
Congress released its manifesto for Nuapada Byelection.
ନୂଆପଡ଼ା ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରଚାର ସରଗରମ ହୋଇଛି । ବିଜେପି ଓ ବିଜେଡିର ହାଇଭୋଲଟେଜ୍ ପ୍ରଚାର ସତ୍ତ୍ୱେ କଂଗ୍ରେସ ନିଜର ସୁଦୃଢ଼ ସ୍ଥିତି ଜାହିର କରିବା ସହ ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛି । ନୂଆପଡ଼ାବାସୀଙ୍କ ପାଇଁ ବିଗତ ୨୬ବର୍ଷରେ ବିଜେଡି ଓ ବିଜେପି କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ ନିଜର ଅବଦାନର ହିସାବ ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ପୁଦେଓ ସାଏ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିଛନ୍ତି । ଆସନ୍ତାକାଲି ନବୀନ ପୁଣିଥରେ ନୂଆପଡ଼ା ଗସ୍ତ କରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ପ୍ରଚାର କରିବେ । ଆଉ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ମଧ୍ୟ ଆସନ୍ତାକାଲି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ୯ତାରିଖ ସନ୍ଧ୍ୟାରେ ପ୍ରଚାର ବନ୍ଦ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୮ତାରିଖରେ ପୁଣିଥରେ ନୂଆପଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ହାଇପ୍ରୋଫାଇଲ ପ୍ରଚାର ମଧ୍ୟରେ ସାଧାରଣ ଭୋଟରଙ୍କ ନିରବତା ଏବେ ରାଜନୀତିକ ଦଳଗୁଡ଼ିକର ନିଦ ହଜାଇ ଦେଇଛି ।
ମୋହନଙ୍କ ରୋଡ୍ ଶୋ’ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ସମାବେଶ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ା ଠାରେ ଏକ ବଡ଼ଧରଣର ରୋଡ୍ ସୋ' କରିଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ୍ ମାଗିବା ସହ ଶ୍ରୀ ମାଝୀ ପୂର୍ବ ବିଜେଡି ସରକାର ସମୟରେ ନୂଆପଡ଼ାର ଅବହେଳାକୁ ପ୍ରସଙ୍ଗ କରିଛନ୍ତି ତଥା ବିଜେପି ସରକାର ଜିଲ୍ଲାର ସାମଗ୍ରିକ ବିକାଶ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସହିତ ବିଜେଡିର ପ୍ରାର୍ଥୀ ଚୋରି ଅଭିଯୋଗକୁ କାଉଣ୍ଟର କରି କାକଟପୁର ଓ ବିଜେପୁରରେ ବିଜେଡି କ’ଣ କରିଥିଲା ତାହା ମନେପକାଉ ବୋଲି CM Mohan Majhi କହିଛନ୍ତି ।
ସେହିପରି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କ ସପକ୍ଷରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ ମଧ୍ୟ ପଂଚମପୁରରେ ବିଜୟ ସଂକଳ୍ପ ସମାବେଶ କରି ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଯିଏ ଏତେବର୍ଷ ପରେ ମଧ୍ୟ ଓଡ଼ିଆ କହିପାରିଲେନି ସିଏ କ’ଣ ଓଡ଼ିଶାବାସୀଙ୍କ କଥା ବୁଝିବେ ବୋଲି କହି ନବୀନଙ୍କୁ କଟାକ୍ଷ କରିଛନ୍ତି । ବିଜେପିର ଅନ୍ୟନାମ ବିକାଶ ବୋଲି ନୂଆପଡ଼ାବାସୀ ହୃଦୟଙ୍ଗମ କରିସାରିଲେଣି ବୋଲି ଶ୍ରୀ ସାଏ କହିଥିଲେ ।
ବିଜେଡି ଓ କଂଗ୍ରେସର ପ୍ରଚାର ମଇଦାନରେ ତୁଙ୍ଗ ନେତା
