Advertisment

Nuapada Disaster: ବବିଙ୍କୁ ଔକାତ୍ ଦେଖାଇଲେ ନବୀନ, ମହଙ୍ଗା ପଡ଼ିଲା ‘ଡ୍ରାମା’

ବୈଠକ ଶେଷ ହେବା ପରେ ବବି ନିଜର ଚେୟାରରୁ ଉଠି ଚିରାଚରିତ ଢଙ୍ଗରେ ନବୀନଙ୍କ ପାଖକୁ ଯାଇ ‘ସରି’ କହିବା ସହ ପରାଜୟର ଉତ୍ତରଦାୟିତ୍ୱ ନିଜ ମୁଣ୍ଡକୁ ନେଉଛନ୍ତି ବୋଲି କହିଥିଲେ । ତେବେ ବବିଙ୍କର ଏଭଳି କଥା ଶୁଣିବା ମାତ୍ରେ ଚିହିଁକି ଉଠିଥିଲେ ନବୀନ ।

author-image
Prakash Sethi
Naveen--Bobby

Naveen patnaik and Bobby Das

ନୂଆପଡ଼ା ଉପନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଦଳୀୟ ଅର୍ନ୍ତଦ୍ୱନ୍ଦ୍ୱ ଏବେ ପଦାରେ ପଡ଼ିଛି । ବିଜେଡିର ନମ୍ବର-୩ ବୋଲାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ତାଙ୍କର ଔକାତ୍ ଦେଖାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ଅନୁଷ୍ଠିତ ରାଜନୀତିକ ବ୍ୟାପାର କମିଟି(ପିଏସି) ବୈଠକରେ ବବିଙ୍କ ଉପରେ କଡ଼ା ଭାଷାରେ ବର୍ଷିଥିଲେ ନବୀନ । ଦଳର କାର୍ଯ୍ୟକାରୀ ସଭାପତି ହେବା ପାଇଁ ବବି ଦୀର୍ଘଦିନ ଧରି ଯେଉଁ ଚାପ ପକାଇ ଆସୁଛନ୍ତି ଓ ଗତ ୧୦ତାରିଖରେ କଂଟାବାଞ୍ଜିର ଏକ ହୋଟେଲରେ ଦଳୀୟ ନେତାମାନଙ୍କ ମେଳି କରିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ନବୀନ ଏଭଳି କଡ଼ା ଆଭିମୁଖ୍ୟ ପୋଷଣ କରିଥିବା ଜଣାପଡ଼ିଛି । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ହୋଇ ଦଳରେ ନିଜର ଏକାଧିପତ୍ୟ ବିସ୍ତାର କରିଥିବା ବବିଙ୍କ ଉପରେ ନବୀନ ଏଭଳି ଖପ୍ପା ହେବାକୁ ନେଇ ବିଜେଡି ମହଲରେ ନାନାଦି ଚର୍ଚ୍ଚା ଜୋର ଧରିଛି ।

Advertisment


ପିଏସି ବୈଠକରେ ବିସ୍ଫୋରଣ ଓ ନବୀନଙ୍କ ଅସନ୍ତୋଷ


ବିଜେଡି ସୂତ୍ର ଅନୁସାରେ, ନୂଆପଡ଼ା ଉପନିର୍ବାଚନ ଫଳାଫଳର ସମୀକ୍ଷା ପାଇଁ ନବୀନ ନିବାସରେ ଅନୁଷ୍ଠିତ ପିଏସି ବୈଠକରେ ନବୀନ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଜେଡି ତୃତୀୟ ସ୍ଥାନରେ ରହିବାକୁ ସହଜରେ ହଜମ କରିପାରୁନାହାନ୍ତି ନବୀନ । ନୂଆପଡ଼ାରେ ଏତେ ଲୋକବଳ ଓ ଅର୍ଥ ଖର୍ଚ୍ଚ ସହ ତାଙ୍କର ଦୁଇ ଦୁଇଥର ପ୍ରଚାର ସତ୍ତ୍ୱେ କଂଗ୍ରେସ କିଭଳି ଦ୍ୱିତୀୟ ସ୍ଥାନ ଅଧିକାର କଲା ବୋଲି ନବୀନ ଖୋଲାଖୋଲି ପ୍ରଶ୍ନ କରି ଅତ୍ୟନ୍ତ କଠୋର ଭାଷାରେ ପିଏସି ବୈଠକରେ ନିଜର ଅସନ୍ତୋଷ ଜଣାଇଥିଲେ ।

ପିଏସି ବୈଠକରେ ନବୀନ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ ଏବଂ ପରାଜୟ ପାଇଁ ସଦସ୍ୟମାନେ ଦେଉଥିବା କୌଣସି ବି ସ୍ପଷ୍ଟୀକରଣ ଶୁଣିବାକୁ ପ୍ରସ୍ତୁତ ନଥିଲେ । ବୈଠକରେ ଉପସ୍ଥିତ ନେତାମାନଙ୍କ ଯୁକ୍ତିକୁ ସେ କଡ଼ା ଭାଷାରେ ଖାରଜ କରିଦେବା ସହ ଦଳର ରଣନୀତି ଏବଂ ଗ୍ରାଉଣ୍ଡ ମ୍ୟାନେଜମେଂଟ ଉପରେ ପ୍ରଶ୍ନ ଉଠାଇଥିଲେ । ଅବଶ୍ୟ ନବୀନଙ୍କ ଏଭଳି ଆଭିମୁଖ୍ୟ ପ୍ରାୟୋଜିତ ଓ ପାଣ୍ଡିଆନଙ୍କ ଇସାରାରେ ସେ ଏପରି ଆଭିମୁଖ୍ୟ ପୋଷଣ କରିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

Advertisment


‘ଡୋଂଟ କ୍ରିଏଟ୍ ଡ୍ରାମା’:  ସଫେଇ ଦେଇ ଫସିଗଲେ


ବୈଠକ ଶେଷ ହେବା ପରେ ବବି ନିଜର ଚେୟାରରୁ ଉଠି ଚିରାଚରିତ ଢଙ୍ଗରେ ନବୀନ(Naveen Patanaik)ଙ୍କ ପାଖକୁ ଯାଇ ‘ସରି’ କହିବା ସହ ପରାଜୟର ଉତ୍ତରଦାୟିତ୍ୱ ନିଜ ମୁଣ୍ଡକୁ ନେଉଛନ୍ତି ବୋଲି କହିଥିଲେ । ତେବେ ବବିଙ୍କର ଏଭଳି କଥା ଶୁଣିବା ମାତ୍ରେ ଚିହିଁକି ଉଠିଥିଲେ ନବୀନ । ପିଏସିର ସଦସ୍ୟମାନଙ୍କ ଉପସ୍ଥିତିରେ ହିଁ ବବିଙ୍କ ଉପରେ ଇଂରାଜୀରେ ମନଇଚ୍ଛା ବର୍ଷିଥିଲେ । ‘ଡୋଂଟ କ୍ରିଏଟ୍ ଦ ଡ୍ରାମା’ଓ ‘ୟୁଜଲେସ୍‌’ (ଅଦରକାରୀ) ଭଳି ଅତ୍ୟନ୍ତ କଟୁ ଶବ୍ଦ ପ୍ରୟୋଗ କରି ବବିଙ୍କୁ ତାଙ୍କର ଔକାତ୍ ଦେଖାଇବାକୁ ନବୀନ ପଛାଇନଥିଲେ ବୋଲି ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି ।

ନବୀନଙ୍କ ଏଭଳି ରୂପ ଦେଖି ଅନ୍ୟ ବରିଷ୍ଠ ନେତାମାନେ ଚୁପ୍ ହୋଇଯାଇଥିଲେ । ଏପରିକି କାଳେ ନବୀନଙ୍କ କୋପଦୃଷ୍ଟି ତାଙ୍କ ଉପରେ ପଡ଼ିବ ସେହି ଆଶଙ୍କାରେ ପିଏସି ସଦସ୍ୟ ନିରଞ୍ଜନ ପୂଜାରୀ ମଧ୍ୟ କେବଳ ସେହି ରୁମ୍ ନୁହେଁ ନବୀନ ନିବାସରୁ ମଧ୍ୟ ତରବର ହୋଇ ପଳାଇଥିଲେ ବୋଲି ଜଣାପଡ଼ିଛି । 


