Advertisment

Nuapada Byelection: ଢ଼ୋଲକିଆଙ୍କ ପତ୍ନୀଙ୍କ ଭାବପ୍ରବଣ ଅପିଲ୍‌, ଅଡ଼ୁଆରେ ବିଜେଡି, ଫଟୋ ଉପଯୋଗ ମହଙ୍ଗା ପଡ଼ିପାରେ

ପବ୍ଲିକ ଲାଇଫରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଅଧିକାର ସୁରକ୍ଷିତ ରହିବ । ଉତ୍ତରାଧିକାରୀଙ୍କ ଅନୁମତି ବିନା ଜଣେ ବ୍ୟକ୍ତିଙ୍କ ନାମ, ଛବି ଓ କଣ୍ଠ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗକୁ ବ୍ୟବସାୟିକ ବ୍ୟବହାର(ରାଜନୀତିକ ଲାଭ ପାଇଁ ପ୍ରଚାରରେ ଫଟୋ ବ୍ୟବହାର) ଅନୁମୋଦିତ ନୁହେଁ ।

Kalpna-dholkia-BJP

Kalpana Dholkia, wife of late Rajendra Dholkia

Advertisment

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପ୍ରଚାର ସରଗରମ ଥିବାବେଳେ ଏବେ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଦିବଂଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ଫଟୋଚିତ୍ରକୁ ପ୍ରଚାରରେ ଉପଯୋଗ କରିବା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ନୂଆପଡ଼ାରେ ପ୍ରଚାର ସଭାରେ ‘ବେଇମାନ’ ଶବ୍ଦ ଉପଯୋଗ କରିବା ପରେ ଆଜି ଆଗକୁ ଆସିଛନ୍ତି ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପତ୍ନୀ କଳ୍ପନା । ଆଉ ଏକ ଭିଡିଓ ବାର୍ତ୍ତାରେ ସେ ଭାବପ୍ରବଣ ଅପିଲ କରିବା ସହ ବିଜେଡିର ଅବହେଳା ଓ ଗୁମର ଖୋଲିଛନ୍ତି । ତାଙ୍କ ପତି ଦିବଂଗତ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଶେଷ ସମୟରେ ବିଜେଡି କରିଥିବା ଅବହେଳା ମାନସିକସ୍ତରରେ ଭିତରୁ ଭାଙ୍ଗି ଦେଇଥିଲା ବୋଲି ଅଭିଯୋଗ କରିଛନ୍ତି।

Advertisment

କଳ୍ପନାଙ୍କ ଭାବପ୍ରବଣ ଅପିଲ ଓ ବିଜେଡିକୁ ଜବାବ

କଳ୍ପନା ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ,ଯେତେବେଳେ ନିଜର ଲୋକେ ସାଥ୍ ଦିଅନ୍ତି ନାହିଁ, ସେତେବେଳେ ମନୋବଳ ଭାଙ୍ଗିଯାଏ । ତାଙ୍କ ସ୍ୱାମୀଙ୍କୁ ବିଜେଡି ତରଫରୁ କରାଯାଇଥିବା ଏହି ଅବହେଳା ହିଁ ତାଙ୍କୁ ଭିତରୁ ଭାଙ୍ଗି ଦେଇଥିଲା, ଯାହା ଶେଷରେ ତାଙ୍କ ମୃତ୍ୟୁର କାରଣ ପାଲଟିଥିଲା । ତାଙ୍କ ସ୍ୱାମୀ ୨୪ ବର୍ଷ ଧରି ନିଷ୍ଠାର ସହ ଗୋଟିଏ ପାର୍ଟି ପାଇଁ କାମ କରିଥିଲେ, କିନ୍ତୁ ଅସୁସ୍ଥତାର ଶେଷ ଦିନଗୁଡ଼ିକରେ ବିଜେଡିର କୌଣସି ନେତା ତାଙ୍କର ହାଲଚାଲ୍ ପଚାରିବାକୁ ଥରେ ମାତ୍ର ଫୋନ୍ କରି ନଥିଲେ କିମ୍ବା ଡାକ୍ତରଖାନାରେ ଚିକିତ୍ସା ପାଇଁ କୌଣସି ସହାୟତା ମଧ୍ୟ ଯୋଗାଇ ନଥିଲେ । ଭାବନାତ୍ମକ ଆଘାତ ଶାରୀରିକ ରୋଗ ଅପେକ୍ଷା ଅଧିକ ଭାରି ପଡ଼େ ବୋଲି କଳ୍ପନା କହିଥିଲେ ।

