏ

ପୂର୍ବରୁ ଉପନିର୍ବାଚନଗୁଡ଼ିକରେ ଆଗୁଆ ପ୍ରାର୍ଥୀ ଘୋଷଣା ସହ ବଳିଷ୍ଠ ରଣନୀତିରେ କାର୍ଯ୍ୟ କରୁଥିବା ବିଜେଡି ଦୀର୍ଘ ପ୍ରାୟ ୨୫ବର୍ଷ ପରେ ବିରୋଧୀ ଦଳ ଭାବେ ପ୍ରଥମଥର ପାଇଁ ଉପନିର୍ବାଚନର ସମ୍ମୁଖୀନ ହେଉଛି । ୨୦୨୪ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ପଛରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଭୂମିକାକୁ ଦାୟୀ କରାଯାଉଥିଲେ ମଧ୍ୟ ଦଳୀୟ ବ୍ୟାପାରରେ ଏବେବି ତାଙ୍କର ହସ୍ତକ୍ଷେପ ଯୋଗୁ ବିଜେଡି ପୁଣିଥରେ ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରିସ୍ଥିତିର ସାମ୍ନା କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ରାଜ୍ୟରେ ବିଜେଡିର ସୁଦୃଢ଼ ସଂଗଠନ ଥାଇ ମଧ୍ୟ କେଉଁ ଅଦୃଶ୍ୟ କାରଣରୁ ଦଳ ବାରମ୍ବାର ନିଜର ନେତା-କର୍ମୀ ଓ ସମର୍ଥକଙ୍କୁ ଏଭଳି ନିରାଶ କରୁଛି ତଥା ବାରମ୍ବାର ସେହି ଅଣଓଡ଼ିଆ ସର୍ବେସର୍ବାଙ୍କ ଦ୍ୱାରା ପରିଚାଳିତ ହୋଇ ଦଳକୁ ତଳିତାନ୍ତ କରିବାକୁ ଛାଡ଼ି ଦେଉଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେଡିର ବରିଷ୍ଠ ନେତାମାନଙ୍କ ନିରବତା ଓ ମାତ୍ରାଧିକ ତୋଷାମଦିଆ ନୀତିର ଫାଇଦା ଉଠାଇ ଅଘୋଷିତ ସର୍ବେସର୍ବା ଖୋଲାଖୋଲି ଭାବେ ବିଜେପିକୁ ସୁହାଇବା ଭଳି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି ।

ସ୍ନେହଙ୍ଗିନୀଙ୍କୁ ପ୍ରାର୍ଥୀ କରି ବିଜେଡି ନୂଆପଡ଼ା ଉପନିର୍ବାଚନ ମଇଦାନରେ ଆତ୍ମସମର୍ପଣ ଓ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଯାଇଛି। ବିଜେଡିର ଏଭଳି ଆଭିମୁଖ୍ୟ ପରେ ନୂଆପଡ଼ାରେ ନବୀନଙ୍କ ପ୍ରଚାର ନୂଆପଡ଼ାବାସୀଙ୍କୁ ପ୍ରଭାବିତ କରିବ ନା ନବୀନଙ୍କ ବାକିଥିବା ମାନସମ୍ମାନକୁ ତଳିତଳାନ୍ତ କରିବ ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ।

ବିଜେଡି ନେତୃତ୍ୱଙ୍କ ନାଟକବାଜି ଓ କୋର ଟିମକୁ ମୋହରା

ନୂଆପଡ଼ା ବିଜେଡି ବିଧାୟକ ଦିବଂଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ସେପ୍ଟେମ୍ବର ୮ରେ ମୃତ୍ୟୁ ପରଠୁ ସେହି ଆସନରେ ଦଳୀୟ ସଂଗଠନକୁ ସଜାଡ଼ିବା ଓ ଉପନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଥିଲା । ଦଳର କୋର ଟିମ୍ ସଦସ୍ୟମାନେ ଘନଘନ ନୂଆପଡ଼ା ଗସ୍ତ ମଧ୍ୟ କରିଥିଲେ । କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେବାପରେ ଦଳର ଅଘୋଷିତ ସର୍ବେସର୍ବାଙ୍କ ଷଡ଼ଯନ୍ତ୍ର ଯୋଗୁ ବିଜେଡି ଏହି ଆସନକୁ ପରୋକ୍ଷରେ ବିଜେପିକୁ ଟେକି ଦେଇଥିବା ଚର୍ଚ୍ଚା ହେଉଛି । 

ଜୟ ବିଜେପିରେ ସାମିଲ ହେବାପରେ ନୂଆଦିଲ୍ଲୀ ଗସ୍ତରୁ ଫେରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ବୈଠକ ଡାକି ପ୍ରାର୍ଥୀ ଚୟନ ନିମନ୍ତେ କୋରଟିମକୁ ଦାୟିତ୍ୱ ନ୍ୟସ୍ତ କରିଥିଲେ । କୋର ଟିମ୍ ମଧ୍ୟ ନୂଆପଡ଼ାରୁ ଫେରି ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ନବୀନ ନିବାସରେ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ଭେଟି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେଇଥିଲା ବୋଲି ସୂଚନା ମିଳିଛି । 

ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଦଳର ନୂଆପଡ଼ା ଜିଲ୍ଲା ପୂର୍ବତନ ସଭାପତି ମନୋଜ ମିଶ୍ର, ଜିଲ୍ଲା ଆଦିବାସୀ ସଂଘ ନେତା ଭାନୁପ୍ରତାପ ମାଝୀ, ବର୍ତ୍ତମାନର ଜିଲ୍ଲା ସଭାପତି ଅବନୀ ଯୋଶୀଙ୍କ ନାଁ ଦେଇଥିଲା । ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ବିଜେପିରେ ସାମିଲ ହେବେ ବୋଲି ଖବର ପାଇଁ କୋର ଟିମ୍ ତାଙ୍କ ନାଁକୁ ସମ୍ଭାବ୍ୟ ତାଲିକାରୁ ବାଦ୍ ଦେଇଥିଲା ବୋଲି ଜଣାପଡ଼ିଛି । ତେବେ ‘କୋରଟିମ’କୁ ମୋହରା ସଜାଇ ଦଳର ଅଘୋଷିତ ସର୍ବେସର୍ବା ଏହି ନୂଆପଡ଼ା ଆସନ ପାଇଁ ଅଘୋଷିତ ଡିଲ୍ କରିଦେଇଥିବା ଆଜିର ପ୍ରାର୍ଥୀ ଚୟନରୁ ଏକପ୍ରକାର ସ୍ପଷ୍ଟ ହୋଇଯାଇଥିବା ଚର୍ଚ୍ଚା ହେଉଛି ।

BJP Candidate NuaapadaByElection BJD Candidate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe