Advertisment

Nuapada Byelection: ଇତିହାସର ପୁନରାବୃତ୍ତି, ବିଜୁଙ୍କ ମାର୍ଗରେ ନବୀନ, ଅମାନତ ରହିବ ତ?

ସେବେ ବିଜୁବାବୁଙ୍କୁ ତଳିତଳାନ୍ତ କରିଥିବା ଓ ଏବେ ନବୀନବାବୁଙ୍କୁ ତଳିତଳାନ୍ତ କରୁଥିବା ଚରିତ୍ରଙ୍କ ମଧ୍ୟରେ ବି ସମାନତା ରହିଛି । ଯେଉଁମାନେ ଉଭୟ ପିତାପୁତ୍ରଙ୍କ ପାଇଁ ‘ଭସ୍ମାସୁର’ ସାଜିଛନ୍ତି । ଉପନିର୍ବାଚନ ଫଳ ବାହାରିବା ପରେପରେ ବିଜୁବାବୁ ଅସୁସ୍ଥ ହୋଇ ୧୯୯୭ ଏପ୍ରିଲ ୧୭ତାରିଖରେ ଦେହାନ୍ତ ହୋଇଥିଲା ।

author-image
Prakash Sethi
Biju-Naveen

Biju Babu- Naveen Patnaik

ସେବେ ବିଜୁ ପଟ୍ଟନାୟକ ଏବେ ତାଙ୍କ ପୁଅ ନବୀନ ପଟ୍ଟନାୟକ । ସେବେ କାମାକ୍ଷାନଗର ବିଧାନସଭା ଉପନିର୍ବାଚନ, ଏବେ ନୂଆପଡ଼ା ଉପନିର୍ବାଚନ। ସେବେ ଜିଲ୍ଲା ବାହାରର ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ, ଏବେ ସ୍ନେହାଙ୍ଗିନୀ ଛୁରିଆ । ସେବେ ବିଜୁ ପଟ୍ଟନାୟକଙ୍କ ସରକାର ଯିବାର ୨୦ମାସ ହୋଇଥିଲା, ଏବେ ନବୀନ ସରକାରରୁ ଯିବାର ୧୬ମାସ ବିତିଛି। ଉଭୟ ପିତାପୁତ୍ରଙ୍କ ସରକାରର ପତନର ଶୈଳୀରେ ବି ସମାନତା ରହିଛି । ଓଡ଼ିଶା ରାଜନୀତି ସହ ଜଡ଼ିତ ଏଭଳି କିଛି ଘଟଣାକ୍ରମ ପ୍ରାୟ ୨୮ବର୍ଷ ପରେ ପୁନଃ ସଂଘଟିତ ହେବା କେବଳ ଆକସ୍ମିକ ନା ବିଜୁବାବୁଙ୍କ ଭଳି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୀତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇବାର ବିଧିର ବିଧାନର ଆଭାସ, ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Advertisment


ଫ୍ଲାସବ୍ୟାକରେ ୨୮ବର୍ଷ ତଳର ଘଟଣାକ୍ରମ


୧୯୯୬ ସେପ୍ଟେମ୍ବର ୧୭ତାରିଖରେ କାମାକ୍ଷାନଗରର ତତକାଳୀନ କଂଗ୍ରେସ ବିଧାୟକ କୈଳାସ ଚନ୍ଦ୍ର ମହାପାତ୍ରଙ୍କ ମୃତ୍ୟୁ ଯୋଗୁ ଉପନିର୍ବାଚନ ଅନୁଷ୍ଠିତ ହୁଏ । ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାରର ପତନକୁ ମାତ୍ର ୨୦ମାସ ବିତିଥାଏ । ଆଉ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ସରକାର ଗଠନ ହୋଇଥାଏ । ଏହି ସମୟରେ କାମାକ୍ଷାନଗର ଆସନରେ ଉପନିର୍ବାଚନ ହେଲା । ଆଉ  କଂଗ୍ରେସ ସେଠାରେ ପ୍ରାର୍ଥୀ ଭାବେ ଦିବଂଗତ ବିଧାୟକଙ୍କ ପତ୍ନୀ ପ୍ରେମଲତାଙ୍କୁ ପ୍ରାର୍ଥୀ କଲା। ବିଜେପି ନିଜର ପ୍ରାର୍ଥୀ ଭାବେ ରୁଦ୍ରନାରାୟଣ ପାଣିଙ୍କୁ ଆଉ ବିଜୁବାବୁ ଜନତା ଦଳର ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନଙ୍କୁ ବାଛିଲେ ।

