
Nuapada Byelection
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି-ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ସରଗରମ ହେବାରେ ଲାଗିଛି । ଏହି ଉପନିର୍ବାଚନ ଜିତିବା ଶାସକ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବାବେଳେ ବିଜେଡି ନିଜର ଗଡ଼କୁ ସୁରକ୍ଷିତ ରଖିବାକୁ ଜୋରଦାର ପ୍ରୟାସରେ କରୁଛି । ଆଉ ନିଜର ପ୍ରାର୍ଥୀଙ୍କ ଭରସାରେ ନିର୍ବାଚନ ଜିଣି କଂଗ୍ରେସ ରାଜ୍ୟରେ ନିଜର କମବ୍ୟାକ୍ କରିବାକୁ ଆଶା ବାନ୍ଧିଛି । ତେବେ ପ୍ରଚାର ମଇଦାନରେ ଉଷ୍ମତା ବଢ଼ୁଥିଲେ ମଧ୍ୟ ନୂଆପଡ଼ାବାସୀଙ୍କ ମୌଳିକ ପ୍ରସଙ୍ଗ ଗାଏବ ହୋଇଯାଇଛି । ବିଜେଡି ନିଜର ୨୪ବର୍ଷ ଶାସନ କାଳରେ ନୂଆପଡ଼ାବାସୀଙ୍କୁ ଦାଦନ ସମସ୍ୟାରୁ ମୁକ୍ତି ସମେତ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜଳସେଚନ ଭଳି ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସକ୍ଷମ ହୋଇପାରିନାହିଁ । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସରକାର ୧୧୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରି ନୂଆପଡ଼ାବାସୀଙ୍କୁ ବିକାଶର ସ୍ୱପ୍ନ ଦେଖାଇଥିବାବେଳେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଆଟାକ୍ କରି ସ୍ଥାନୀୟ ଆଦିବାସୀ ଓ ଅନୁସୂଚିତ ଜାତି ଭୋଟ ଭରସାରେ ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି କରିଛି । ତେବେ ଜିଲ୍ଲା ବାହାରରୁ ପ୍ରାର୍ଥୀ ଦେଇ ଆରମ୍ଭରୁ ବ୍ୟାକଫୁଟରେ ଥିବା ବିଜେଡି ନିଜର ପ୍ରଚାରର ମଙ୍ଗ ହତ୍ୟା ଭଳି ସଙ୍ଗୀନ ମାମଲାରେ ବିବାଦୀୟ ଦଳୀୟ ନେତାମାନଙ୍କ ହାତରେ ଟେକି ଦେଇଛି । ଯାହାକି ନୂଆପଡ଼ା ନିର୍ବାଚନୀମଣ୍ଡଳୀର ସାଧାରଣ ଭୋଟରଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ଜଣାପଡ଼ିଛି ।
ପ୍ରଚାରରୁ ଗାଏବ ନୂଆପଡ଼ାବାସୀଙ୍କ ମୌଳିକ ପ୍ରସଙ୍ଗ
