Nuapada By election
ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭକୁ ୨ଦିନ ବିତିଲାଣି, ମାତ୍ର ଏପର୍ଯ୍ୟନ୍ତ ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବାରେ ସକ୍ଷମ ହୋଇପାରିନାହାନ୍ତି । ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କୁ ବିଜେପି ଆସନ୍ତାକାଲି ନିଜର ପ୍ରାର୍ଥୀ ଭାବେ ଘୋଷଣା କରିବାର ସମ୍ଭାବନା ଥିବାବେଳେ ସେ ଆସନ୍ତା ୧୬ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ଏପଟେ ମୁଖ୍ୟ ବିରୋଧୀ ଦଳ ବିଜେଡିରେ ଅବିଶ୍ୱାସ ଓ ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି । ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଦଳର କୋର ଟିମ୍ ସଦସ୍ୟମାନଙ୍କୁ ମୋହରା କରାଯାଇଛି ଏବଂ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବି ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା ଚର୍ଚ୍ଚା ହେଉଛି ।
ପାଣ୍ଡିଆନଙ୍କୁ ଭେଟିଲେ କୋର ଟିମ୍ ସଦସ୍ୟ
ନବୀନ ନିବାସ ସୂତ୍ର ଅନୁସାରେ, ନୂଆପଡ଼ା ଗସ୍ତରୁ ଫେରି ଆଜି ସନ୍ଧ୍ୟାରେ କୋରଟିମ୍ ସଦସ୍ୟମାନେ ନବୀନ ନିବାସ ଯାଇ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ଦେଇଥିବା ସୂଚନା ମିଳିଛି। ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମା ନବୀନ ନିବାସ ଯାଇ ପାଣ୍ଡିଆନଙ୍କୁ ଭେଟିଛନ୍ତି । ଏହି ସମୟରେ ବବି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଦଳର ନୂଆପଡ଼ା ଉପନିର୍ବାଚନରେ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ନୂଆପଡ଼ା ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ମନୋଜ ମିଶ୍ର, ନୂଆପଡ଼ା ବ୍ଲକ ଅଧ୍ୟକ୍ଷ ତାରଶ୍ୱେରୀ ସାହୁ(ଧାନି), ଜିଲ୍ଲା ଆଦିବାସୀ ସଂଘ ସଭାପତି ଭାନୁ ପ୍ରତାପ ମାଝୀ ଓ ଦଳର ଜିଲ୍ଲା ସଭାପତି ଅବନୀ ଯୋଶୀଙ୍କ ନାଁ ଦେଇଥିବା ଜଣାପଡ଼ିଛି ।
ତେବେ ସମ୍ଭାବ୍ୟ ତାଲିକା ଆଜି ପାଣ୍ଡିଆନଙ୍କୁ ଦିଆଯାଇଥିଲେ ମଧ୍ୟ ଆସନ୍ତାକାଲି ଏକ ବୈଠକ ପରେ ଆନୁଷ୍ଠାନିକ ଭାବେ ଏହି ପ୍ରାର୍ଥୀ ତାଲିକା ସମ୍ପର୍କରେ ଦଳୀୟ ନେତାମାନେ ସୂଚନା ଦେବେ ବୋଲି ଜଣାପଡ଼ିଛି ।
ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଆସନ୍ତାକାଲି ଭୁବନେଶ୍ୱର ଡକାଯାଇଛି । ପଶ୍ଚିମଓଡ଼ିଶାର ଆଗଧାଡ଼ିର ନେତା ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁଙ୍କ ଉପସ୍ଥିତିରେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସହ ଆସନ୍ତାକାଲି ପୂର୍ବାହ୍ନରେ ଦଳର କୋରଟିମ ସଦସ୍ୟମାନଙ୍କ ବୈଠକ ରହିଛି । ଏହି ବୈଠକ ପରେ ଦଳୀୟ ନେତାମାନେ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିବାପରେ ଗୁରୁବାର ଦଳୀୟ ପ୍ରାର୍ଥୀ ଘୋଷଣା ହେବ ବୋଲି ସୂଚନା ମିଳିଛି । ଏହି କୋର ଟିମ୍ ସଦସ୍ୟମାନେ ଆସନ୍ତା ଗୁରୁବାର-ଶୁକ୍ରବାର ପୁଣିଥରେ ନୂଆପଡ଼ା ଅଭିମୁଖେ ଗସ୍ତ କରିବେ ବୋଲି ମଧ୍ୟ ଜଣାପଡ଼ିଛି । ସମ୍ଭାବ୍ୟ ପ୍ରାର୍ଥୀ ଚୟନ ଦାୟିତ୍ୱକୁ ନେଇ ଦଳର କୋର ଟିମ୍ ସଦସ୍ୟମାନେ ଉତଫୁଲ୍ଲିତ ହୋଇପଡ଼ିଥିଲେ ମଧ୍ୟ ପରଦା ପଛରେ ରହି ପାଣ୍ଡିଆନ-ବବି ଯୋଡ଼ି ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
କୋର ଟିମକୁ ଭରସା କରୁନାହାନ୍ତି କି ନବୀନ
ଦିଂବଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ବିଜେପି(BJP Candidate)ରେ ସାମିଲ ହେବାପରେ ବିଜେଡି ଏବେ ବ୍ୟାକଫୁଟରେ ରହିଛି । ଦଳର କୋର ଟିମ୍ ସଦସ୍ୟମାନଙ୍କୁ ମୋହରା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ପାଇଁ ରାଜନୀତିକ ଗୋଟିଚାଳନା କରିବାରେ ଲାଗିଛନ୍ତି । ପରଦା ପଛରେ ରହି ନବୀନଙ୍କ ମାଧ୍ୟମରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ହିଁ ଦଳର କୋରଟିମ୍ ସଦସ୍ୟମାନଙ୍କୁ ମୋହରା ସଜାଇଥିବା ଚର୍ଚ୍ଚା ହେଉଛି । ଆଜି ଦଳର କୋରଟିମ୍ ସଦସ୍ୟମାନେ ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟିବା ପରେ ଏହା ଏକରକମ ସ୍ପଷ୍ଟ ହୋଇଯାଇଛି । ନିଜର ରାଜନୀତିକ ଅସ୍ତିତ୍ୱ ଓ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ଦେବୀ-ସଞ୍ଜୟଙ୍କ ଭଳି ନେତାମାନେ କିଛିଦିନର ବ୍ୟବଧାନରେ ପୁଣିଥରେ ପାଣ୍ଡିଆନଙ୍କୁ ଭେଟିବା ସହ ତାଙ୍କୁ ନିଜର ‘ବସ୍’ ବୋଲି ସ୍ୱୀକାର କରିବାକୁ ଏକରକମ ବାଧ୍ୟ ହୋଇଛନ୍ତି ।
ରାଜନୀତିକ ବ୍ୟାପାର କମିଟି ବୈଠକ ଡାକି ସମ୍ଭାବ୍ୟ ପ୍ରାର୍ଥୀ ଚୟନ ପାଇଁ କୋର ଟିମ ସଦସ୍ୟମାନଙ୍କୁ ନୂଆପଡ଼ା ଯିବାକୁ ନବୀନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଶନିବାରଠାରୁ ଦଳର ପ୍ରାର୍ଥୀ ଚୟନ କାର୍ଯ୍ୟ ଚୂଡ଼ାନ୍ତ ହୋଇ ସାରିଥିବା ସୂଚନା ମିଳିଛି । ଗୋଟିଏପଟେ କୋର ଟିମକୁ ପ୍ରାର୍ଥୀ ଚୟନ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଅନ୍ୟପଟେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବବି ନୂଆପଡ଼ା ଯାଇ ସେଠାରେ ବିଭିନ୍ନ ପଂଚାୟତ ପ୍ରତିନିଧିଙ୍କୁ ଭେଟିବା ସହ ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରିବାରେ ଲାଗିଥିବା ଜଣାପଡ଼ିଛି । ଖାସ୍ ଏହି କାରଣରୁ କୋର ଟିମ୍ ସହ ଯାଇ ମଧ୍ୟ ବବି ଏକାକୀ ନୂଆପଡ଼ାର ବିଭିନ୍ନ ପଂଚାୟତ ପ୍ରତିନିଧିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଭେଟିଥିବା ଜଣାପଡ଼ିଛି । ଦଳର ପ୍ରାର୍ଥୀ କିଏ ହେବ ତାକୁ ନେଇ କୋର୍ ଟିମ୍ ସଦସ୍ୟମାନେ ଦ୍ୱନ୍ଦ୍ୱରେ ଥିବାବେଳେ ଆସନ୍ତା ୨୦ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । କୋର ଟିମ୍ ସଦସ୍ୟମାନଙ୍କ ବଦଳରେ ନବୀନ ନିବାସ ଏବେ ନୂଆପଡ଼ା ଉପନିର୍ବାଚନ ପାଇଁ ବବିଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ଓ ତାଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟ କରୁଥିବା ମଧ୍ୟ ଜଣାପଡ଼ିଛି ।
ମନୋଜ ନା ତାରେଶ୍ୱରୀ- କିଏ ହେବ ବିଜେଡି ପ୍ରାର୍ଥୀ
ସୂତ୍ର ଅନୁସାରେ, ନୂଆପଡ଼ା ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର ଶନିବାର ଭୁବନେଶ୍ୱରରେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବା ସହ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଦଳର ପ୍ରଭାବଶାଳୀ ନେତା ବବି ଦାସ ତାଙ୍କୁ ନବୀନଙ୍କ ସହ ଭେଟଘାଟ କରାଇ ଏକାନ୍ତରେ ଆଲୋଚନା କରିଥିବାରୁ ସେ ଦଳୀୟ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି ।
କିନ୍ତୁ ସୂତ୍ର ଅନୁସାରେ, ନୂଆପଡ଼ା(Nuapada by-election 2025 )ରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଭଲ ସ୍ଥିତିରେ ଥିବାରୁ ବିଜେଡି ସେଠାରେ ମହିଳା କାର୍ଡ କିମ୍ବା ଆଦିବାସୀ କାର୍ଡ ଖେଳିଲେ ଆଖିଦୃଶିଆ ଭୋଟ୍ ମିଳିପାରନ୍ତା ବୋଲି କୋର୍ ଟିମ୍ ସଦସ୍ୟମାନେ ନବୀନ ନିବାସକୁ ସୂଚନା ଦେଇଛନ୍ତି। ତାରେଶ୍ୱରୀ ଏବେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ଅଛନ୍ତି । ଆଦିବାସୀ ନେତା ଭାନୁ ପ୍ରତାପଙ୍କ ବିଜେଡି ୨୦୧୭ରୁ ନିଲମ୍ବନ କରିଛି । ବିଜେଡି ଉଭୟ ମନୋଜ ଓ ତାରେଶ୍ୱରୀଙ୍କୁ ନାମାଙ୍କନ ପତ୍ର ଦାଖଲ ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ସବୁଜ ସଙ୍କେତ ଦେଇଥିବା ମଧ୍ୟ ସୂଚନା ମିଳିଛି । ତେବେ ପାଣ୍ଡିଆନ-ବବି ଯୋଡ଼ି ଦଳୀୟ ପ୍ରାର୍ଥୀ ଭାବେ ମନୋଜଙ୍କୁ ମଇଦାନକୁ ଓହ୍ଲାଇବାର ସମ୍ଭାବନା ଅଧିକ ରହିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us