ଯଦିଓ କାମାକ୍ଷାନଗରର ୩ଥର ବିଧାୟକ ପ୍ରସନ୍ନ ପଟ୍ଟନାୟକ ଏହି ଟିକେଟ୍ ପାଇଁ ଦାବିଦାର ଥିଲେ । କିନ୍ତୁ ତାଙ୍କୁ ଟିକେଟ୍ ନଦେଇ ବିଜୁବାବୁ ନାଟକୀୟ ଢଙ୍ଗରେ ପଡ଼ୋଶୀ ଜିଲ୍ଲାରୁ ନଗେନ୍ଦ୍ରଙ୍କୁ ଆଣି ଟିକେଟ୍ ଦେଲେ । ଆଉ ତାଙ୍କ ପାଇଁ ଖୋଲା ଜିପରେ ନିର୍ବାଚନମଣ୍ଡଳୀ ବୁଲି ୩ଦିନ ପ୍ରଚାର ଓ ସଭାସମିତି ମଧ୍ୟ କଲେ । କିନ୍ତୁ ନିର୍ବାଚନ ଫଳାଫଳ ଆସିଲାବେଳକୁ ନଗେନ୍ଦ୍ରଙ୍କ ଅମାନତ ରହିଲା ନାହିଁ ।

Advertisment


ବିଜୁବାବୁଙ୍କ ସମେତ ଜନତା ଦଳର ତତକାଳୀନ ହେଭିୱେଟ୍ ନେତା ଅଶୋକ ଦାସଙ୍କଠୁ ଆରମ୍ଭ କରି ବିଜୟ ମହାପାତ୍ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଚାର ସତ୍ତ୍ୱେ ଜନତା ଦଳ ପ୍ରାର୍ଥୀ ନଗେନ୍ଦ୍ର ମାତ୍ର ୨୬୮୦ଖଣ୍ଡ ଭୋଟ୍ ପାଇଁ ଚତୁର୍ଥ ସ୍ଥାନରେ ରହିଲେ । ଆଉ ସ୍ୱାଧୀନ ପ୍ରାର୍ଥୀ ବ୍ରହ୍ମାନନ୍ଦ ବିଶ୍ୱାଳଙ୍କୁ ୩୩୫୭ଖଣ୍ଡ, ବିଜେପିର ରୁଦ୍ର ପାଣିଙ୍କୁ ୩୨୪୯୧ଖଣ୍ଡ ଓ କଂଗ୍ରେସର ପ୍ରେମଲତାଙ୍କୁ ୬୦୬୯୫ଖଣ୍ଡ ଭୋଟ୍ ମିଳିଲା ।  ତେବେ ସେତେବେଳେ କାମାକ୍ଷାନଗରରେ ଏକାଧିକ ଆଶାୟୀଙ୍କ ଥାଇ ମଧ୍ୟ ବିଜୁବାବୁ କାହିଁକି ନଗେନ୍ଦ୍ରଙ୍କୁ ଆଣି ସେଠାରେ ପ୍ରାର୍ଥୀ କଲେ ଓ ଦଳ ନିଜର ଅମାନତ ରଖିବାରେ ସକ୍ଷମ ହେଲାନାହିଁ ତାହା ଏପର୍ଯ୍ୟନ୍ତ ବି ଅଧିକାଂଶ ନେତାମାନଙ୍କ ପାଇଁ ପ୍ରହେଳିକା ହୋଇ ରହିଛି ।


୨୮ବର୍ଷ ପରେ ଇତିହାସର ପୁନରାବୃତ୍ତି


ନୂଆପଡ଼ା ଉପନିର୍ବାଚନରେ ବରଗଡ଼ର ଦଳୀୟ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି । ନବୀନ ତାଙ୍କ ନାଁ ଘୋଷଣା କରିଛନ୍ତି । ଦଳର କୋରଟିମ୍ ସଦସ୍ୟମାନଙ୍କ ମତାମତ ଓ ସମ୍ଭାବ୍ୟ ଆଶାୟୀ ତାଲିକାକୁ ଅଣଦେଖା କରି ସ୍ନେହାଙ୍ଗିନୀଙ୍କୁ ମଇଦାନକୁ ଓହ୍ଲାଇଛି । ୨୪ବର୍ଷ ସରକାରରେ ରହିବା ପରେ ବିରୋଧୀ ଦଳ ଭାବେ ବିଜେଡି ପ୍ରଥମ ବିଧାନସଭା ଉପନିର୍ବାଚନ ଲଢ଼େଇ କରୁଛି। କିନ୍ତୁ ନୂଆପଡ଼ାର ଇତିହାସ-ଭୂଗୋଳ ଓ ସାମାଜିକ ଚଳଣୀ ସହ ସାମାନ୍ୟତମ ସଂଯୋଗ ନଥିବା ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ନବୀନ ନିଜ ପିତାଙ୍କ ମାର୍ଗ ଅନୁସରଣ କରୁଥିବା ଚର୍ଚ୍ଚା ହେଉଛି ।