୧୯୯୩ ମସିହାରେ ବିଜୁ ପଟ୍ଟନାୟକଙ୍କ ସରକାରବେଳେ ନୂଆପଡ଼ାକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିଥିଲା । ୨୦୦୦ ମସିହାରୁ କ୍ରମାଗତ ୨୪ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ରହିଥିଲେ ମଧ୍ୟ ନୂଆପଡ଼ାର ଭାଗ୍ୟରେ ଆଖିଦୃଶିଆ ସୁଧାର ହୋଇନାହିଁ କିମ୍ବା ପଛୁଆ ଓ ଦାଦନପ୍ରବଣ ଜିଲ୍ଲା ଟ୍ୟାଗରୁ ମୁକୁଳି ପାରିନାହିଁ । ଦାଦନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଜଳସେଚନ ଭଳି ମୌଳିକ କ୍ଷେତ୍ରରେ ଅତ୍ୟନ୍ତ ପଛୁଆ ରହିଛି । ଅପର ଜଙ୍କ୍ ଜଳସେଚନ ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ବର୍ଷବର୍ଷ ଧରି ଅସମ୍ପୂର୍ଣ୍ଣ ରହିଛି, ଯାହା କୃଷି ଉପରେ ନିର୍ଭରଶୀଳ ଜନସଂଖ୍ୟାକୁ ପ୍ରବାସୀ ଶ୍ରମିକ ହେବାକୁ ବାଧ୍ୟ କରୁଛି ।
ରାଜ୍ୟ ସରକାରଙ୍କ ୨୦୨୪ ସର୍ଭେ ରିପୋର୍ଟ କହୁଛି ଯେ, ନୂଆପଡ଼ା ସମେତ ୧୧ଟି ଜିଲ୍ଲାର ପ୍ରାୟ ୭୦% ପରିବାର ବିଭିନ୍ନ ସମୟରେ ଦାଦନ ଖଟିବା ପାଇଁ ପଡ଼ୋଶୀ ରାଜ୍ୟକୁ ଯାଉଛନ୍ତି । ନୂଆପଡ଼ାରେ ଶିଳ୍ପ ଓ ଦକ୍ଷତା କେନ୍ଦ୍ରର ଅଭାବ ରହିଛି । ବେକାର ସମସ୍ୟା ଉତ୍କଟ ଥିବାରୁ ଦାଦନ ସମସ୍ୟାରୁ ସ୍ଥାନୀୟ ଯୁବକଯୁବତୀ ମୁକୁଳିପାରୁନାହାନ୍ତି ।
ସେହିପରି ନୂଆପଡ଼ାର ୮୦% ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ କିନ୍ତୁ ଜିଲ୍ଲାରେ ମାତ୍ର ୩୫%(୧.୨ଲକ୍ଷ ହେକ୍ଟର ଜମି)ରେ ଜଳସେଚନ ସୁବିଧା ରହିଛି । ଅପର ଜଙ୍କ୍ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ମାତ୍ର ୪୦% ସମ୍ପନ୍ନ ହୋଇପାରିଛି । ବିଜେଡି ୨୪ବର୍ଷ ଶାସନରେ ରହି ମଧ୍ୟ ଜଳସେଚନ, ଶୀତଳଭଣ୍ଡାର, ବଜାର ସଂଯୋଗ ଭଳି ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ସକ୍ଷମ ହୋଇପାରିନାହିଁ ।
ଜିଲ୍ଲା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ଦୁର୍ବଳ ସ୍ଥିତିରେ । ଜିଲ୍ଲାରେ ୩୦%ରୁ ଅଧିକ ଡାକ୍ତରୀ ପଦବୀ ଖାଲି ଥିବାବେଳେ ଉନ୍ନତ ଚିକିତ୍ସା ସେବା ଜିଲ୍ଲାବାସୀଙ୍କ ପାଇଁ ଏବେବି ସ୍ୱପ୍ନ ହୋଇରହିଛି ।
ନୂଆପଡ଼ା ଜିଲ୍ଲାରେ ସାକ୍ଷରତା ହାର ମାତ୍ର ୪୯%(୨୦୨୩ ଆକଳନ ଅନୁସାରେ) । ଆଦିବାସୀ ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାଧ୍ୟମିକସ୍ତରରେ ଶିକ୍ଷା ଛାଡ଼ିବା ହାର ପ୍ରାୟ ୫୦% । ଜିଲ୍ଲାରେ ଉନ୍ନତମାନର ଶିକ୍ଷା ଭିତ୍ତିଭୂମି ଯୋଗାଇ ଦେବାରେ ମଧ୍ୟ ସରକାର ବିଫଳ ରହିଛି ।
ଜିଲ୍ଲାର ପ୍ରାୟ ୧.୩୦ଲକ୍ଷ ଭୋଟର ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗର ହୋଇଥିବାବେଳେ ସେମାନଙ୍କ ପାଇଁ ଜୀବିକାନିର୍ବାହର ଭିତ୍ତିଭୂମି ବିକଶିତ କରିବାରେ ସରକାର ବିଫଳ ରହିଛି ।
