Advertisment

Nuapada Result ଆସନ୍ତାକାଲି : ଜନାଦେଶ ନୁହେଁ ଯନ୍ତ୍ରାଦେଶ-ବିଜେଡି,  ଆସନ୍ନ ପରାଜୟର ପ୍ରଳାପ-ବିଜେପି

ବିଜେଡିକୁ କେଉଁ କାରଣ ପାଇଁ ଲୋକ ଦୂରେଇଦେଲେ, ତା’ର ଆତ୍ମସମୀକ୍ଷା ନକରି ଏପ୍ରକାର ବିତଣ୍ଡା ଯୁକ୍ତି କରିବାରେ ଲାଗିଛି । ବିଜେଡିକୁ ‘ଓଡ଼ିଶା ରାଜନୀତିର ଏକ ଅସ୍ତଗାମୀ ରାଜନୈତିକ ଦଳ' ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

author-image
Prakash Sethi
BJD-Press-meet

BJD holds press conference at Sankha Bhawan

ନୂଆପଡ଼ା ବିଧାନସଭା ଉପନିର୍ବାଚନ ଭୋଟ୍ ଗଣତି ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ । ୧୪ଟି ଟେବୁଲରେ ୨୬ରାଉଣ୍ଡ ଗଣତି ହେବ । ନୂଆପଡ଼ାର ୨.୧୨ଲକ୍ଷ ଭୋଟରଙ୍କ ଜନାଦେଶ କାହା ସପକ୍ଷରେ ଯାଇଛି ତାହା ଆସନ୍ତାକାଲି ଗଣତିରେ ସ୍ପଷ୍ଟ ହେବ । ମାତ୍ର ଏହାପୂର୍ବରୁ ୩ ପ୍ରମୁଖ ଦଳ ବିଜେପି,ବିଜେଡି ଓ କଂଗ୍ରେସ ନୂଆପଡ଼ା ଆସନ ଜିତିବା ନେଇ ଦମ୍ଭୋକ୍ତି ବାଢ଼ିବାରେ ଲାଗିଛନ୍ତି । ବିଜେଡି ଆଜି ଜିତିବା ବଦଳରେ ଆସନ୍ତାକାଲି ଜନାଦେଶ ନୁହେଁ ଯନ୍ତ୍ରାଦେଶ ଆସିବ ବୋଲି କହିଥିବାବେଳେ ବିଜେପି ଏହାକୁ ଆସନ୍ନ ପରାଜୟର ହତାଶ ପ୍ରଳାପ କହି କଟାକ୍ଷ କରିଛି ।

Advertisment

ଜନାଦେଶ ନୁହେଁ ଯନ୍ତ୍ରାଦେଶ, ୪୧ବୁଥରେ ଭୋଟିଂକୁ ନେଇ ବିଜେଡିର ସନ୍ଦେହ

ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଅଭିଯୋଗ କରିଛନ୍ତି ଯେ, ନୂଆପଡ଼ା(Nuapada by-election)ରେ ଫଳାଫଳ ଜନାଦେଶ ନୁହେଁ ଯନ୍ତ୍ରାଦେଶରେ ଆସିବ । ପ୍ରଶାସନିକ କଳର ଅପବ୍ୟବହାର କରି ନିର୍ବାଚନ ଫଳାଫଳକୁ ପ୍ରଭାବିତ କରାଯାଇଛି । ୪୧ଟି ବୁଥରେ କିଭଳି ୯୧ ପ୍ରତିଶତରୁ ଅଧିକ ଭୋଟ୍ ପଡ଼ିଲା ବୋଲି ସେ ସନ୍ଦେହ ବ୍ୟକ୍ତ କରିବା ସହ ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ, ସନ୍ଧ୍ୟା ୫ଟା ସୁଦ୍ଧା ୭୫% ଭୋଟିଂ ହୋଇଥିବାବେଳେ ପରେ ଏହା ୮୩.୫% ହେଲା । ଭୋଟିଂ ସମୟ ଶେଷ ହେବା ପରେ ପ୍ରାୟ ୮%ରୁ ଅଧିକ ଭୋଟ୍ ପଡ଼ିବା ସନ୍ଦେହଜନକ । ପ୍ରାୟ ୪୧ଟି ବୁଥରେ ୯୧ ପ୍ରତିଶତରୁ ଅଧିକ ଭୋଟିଂ ହେବା 'ଭୋଟ ରିଗିଙ୍ଗ\'ର ସନ୍ଦେହ ସୃଷ୍ଟି କରିଛି । ବିଜେଡି ନିୟମକୁ ସମ୍ମାନ ଜଣାଇ ନିରବ ଅବଧିରେ ନୂଆପଡ଼ା ଛାଡ଼ିଥିଲା, କିନ୍ତୁ ବିଜେପିର ଅନେକ ନେତା ସେଠାରେ ରହି ଭୋଟରଙ୍କୁ ପ୍ରଭାବିତ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ।

