BJD-Nuapada
ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆସନ୍ତା ୧୮ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଦଳ ଆଜି ସୂଚନା ଦେଇଛି । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ତଥା ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଥିବା ଜୟ ଢ଼ୋଲକିଆ ଗତକାଲି (ଶନିବାର) ବିଜେପିରେ ସାମିଲ ହେବାପରେ ନୂଆପଡ଼ା ରାଜନୀତି ସରଗରମ ହୋଇଛି । ଜୟଙ୍କୁ ବିଜେପି ପ୍ରାର୍ଥୀ( BJP Candidate) କରିବାର ସମ୍ଭାବନା ଥିବାବେଳେ ବିଜେଡି ନିଜର ପ୍ରାର୍ଥୀ ଭାବେ କାହାକୁ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବ ତାକୁ ନେଇ ନାନାଦି କସରତ୍ ଆରମ୍ଭ ହୋଇଛି । ବିଜେଡି କୋରଟିମ୍ ସଦସ୍ୟମାନେ ଆଜି ରାତିରେ ନୂଆପଡ଼ାରେ ପହଂଚି ସେଠାରେ ପ୍ରାର୍ଥୀ ଚୟନ କରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଥିଲେ ମଧ୍ୟ ଏହି ବରିଷ୍ଠ ନେତାମାନଙ୍କୁ ମୋହରା କରି ନୂଆପଡ଼ା ଆସନକୁ ପରୋକ୍ଷରେ ବିଜେପିକୁ ଟେକି ଦେବାକୁ ରଣନୀତି ହୋଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।
ବିଜେଡି କୋର ଟିମ୍ ବୈଠକ ଓ ‘ଆଦିବାସୀ ଚେହେରା’ ଖୋଜ
ଦୀର୍ଘ ମାସାଧିକ କାଳ ନୂଆଦିଲ୍ଲୀରେ ରହି ୧୦ତାରିଖ(ଶୁକ୍ରବାର) ଅପରାହ୍ନରେ ଭୁବନେଶ୍ୱର ଫେରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ବୈଠକ ଡାକି ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି । ଜୟ ଢ଼ୋଲକିଆ ବିଜେପିରେ ସାମିଲ ହେବାପରେ ଉପନିର୍ବାଚନରେ ସମ୍ଭାବ୍ୟ ପ୍ରାର୍ଥୀ ଖୋଜିବା ନିମନ୍ତେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବପ୍ରକାଶ ଦାସ, ପ୍ରତାପ କେଶରୀ ଦେବ ଓ କଳିକେଶ ସିଂହଦେଓଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହି ନେତାମାନଙ୍କୁ ନୂଆପଡ଼ା ଯାଇ ସେଠାରେ ସ୍ଥାନୀୟ ନେତାମାନଙ୍କ ସହ ଆଲୋଚନା କରି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ନିମନ୍ତେ କୁହାଯାଇଛି । ତେବେ ଏହି ନେତାମାନେ ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ଜଣେ ‘ଆଦିବାସୀ ଚେହେରା’ଙ୍କୁ ଦଳ ସେଠାରେ ପ୍ରାର୍ଥୀ କରିବାକୁ ଚାହୁଁଛି ବୋଲି ନବୀନ ନିବାସ ପକ୍ଷରୁ ପରୋକ୍ଷରେ ସନ୍ଦେଶ ଦିଆଯାଇଥିବା ମଧ୍ୟ ସୂଚନା ମିଳିଛି । ଆଉ ନବୀନ ନିବାସର ଏଭଳି ମତିଗତି ଜାଣିବା ପରେ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି ।
