Advertisment

Nuapada Roadshow: ନୂଆପଡ଼ାରେ ଦମ୍ ଦେଖାଇଲେ ସନ୍ତୃପ୍ତ ମିଶ୍ର, ନବୀନଙ୍କ ବସରେ ବୁଲିଲେ, ହାକିମାତି ବି କଲେ

ନବୀନଙ୍କ ଦ୍ୱିତୀୟ ପର୍ଯ୍ୟାୟ ନୂଆପଡ଼ା ଗସ୍ତବେଳେ ତାଙ୍କ ସହ ଛାଇଭଳି ରହିବା ଓ ରୋଡ୍ ଶୋ’ବେଳେ ବସରେ ବୁଲିବାକୁ ଅନେକ ନେତା ନାପସନ୍ଦ କରୁଥିବାବେଳେ ଏହା ପାଣ୍ଡିଆନଙ୍କ ପ୍ରସ୍ତୁତ ସ୍କ୍ରିପ୍ଟର ଅଂଶବିଶେଷ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

author-image
Odisha Reporter
Santrupta-Mishra-001

Santrupta Mishra is in Nuapada, actively engaged with party leaders

ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେବାକୁ ଥିବାବେଳେ ସେଠାରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହେବାରେ ଲାଗିଛି । ଦଳର ଶତାଧିକ ଆଗଧାଡ଼ିର ନେତା ନୂଆପଡ଼ାରେ ଡେରା ପକାଇ ନିଜ ଖର୍ଚ୍ଚରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିଲେ ମଧ୍ୟ ଗୋଟିଏ ଗୋଷ୍ଠୀ ହିଁ ଦଳୀୟ ପାଣ୍ଠିକୁ ନିୟନ୍ତ୍ରଣ କରିବାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଉ ଏଭଳି ସ୍ଥିତିରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ସନ୍ତୃପ୍ତ ମିଶ୍ରଙ୍କ ନୂଆପଡ଼ାରେ ଦଳୀୟ ନେତାମାନଙ୍କୁ ହାକିମାତିକୁ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ୭ତାରିଖରେ ନବୀନଙ୍କ ରୋଡ୍ ଶୋ’ବେଳେ ଦଳୀୟ ପ୍ରାର୍ଥୀ ଓ ବରିଷ୍ଠ ନେତାମାନଙ୍କୁ ପଛରେ ପକାଇ ସନ୍ତୃପ୍ତ ନିଜର ପତିଆରା ଜାହିର କରିଛନ୍ତି । ଏପରିକି ନବୀନଙ୍କ ଦ୍ୱିତୀୟ ପର୍ଯ୍ୟାୟ ନୂଆପଡ଼ା ଗସ୍ତବେଳେ ତାଙ୍କ ସହ ଛାଇଭଳି ରହିବା ଓ ରୋଡ୍ ଶୋ’ବେଳେ ବସରେ ବୁଲିବାକୁ ଅନେକ ନେତା ନାପସନ୍ଦ କରୁଥିବାବେଳେ ଏହା ପାଣ୍ଡିଆନଙ୍କ ପ୍ରସ୍ତୁତ ସ୍କ୍ରିପ୍ଟର ଅଂଶବିଶେଷ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

Advertisment


ନୂଆପଡ଼ାରେ ପାଣ୍ଡିଆନଙ୍କ ଖାସ୍ ସନ୍ତୃପ୍ତଙ୍କ ହାକିମାତି


ସାଧାରଣ ନିର୍ବାଚନ ପୂର୍ବରୁ କର୍ପୋରେଟ ଚାକିରି ଛାଡ଼ି ବିଜେଡି(Biju Janata Dal)ରେ ମିଶିଥିବା ସନ୍ତୃପ୍ତ ମିଶ୍ର ଦଳରେ ହାକିମାତି ଜାହିର କରିବାରେ ଲାଗିଥିବା ଜଣାପଡ଼ିଛି । ନବୀନଙ୍କ ଗସ୍ତର ଠିକ୍ ପୂର୍ବରୁ ୬ତାରିଖରେ ସନ୍ତୃପ୍ତ ନୂଆପଡ଼ା ଯାଇ ସେଠାରେ ଉପନିର୍ବାଚନ ପରିଚାଳନାର ତଦାରଖ କରିଥିବା ସୂଚନା ମିଳିଛି । ଉପନିର୍ବାଚନ ପାଇଁ ଦୀର୍ଘ ପ୍ରାୟ ୨୦ଦିନରୁ ଅଧିକ ସମୟ ଧରି ଡେରା ପକାଇଥିବା ବିଜେଡିର ଆଗଧାଡ଼ିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କଠୁ ଆରମ୍ଭ କରି ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ନେତାମାନେ ମଧ୍ୟ ମେରୁଦଣ୍ଡବିହୀନ ଭଳି ସନ୍ତୃପ୍ତଙ୍କୁ ନିର୍ବାଚନୀ ପରିଚାଳନାର ଅପଡେଟ୍ ଦେଇଥିବା ଜଣାପଡ଼ିଛି ।