 ନୂଆପଡ଼ାରେ ବିଜେଡି ଜିଲ୍ଲା ବାହାର ଜଣେ ନେତ୍ରୀ ଯିଏକି ମାତ୍ର ୧୬ମାସ ତଳେ ୨୯ହଜାରରୁ ଅଧିକ ଭୋଟ ବ୍ୟବଧାନରେ ନିଜ ଅଂଚଳର ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି ତାଙ୍କୁ ଏଠାରେ ପ୍ରାର୍ଥୀ କରି ନୂଆପଡ଼ାବାସୀଙ୍କ ଭାବାବେଗ ସହ ଖେଳିବାକୁ କାହିଁକି ନିଷ୍ପତ୍ତି ନେଲା, ତାହା ଏବେ ଯେକେହି ସହଜରେ ଆକଳନ କରପାରୁଥିବେ । ମାତ୍ର ନିଜ ହାତରେ ଗଢ଼ିଥିବା ବିଜେଡି ଭଳି ଏକ ସଫଳ ବୃହତ୍ ଦଳକୁ ନବୀନ କାହିଁକି ଏତେ ଚାପଗ୍ରସ୍ତ ହୋଇ ଏଭଳି ଦୁର୍ବଳ କରିବାରେ ଲାଗିଛନ୍ତି ତାହା ଏବେ ଦଳୀୟ ନେତାମାନଙ୍କୁ ଚିନ୍ତାରେ ପକାଇଛି । ବିଜୁବାବୁ ଯେଉଁ ଢଙ୍ଗରେ ୧୯୯୫ ମସିହାରେ ସରକାରକୁ ଫେରିପାରିଲେ ନାହିଁ ଓ ଓଡ଼ିଶାରେ ଜନତା ଦଳର ମୂଳପୋଛରେ ପ୍ରମୁଖ ଭୂମିକା ନେଲେ ଏବେ ଠିକ୍ ସେହି ଢଙ୍ଗରେ ବିଜେପିକୁ ସୁହାଇବା ପାଇଁ ନବୀନ ନିଜ ଦଳକୁ ତଳିତଳାନ୍ତ କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।


 ବିଜେପି ସହ ଅଘୋଷିତ ଡିଲ୍ ଓ ବିଜେଡି ଭୋଟକୁ ବିଜେପିକୁ ସ୍ଥାନାନ୍ତର ପାଇଁ ଏଭଳି ଦୁର୍ବଳ ପ୍ରାର୍ଥୀ ନବୀନ ଦେଇଥିବା କୁହାଯାଉଛି। ସେବେ ବିଜୁବାବୁଙ୍କୁ ତଳିତଳାନ୍ତ କରିଥିବା ଓ ଏବେ ନବୀନବାବୁଙ୍କୁ ତଳିତଳାନ୍ତ କରୁଥିବା ଚରିତ୍ରଙ୍କ ମଧ୍ୟରେ ବି ସମାନତା ରହିଛି । ଯେଉଁମାନେ ଉଭୟ ପିତାପୁତ୍ରଙ୍କ ପାଇଁ ‘ଭସ୍ମାସୁର’ ସାଜିଛନ୍ତି । କାମାକ୍ଷାନଗର ଉପନିର୍ବାଚନ ଫଳାଫଳ ୧୯୯୭ ଫେବୃୟାରୀ ୮ରେ ବାହାରିଥିଲା ଓ ଏହା ପରେ ବିଜୁବାବୁ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କର ୧୯୯୭ ଏପ୍ରିଲ ୧୭ତାରିଖରେ ଦେହାନ୍ତ ହୋଇଥିଲା ।


ବିଜୁଙ୍କ ଶେଷ ନିର୍ବାଚନ ଥିଲା


ସେବେ ବିଜୁବାବୁ( Biju Patnaik)ଙ୍କୁ ତଳିତଳାନ୍ତ କରିଥିବା ଓ ଏବେ ନବୀନବାବୁ(Naveen Patanik)ଙ୍କୁ ତଳିତଳାନ୍ତ କରୁଥିବା ଚରିତ୍ରଙ୍କ ମଧ୍ୟରେ ବି ସମାନତା ରହିଛି । ଯେଉଁମାନେ ଉଭୟ ପିତାପୁତ୍ରଙ୍କ ପାଇଁ ‘ଭସ୍ମାସୁର’ ସାଜିଛନ୍ତି । କାମାକ୍ଷାନଗର ଉପନିର୍ବାଚନ ଫଳାଫଳ ୧୯୯୭ ଫେବୃୟାରୀ ୮ରେ ବାହାରିଥିଲା ଓ ଏହା ପରେ ବିଜୁବାବୁ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କର ୧୯୯୭ ଏପ୍ରିଲ ୧୭ତାରିଖରେ ଦେହାନ୍ତ ହୋଇଥିଲା ।


