Nuapada Byelection
ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ ପ୍ରଚାର ମଇଦାନ ସରଗରମ ହେବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ରଣନୀତି ସହ ବିଭିନ୍ନ ଉପାୟରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି । ଆଉ ଏସବୁ ମଧ୍ୟରେ ବିଜେଡି ନିଜର ‘ପୋଷ୍ଟରବଏ’ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛି । ନବୀନ ଆସନ୍ତା ୩ ଓ ୭ତାରିଖରେ ଦୁଇଥର ନୂଆପଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ଏପଟେ ଆଦିବାସୀ ପ୍ରାର୍ଥୀ ଦେଇ ନିର୍ବାଚନୀ ସଫଳତା ପାଇବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସ ଏବେ ଡିଫେନ୍ସିଭ ମୋଡରେ ନିଜର ପୁରୁଣା ଭୋଟକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଉଥିବାବେଳେ ଶାସକ ବିଜେପିରେ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ବିଜେଡିକୁ ସୁହାଉଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ନବୀନଙ୍କ ସମ୍ଭାବ୍ୟ ଗସ୍ତ ବିଜେଡି ପ୍ରାର୍ଥୀଙ୍କ ନିମନ୍ତେ ‘ସୋନେପେ ସୁହାଗା’ ସାବ୍ୟସ୍ତ ହୋଇପାରେ ବୋଲି ଆକଳନ କରାଯାଉଛି ।
ନଭେମ୍ବର ୩ ଓ ୭ରେ ନବୀନଙ୍କ ସମ୍ଭାବ୍ୟ ଗସ୍ତ
ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୩ ଓ ୭ତାରିଖ ଦୁଇଦିନ ନୂଆପଡ଼ା ଗସ୍ତରେ ଯିବାର ସମ୍ଭାବନା ରହିଛି । ନବୀନଙ୍କ ଗସ୍ତବେଳେ ଦଳ ପକ୍ଷରୁ କୋମନା, ନୂଆପଡ଼ା ଓ ଖରିଆର ରୋଡରେ ସାଧାରଣ ସଭାର ଆୟୋଜନ କରାଯିବ । ନବୀନଙ୍କ ଦୁଇଥରର ଗସ୍ତରେ ଦଳ ୪-୫ଟି ସାଧାରଣ ସଭା ସହ ଖରିଆର ରୋଡ୍ କିମ୍ବା ନୂଆପଡ଼ା ଏନଏସି ଅଂଚଳରେ ରୋଡ ଶୋ’ ମଧ୍ୟ କରିପାରେ ବୋଲି ସୂଚନା ମିଳିଛି । ନବୀନ(Naveen Patanaik)ଙ୍କ ଗସ୍ତରୁ ଯଥାସମ୍ଭବ ଫାଇଦା ଉଠାଇ ଦଳକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିବାକୁ ବିଜେଡି ନେତାମାନେ ଜୋରସୋରରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ନୂଆପଡ଼ାରେ ଦଳର ଶତାଧିକ ରାଜ୍ୟସ୍ତରୀୟ ନେତା ରହିଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ ପରିଚାଳନା ଦାୟିତ୍ୱରେ ସଞ୍ଜୟ ଦାସବର୍ମା ଏବଂ ଦଳୀୟ ପାଣ୍ଠି ଦାୟିତ୍ୱରେ ପ୍ରଣବପ୍ରକାଶ ଦାସ(ବବି) ରହିଥିବା ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି । ବିଜେଡ଼ିର ଅଘୋଷିତ ସର୍ବେସର୍ବା ମଧ୍ୟ ପରଦା ପଛରେ ରହି ଦଳୀୟ ରଣନୀତିକୁ ଚୂଡ଼ାନ୍ତ କରୁଥିବା ଏବଂ ସେହି ଆଧାରରେ ନୂଆପଡ଼ାରେ ଦଳୀୟ ନେତାମାନେ କାର୍ଯ୍ୟ କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
ବିଜେପି ପାଇଁ ସତର୍କ ଘଣ୍ଟି: ବଳ ଗୋଟାଉଛି ବିଜେଡି, ଗଡ଼ ଜଗିଛି କଂଗ୍ରେସ
୨୦୨୪ ସାଧାରଣ ନିର୍ବାଚନ ପରେ ପ୍ରଥମଥର ପାଇଁ ରାଜ୍ୟର ୩ ପ୍ରମୁଖ ଦଳ (nuapada byelection) ନିର୍ବାଚନୀ ମଇଦାନରେ ବଳ କଷାକଷି ହେଉଛନ୍ତି । ଶାସକ ବିଜେପି ପାଇଁ ଏହି ଆସନରେ ବିଜୟୀ ହେବା ସମ୍ମାନର ପ୍ରଶ୍ନ ପାଲଟିଛି । ବିଜେପି ଯଦିଓ ଦିବଂଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟଙ୍କୁ ଆଣି ଦଳୀୟ ପ୍ରାର୍ଥୀ(BJP Candidate) କରିଛି ଏବଂ ରାଜେନ୍ଦ୍ରଙ୍କ ବିଧବା ପତ୍ନୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି ତଥାପି ଦଳୀୟ ସ୍ଥାନୀୟ ଅନ୍ତଃକନ୍ଦଳ ବେଶ୍ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପିର ଏକ ଗୋଷ୍ଠୀ ଏବେବି ଜୟଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଖୋଲାଖୋଲି ସମର୍ଥନ କରିବାରେ ଆଗ୍ରହ ଦେଖାଉ ନଥିବା ଜଣାପଡ଼ିଛି । ଯେଉଁଥିପାଇଁ ବିଜେପି ରାଜ୍ୟରେ ଶାସକ ଦଳରେ ଥାଇ ମଧ୍ୟ ଜୟଙ୍କ ସପକ୍ଷରେ ଯେଭଳି ଢଙ୍ଗରେ ନିର୍ବାଚନୀ ହାୱା ସୃଷ୍ଟି କରିବାର ଆବଶ୍ୟକ ତାହା ବିଗତ ୧୦ଦିନ ମଧ୍ୟରେ କରିବାରେ ସକ୍ଷମ ହୋଇପାରିନାହିଁ । ଅବଶ୍ୟ ସୋମବାର ବିଜେପି ରାଜେନ୍ଦ୍ରଙ୍କ ବିଧବା ପତ୍ନୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ସହାନୁଭୂତି ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ମାତ୍ର ଗ୍ରାଉଣ୍ଡରୁ ମିଳିଥିବା ସୂଚନା ଅନୁସାରେ, ବିଜେପିକୁ ଏବେଠୁ ନିଜର ନିର୍ବାଚନୀ ରଣନୀତିରେ ପରିବର୍ତ୍ତନ କରି ଗ୍ରାମାଂଚଳ ଭୋଟ୍ ଉପରେ ଅଧିକ ଧ୍ୟାନ ଦେବା ସହ ଆକ୍ରମଣାତ୍ମକ ପ୍ରଚାର ଶୈଳୀ ଆପଣାଇବାକୁ ପଡ଼ିବ, ନଚେତ୍ ବିଜେଡିକୁ କାଉଣ୍ଟର କରିବା ଦଳ ପାଇଁ ବିଶେଷ ଚିନ୍ତାର କାରଣ ପାଲଟିବ ଚର୍ଚ୍ଚା ହେଉଛି ।