ସ୍ୱାମୀଙ୍କ ଫଟୋ ବିଜେଡି ଉପଯୋଗ କରିବାକୁ ନାପସନ୍ଦ କଲେ କଳ୍ପନା

ବିଜେଡି ଏବେ ତାଙ୍କ ସ୍ୱାମୀଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ କଳ୍ପନା ଏହାକୁ ଦୃଢ଼ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ରାଜୁ ଭାଇ ଢ଼ୋଲକିଆଙ୍କ ଫଟୋ, ନାମ କିମ୍ବା ତାଙ୍କର କୌଣସି ପରିଚୟକୁ ନିର୍ବାଚନ ପ୍ରଚାରରେ ବିଜେଡି ବ୍ୟବହାର କରିବା ଉଚିତ ନୁହେଁ । ତାଙ୍କ ସ୍ୱାମୀ ୨୪ ବର୍ଷ ଧରି ସମର୍ପିତ ସେବା ପରେ ମଧ୍ୟ ଦଳ ଅବହେଳା କରିଥିବାରୁ, ଏବେ ତାଙ୍କ ଫଟୋକୁ ନେଇ ସହାନୁଭୂତି ହାସଲ କରିବାର କୌଣସି ନୈତିକ ଅଧିକାର ବିଜେଡିର ନାହିଁ । ରାଜୁ ଭାଇ ଢ଼ୋଲକିଆଙ୍କ ଉତ୍ତରାଧିକାରୀ କିଏ ହେବ କିମ୍ବା ତାଙ୍କର ଛବି କିଏ ବ୍ୟବହାର କରିବ, ସେହି ନିଷ୍ପତ୍ତି କେବଳ ତାଙ୍କ ପରିବାର ହିଁ ନେବେ, ଅନ୍ୟ କୌଣସି ରାଜନୈତିକ ଦଳ ନୁହେଁ । ତାଙ୍କର ଏହି ବୟାନକୁ ରାଜନୀତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ଦିଆଯାଉଛି । କଳ୍ପନା ପରୋକ୍ଷରେ ଏକପ୍ରକାର ଆଇନଗତ ଚେତାବନୀ ବିଜେଡିକୁ ଦେଇଥିବା ଚର୍ଚ୍ଚା ହେଉଛି ।

Advertisment

ପୁଅ ଜୟଙ୍କ ଦଳ ପରିବର୍ତ୍ତନ ଏବଂ ଆର୍ଥିକ ଅଭିଯୋଗକୁ ଖଣ୍ଡନ

ତାଙ୍କ ପୁଅ ଜୟ ଢ଼ୋଲକିଆ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବାପରେ ବିଜେଡି ପକ୍ଷରୁ  ହେଉଥିବା ସମାଲୋଚନାର ମଧ୍ୟ କଡ଼ା ଜବାବ ରଖିଛନ୍ତି କଳ୍ପନା । ବିଜେଡି ଅଭିଯୋଗ କରୁଛି ଯେ ଜୟ ଢେ଼ାଲକିଆ ଆର୍ଥିକ ପ୍ରଲୋଭନ କାରଣରୁ ଦଳ ବଦଳାଇଛନ୍ତି, କିନ୍ତୁ ଏହି ଅଭିଯୋଗକୁ ‘ସଂପୂର୍ଣ୍ଣ ମିଛ ଏବଂ ଭିତ୍ତିହୀନ' ବୋଲି କଳ୍ପନା କହିବା ସହ ଜୟ କେବଳ ନୂଆପଡ଼ାର ବିକାଶ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଏହାସହ ସେ ଚେତାବନୀ ଦେଇଛନ୍ତି ଯେ ଢ଼ୋଲକିଆ ପରିବାରର ଉତ୍ତରାଧିକାରୀ କିଏ ହେବ, ସେହି ନିଷ୍ପତ୍ତି କେବଳ ପରିବାର ହିଁ ନେବ, କୌଣସି ଦଳର ଏଥିରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ ।