ଅନ୍ୟପକ୍ଷରେ (nuapada byelection) ନିର୍ବାଚନୀ ପ୍ରଚାରବେଳେ ବିଜେଡି ନେତାମାନେ ମାସିକିଆ ଭତ୍ତା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗ ଉଠାଇ ନିଜର ଅପାରଗତାକୁ ଲୁଚାଇବାର ପ୍ରୟାସ କରୁଛନ୍ତି । ଯଦିଓ ଅବଶ୍ୟ ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସରକାର ଏହି ଅଂଚଳର ବିକାଶ ପାଇଁ ୧୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ୮୦ବର୍ଷରୁ ଅଧିକ ବୟସର ଗରିବ ହିତାଧିକାରୀଙ୍କୁ ମାସିକ ୩୫୦୦ଟଙ୍କାର ଭତ୍ତା ଦେଉଛନ୍ତି ।
ପ୍ରଚାର ମଙ୍ଗ ଧରିଛନ୍ତି ବିଜେଡିର ବିବାଦୀୟ ନେତା
ହତ୍ୟା ଭଳି ସଙ୍ଗୀନ ଅଭିଯୋଗରେ ବିବାଦୀୟ ଥିବା ବିଜେଡି ନେତାମାନେ ଏବେ ନୂଆପଡ଼ା ଉପନିର୍ବାଚନରେ ପ୍ରଚାରର ମଙ୍ଗ ଧରିଛନ୍ତି । ମାହାଙ୍ଗା ଡବଲ ମର୍ଡର ମାମଲାରେ ବରିଷ୍ଠ ନେତା ପ୍ରତାପ ଜେନା, ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ର, ପିଏସଓ ଚିତ୍ତରଞ୍ଜନ ପଲେଇ ସନ୍ଦେହଜନକ ମୃତ୍ୟୁ ମାମଲାରେ ସଞ୍ଜୟ ଦାସବର୍ମା ଏବଂ ନବ ଦାସ ହତ୍ୟା ମାମଲାରେ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ସବୁ ହତ୍ୟା ଭଳି ମାମଲାରେ ବିବାଦୀୟ ନେତାମାନଙ୍କୁ ବିଜେଡି ଏବେ ନୂଆପଡ଼ା ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି । ଯାହାକି ନୂଆପଡ଼ାବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅନ୍ୟପକ୍ଷରେ ବିଗତ ୧୭ମାସ ମଧ୍ୟରେ ଏସବୁ ମାମଲାରେ ବିଜେପି ସରକାରର ନିଷ୍କ୍ରିୟତା ମଧ୍ୟ ଏହି ବିବାଦୀୟ ନେତାମାନଙ୍କୁ ନିଜକୁ ‘କ୍ଲିନ୍’ ବୋଲି ଦେଖାଇବାକୁ ପ୍ରୋତ୍ସାହିତ କରୁଛି । ମାର୍ଚ୍ଚ ୧୯ତାରିଖରେ ନବ ଦାସଙ୍କ ପରିବାର ଓ ସେପ୍ଟେମ୍ବର ୨୯ତାରିଖରେ ଗୋବିନ୍ଦ ସାହୁଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଥିଲେ । ନବଙ୍କ ହତ୍ୟା କାହିଁକି ହେଲା ଓ ଏହାପଛରେ ବିଜେଡିର ପ୍ରଭାବଶାଳୀ ନେତାଙ୍କ ଭୂମିକା କ’ଣ ଥିଲା ତାହା ୩ବର୍ଷ ପରେ ବି ରହସ୍ୟଘେରରେ ରହିଛି । ଜେଲ୍ ଭିତରେ ଗୋବିନ୍ଦ କେମିତି ମଲେ ତାହା ବି ଅସ୍ପଷ୍ଟ ହୋଇ ରହିଯାଇଛି । ସେହିପରି ପିଏସଓ ଚିତ୍ତରଞ୍ଜନ ପଲେଇ ମାମଲାରେ କ୍ରାଇମବ୍ରାଂଚର ତଦନ୍ତ ଏବେ କେଉଁଠି ତାହା କେହିବି ଜାଣିବାର ସୁଯୋଗ ପାଉନଥିବା ଜଣାପଡ଼ିଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେପି ସରକାରଙ୍କ ଆଭିମୁଖ୍ୟ ମଧ୍ୟ ଚର୍ଚ୍ଚାରେ ରହିଛି ।