ବିଜେଡି ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟସ୍ତରୀୟ ନେତାମାନଙ୍କୁ ପଂଚାୟତ ଓ ଏନଏସି ୱାର୍ଡସ୍ତରରେ ଦାୟିତ୍ୱ ଦେଇ ନିଜର ପ୍ରଚାରକୁ ଜୋରଦାର କରାଉଛି । ଦଳର ୧୦୦ରୁ ଅଧିକ ରାଜ୍ୟସ୍ତରୀୟ ନେତା ଏବେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ଡେରା ପକାଇଛନ୍ତି । ଜିଲ୍ଲା ବାହାରର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରି ବିଜେଡି ଆରମ୍ଭରୁ ବ୍ୟାକଫୁଟରେ ଥିବା ନେଇ ଯେଉଁ ଧାରଣା ସୃଷ୍ଟି ହୋଇଥିଲା ତାହା ରାଜ୍ୟସ୍ତରୀୟ ଦଳୀୟ ନେତାମାନଙ୍କର ଆକ୍ରମଣାତ୍ମକ ପ୍ରଚାର ଅଭିଯାନ ପରେ ଧୀରେଧୀରେ ସୁଧୁରିବାରେ ଲାଗିଛି । ଆଉ ବିଜେପିର ଅନ୍ତଃକନ୍ଦଳ ଓ କଂଗ୍ରେସର ସୀମିତ ରଣନୀତିର ଫାଇଦା ଉଠାଇ ବିଜେଡି ତୃଣମୂଳସ୍ତରରେ ନିଜର ଆଗଧାଡ଼ିର ସମର୍ଥକମାନଙ୍କୁ ଏକଜୁଟ କରାଇ ବଳ ଗୋଟାଇବାରେ ଲାଗିଛି । କର୍ମୀ,ସମର୍ଥକ ଓ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେଡି ମଧ୍ୟ ଆଖିଦୃଶିଆ ପାଣ୍ଠି ଖର୍ଚ୍ଚ କରିବାକୁ ପଛାଉ ନଥିବା ଜଣାପଡ଼ିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡି ନୂଆପଡ଼ାରେ କଡ଼ା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ସହରାଂଚଳ ତୁଳନାରେ ଗ୍ରାମାଂଚଳରେ ବିଜେଡି ଅପେକ୍ଷାକୃତ ଭଲ ସ୍ଥିତିରେ ରହିଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ଉପନିର୍ବାଚନ ତାରିଖ ଘୋଷଣାବେଳେ ବେଶ୍ ଭଲ ସ୍ଥିତିରେ ଥିବା କଂଗ୍ରେସ ଏବେ ନିଜର ପୁରୁଣା ଭୋଟ((ପ୍ରାୟ ୬୦ହଜାର ଭୋଟ))କୁ ସୁରକ୍ଷିତ ରଖିବା ଉପରେ ଧ୍ୟାନକେନ୍ଦ୍ରିତ କରିଥିବା ସୂଚନା ମିଳିଛି । ଯଦିଓ ଘାସିରାମ ମାଝୀଙ୍କ ଭଳି ସ୍ଥାନୀୟ ତୃଣମୂଳସ୍ତରର ନେତାଙ୍କୁ ଦଳୀୟ ପ୍ରାର୍ଥୀ କରି କଂଗ୍ରେସ ମାଷ୍ଟରଷ୍ଟ୍ରୋକ୍ ମାରିଥିଲା । କିନ୍ତୁ ବିଜେପିର