ଘାସିରାମଙ୍କ ଭୋଟ ବିଭାଜନ ଚାହୁଁଛି ବିଜେଡି
ବିଜେଡି ସୂତ୍ର ଅନୁସାରେ, ଦଳର ଆତ୍ମଘୋଷିତ ସର୍ବେସର୍ବାଙ୍କ ଅଘୋଷିତ ରଣନୀତିକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଏବେ ବିଜେଡି କୋରଟିମ୍ ଉପରେ ନ୍ୟସ୍ତ ହୋଇଛି । ନୂଆପଡ଼ା ଉପନିର୍ବାଚନ ପାଇଁ ଅକ୍ଟୋବର ୮ତାରିଖରେ ଦଳ ଘୋଷଣା କରିଥିବା ୧୯ଜଣିଆ ଷ୍ଟିୟରିଂ କମିଟି, ଜୋନାଲ କମିଟି ଓ ଲୋକାଲ ଆକ୍ସନ କମିଟିରେ ଜଣେବି ଉପକୂଳିଆ ନେତାଙ୍କୁ ସାମିଲ କରିନଥିବା ବିଜେଡି ନେତୃତ୍ୱ ଏବେ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ସେହି ଉପକୂଳିଆ ନେତାମାନଙ୍କୁ ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀ ଚୟନର ଦାୟିତ୍ୱ ଦେଇଛନ୍ତି । ଆଉ ସେମାନଙ୍କ ମଧ୍ୟରୁ ଜଣେଦୁଇଜଣଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ପରାଜିତ ନେତା । ନୂଆପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାୟ ୮୦-୮୫ହଜାର ଆଦିବାସୀ ଭୋଟର ଅଛନ୍ତି । ତେଣୁ ଜଣେ ଆଦିବାସୀ ପ୍ରାର୍ଥୀଙ୍କୁ ଚୟନ କଲେ ଜିତିବା ସହଜ ହେବ ବୋଲି ନବୀନ ନିବାସ ଦେଇଥିବା ଗୁରୁମନ୍ତ୍ରକୁ ଧରି ଏହି ଉପକୂଳିଆ ନେତାମାନେ ନୂଆପଡ଼ା ଯାଇଛନ୍ତି ଓ ସେଠାରେ ଜଣେ ଆଦିବାସୀ ପ୍ରାର୍ଥୀଙ୍କୁ ଚୟନ କରିବେ ବୋଲି ଜଣାପଡ଼ିଛି ।
ତେବେ ଦଳୀୟ ସୂତ୍ର ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ୫୦୯୪୧ଖଣ୍ଡ ଭୋଟ୍ ପାଇଥିବା ଘାସିରାମଙ୍କୁ କଂଗ୍ରେସ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ସପକ୍ଷରେ ସିଂହଭାଗ ଆଦିବାସୀ ଭୋଟ୍ ଯିବାର ସମ୍ଭାବନା ରହିଛି । ତେଣୁ ନୂଆପଡ଼ା ଆସନ ଯେଭଳି କଂଗ୍ରେସ ଖାତାକୁ ନଯିବ ସେଥିପାଇଁ ବିଜେଡି ଜଣେ ଆଦିବାସୀ ନେତାଙ୍କୁ ପ୍ରାର୍ଥୀ କରି ଭୋଟ୍ ବିଭାଜନ ନିମନ୍ତେ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । BJDର ଅଘୋଷିତ ସର୍ବେସର୍ବାଙ୍କ ‘ଅଘୋଷିତ ଡିଲ୍’କୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏବେ ଏହି କୋରଟିମ୍ ନେତାମାନେ ଲାଗିପଡ଼ିଥିବା ଚର୍ଚ୍ଚା ହେଉଛି ।
କୋରଟିମରେ ଫାଟ, ବିଜେପିକୁ ସୁହାଉଛି