ବିଜେଡିକୁ ଅଡ଼ୁଆ ହୋଇପାରେ ଢ଼ୋଲକିଆଙ୍କ ଫଟୋଚିତ୍ର

ଦିଲ୍ଲୀ ହାଇକୋର୍ଟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଦେଇଥିବା ରାୟ ଏବଂ କଳ୍ପନାଙ୍କ ବୟାନ ପରେ ବିଜେଡି ପାଇଁ ଅଡ଼ୁଆ ବଢ଼ାଇଛି । ବିଜେଡି ଯଦି ନିଜର ନିର୍ବାଚନୀ ପ୍ରଚାରରେ ରାଜୁ ଢ଼ୋଲକିଆଙ୍କ ଫଟୋଚିତ୍ରକୁ ଉପଯୋଗ କରେ ତାହା ଦଳ ପାଇଁ ବୁମେରାଂ ହେବାର ଆଶଙ୍କା ରହିଛି । କାରଣ ୨୦୨୩ ମସିହାରେ ଅନୀଲ କାପୁର ବନାମ ସିମ୍ପଲି ଲାଇଫ୍ ଇଣ୍ଡିଆ ମାମଲା ଏବଂ ୨୦୨୫ରେ ରତନ ଟାଟା ବନାମ ନିର୍ଦ୍ଦିଷ୍ଟ ବ୍ୟବସାୟୀ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ, ପବ୍ଲିକ ଲାଇଫରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ବ୍ୟକ୍ତିଗତ ଅଧିକାର ସୁରକ୍ଷିତ ରହିବ । ଉତ୍ତରାଧିକାରୀଙ୍କ ଅନୁମତି ବିନା ବ୍ୟବସାୟିକ ବ୍ୟବହାର(ରାଜନୀତିକ ଲାଭ ପାଇଁ ପ୍ରଚାରରେ ଫଟୋ ବ୍ୟବହାର) ଅନୁମୋଦିତ ନୁହେଁ । ଜଣେ ବ୍ୟକ୍ତିଙ୍କ ନାମ, ଛବି ଓ କଣ୍ଠ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗକୁ ଅନଧିକୃତ ଭାବେ ବ୍ୟବସାୟିକ ଉଦ୍ଦେଶ୍ୟରେ ଉପଯୋଗ କରାଯାଇ ପାରିବ ନାହିଁ ।

ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଓ କଳ୍ପନାଙ୍କ ବୟାନ ପରେ ବିଜେଡି ଯଦି ଆଗାମୀ ଦିନରେ ଢ଼ୋଲକିଆଙ୍କ ଫଟୋଚିତ୍ର ଉପଯୋଗ କରେ ତାହା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ । ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରିପାରନ୍ତି । କାରଣ ବିଜେଡି ଏବେ ରାଜୁ ଢ଼ୋଲକିଆଙ୍କ ଫଟୋ ଲଗାଇ ସହାନୁଭୂତି ଭୋଟ୍ ହାତେଇବାକୁ ଚାହୁଁଛି ।

ଢ଼ୋଲକିଆଙ୍କୁ ନିମ୍ନମାନର ଆକ୍ଷେପ କରିଥିଲା ବିଜେଡି

ରାଜୁ ଢ଼ୋଲକିଆଙ୍କ ପୁଅ ଜୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବାପରେ ଦଳର ବରିଷ୍ଠ ନେତା ପ୍ରତାପ ଜେନା ଦଳ ପକ୍ଷରୁ ଗଣମାଧ୍ୟମରେ ବୟାନ ଦେଇ କହିଥିଲେ ଯେ, ସ୍ୱଗର୍ତ ରାଜେନ୍ଦ୍ର ଢ଼ୋଲକିଆଙ୍କ ରକ୍ତ ଜୟଙ୍କ ଦେହରେ ନାହିଁ । ସେହିପରି ଅର୍ଥ ଲୋଭରେ ଜୟ ବିକ୍ରି ହୋଇଗଲେ ବୋଲି ବିଜେଡି ଅଭିଯୋଗ କରିଥିଲା । ଆଜି କଳ୍ପନାଙ୍କ ବୟାନ ଆସିବା ପରେ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜୁ ଢ଼ୋଲକିଆ ଅସୁସ୍ଥ ଥିବାବେଳେ ନବୀନ ପଟ୍ଟନାୟକ ତାଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ ଓ ଦେହାନ୍ତ ପରେ ସମସ୍ତ ବ୍ୟବସ୍ଥା କରିଥିଲେ ବୋଲି କହିଛନ୍ତି । Nuapada by-election ରେ ବିଜେପି ନିଜର ପ୍ରାର୍ଥୀ ଭାବେ ରାଜୁ ଢ଼ୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ମଧ୍ୟ ରାଜୁଙ୍କ ଫଟୋଚିତ୍ରକୁ ନିଜର ନିର୍ବାଚନୀ ପ୍ରଚାରରେ ଉପଯୋଗ କରୁଛି । ଯାହାକି ବିଜେଡିର ଦୋମୁହାଁ ଚରିତ୍ରକୁ ମଧ୍ୟ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି ।

Nuapada by-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe