Advertisment

Nuapada By-election : ଘାସିରାମଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ବୈଠକ ଡାକି ଚୂଡ଼ାନ୍ତ କଲେ ନବୀନ

ବିଜେଡି ପ୍ରାର୍ଥୀ ଭାବେ ଦିବଂଗତ ବିଧାୟକ ଜୟ ଢ଼ୋଲକିଆ ମଇଦାନକୁ ଓହ୍ଲାଇବା ପ୍ରାୟତଃ ଚୂଡ଼ାନ୍ତ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗତ ଶୁକ୍ରବାର(୩ତାରିଖ) ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଜୟଙ୍କୁ ଦଳ ପ୍ରାର୍ଥୀ କରିବାର ନିଷ୍ପତ୍ତି ନେଇଛି ।

author-image
Prakash Sethi
Ghasiram-Majhi

Congress Candidate Ghasiram Majhi(middle)

ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣାର ଦିନକ ଭିତରେ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ନୂଆପଡ଼ା ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ଦଳ ଉପନିର୍ବାଚନ ମଇଦାନରେ ଓହ୍ଲାଇବ । ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ତୁଳନାରେ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ନିର୍ବାଚନୀ ପ୍ରଚାରକୁ ଜୋରଦାର ପାଇଁ ରଣନୀତି ପ୍ରସ୍ତୁତ କରିଛି । ବିଜେଡି ନିଜର ପ୍ରାର୍ଥୀ ଭାବେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରିବା ପ୍ରାୟତଃ ଚୂଡ଼ାନ୍ତ ଥିବାବେଳେ ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସସପେନ୍ସ ଲାଗି ରହିଛି ।

Advertisment


ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ


ପିସିସି ପକ୍ଷରୁ ଜାରି ସୂଚନା ଅନୁସାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଓ ରାଜନୀତିକ ବ୍ୟାପାର କମିଟିର ସର୍ବସମ୍ମତି ପ୍ରସ୍ତାବ ଉପରେ ମଙ୍ଗଳବାର ଏଆଇସିସି ମୋହର ମାରିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ ପରେ ଏଆଇସିସି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ଘାସିରାମ ମାଝୀ ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବେ ବୋଲି ସୂଚନା ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନକୁ ମିଶାଇଲେ ଶ୍ରୀ ମାଝୀ ନୂଆପଡ଼ା ବିଧାନସଭା ଆସନରୁ ୩ଥର ଲଢ଼ି ପରାଜିତ ହୋଇଛନ୍ତି । ୨୦୧୪ ଓ ୨୦୧୯ରେ ସେ କଂଗ୍ରେସ ପ୍ରାର୍ଥୀ ଥିବାବେଳେ ୨୦୨୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ୫୦୯୪୧ଖଣ୍ଡ ଭୋଟ୍ ପାଇଁ ଦ୍ୱିତୀୟ ସ୍ଥାନରେ ଥିଲେ । (Nuapada by-election) ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ପିସିସି ସଭାପତି ଶ୍ରୀ ଦାସ ୪ଦିନ ଧରି ନୂଆପଡ଼ାରେ ଡେରା ପକାଇଛନ୍ତି ।


ବିଜେଡିରୁ ଜୟ ଓ ବିଜେପିରୁ କିଏ


ସୂତ୍ର ଅନୁସାରେ,ବିଜେଡି ପ୍ରାର୍ଥୀ ଭାବେ ଦିବଂଗତ ବିଧାୟକ ଜୟ ଢ଼ୋଲକିଆ ମଇଦାନକୁ ଓହ୍ଲାଇବା ପ୍ରାୟତଃ ଚୂଡ଼ାନ୍ତ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗତ ଶୁକ୍ରବାର(୩ତାରିଖ) ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଜୟଙ୍କୁ ଦଳ ପ୍ରାର୍ଥୀ କରିବାର ନିଷ୍ପତ୍ତି ନେଇଛି । ଅବଶ୍ୟ ପୂର୍ବରୁ ଜୟଙ୍କୁ ପ୍ରାର୍ଥୀ କରାଯିବା ନେଇ ସଙ୍କେତ ଦିଆଯାଇଥିଲା । ମାତ୍ର ୩ତାରିଖରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ ଓ ଜୟଙ୍କୁ ନୂଆଦିଲ୍ଲୀ ଡାକି ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ନବୀନ ଆଲୋଚନା କରିଛନ୍ତି । ନବୀନ ଆସନ୍ତା ୩-୪ଦିନ ମଧ୍ୟରେ ଭୁବନେଶ୍ୱର ଫେରିବେ ବୋଲି ସୂଚନା ମିଳିଛି । ବିଜେଡି ମଧ୍ୟ ନୂଆପଡ଼ା ଉପନିର୍ବାଚନରେ ୪୦ରୁ ୫୦ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି ଦଳର ନେତ୍ରୀ ପ୍ରମିଳା ମଲ୍ଲିକ ଦମ୍ଭୋକ୍ତି ବାଢ଼ିଛନ୍ତି ।

Advertisment


 ଏପଟେ ଶାସକ ବିଜେପି ନିଜର କାର୍ଡ ଖୋଲିନଥିବାବେଳେ ଦଳର ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ଲୋକେ ଆଶୀର୍ବାଦ କରିବେ । ପ୍ରାର୍ଥୀ କିଏ ହେବ ତାହା ଦଳ ଭିତରେ ଆଲୋଚନା ପରେ ଘୋଷଣା ହେବ । ଚୟନ କମିଟି ହିଁ ଏହି ନିଷ୍ପତ୍ତି ନେବ । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଫଳାଫଳ କ’ଣ ହେବ ଲୋକେ ନିର୍ଣ୍ଣୟ କରିବେ । ନବୀନ ପଟ୍ଟନାୟକଙ୍କ ପଦଯାତ୍ରାର ଫରକ କ’ଣ ପଡ଼ିବ କି ନାହିଁ ତାହା ସାଧାରଣ ଲୋକେ ବିଚାର କରିବେ । କେନ୍ଦ୍ରରେ ୧୧ବର୍ଷ ଓ ରାଜ୍ୟରେ ୧୫ମାସରେ ଆମେ କ’ଣ କରିଛୁ ତାହା କହିବୁ । ବିଜେଡି ୨୪ବର୍ଷ ଓ କଂଗ୍ରେସ ୪୦ବର୍ଷ ଭିତରେ କ’ଣ କରିଛି କହିବେ ବୋଲି ଶ୍ରୀ ସାମଲ କହିଛନ୍ତି ।


ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ରେ ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ହେଉଛି । ଆସନ୍ତା ନଭେମ୍ବର ୧୧ତାରିଖରେ ସେଠାରେ ଭୋଟଗ୍ରହଣ ହେବ । ଅକ୍ଟୋବର ୧୩ତାରିଖରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୨୦ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ ।

Nuapada by-election