କୋମନା ବ୍ଲକରେ ‘ଅନ୍ତର୍ଘାତୀ କାର୍ଯ୍ୟ’ର ସନ୍ଦେହ


ପିଏସି ବୈଠକରେ ନବୀନଙ୍କ କ୍ରୋଧର ମୁଖ୍ୟ କାରଣ ଥିଲା ବିଜେଡିର ଗଡ଼ କୁହାଯାଉଥିବା କୋମନା ବ୍ଲକରେ ଦଳର ଶୋଚନୀୟ ପରାଜୟ । ଉପନିର୍ବାଚନ ସମୟରେ କୋମନା ବ୍ଲକର ସମସ୍ତ ଦାୟିତ୍ୱ ଖୋଦ୍ ବବି ଓ ତାଙ୍କ ସ୍ୱତନ୍ତ୍ର ଟିମ୍ ହାତରେ ଥିଲା । ଦଳ ମଧ୍ୟ ସେଠାରେ ଆବଶ୍ୟକ ପରିମାଣର ପାଣ୍ଠି ଖର୍ଚ୍ଚ କରିବାରେ ପଛଘୁଂଚା ଦେଇନଥିଲା । ଯଦିଓ ଉପନିର୍ବାଚନରେ ଦଳ ଯେତିକି ଖର୍ଚ୍ଚ କରିବ ବୋଲି ନିଷ୍ପତ୍ତି ନେଇଥିଲା ପରବର୍ତ୍ତୀ ସମୟରେ ସେ ତୁଳନାରେ ୩ଗୁଣ ଅଧିକ ଅର୍ଥ ଦେଇଥିଲା । ୧୦ରୁ ୧୫ଜଣ ଦଳୀୟ ବିଧାୟକ ମଧ୍ୟ ୧୦-୧୫ଲକ୍ଷ ଟଙ୍କା ଲେଖାଏଁ କୋମନା ବ୍ଲକରେ ଖର୍ଚ୍ଚ କରିଛନ୍ତି । ଦଳୀୟ ପାଣ୍ଠିରୁ ଅଧିକ ଅର୍ଥ ମଧ୍ୟ କୋମନା ବ୍ଲକକୁ ଯାଇଛି ।

ଏହା ସତ୍ତ୍ୱେ ବିଜେଡିର ଗଡ଼ଥିବା କୋମନା ବ୍ଲକରେ ବିଜେପିଠୁ ଦଳ ପ୍ରାୟ ୪୦ହଜାର ଭୋଟରେ ପଛରେ ରହିବା ଓ କଂଗ୍ରେସ ପ୍ରାର୍ଥୀଙ୍କଠୁ ପଛରେ ରହିବା(୧୭ରାଉଣ୍ଡରୁ ବିଜେଡି କ୍ରମାଗତ ଭାବେ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ତୃତୀୟ ସ୍ଥାନକୁ ଖସିଯାଇଥିଲା) ପଛରେ ଦଳୀୟ ଅର୍ନ୍ତଘାତୀ କାର୍ଯ୍ୟ ହୋଇଥିବା ନବୀନ ନିବାସ ସନ୍ଦେହ କରିଛି । ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଦ୍ୱାରା ଚୟନିତ ସ୍ନେହାଙ୍ଗିନୀ ଛୁରିଆଙ୍କୁ ହରାଇବା ପାଇଁ ତଥା ପାଣ୍ଡିଆନଙ୍କୁ ଚେକ୍ ଦେବା ପାଇଁ ନୂଆପଡ଼ାରେ ଏଭଳି ଭିତିରିଆ ଷଡ଼ଯନ୍ତ୍ର ହୋଇଥିବା ଚର୍ଚ୍ଚା ହେଉଛି ।