 ଚର୍ଚ୍ଚା ହେଉଛି, ପାଣ୍ଡିଆନଙ୍କ ଖାସ୍ ପ୍ରତିନିଧି ଭାବେ ସନ୍ତୃପ୍ତ ନୂଆପଡ଼ା ଗସ୍ତରେ ଯାଇଥିବାରୁ ଦଳୀୟ ନେତାମାନେ ତାଙ୍କର ହାକିମାତିକୁ ଗ୍ରହଣ କରିବାକୁ ଏକରକମ ବାଧ୍ୟ ହୋଇଛନ୍ତି । ପାଣ୍ଡିଆନ ନିଜେ ଆଗକୁ ଆସୁନଥିଲେ ମଧ୍ୟ ସନ୍ତୃପ୍ତଙ୍କ ମାଧ୍ୟମରେ  ନିଜର ରଣନୀତିକୁ କାର୍ଯ୍ୟକାରୀ କରାଉଛନ୍ତି ।

Advertisment


ବିଜେଡିର ନୂଆ କ୍ଷମତାକେନ୍ଦ୍ର ପାଲଟୁଛନ୍ତି ସନ୍ତୃପ୍ତ


ନୂଆପଡ଼ା ଉପନିର୍ବାଚନ ପରିଚାଳନାରେ ବିଗତ ଦୁଇଦିନ ଧରି ସନ୍ତୃପ୍ତ ଯେଭଳି ଢଙ୍ଗରେ ଆଭିମୁଖ୍ୟ ପୋଷଣ କରୁଛନ୍ତି ଓ ବରିଷ୍ଠ ନେତାମାନଙ୍କୁ ଚେକ୍ ଦେଉଛନ୍ତି ତାହା ବିଜେଡିରେ ଆଉ ଏକ ନୂଆ କ୍ଷମତାକେନ୍ଦ୍ର ସୃଷ୍ଟିର ଆଭାସ ଦେଉଥିବା ଦଳୀୟ ମହଲରେ ଚର୍ଚ୍ଚା । ପାଣ୍ଡିଆନ(Vk Pandian)ଙ୍କ ଖାସ୍ ଭାବେ ସେ ମଧ୍ୟ ପରିଚିତ । ପୂର୍ବରୁ ପାଣ୍ଡିଆନଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ସହ ତୁଳନା କରି ନିଜର ଆନୁଗତ୍ୟ ଦେଖାଇ ସାରିଛନ୍ତି । ନବୀନଙ୍କ ନୂଆଦିଲ୍ଲୀ ଗସ୍ତବେଳେ ହେଉ ଅବା ମୁମ୍ବାଇରେ ଅସ୍ତ୍ରୋପଚାର-ଉଭୟ ସ୍ଥାନରେ ସନ୍ତୃପ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତାଙ୍କୁ ନେଇ ଦଳ ଭିତରେ ଆକ୍ରୋଶ ଥିବାରୁ ସନ୍ତୃପ୍ତଙ୍କୁ ଅଧିକ କ୍ଷମତାଶାଳୀ କରାଇବାର ରଣନୀତିକୁ ବେଶ୍ ସୁଚିନ୍ତିତ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଥିବା ଜଣାପଡ଼ିଛି ।


ନେତାଙ୍କୁ ଚକମା ଦେଇ ନବୀନଙ୍କ ବସରେ ବୁଲିଲେ


ନୂଆପଡ଼ାରେ ନବୀନଙ୍କ ରୋଡ୍ ଶୋ’ବେଳେ ବସ ଭିତରେ ସନ୍ତୃପ୍ତ ମିଶ୍ରଙ୍କୁ ଦେଖିବାକୁ ମିଳିଥିଲା । ରୋଡ୍ ଶୋ’ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସନ୍ତୃପ୍ତଙ୍କୁ ଡ୍ରାଇଭରର ପାଖ ସିଟରେ ଆଗରେ ବସି ରହିଥିଲେ । ଦଳର ଶତାଧିକ ବରିଷ୍ଠ ନେତା ସେଠାରେ ଡେରା ପକାଇଥିଲେ ମଧ୍ୟ କାହାରିକୁ ବସ୍ ଭିତରକୁ ଯିବାକୁ ଅନୁମତି ନଥିଲା । ଏପରିକି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ନବୀନଙ୍କ ବସରେ ବସିପାରିନଥିଲେ । ମାତ୍ର ସନ୍ତୃପ୍ତଙ୍କୁ କିଏ ସେହି ଆଗ ସିଟରେ ବସିବାକୁ ଅନୁମତି ଦେଲା ତାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସନ୍ତୃପ୍ତଙ୍କ ପାଖରେ ଦଳୀୟ ପାଣ୍ଠିର ଚାବି ଥିବା ସତ୍ତ୍ୱେ ସେ ନୂଆପଡ଼ାରେ ଭୋଟ୍ ହାତେଇବା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରୁନଥିବା ଅଭିଯୋଗ ହେଉଛି । ଓଲଟା ଦଳର ବରିଷ୍ଠ ନେତାମାନେ କିଏ କ’ଣ କରୁଛି ତା’ର ହିସାବ ନେବାକୁ ପ୍ରୟାସ କରିଥିଲେ ବୋଲି ଚର୍ଚ୍ଚା ।


