Advertisment

ନୂଆପଡ଼ା ଉପନିର୍ବାଚନ: ପିଏସି-କୋର କମିଟି କୋମାରେ, ବବି ପୁଣି କଲେଣି ମାମଲାତି, ସନ୍ଦେହରେ କର୍ମୀ

ଦଳର ଉପସଭାପତି ପ୍ରଣବପ୍ରକାଶ ଦାସ(ବବି) ମାତ୍ର ସପ୍ତାହକ ମଧ୍ୟରେ ଦୁଇ ଦୁଇ ଥର ନୂଆପଡ଼ା ଗସ୍ତରେ ଯାଇ ଢ଼ୋଲକିଆଙ୍କ ପରିବାର ସଦସ୍ୟ ଓ ତାଙ୍କ ସମର୍ଥକଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ନିଜର ମାମଲାତି ଦେଖାଇ ସେଠାରେ ଦଳର ଅନ୍ୟ ଜଣେ ବରିଷ୍ଠ ନେତାଙ୍କୁ ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇ ବିଜେଡି ରାଜନୀତିକୁ ଗୋଳିଆ କରିଥିବା ଚର୍ଚ୍ଚା ହେଉଛି ।

author-image
Ordigital Desk
Pranab Prakash Das

Pranab Prakash Das

ଦଳୀୟ ବରିଷ୍ଠ ନେତା ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁକୁ ୮ଦିନ ନପୁରୁଣୁ ବିଜେଡି ନିଜର ପୁରୁଣା ଅବିଶ୍ୱସନୀୟ ଚିତ୍ର ଓ ଚରିତ୍ରକୁ ପଦାକୁ ଆଣିଛି । ଦଳର ଉପସଭାପତି ପ୍ରଣବପ୍ରକାଶ ଦାସ(ବବି) ମାତ୍ର ସପ୍ତାହକ ମଧ୍ୟରେ ଦୁଇ ଦୁଇ ଥର ନୂଆପଡ଼ା ଗସ୍ତରେ ଯାଇ ଢ଼ୋଲକିଆଙ୍କ ପରିବାର ସଦସ୍ୟ ଓ ତାଙ୍କ ସମର୍ଥକଙ୍କୁ ଶାନ୍ତ୍ୱନା ଦେବା ପରିବର୍ତ୍ତେ ନିଜର ମାମଲାତି ଦେଖାଇ ସେଠାରେ ଦଳର ଅନ୍ୟ ଜଣେ ବରିଷ୍ଠ ନେତାଙ୍କୁ ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇ ବିଜେଡି ରାଜନୀତିକୁ ଗୋଳିଆ କରିଥିବା ଚର୍ଚ୍ଚା ହେଉଛି । ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବବିଙ୍କ ଏଭଳି ମାମଲାତି ଓ ହୀନ ରାଜନୀତି ଯୋଗୁ ପୂର୍ବତନ ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର ଆଶାୟୀ ପ୍ରାର୍ଥୀ ଭାବେ ଉଭା ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା । ବବି କେଉଁ କ୍ଷମତା ବଳରେ ଓ କାହା ନିର୍ଦ୍ଦେଶରେ ନୂଆପଡ଼ା ଗସ୍ତରେ ଯାଇ ସେଠାରେ ମାମଲାତି କରି ଉପନିର୍ବାଚନ ପୂର୍ବରୁ ସାଂଗଠନିକ ଅଶାନ୍ତି ସୃଷ୍ଟି କରୁଛନ୍ତି ତାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି(ରାଜନୀତିକ ବ୍ୟାପାର କମିଟି) ଓ କୋର କମିଟି ଥାଇ ମଧ୍ୟ ବବି ପୁଣିଥରେ ଏଭଳି ମାମଲାତି କରି ସିଧାସଳଖ ଏହି ଦୁଇ କମିଟି ‘ଗୁରୁତ୍ୱହୀନ’ ବୋଲି ଦର୍ଶାଇବାକୁ ପ୍ରୟାସ କରିଥିବା ଚର୍ଚ୍ଚା ।

Advertisment

ସପ୍ତାହକ ଭିତରେ ୨ଥର ନୂଆପଡ଼ା ଗସ୍ତ

ବରିଷ୍ଠ ନେତା ଶ୍ରୀ ଢ଼ୋଲକିଆଙ୍କର ଗତ ୮ତାରିଖରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । କିନ୍ତୁ ଏହି ସପ୍ତାହକ ମଧ୍ୟରେ ବବି ଦୁଇ ଦୁଇଥର ନୂଆପଡ଼ା ଗସ୍ତ କରିଛନ୍ତି । ଶ୍ରୀ ଢ଼ୋଲକିଆଙ୍କ ପାର୍ଥିବ ଶରୀରକୁ ଦଳ ପକ୍ଷରୁ ଶେଷ ସମ୍ମାନ ଜଣାଇବା ପାଇଁ ଭୁବନେଶ୍ୱରରୁ ଯାଇଥିବା ଟିମରେ ବବି ସାମିଲ ହୋଇଥିଲେ । ଆଉ ଏହାର ୫ଦିନ ନପୂରୁଣୁ ପୁଣିଥରେ ନୂଆପଡ଼ା ଗସ୍ତରେ ଯାଇ ଗତକାଲି ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି । ଢ଼ୋଲକିଆଙ୍କ ଅନ୍ତିମ ସଂସ୍କାର ଓ ଶେଷଦର୍ଶନ କରିବାକୁ ନୂଆପଡ଼ା ଯାଇଥିବା ବବି ସେଠାରେ ଦଳର ହଜାର ହଜାର କର୍ମୀ(ଢ଼ୋଲକିଆଙ୍କ ସମର୍ଥକ)ଙ୍କୁ ଶାନ୍ତ୍ୱନା ଦେବା ପରିବର୍ତ୍ତେ ନିଜର ପୁରୁଣା ଗୋଟିଚାଳନା କରିଛନ୍ତି । ଢ଼ୋଲକିଆ ପରିବାରକୁ ଦଳୀୟ ଟିକେଟରୁ ବଂଚିତ କରିବା ଏବଂ ଅନ୍ୟଜଣେ ନେତାଙ୍କୁ ସମାନ୍ତରାଳ ଭାବେ ଆଗକୁ ଆଣି ଦଳୀୟ ଟିକେଟ୍ ରେସରେ ସାମିଲ କରାଇବା ପଛରେ ବବିଙ୍କ ଷଡ଼ଯନ୍ତ୍ର ରହିଥିବା ବିଜେଡି ମହଲରେ ଚର୍ଚ୍ଚା । ବବିଙ୍କ ଏଭଳି କାରନାମାକୁ ନେଇ ନୂଆପଡ଼ା ରାଜନୀତି ଏବେ ସରଗରମ ହୋଇଥିବା ସୂଚନା ମିଳିଛି । ତେବେ ବବିଙ୍କୁ ନୂଆପଡ଼ା ଯିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ଓ ସେ କେଉଁ କ୍ଷମତା ବଳରେ ନୂଆପଡ଼ା ଯାଇ ଏଭଳି ମାମଲାତି କରିଛନ୍ତି ତାହା ଏବେବି ସନ୍ଦେହଘେରରେ ।

ପାଣ୍ଡିଆନ-ବବିଙ୍କ ଖେଳ, ବିଜେଡିକୁ କାଳ

ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ଆଭ୍ୟନ୍ତରୀଣ କନ୍ଦଳ ଓ ଅସନ୍ତୋଷକୁ ଏଡ଼ାଇବା ପାଇଁ ବିଜେଡି ଦୀର୍ଘ ଅଢ଼େଇ ଦଶନ୍ଧି ପରେ ରାଜନୀତିକ ବ୍ୟାପାର କମିଟି(ପିଏସି) ଗଠନ କରିଛି । ସାଂଗଠନିକ କାର୍ଯ୍ୟ ପରିଚାଳନା ପାଇଁ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ କୋର କମିଟି ମଧ୍ୟ ଗଠନ ହୋଇଛି । ମାତ୍ର ଏହି ଉଭୟ ପିଏସି ଓ କୋର କମିଟିକୁ ଚକମା ଦେଇ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ(ବବି) ଦଳରେ ନିଜର ହାକିମାତି ଜାରି ରଖିଛନ୍ତି । ଦଳରେ ପାଣ୍ଡିଆନ-ବବିଙ୍କ ହାକିମାତି ଯୋଗୁଁ ବିଜେଡିର ୨୪ବର୍ଷ ଶାସନର ପତନ ହୋଇଛି ବୋଲି ଦଳୀୟ ନେତାମାନେ ଖୋଲାଖୋଲି କହୁଥିଲେ ମଧ୍ୟ ସେମାନେ ସୁଧୁରିବା ପରିବର୍ତ୍ତେ ଏବେ ସଂଗଠନକୁ କବଜାକୁ ନେବାପାଇଁ ନାନାଦି ଫନ୍ଦିଫିକର କରୁଥିବା ଜଣାପଡ଼ିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା, ସାଂଗଠନିକ କାର୍ଯ୍ୟରେ ଅନାଗ୍ରହ ଓ ପାଣ୍ଡିଆନଙ୍କ ଉପରେ ନିର୍ଭରଶୀଳତାର ଫାଇଦା ଉଠାଇ ଏହି ଯୋଡ଼ି ଏବେ ଦଳୀୟ ସଂଗଠନକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବେ ବିବେଚନା କରିବାରେ ଲାଗିଥିବା ଚର୍ଚ୍ଚା । ବିଜେଡିରେ ଯୁବ,ଛାତ୍ର ଓ ମହିଳା ସଭାପତି ନିଯୁକ୍ତିରେ ପାଣ୍ଡିଆନ-ବବି ନିଜର ଏକଚାଟିଆ କାରବାର ଦେଖାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଦଳର ପିଏସି ଓ କୋର ଟିମର ମତାମତ ନେବା ତ ଦୂରର କଥା ସାମାନ୍ୟ ଆଲୋଚନା କରିବାକୁ ମଧ୍ୟ ଉଚିତ୍ ମଣିନାହାନ୍ତି । ଯଦିଓ ପରବର୍ତ୍ତୀ ସମୟରେ ଏହି ନିଯୁକ୍ତି ପଛରେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ଭୂମିକା ରହିଥିବା ଦଳରେ ସ୍ପଷ୍ଟ ହୋଇଯାଇଥିଲା । ସେହିପରି ଦଳର କୋର ଟିମ୍ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବବି ଏବେ ଭୁବନେଶ୍ୱରରେ କମ୍ ଯାଜପୁରରେ ବେଶୀ ସମୟ ରହୁଥିବାର ସନ୍ଦେଶ ଦେଉଛନ୍ତି । ପାଣ୍ଡିଆନଙ୍କ ସହ ତାଙ୍କ ବିଭେଦ ଥିବାର ଆଳ ଦେଖାଇ ଦଳର ଆଗଧାଡ଼ିର ନେତାମାନଙ୍କଠୁ ପାଣ୍ଡିଆନବିରୋଧୀ ମତାମତ ନେଇ ପାଣ୍ଡିଆନଙ୍କୁ ଅବଗତ କରାଉଥିବା ମଧ୍ୟ ବିଜେଡି ମହଲରେ ଚର୍ଚ୍ଚା । ଅବଶ୍ୟ ବବିଙ୍କ ଏଭଳି ଦୋମୁହାଁ ଅବିଶ୍ୱସନୀୟ ଚରିତ୍ର ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ପାଣ୍ଡିଆନଙ୍କ ବିନା ଇଙ୍ଗିତରେ ନୂଆପଡ଼ା ଯାଇ ସେଠାରେ ମାମଲାତି କରିବା ଓ ସମାନ୍ତରାଳ ପ୍ରାର୍ଥୀ ଚୟନ କରିବା ବବିଙ୍କ ପକ୍ଷେ ସମ୍ଭବପର ନୁହେଁ ବୋଲି କୁହାଯାଉଛି । ଯଦିଓ ସାଂଗଠନିକ କାର୍ଯ୍ୟ ପାଇଁ ଦେବୀ ମିଶ୍ର କମିଟିକୁ ଅଧିକୃତ କରାଯାଇଛି । ତଥାପି ଦେବୀ ମିଶ୍ର କମିଟି ଏବେ ମେରୁଦଣ୍ଡବିହୀନ ହୋଇପଡ଼ିଛି । ଦେବୀଙ୍କ ନିରବତା ଓ ନିରାପଦ ଦୂରତ୍ୱରେ ରହି ସାଂଗଠନିକ ଗୋଟିଚାଳନା କରିବାର ଫର୍ମୂଲା ଏବେ ତାଙ୍କୁ ମହଙ୍ଗା ପଡ଼ିବାରେ ଲାଗିଛି । ଯାହାର ଫାଇଦା ଉଠାଇ ବବି କାହାକୁ କିଛି ନପଚାରି ନୂଆପଡ଼ା ଗସ୍ତରେ ଯାଇ ଏଭଳି ମାମଲାତି କରିଥିବା ଜଣାପଡ଼ିଛି । ଉପନିର୍ବାଚନକୁ ଢ଼େର ସମୟ ଥିବାବେଳେ ଆଗଧାଡ଼ିର ନେତାମାନଙ୍କ ସହ ବିଚାରବିମର୍ଶ ନକରି ବବି ଏକାକୀ ନୂଆପଡ଼ା ଯାଇ ହାକିମାତି କରିବା ମଧ୍ୟ ଖୋଲାଖୋଲି ଭାବେ ଦଳୀୟ ଶୃଙ୍ଖଳାକୁ ଉଲ୍ଲଘଂନ କରୁଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ ଏଭଳି କାର୍ଯ୍ୟ ଯୋଗୁ ଦଳରେ ବବିଙ୍କ ମାମଲାତି ପୁଣିଥରେ ବଢ଼ିବାରେ ଲାଗିଥିବାବେଳେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି(ରାଜନୀତିକ ବ୍ୟାପାର କମିଟି) ଓ କୋର କମିଟି ଏକରକମ କୋମାକୁ ପଳାଇଥିବା ବୋଲି ଚର୍ଚ୍ଚା ।