ଆସନ୍ତାକାଲି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ପରକୋଟଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସହ ରୋଡ୍ ସୋ'ରେ ସାମିଲ ହେବେ ବୋଲି ସୂଚନା ମିଳିଛି । ନବୀନଙ୍କ ଏହି ପ୍ରଚାର ମାଧ୍ୟମରେ ଦଳ ନିଜ ଗଡ଼ ରକ୍ଷା କରିବାକୁ ଚାହୁଁଛି । ନବୀନ (BJD Naveen Patnaik ) ମଧ୍ୟ ନିଜେ ଭିଡିଓ କଲ୍ ମାଧ୍ୟମରେ ଦଳୀୟ ନେତା ଓ କର୍ମୀମାନଙ୍କ ସହ କଥା ହୋଇ ନିର୍ବାଚନ ନସରିବା ପର୍ଯ୍ୟନ୍ତ ଛୁଟି ନନେବାକୁ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ଦଳର ଷ୍ଟାର ପ୍ରଚାରକ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଆସନ୍ତାକାଲି ନୂଆପଡ଼ାରେ ପ୍ରଚାର କରିବେ । କଂଗ୍ରେସ ପକ୍ଷରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଛି । ସେ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ସେହିପରି ଘାସିରାମଙ୍କ ସପକ୍ଷରେ ପ୍ରଚାର ପାଇଁ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା,ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା ଓ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ପ୍ରମୁଖ ନୂଆପଡ଼ାରେ ଡେରା ପକାଇଛନ୍ତି ।
ଇସ୍ତାହାର ଜାରି କଲା କଂଗ୍ରେସ, ମାଗିଲା ହିସାବ
ନୂଆପଡ଼ା ଉପନିର୍ବାଚନ(nuapada byelection)ରେ ସ୍ଥାନୀୟ ପ୍ରସଙ୍ଗ ହଜିଯାଇଥିବାବେଳେ କଂଗ୍ରେସ ଆଜି ନିଜର ଇସ୍ତାହାର ଉନ୍ମୋଚନ କରିଛି । ଦଳର ପ୍ରାର୍ଥୀ ଘାସିରାମ ମାଝୀଙ୍କ ସାମାଜିକ ଓ ରାଜନୀତିକ ସଂଘର୍ଷ ସମ୍ପର୍କରେ ନୂଆପଡ଼ାବାସୀଙ୍କୁ ମନେ ପକାଇବା ଓ କଂଗ୍ରେସର ଅବଦାନ ସମ୍ପର୍କରେ ସ୍ମରଣ କରାଇ ଦେବାକୁ ଦଳ ଏହି ଇସ୍ତାହାର ଜାରି କରିଥିବା ଜଣାପଡ଼ିଛି । ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ନୂଆପଡ଼ାଠାରେ ଏହି ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ହୋଇଛି ।
କଂଗ୍ରେସ(Congress)ର ଏହି ନିର୍ବାଚନୀ ଇସ୍ତହାର ଚାରିଟି ପର୍ଯ୍ୟାୟରେ ରହିଛି । କଂଗ୍ରେସର ଅବଦାନ, କଂଗ୍ରେସ ଇସ୍ତାହାର, ପ୍ରତିକାର ଲୋଡ଼ା, ଓ ବିଜେଡି-ବିଜେପିର ପ୍ରତିଶ୍ରୁତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ, "କଂଗ୍ରେସ ନୂଆପଡ଼ା ପାଇଁ କ’ଣ କରିଛି ଆମେ ତାହାର ହିସାବ ଦେଲୁ । ବିଜେଡି ଓ ବିଜେପି ଗତ ୨୬ ବର୍ଷରେ କ’ଣ କରିଛନ୍ତି ତାହାର ହିସାବ ଦେବାର ସମୟ ଆସିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଭାବପ୍ରବଣ ନିବେଦନ କରି କହିଛନ୍ତି ଯେ, ନୂଆପଡ଼ାର ନ୍ୟାୟ ଓ ବିକାଶ ପାଇଁ ମୃତ୍ୟୁ ମଧ୍ୟ ଗ୍ରହଣୀୟ । ଏହି ଇସ୍ତାହାରରେ କଂଗ୍ରେସ ତାର ଅବଦାନର ହିସାବ ଦେଇ ବିଜେଡି ଓ ବିଜେପି ଉଭୟଙ୍କୁ ଦୀର୍ଘ ୨୬ ବର୍ଷର ଶାସନରେ ନୂଆପଡ଼ାକୁ କରିଥିବା ଅବହେଳାର ହିସାବ ମାଗିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
