Advertisment

Nuapada ବିପର୍ଯ୍ୟୟ: ନବୀନଙ୍କୁ ଭେଟିଲେ ୫ବରିଷ୍ଠ ନେତା, ବିଭୀଷଣ ସାଜିଛି କି ‘ପିଏସି’?

‘ଫସଲକୁ ବାଡ଼’ ଖାଇବା ନ୍ୟାୟରେ ଏବେ ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ହିଁ ‘ବିଭୀଷଣ’ ସାଜି ସଂଗଠନକୁ ତଳିତଳାନ୍ତ କରିବାରେ ଲାଗିଛି ବୋଲି  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଦଳର ୫ଜଣ ବରିଷ୍ଠ ନେତା ଭେଟିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି ।

author-image
Prakash Sethi
BJD-Nuapada

Nuapada Disaster

ନୂଆପଡ଼ା ଉପନିର୍ବାଚନରେ ବିଜେପିର ବୃହତ୍ ବିଜୟ ଓ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବାକୁ ନେଇ ଏବେ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଦଳର ଜଣେ ପରେ ଜଣେ ନେତା ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ସମୀକ୍ଷା ଓ ଦଳକୁ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରୁଛନ୍ତି । ମାତ୍ର ‘ଫସଲକୁ ବାଡ଼’ ଖାଇବା ନ୍ୟାୟରେ ଏବେ ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ହିଁ ‘ବିଭୀଷଣ’ ସାଜି ସଂଗଠନକୁ ତଳିତଳାନ୍ତ କରିବାରେ ଲାଗିଛି ବୋଲି  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଦଳର ଜଣ ବରିଷ୍ଠ ନେତା ଭେଟିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ନୂଆପଡ଼ା ଉପନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ଶୀର୍ଷ ନେତାମାନେ କ୍ୟାମେରା ଆଗରେ ମୁହଁ ଖୋଲୁନଥିଲେ ମଧ୍ୟ ଅଦୃଶ୍ୟ ଶକ୍ତିର ଚାପରେ ସେମାନେ ବି ଚେପା ବୋଲି ବୁଲେଇବଙ୍କେଇ ସ୍ୱୀକାର କରିବାରେ ଲାଗିଥିବା ଜଣାପଡ଼ିଛି । 

Advertisment

ନୂଆପଡ଼ା ଫଳାଫଳର ୪ଦିନ ପରେ ମିଳିଲା ସାକ୍ଷାତର ଅନୁମତି

ବିଜେଡି ସୂତ୍ର ଅନୁସାରେ, ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଦଳର ୫ଜଣ ବରିଷ୍ଠ ନେତା ସାକ୍ଷାତ କରିଛନ୍ତି । ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ ଓ ପ୍ରଣବପ୍ରକାଶ ଦାସ ନବୀନ ନିବାସରେ ନବୀନଙ୍କୁ ଭେଟି ନୂଆପଡ଼ା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି ।

ନୂଆପଡ଼ାରେ ବିଜେପି ପ୍ରଚୁର ଅର୍ଥ ଖର୍ଚ୍ଚ କଲା ଓ ତା’ତୁଳନାରେ ବିଜେଡି ଆବଶ୍ୟକ ପରିମାଣର ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହେଲାନି, ତେଣୁ ଏଭଳି ବିପର୍ଯ୍ୟୟ ହୋଇଛି ବୋଲି ନବୀନଙ୍କୁ ଏହି ନେତାମାନେ ଆଜି ବୁଝାଇ ଥିବା ସୂଚନା ମିଳିଛି । ଆଉ ଏହି ଆଲୋଚନାବେଳେ ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ହିଁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଚୟନଠୁ ଆରମ୍ଭ କରି ନବୀନଙ୍କୁ ନୂଆପଡ଼ା ପ୍ରଚାରକୁ ନେବା ଓ ଗ୍ରାଉଣ୍ଡରେ ନିର୍ବାଚନୀ ରଣନୀତି ଆଦି ସବୁକିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲା ବୋଲି ନବୀନ ନିଜେ ସ୍ପଷ୍ଟ କରିଥିବା ଜଣାପଡ଼ିଛି ।

Advertisment

 ତେବେ ଜିଲ୍ଲା ବାହାରରୁ ଜଣେ ନେତ୍ରୀଙ୍କୁ ନୂଆପଡ଼ାରେ ପ୍ରାର୍ଥୀ କରିବା ଭଳି ‘ଆତ୍ମଘାତୀ ନିଷ୍ପତ୍ତି’ କାହା ସ୍ୱାର୍ଥରେ ‘ପିଏସି’ ନେଇଥିଲା ତାକୁ ନେଇ ଏବେ ଦଳୀୟ ମହଲରେ ଅସନ୍ତୋଷ ବଢ଼ୁଥିବାବେଳେ ଏନେଇ ଘଣ୍ଟାଚକଟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଅବଶ୍ୟ ନୂଆପଡ଼ା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନଠୁ ନବୀନଙ୍କୁ ନେତାମାନେ ଭେଟିବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନବୀନଙ୍କ ସହ ଆଜି ଦଳୀୟ ନେତାମାନଙ୍କର ଏହି ଆଲୋଚନାବେଳେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଫିସର ମୂଳରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ ।

ଏପରିକି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଗତ ଦୁଇଦିନ ତଳେ ନବୀନଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିନଥିଲା ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ପରାଜୟର ମୁଖ୍ୟ ସୂତ୍ରଧର କିଏ


ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଦଳରେ ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଠୁ ଆରମ୍ଭ କରି ସିଦ୍ଧାର୍ଥ ଦାସ, ସମ୍ବିତ ରାଉତରାୟ ଓ ଅନ୍ୟମାନେ ତୁରନ୍ତ ସମୀକ୍ଷା ବୈଠକ କରିବାକୁ ଦାବି କଲେଣି । ନୂଆପଡ଼ା ବିଜେଡିର ଗଡ଼ ହୋଇ ମଧ୍ୟ ଦଳକୁ ଏଭଳି ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବାକୁ କେହି ସହଜରେ ହଜମ କରିପାରୁନାହାନ୍ତି । ବିଶେଷକରି ଦଳ ତୃତୀୟ ସ୍ଥାନକୁ ଖସିଯିବା ପରେ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ପ୍ରଚାର ପରିଚାଳନା ପର୍ଯ୍ୟନ୍ତ ସମସ୍ତ ନିଷ୍ପତ୍ତି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସୂତ୍ର ଅନୁସାରେ,  ନିର୍ବାଚନ ପୂର୍ବରୁ ଦେବୀ ମିଶ୍ର କମିଟି ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଯାଇଥିଲେ ସୁଦ୍ଧା କୌଣସି ରିପୋର୍ଟ ଦେବା ପୂର୍ବରୁ ତରବରିଆ ଭାବେ ଦଳର ‘ପିଏସି’ ବୈଠକ ଡକାଯାଇଥିଲା । ସ୍ନେହାଙ୍ଗିନୀଙ୍କ ନାଁ ଚର୍ଚ୍ଚାରେ ନଥାଇ ମଧ୍ୟ ଅଚାନକ ତାଙ୍କ ନାମ ଉପରେ ଆଲୋଚନା ହେଲା ଓ ସନ୍ଧ୍ୟାରେ ତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ନବୀନ ଗଣମାଧ୍ୟମକୁ ସୂଚନା ଦେଲେ ।

ପାଣ୍ଡିଆନ ବୈଠକରେ ଉପସ୍ଥିତ ନଥିଲେ ମଧ୍ୟ ତାଙ୍କର ଇଙ୍ଗିତରେ ପିଏସି ବୈଠକରେ ସ୍ନେହାଙ୍ଗିନୀଙ୍କ ନାମ ଉପରେ ମୋହର ବାଜିଥିଲା । ଦଳର ଅନ୍ୟ ବରିଷ୍ଠ ନେତାମାନେ ଏହାକୁ ବିରୋଧ କରିବାର ସାହସ ନକରି ସହମତି ଜଣାଇବାକୁ ବାଧ୍ୟ ହୋଇଥିଲେ । ଜିଲ୍ଲା ବାହାରର ନେତ୍ରୀଙ୍କୁ ପ୍ରାର୍ଥୀ କରି ବିଜେଡି ସେହିଦିନ ହିଁ ନିଜ ପରାଜୟର ମୂଳଦୁଆ ପକାଇଥିଲା ବୋଲି ଚର୍ଚ୍ଚା ହେଉଛି ।

ନବୀନଙ୍କ ପ୍ରଚାର ଓ ପିଏସି ଉପରେ ଚାପ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ସତ୍ତ୍ୱେ ତାଙ୍କୁ ଦୁଇ ଦୁଇଥର ନୂଆପଡ଼ା ପ୍ରଚାରକୁ ନେବା ପାଇଁ ପିଏସି ହିଁ ପ୍ରସ୍ତାବ ଦେଇଥିଲା । ପିଏସିର ଅଧ୍ୟକ୍ଷ ନବୀନ ଥିଲେ ମଧ୍ୟ ପିଏସି ସଦସ୍ୟ ଓ ପରିବର୍ଦ୍ଧିତ ପିଏସି ସଦସ୍ୟମାନେ ତାଙ୍କର ପ୍ରଚାର ପାଇଁ ପ୍ରସ୍ତାବ ଦେଇଥିଲେ ବୋଲି ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି । ଯେଉଁଥିପାଇଁ ନବୀନଙ୍କୁ ଶାରୀରିକ ଅସୁସ୍ଥତା ମଧ୍ୟରେ ନୂଆପଡ଼ା ଯିବାକୁ ପଡ଼ିଥିଲା ବୋଲି କୁହାଯାଉଛି । ପିଏସି ଆଳରେ ନବୀନଙ୍କ ଉପରେ ଏଭଳି ଚାପ ସୃଷ୍ଟି କରାଯାଇଥିଲା, ଯାହାକି ତାଙ୍କର କ୍ରେଜ୍ ଏବଂଲୋକପ୍ରିୟତାକୁ ବାଜି ଲଗାଇବାକୁ କେହି ଯେଭଳି ପରଦା ପଛରେ ରହି ଗୋଟିଚାଳନା କରିଥିଲା ।

ସେହିପରି ବରିଷ୍ଠ ନେତା ଦେବୀ ମିଶ୍ରଙ୍କୁ ନିର୍ବାଚନ ପରିଚାଳନା ଓ ପାଣ୍ଠି ଦାୟିତ୍ୱ ଦିଆଯାଇଥିଲେ ସୁଦ୍ଧା ସେଠାରେ ପିଏସିର ୩ଜଣ ସଦସ୍ୟ ପ୍ରଣବପ୍ରକାଶ ଦାସ ଓରଫ ବବି, ସଞ୍ଜୟ ଦାସବର୍ମା ଓ ସନ୍ତୃପ୍ତ ମିଶ୍ରଙ୍କ ହସ୍ତକ୍ଷେପ ଯୋଗୁ ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଏପରିକି ଶେଷ ମୁହୂର୍ତ୍ତରେ ଦଳୀୟ ପାଣ୍ଠି ଠିକ୍ ଭାବେ ନୂଆପଡ଼ାରେ ପହଂଚିଲା ନାହିଁ ଓ ଦଳ ପାଖରେ ପାଣ୍ଠି ନାହିଁ ବୋଲି ମଧ୍ୟ ପରୋକ୍ଷରେ ସଙ୍କେତ ଦିଆଗଲା ବୋଲି ଜଣାପଡ଼ିଛି ।

ଆତ୍ମସମୀକ୍ଷା ବଦଳରେ ଆତ୍ମରକ୍ଷା

ନୂଆପଡ଼ାରେ ଲଜ୍ଜାଜନକ ପରାଜୟକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ସତ୍ୱେ ଦଳ ଏହି ଫଳାଫଳର ସମୀକ୍ଷା କରିବାକୁ ଆଗ୍ରହ ଦେଖାଇନାହିଁ । ଦଳ ଏହି ଫଳାଫଳକୁ ଯନ୍ତ୍ରାଦେଶ, ଭୋଟ ରିଗିଂ ଆଦି କହି ଆତ୍ମରକ୍ଷାର ନାନାଦି କୌଶଳ ଖୋଜିବାରେ ବ୍ୟସ୍ତ । ନୂଆପଡ଼ା ଉପନିର୍ବାଚନରେ ‘ପାଣ୍ଡିଆନ'ଙ୍କର ସଂପୃକ୍ତି ନାହିଁ ବୋଲି ଉପରକୁ ସନ୍ଦେଶ ଦିଆଯାଉଥିଲେ ମଧ୍ୟ ପ୍ରାର୍ଥୀ ଚୟନ, ନବୀନଙ୍କ ପ୍ରଚାର ଓ ସମଗ୍ର ନିର୍ବାଚନ ପରିଚାଳନାର ଦାୟିତ୍ୱ ପିଏସି ଉପରେ ଲଦି ଦେଇ ସେ ନିଜକୁ ବେଶ୍ ସୁରକ୍ଷିତ ଦୂରତ୍ୱରେ ରଖିଥିବା ଚର୍ଚ୍ଚା ହେଉଛି ।

 ପାଣ୍ଡିଆନଙ୍କୁ ଖୁସି କରିବାକୁ ‘ପିଏସି’ ସଦସ୍ୟମାନେ ବି ବିଭୀଷଣ ଭଳି ନିଜ ସଂଗଠନକୁ ପଛରୁ ଛୁରିମାଡ଼ କରିବାକୁ ପଛାଇନାହାନ୍ତି । ନିଜର ଦୁଇ ଖାସ୍ ଅନୁଗତ ବବି ଓ ଦେବୀ ମିଶ୍ରଙ୍କ ମାଧ୍ୟମରେ ପାଣ୍ଡିଆନ ପରଦା ପଛରେ ରହି ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏହି କାରଣରୁ ଦଳ ଆତ୍ମସମୀକ୍ଷା ପରିବର୍ତ୍ତେ ଆତ୍ମରକ୍ଷାର ନାନାଦି ଫନ୍ଦିଫିକର ଓ ଅଭିଯୋଗ କରି ଦିନ ଗଡ଼ାଇବାରେ ଲାଗିଥିବା ଜଣାପଡ଼ିଛି ।