ଅନ୍ତଃକନ୍ଦଳ ଓ ବିଜେଡିର ଆକ୍ରମଣାତ୍ମକ ରଣନୀତି ପରେ ନିଜ ସପକ୍ଷରେ ଆଦିବାସୀ ଓ ଦଳିତ ଭୋଟକୁ ବାନ୍ଧି ରଖିବା କଂଗ୍ରେସ ପାଇଁ ଏକପ୍ରକାରର ଚ୍ୟାଲେଞ୍ଜ ପାଲଟିଛି । ଯଦିଓ ପିସିସି ସଭାପତି ଭକ୍ତଚରଣ ଦାସ ନିଜେ ନୂଆପଡ଼ାରେ ନିର୍ବାଚନ ପରିଚାଳନାର ମଙ୍ଗ ଧରିଛନ୍ତି । ବିଜେଡିର ବିଦେଶନୀ(ଜିଲ୍ଲା ବାହାରର) ପ୍ରାର୍ଥୀଙ୍କ ବିରୁଦ୍ଧରେ ନକରାତ୍ମକ ପ୍ରଚାର ଓ ଆଦିବାସୀ ଭୋଟକୁ ସୁରକ୍ଷିତ ରଖି କଂଗ୍ରେସ ଚଳିତ ଉପନିର୍ବାଚନରେ ସହଜ ସ୍ଥିତିରେ ରହି ଶାସକ ବିଜେପି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବ ବୋଲି ଯେଉଁ ପ୍ରାକ୍ ଆକଳନ କରାଯାଉଥିଲା ତାହା କଂଗ୍ରେସର କେତେକ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁ ଏବେ ଫେଲ୍ ମାରିବାରେ ଲାଗିଥିବା ଚର୍ଚ୍ଚା ହେଉଛି ।
ନୂଆପଡ଼ା ଭୋଟର ନିରବ,ଦ୍ୱନ୍ଦ୍ୱରେ ଦଳ
ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟଗ୍ରହଣକୁ ଆଉ ମାତ୍ର ୧୪ଦିନ ବାକି ଅଛି । ଏବେବି ଭୋଟରଙ୍କ ମୁଡ୍ ପରଖିବାରେ ରାଜନୀତିକ ଦଳଗୁଡ଼ିକ ସକ୍ଷମ ହୋଇପାରୁନଥିବା ଜଣାପଡ଼ିଛି । ସାଧାରଣ ଭୋଟରଙ୍କ ନିରବତା ଓ ସମ୍ମତି ଏବେ ୩ଦଳକୁ ଦ୍ୱନ୍ଦ୍ୱରେ ପକାଇଛି । ଯଦିଓ କୋମନା ବ୍ଲକର ମୋଟ୍ ପ୍ରାୟ ୧୫୫ଟି ଗାଁରେ ସର୍ବାଧିକ ୧.୩୦ଲକ୍ଷ ଭୋଟରଙ୍କ ଉପରେ ବିଜେଡିର ନଜର ରହିଛି । ଦଳ ସେଠାରେ ନିଜର ସବୁ ହେଭିୱେଟଙ୍କୁ ନିୟୋଜିତ କରିଛି । ନୂଆପଡ଼ା ବ୍ଲକର ମୋଟ୍ ପ୍ରାୟ ୧୧୩ଟି ଗାଁରେ ୧ଲକ୍ଷରୁ ଅଧିକ ଭୋଟର ଥିବାବେଳେ ଏଠାରେ ଉଭୟ ବିଜେପି ଓ କଂଗ୍ରେସ ବେଶ୍ ଭଲ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ରହିଛନ୍ତି । ଖରିଆର ରୋଡ୍ ଏନଏସିର ମୋଟ୍ ୧୭ଟି ୱାର୍ଡର ପ୍ରାୟ ୨୦ହଜାର ଭୋଟର ଏବଂ ନୂଆପଡ଼ା ଏନଏସିର ମୋଟ୍ ୧୩ଟି ୱାର୍ଡରେ ପ୍ରାୟ ୧୪ହଜାର ଭୋଟର ଅଛନ୍ତି । ଏହି ସହରାଂଚଳ ଭୋଟଗୁଡ଼ିକ ବିଜେପି ସପକ୍ଷରେ ଥିବାବେଳେ ଗ୍ରାମାଂଚଳ ଭୋଟ୍ ଯିଏ ଯେତେ ଅଧିକ ହାତେଇବ ସେହି ଦଳର ପ୍ରାର୍ଥୀଙ୍କ ପାଇଁ ବିଜୟ ସମ୍ଭାବନା ସେତେ ଅଧିକ ରହିବ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us