ବିଜୁବାବୁ ୧୦ହଜାର ଟଙ୍କା ଓ ୩ଦିନ ପ୍ରଚାର କରିଥିଲେ: ନଗେନ୍ଦ୍ର


କାମାକ୍ଷାନଗରରୁ ପ୍ରାର୍ଥୀ ହେବା ସମ୍ପର୍କରେ ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟାରେ ବରିଷ୍ଠ ନେତା ନଗେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “ ବିଜୁବାବୁ ମୋତେ କାହିଁକି କାମାକ୍ଷାନଗର ଉପନିର୍ବାଚନରେ ପ୍ରାର୍ଥୀ କଲେ ତାହା କେବଳ ସେହି କହିପାରିବେ । ଅବଶ୍ୟ ସେତେବେଳେ ବିଜୁବାବୁ କଂଗ୍ରେସ ବିରୁଦ୍ଧରେ ଜୋରଦାର ଢଙ୍ଗରେ ଲଢ଼େଇ କରୁଥିଲେ । ମୋତେ ଅଶୋକ ଦାସଙ୍କ ହାତରେ ଡକାଇ କାମାକ୍ଷାନଗରରୁ ଛିଡ଼ା ହେବାକୁ କହିଲେ । ସେହି ଜିଲ୍ଲାର ପ୍ରାର୍ଥୀ ଓ ବରିଷ୍ଠ ନେତାମାନଙ୍କୁ ଛାଡ଼ି ତାଙ୍କୁ ପ୍ରାର୍ଥୀ କରାଯିବାକୁ ସେ ପ୍ରଥମେ ଆପତ୍ତି କରିଥିଲେ । ମାତ୍ର ବିଜୁବାବୁଙ୍କ ନିର୍ଦ୍ଦେଶରେ ସେ ପ୍ରାର୍ଥୀ ହେଲେ । ନାମାଙ୍କନ ପତ୍ର ଦାଖଲବେଳେ ତାଙ୍କୁ ବିଜୁବାବୁ ୧୦ହଜାର ଟଙ୍କା ଦେଇଥିଲେ । ୩ଦିନ ଧରି କାମାକ୍ଷାନଗରରେ ରହି ପ୍ରଚାର ମଧ୍ୟ କଲେ । ନିର୍ବାଚନୀ ପରିଚାଳନା ଦାୟିତ୍ୱ ସେତେବେଳେ ଜନତା ଦଳର ସଭାପତି ଅଶୋକ ଦାସଙ୍କ ଉପରେ ରହିଥିଲା । କର୍ମୀ ଓ ବୁଥ୍ ଖର୍ଚ୍ଚବାବଦରେ ବିଜୁବାବୁ ଦେଇଥିବା ୫ହଜାର ଟଙ୍କା ଲେଖାଏଁ ଠିକ୍ ସ୍ଥାନରେ ପହଂଚିଲା ମଧ୍ୟ ନାହିଁ ।  ୨୩୫-୨୪୦ଟି ବୁଥ୍ ଖର୍ଚ୍ଚ ଅଶୋକ ଦାସଙ୍କୁ ଦିଆଯାଇଥିଲା । ନିର୍ବାଚନ ପ୍ରଚାର ବେଳେ ମଧ୍ୟ ଜାଣି ହେଉଥିଲା ଯେ, ଅମାନତ ରହିବ ନାହିଁ ।  ନିର୍ବାଚନ ଫଳାଫଳ ବାହାରିବାବେଳେ ବିଜୁବାବୁ ମୁମ୍ବାଇରେ ଶରଦ ପାୱାରଙ୍କ ଝିଅ ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥାନ୍ତି । ମୋତେ ଫୋନ୍ କରି ଫଳାଫଳ ସମ୍ପର୍କରେ ପଚାରିବା ସହ ତାଙ୍କର ଏକାଧିକ ସ୍ଥାନରେ ଅମାନତ ନଥାଇ ମଧ୍ୟ କିଭଳି ମୁଖ୍ୟମନ୍ତ୍ରୀ ହୋଇଥିଲେ ତାହା କହିଥିଲେ । ତେବେ ବିଜୁବାବୁଙ୍କ ଭଳି ମହାନ ବ୍ୟକ୍ତିତ୍ୱ ମୋତେ ସେଭଳି ସ୍ତରରେ ଦେଖିବା ହିଁ ମୋ’ପାଇଁ ସବୁଠୁ ବଡ଼ ପୁରସ୍କାର ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।”

Naveen Patanik Biju Patnaik