ବିଜେଡି ସୂତ୍ର ଅନୁସାରେ, ନୂଆପଡ଼ା ଉପନିର୍ବାଚନରେ ଦଳର ସମ୍ଭାବ୍ୟ ପ୍ରାର୍ଥୀ ଜୟ ଢ଼ୋଲକିଆ ବିଜେପିକୁ ଡିଆଁ ମାରିବା ପରେ ସେଠାରୁ ପ୍ରାର୍ଥୀ ହେବା ପାଇଁ ଆଗକୁ ଆସିଛନ୍ତି କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ମନୋଜ ମିଶ୍ର । ଶନିବାର ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ଧରି ଭୁବନେଶ୍ୱରରେ ଦଳର କୋରଟିମ୍ ସଦସ୍ୟମାନଙ୍କୁ ଭେଟି ପ୍ରାର୍ଥୀ ହେବାକୁ ଲବି ଜୋରଦାର କରିଛନ୍ତି । ଶନିବାର ସନ୍ଧ୍ୟାରେ ନୂଆପଡ଼ା ନିର୍ବାଚନମଣ୍ଡଳୀରୁ ଆସିଥିବା ନେତା-କର୍ମୀମାନଙ୍କ ସହ ମଧ୍ୟ ସେ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିବା ଜଣାପଡ଼ିଛି ।
ଚର୍ଚ୍ଚା ହେଉଛି, ଦଳୀୟ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ପରଠୁ ମନୋଜଙ୍କୁ ପ୍ରାର୍ଥୀ ହେବାର ଆଶା ଦେଇ ବବି ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଛନ୍ତି । କେବଳ ସେତିକି ନୁହେଁ, ଦଳର ଅଘୋଷିତ ସର୍ବେସର୍ବାଙ୍କ ସହ ତାଙ୍କର ମତଭେଦ ଥିବା ନେଇ କୋର ଟିମ୍ ସଦସ୍ୟମାନଙ୍କୁ ବୁଲେଇବଙ୍କେଇ କହିବାକୁ ବବି ପଛାଉନାହାନ୍ତି । ଆଉ ଏସବୁ ଡ୍ରାମା କେବଳ ନୂଆପଡ଼ା ଆସନକୁ ବିଜେପିକୁ ଟେକି ଦେବାକୁ ଚାଲିଥିବା ରଣନୀତିର ଅଂଶବିଶେଷ ବୋଲି ଦଳୀୟ ମହଲରେ ଚର୍ଚ୍ଚା ମଧ୍ୟ ହେଉଛି । ଯାହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। କୋରଟିମକୁ ନିର୍ଦ୍ଦିଷ୍ଟ ଭାବେ ଆଦିବାସୀ ଚେହେରା ଖୋଜିବାକୁ ନୂଆପଡ଼ା ଯିବାକୁ ଉପକୂଳିଆ ନେତାମାନଙ୍କୁ କୁହାଯିବା ହିଁ ପରୋକ୍ଷରେ ନିର୍ବାଚନ ପୂର୍ବରୁ ଦଳକୁ ବ୍ୟାକଫୁଟକୁ ନେଇଯାଇଛି ।
ବିଜେଡି ସେଠାରେ ନିଜର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଆଦିବାସୀ ଚେହେରା ସରୋଜିନୀ ମାଝୀ ଓ ଜିଲ୍ଲା ଆଦିବାସୀ ସଂଘ ସଭାପତି ଭାନୁପ୍ରତାପ ସିଂଙ୍କ ସମେତ ମନୋଜ ମିଶ୍ର ଓ ବିଜେପିର ପ୍ରସନ୍ନ ପାଢ଼ୀ(ଅସନ୍ତୁଷ୍ଟ ବିଜେପି)ଙ୍କୁ ତାଲିକାରେ ସାମିଲ କରିବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ ଶାସକ ବିଜେପି ପାଇଁ ନୂଆପଡ଼ା ଉପନିର୍ବାଚନରେ(Nuapada by-election) ଦଳୀୟ ପ୍ରାର୍ଥୀଙ୍କ ଜିତିବା ସମ୍ମାନର ପ୍ରଶ୍ନ ହୋଇଛି । ଦଳ ନିଜର ପୁରୁଣା ନେତାମାନଙ୍କୁ ବୁଝାସୁଝା କରି ଶାସନରେ ଥିବାର ଫାଇଦା ଉଠାଇ ବୃହତ୍ ଭୋଟ୍ ବ୍ୟବଧାନରେ ବିଜୟୀ ହେବାର ଗୋଟିଚାଳନା କରୁଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us