ତ୍ରିମୁଖୀ ଲଢ଼େଇ: କଡ଼ା ଟକ୍କର ଦେଉଛି କଂଗ୍ରେସ
ଦଳର ୧୦୦ରୁ ଅଧିକ ରାଜ୍ୟସ୍ତରୀୟ ନେତାମାନଙ୍କୁ ପଂଚାୟତ ଓ ଏନଏସି ୱାର୍ଡଗୁଡ଼ିକର ଦାୟିତ୍ୱ ଦେଇ ବିଜେଡି ନୂଆପଡ଼ା ଉପନିର୍ବାଚନରେ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବା ସହ ନବୀନ ପଟ୍ଟନାୟକଙ୍କୁ ୩ଦିନ ପ୍ରଚାର ମଇଦାନକୁ ଓହ୍ଲାଇବାର ରଣନୀତି କରିଛି । ଜିଲ୍ଲା ବାହାରର ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରାର୍ଥୀତ୍ୱକୁ ଯଥାର୍ଥ ଦର୍ଶାଇବା ଓ ଜିଲ୍ଲାର ଜଣେ ବରିଷ୍ଠ ବିଜେପି ନେତାଙ୍କ ପରିବାରର ରକ୍ତ ସମ୍ପର୍କୀଙ୍କୁ ଦଳରେ ମିଶାଇ ବିଜେପି ଭୋଟରେ ଛିଦ୍ର କରିବାକୁ ବିଜେଡି ଜୋରସୋରରେ କସରତ ( BJD election strategy) କରୁଥିବା ମଧ୍ୟ ସୂଚନା ମିଳିଛି ।
ସେହିପରି ବିଜେପି ମଧ୍ୟ ନିଜର ୮ଜଣ ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କୁ ନିର୍ବାଚନୀ ଦାୟିତ୍ୱ ଦେଇ ନିର୍ବାଚନ ଜିତିବାକୁ ସମ୍ମାନର ପ୍ରଶ୍ନ କରିଛି। ଦଳ କ୍ଷମତାରେ ଥିବାରୁ ନିର୍ବାଚନ ଜିତିବାର କୌଣସି ସୁଯୋଗକୁ ମଧ୍ୟ ହାତଛଡ଼ା କରିବାର ସମ୍ଭାବନା କ୍ଷୀଣ । ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପତ୍ନୀଙ୍କୁ ପ୍ରଚାର ମଇଦାନକୁ ବିଜେପି ଓହ୍ଲାଇ ତାଙ୍କ ପୁଅ ଜୟ ଢ଼ୋଲକିଆଙ୍କ ସପକ୍ଷରେ ସହାନୁଭୂତି ଭୋଟ୍ ହାତେଇବାକୁ ମଧ୍ୟ ଚାହିଁଛି ।
ଅନ୍ୟପକ୍ଷରେ କଂଗ୍ରେସ ବି ନିଜର ଆଦିବାସୀ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଲୋକପ୍ରିୟତା ଭରସାରେ ନିର୍ବାଚନ ଜିତିବ ବୋଲି ଦମ୍ଭୋକ୍ତି କରୁଛି । ପିସିସି ସଭାପତି ଭକ୍ତ ଦାସ ନୂଆପଡ଼ାରେ ରହି ନିଜେ ନିର୍ବାଚନ ରଣନୀତିର ତଦାରଖ କରୁଛନ୍ତି । ତେବେ ଏହି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ନୂଆପଡ଼ାର ଭୋଟରମାନେ ବିକାଶର ପ୍ରସଙ୍ଗକୁ ଉପେକ୍ଷା କରିଥିବା ଦଳମାନଙ୍କୁ କିପରି ଜବାବ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