ପାଣ୍ଡିଆନ୍ ବନାମ ବବି: କ୍ଷମତା ଦଖଲର ଲଢ଼େ଼ଇ


ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରେ କ୍ଷମତାଚ୍ୟୁତ ହେବାପରଠୁ ପରଦା ପଛରେ ରହି ପାଣ୍ଡିଆନ୍ ଦଳକୁ ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ହୋଇଆସୁଛି । ଯଦିଓ ଉଭୟ ନବୀନ ଓ ପାଣ୍ଡିଆନ ଏହାକୁ ଅସ୍ୱୀକାର କରିଆସୁଛନ୍ତି ତଥାପି ଦଳୀୟ ସାଂଗଠନିକ ପରିଚାଳନାରେ ନବୀନଙ୍କ ମାଧ୍ୟମରେ ପାଣ୍ଡିଆନ ସଂଗଠନକୁ ନିଜ କବଜାରେ ରଖିଥିବା ଜଣାପଡ଼ିଛି । ବିଗତ ପ୍ରାୟ କିଛିମାସ ଧରି ବବି ଦଳର କାର୍ଯ୍ୟକାରୀ ସଭାପତି ହେବା ପାଇଁ ଜିଦ୍ ଧରି ବସିଥିବା ଚର୍ଚ୍ଚା ହେଉଛି । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ତାଙ୍କୁ କୌଣସି ଦାୟିତ୍ୱ ଦେଇ ଦଳୀୟ ନେତାମାନଙ୍କୁ ଅସନ୍ତୁଷ୍ଟ କରିବାକୁ ବିଜେଡି ନେତୃତ୍ୱ ଚାହୁଁନାହାନ୍ତି ।

ତେଣୁ ନବୀନ ଓ ପାଣ୍ଡିଆନଙ୍କ ଉପରେ ଚାପ ପକାଇବା ପାଇଁ ବବି ଯେଉଁସବୁ ଫନ୍ଦିଫିକର କରୁଥିଲେ ତା’ଉପରେ ପୂର୍ଣ୍ଣଚ୍ଛେଦ ପାଇଁ ନବୀନ ଗତ ଦୁଇଦିନ ତଳେ ତାଙ୍କ ଉପରେ ବର୍ଷିଥିବା କୁହାଯାଉଛି । ନୂଆପଡ଼ା ନିର୍ବାଚନ ପ୍ରଚାର ଶେଷ ହେବା ପରେ ନଭେମ୍ବର ୧୦ ତାରିଖରେ କଂଟାବାଞ୍ଜିରେ ବବି ନିଜର ପ୍ରାୟ ୨୨ ଜଣ ଅନୁଗତ ବିଧାୟକ ଓ ନେତାଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଏହି ବୈଠକ ମାଧ୍ୟମରେ ସେ ଦଳର ହାଇକମାଣ୍ଡଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିବା କୁହାଯାଉଛି । 


 ବବିଙ୍କ ଏଭଳି ମତିଗତି ଦେଖିବା ପରେ ପାଣ୍ଡିଆନ ନିଜର ପତ୍ନୀ ସୁଜାତାଙ୍କୁ ଦଳରେ ସାମିଲ କରିବା ରଣନୀତିକୁ କାର୍ଯ୍ୟକାରୀ କରିବାକୁ ଫୁଲ୍ ଦମରେ ଲାଗିପଡ଼ିଥିବା ଚର୍ଚ୍ଚା ହେଉଛି । ଦଳର ୨-୩ଜଣ ବରିଷ୍ଠ ନେତାଙ୍କ ସମେତ ନିଜର ଜଣେ ବନ୍ଧୁ(ପୂର୍ବତନ ଆଇଆରଟିଏସ୍ ଅଫିସର)ଙ୍କ ମାଧ୍ୟମରେ ବିଭିନ୍ନ ୱେବମିଡିଆ ଓ ସୋସିଆଲ ମିଡିଆରେ ମଧ୍ୟ ପାଣ୍ଡିଆନ ଏଭଳି ମାହୋଲ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

ଏବେ ଉଭୟ ବିଜେଡି ଓ ସରକାରରେ ନଥିଲେ ମଧ୍ୟ ଏହି ପୂର୍ବତନ ଆଇଆରଟିଏସ୍ ଓଡ଼ିଆ ଅଫିସରଜଣକ ନିୟମିତ ଭାବେ ନବୀନନିବାସ ଯାଇ ସଂଗଠନରେ ନିଜର ହାକିମାତି ଦେଖାଇବାକୁ ପ୍ରୟାସ କରୁଛନ୍ତି । ଏପଟେ ଦଳର କିଛି ବରିଷ୍ଠ ନେତା-ବିଧାୟକ ଏବେ ପରୋକ୍ଷରେ ସୁଜାତାଙ୍କ ଏଂଟ୍ରି ଉପରେ ରୋକ୍ ଲଗାଇବା ପାଇଁ ଯାହା ପାଖରେ ଅର୍ଥବଳ ଅଛି ସେ ଦଳ ପରିଚାଳନା କରନ୍ତୁ ବୋଲି କହି ବବିଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି । ତେବେ ଏହି ଛକାପଞ୍ଝା ଓ କନ୍ଦଳ ମଧ୍ୟରେ ବିଜେଡି କାହା ନିୟନ୍ତ୍ରଣରେ ରହିବ ତାକୁ ନେଇ ମଧ୍ୟ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । 