Advertisment

ନୂଆପଡ଼ା ବିଧାନସଭାରେ ୫୬ଟି ନୂଆ ମତଦାନ କେନ୍ଦ୍ର

ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଓ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମଧ୍ୟ କାର୍ଯସୂଚୀ ଜାରି ହୋଇଛି । ନୂଆପଡ଼ା ବିଧାନସଭା ଆସନରେ ମୋଟ ୫୬ଟି ନୂଆ ମତଦାନ କେନ୍ଦ୍ର ସୃଷ୍ଟି ହୋଇଥିବାବେଳେ ମୋଟ୍ ମତଦାନ କେନ୍ଦ୍ର ସଂଖ୍ୟା ୩୦୨ରୁ ୩୫୮କୁ ବୃଦ୍ଧି ପାଇଛି । ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ମଧ୍ୟ ହୋଇଛି । ମୋଟ ମତଦାନ କେନ୍ଦ୍ରରୁ ୩୨୨ଟି ଗ୍ରାମାଂଚଳରେ ଓ ୩୬ଟି ସହରାଂଚଳରେ ଅଛି । ଏବେ ମୋଟ ୨ଲକ୍ଷ ୪୮ହଜାର ୨୫୬ଜଣ ଭୋଟର ଅଛନ୍ତି । ସେଥିରେ ୧.୨୨ଲକ୍ଷ ପୁରୁଷ ଓ ୧.୨୬ଲକ୍ଷ ମହିଳାଙ୍କ ସମେତ ୨୧ଜଣ ତୃତୀୟ ଲିଙ୍ଗ, ୪ହଜାର ଭିନ୍ନକ୍ଷମ ଭୋଟର ସାମିଲ ଅଛନ୍ତି ।

BjD Pranab Prakash Das