Advertisment

ସେହିପରି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ଯେଉଁ ବୁଥ୍ ଗୁଡ଼ିକରେ ୯୦%ରୁ ଅଧିକ ଭୋଟିଂ ହୋଇଛି, ସେଠାର ସିସିଟିଭି ଫୁଟେଜ ପ୍ରଦାନ କରାଯାଉ । ଯେଉଁ ୪୧ଟି ବୁଥରେ ୯୧ ପ୍ରତିଶତରୁ ଅଧିକ ଭୋଟ୍ ହୋଇଛି ସେଠାରେ ଅନିୟମିତତାର ସନ୍ଦେହ କରି ଦଳ ଆଗରୁ ନିର୍ବାଚନ ଅଧିକାରୀଙ୍କୁ ତାଲିକା ଦେଇଥିଲା । କିନ୍ତୁ ସେଥିପ୍ରତି ଦୃଷ୍ଟି ଦିଆଗଲାନାହିଁ । ଇଭିଏମ୍ ମେସିନ୍ ଏକ ଘରୋଇ ଗାଡ଼ିରେ ବୁଲୁଥିବାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଲା । ନିର୍ବାଚନ ଅଧିକାରୀଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ପୁଲିସ ପର୍ଯ୍ୟନ୍ତ ସମସ୍ତେ ବିଜେପିର ଏଜେଂଟ ସାଜି ଦଳକୁ ଜିତାଇବା ପାଇଁ କାମ କରୁଥିଲେ ବୋଲି ବିଜେଡି ଅଭିଯୋଗ କରିଛି ।

ବିଜେପିର ଜବାବ: ଆସନ୍ନ ପରାଜୟକୁ ଦେଖି ପ୍ରଳାପ କରୁଛି ବିଜେଡି

ବିଜେଡିର ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ପାଲଟା ଜବାବ ଦେଇ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ବିଜେପି ଇତିହାସ ରଚିବାକୁ ଯାଉଛି । ଆଉ ବିଜେଡି ଆସନ୍ନ ପରାଜୟର ହତାଶ ହୋଇ ପ୍ରଳାପ ଆରମ୍ଭ କଲାଣି । ନିଜକୁ ଶୃଙ୍ଖଳିତ ଦଳ କହୁଥିବା ବିଜେଡିର ଏଜେଂଟମାନେ ମତଦାନ ସମୟରେ କାହିଁକି ଅଭିଯୋଗ କଲେ ନାହିଁ ଓ ଭୋଟ୍ ଶେଷ ହେବାର ଦୁଇ ଦିନ ପରେ ଭୁବନେଶ୍ୱରରେ ବସି କାହିଁକି ମିଥ୍ୟା ଆରୋପ ଲଗାଉଛନ୍ତି । ଭୋଟ୍ ପ୍ରତିଶତ ଉପରେ ପ୍ରଶ୍ନ ଉଠାଇ ବିଜେଡି ସିଧାଳସଖ ନୂଆପଡ଼ାବାସୀଙ୍କୁ ଅପମାନିତ କରିଛି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ନୂଆପଡ଼ାବାସୀଙ୍କ ଭଲପାଇବାକୁ ବିଜେଡି ସହ୍ୟ କରିପାରୁ ନାହିଁ ।

 ବିଜେଡି ନେତାମାନେ ପୂର୍ବରୁ ଗଞ୍ଜାମରୁ ଟ୍ରକ୍ ଇଭିଏମ୍ ଆସିବା କଥା ଓ ଏଡିଟ୍ ହୋଇଥିବା ଫଟୋ ପୋଷ୍ଟ କରି ମିଥ୍ୟା ଆରୋପ ଲଗାଇଥିଲେ । ଏବେ ଅନୁରୂପ ଅଭିଯୋଗ ସମ୍ପୂର୍ଣ୍ଣର୍ କପୋଳକଳ୍ପିତ ଓ ଭିତ୍ତିହୀନ । ବିଜେଡିକୁ କେଉଁ କାରଣ ପାଇଁ ଲୋକ ଦୂରେଇଦେଲେ, ତା’ର ଆତ୍ମସମୀକ୍ଷା ନକରି ଏପ୍ରକାର ବିତଣ୍ଡା ଯୁକ୍ତି କରିବାରେ ଲାଗିଛି । ଶ୍ରୀ ତ୍ରିପାଠୀ ବିଜେଡିକୁ ‘ଓଡ଼ିଶା ରାଜନୀତିର ଏକ ଅସ୍ତଗାମୀ ରାଜନୈତିକ ଦଳ' ବୋଲି କହିଛନ୍ତି ।

ନିର୍ବାଚନ ଫଳାଫଳ(Result) ଆସିବା ପୂର୍ବରୁ ଦୁଇ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି ।

Result Nuapada by-election