ରାଜ୍ୟସଭା ଯିବାକୁ ସଜବାଜ ହେଲେଣି ସନ୍ତୃପ୍ତ


ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭାର ୪ଟି ଆସନ ଖାଲି ହେଉଥିବାବେଳେ ବିଜେଡି ଭାଗରେ ନିଶ୍ଚିତ ଗୋଟିଏ ଆସନ ପଡ଼ିବ ବୋଲି କୁହାଯାଉଛି । ଆଉ ସନ୍ତୃପ୍ତ(Santrupt Misra) ବିଜେଡି ଟିକେଟରେ ରାଜ୍ୟସଭା ଯିବେ ବୋଲି ଏବେଠୁ ସଜବାଜ ହେଉଥିବା ଜଣାପଡ଼ିଛି । ସନ୍ତୃପ୍ତଙ୍କୁ ରାଜ୍ୟସଭା ପଠାଇ ପାଣ୍ଡିଆନ ଦଳ ଉପରେ ହାକିମାତି ଲଦି ଦେବାକୁ ପ୍ରୟାସ କରିବା ସହ ସନ୍ତୃପ୍ତଙ୍କୁ ମଧ୍ୟ ଦଳୀୟ ନେତାମାନଙ୍କ ଉପରେ ପତିଆରା ଦେଖାଇବାକୁ ଗ୍ରୀନ୍ ସିଗନାଲ ଦେଇଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ ଖାସ୍ ଅନୁଗତ ହୋଇଥିବାରୁ ସନ୍ତୃପ୍ତଙ୍କୁ ବିଜେଡି ରାଜନୀତିକ ବ୍ୟାପାର କମିଟିର ସଦସ୍ୟ ଭାବେ ସାମିଲ କରାଯାଇଛି । ଏହାସହିତ ନବୀନଙ୍କ ରାଜନୀତିକ ସଚିବ ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି । ଯଦିଓ ବିଗତ ବର୍ଷକ ମଧ୍ୟରେ ଏହି ଦୁଇଟି ଯାକ ଦାୟିତ୍ୱ ତୁଲାଇବାରେ ସେ ଅକ୍ଷମ ଥିବା ଦେଖିବାକୁ ମିଳିଛି । କିନ୍ତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ତାଙ୍କୁ ଦେଇ ପାଣ୍ଡିଆନ ନିଜର ପତିଆରା ଜାହିର କରାଇଛନ୍ତି ।


ନୂଆପଡ଼ା ଫଳାଫଳ ପରେ ବିଦା ହେବେ ସନ୍ତୃପ୍ତ


ଦଳରେ ଯେଭଳି ଢଙ୍ଗରେ ସନ୍ତୃପ୍ତ ନିଜର ହାକିମାତି ଜାହିର କରିବାରେ ଲାଗିଛନ୍ତି ତାକୁ ନେଇ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ବେଶ୍ କ୍ଷୁବ୍ଧ । ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ଦଳର ଏହି ଗୋଷ୍ଠୀ ନବୀନଙ୍କୁ ଭେଟି ସନ୍ତୃପ୍ତଙ୍କୁ ଦଳର ରାଜନୀତିକ ବ୍ୟାପାର କମିଟିରୁ ହଟାଇବାକୁ ଦାବି ରଖିବ ବୋଲି ସୂଚନା ମିଳିଛି । ସନ୍ତୃପ୍ତଙ୍କୁ ଏବେଠୁ ଚେକ୍ ଦେଇ ଦଳରେ ଅଣରାଜନୀତିକ ବ୍ୟକ୍ତିଙ୍କ ହାକିମାତିକୁ ଆଉ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ଓ ଦଳୀୟ ନେତାଙ୍କୁ ରାଜ୍ୟସଭା ପଠାଇବାର ମାର୍ଗ ପ୍ରଶସ୍ତ କରିବାକୁ ଏହି ଗୋଷ୍ଠୀ ଚାହୁଁଥିବା ଚର୍ଚ୍ଚା ହେଉଛି ।

Biju Janata Dal Vk Pandian Santrupt Misra