ବବିଙ୍କ ଔଦ୍ଧତ୍ୟଙ୍କୁ ଧକ୍କା


କିଚକ ବାହୁବଳେ ବିରାଟ ରାଜା ଭଳି ଅଘୋଷିତ ସର୍ବେସର୍ବା ପାଣ୍ଡିଆନଙ୍କ ବଳରେ ବବି ୨୦୧୯ରୁ ୨୦୨୪ ମଧ୍ୟରେ ଧରାକୁ ସରା ମଣୁଥିଲେ । ସଂଗଠନରେ ନିଜର ହାକିମାତି ଜାହିର କରିବା ସହ ବରିଷ୍ଠ ନେତାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଉନଥିଲେ । ସଭାମଂଚରୁ ରବି ନନ୍ଦଙ୍କ ଭଳି ବରିଷ୍ଠଙ୍କୁ ଧକ୍କା ଦେଇ ବାହାର କରିବା ହେଉ ଅବା ବୟସ୍କ ବିଧାୟକ ଓ ନେତାମାନଙ୍କୁ ‘ତୁ-ତା’ ସମ୍ବୋଧନ ଅବା ଦଳୀୟ ନେତାମାନଙ୍କୁ କଦର୍ଯ୍ୟ ଆଚରଣ କରିବା ଭଳି ଘଟଣାମାନ ସେତେବେଳେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ବବିଙ୍କ ଔଦ୍ଧତ୍ୟ ଏତେ ବଢ଼ିଯାଇଥିଲା ଯେ ତାଙ୍କର ବ୍ୟକ୍ତିଗତ କର୍ମଚାରୀମାନେ ବି ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ଖରାପ ଆଚରଣ କରିବାକୁ ପଛାଉନଥିଲେ ।

ବିଜେଡି କ୍ଷମତାରୁ ଯିବା ପରେ ମଧ୍ୟ ବବିଙ୍କର ଏହି ଅହଙ୍କାର କମିନଥିଲା । ନୂଆପଡ଼ା ଉପନିର୍ବାଚନବେଳେ ଦଳର କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ସେ ଖରାପ ବ୍ୟବହାର କରିଥିଲେ ବୋଲି ସୂଚନା ମିଳିଛି । ତେବେ ପିଏସି ବୈଠକରେ ନବୀନଙ୍କ କଠୋର ଆଭିମୁଖ୍ୟ ବବିଙ୍କୁ ଏବେ ତାଙ୍କ ପ୍ରକୃତ ସ୍ଥାନ ଓ ଔକାତ୍ ଦେଖାଇ ଦେଇଥିବା କୁହାଯାଉଛି ।

୨୦୧୨ ମସିହାରେ ବିଜେଡିର ତତକାଳୀନ ଚାଣକ୍ୟ ପ୍ୟାରୀ ମହାପାତ୍ର ଯେଭଳି ଢଙ୍ଗରେ ସମାନ୍ତରାଳ ଗୋଷ୍ଠୀ କରି ଦଳର ସୁପ୍ରିମୋଙ୍କୁ ଚେକ୍ ଦେବାକୁ ଅପଚେଷ୍ଟା କରିଥିଲେ ସେଭଳି ଇତିହାସକୁ ଦୋହରାଇବାକୁ ବବି ଏବେ ଚାପସୃଷ୍ଟି ରଣନୀତି କରୁଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

 ଏହି ରାଜନୀତିକ ଝଡ଼ ମଧ୍ୟରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଆସନ୍ତାକାଲି ଅପରାହ୍ନ ୫ଟାରେ ଦଳର କୋର କମିଟିର ଏକ ଜରୁରୀ ବୈଠକ ଡାକିଥିବା ସୂଚନା ମିଳିଛି ।

Naveen Patanaik