Advertisment

୩ ଦିନ ଧରି ଅଚଳାବସ୍ଥା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବି ଜିଦ ଧରିବସିଛି ଓଏଏସ୍ ସଂଘ,  ଆକ୍ସନମୋଡ଼କୁ ସରକାର ଆସିବେ କେବେ?

ଏହି ଆନ୍ଦୋଳନର ସମାଧାନ ପାଇଁ ବରିଷ୍ଠ ପ୍ରଶାସନିକ ଅଫିସରମାନେ ନିଜଆଡ଼ୁ ପ୍ରୟାସ କରିବାର ଆବଶ୍ୟକତା ରହିଛି । ବିଶେଷକରି ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ନିଜସ୍ତରରେ ଏହି ଆନ୍ଦୋଳନର ସମାଧାନ ପାଇଁ ପ୍ରୟାସ କରି ଏହି ଅଚଳାବସ୍ଥାକୁ ଦୂର କରିପାରନ୍ତେ। ମାତ୍ର ରାଜ୍ୟ ସରକାରଙ୍କ ଏହି ଶୀର୍ଷସ୍ତରର ୩ ଅଫିସରଙ୍କର ସିଧାସଳଖ ନିୟନ୍ତ୍ରଣ ହେଉ ଅବା ସେମାନଙ୍କର ପ୍ରଭାବ ଓଏଏସ ସଂଘର କର୍ମକର୍ତ୍ତାଙ୍କ ଉପରେ ନାହିଁ ବୋଲି ଜଣାପଡ଼ିଛି । ଯେଉଁଥିପାଇଁ ସଂଘର କର୍ମକର୍ତ୍ତାମାନେ ଏହି ବରିଷ୍ଠ ଅଫିସରଙ୍କୁ ଭରସାକୁ ନେଇପାରୁନାହାନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
CM Mohan Charan Majhi

CM Mohan Charan Majhi

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ରାଜ୍ୟରେ ପ୍ରଶାସନିକ ସଙ୍କଟ ସୃଷ୍ଟି ହୋଇଛି । ଓଡ଼ିଶା ପ୍ରଶାସନିକ ସେବାର ଅଫିସରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ବ୍ଲକଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ୩ଦିନ ଧରି ଅଚଳାବସ୍ଥା ଜାରି ରହିଛି । ପ୍ରଥମଦିନରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ଓ ସମସ୍ତ ୫ଜଣ ଆକ୍ରମଣକାରୀଙ୍କୁ ଗିରଫ ପରେ ମଧ୍ୟ ଓଏଏସ୍ ସଂଘ ଜିଦରେ ଅଟଳ ରହି କାର୍ଯ୍ୟବନ୍ଦ କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପଟେ ରାଜ୍ୟ ସରକାରଙ୍କ ନରମ ଆଭିମୁଖ୍ୟ ମଧ୍ୟରେ ଘଟଣାର ରାଜନୀତିକରଣ କରାଯିବା ମଧ୍ୟ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ ପ୍ରଶାସନିକ ନିୟନ୍ତ୍ରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଲୋଚନା ଓ ବୁଝାସୁଝା ପରେ ମଧ୍ୟ ଯଦି ଓଏଏସ୍ ସଂଘ ନିଜର ଜିଦରେ ଅଟଳ ରହିଛି ତା’ହେଲେ ସାଧାରଣ ଜନତାଙ୍କ ସ୍ୱାର୍ଥ ଓ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର କାହିଁକି କଠୋର ପଦକ୍ଷେପ ଗ୍ରହଣ କରୁନାହାନ୍ତି ଓ ଏଥିରେ କ’ଣ ପ୍ରତିବନ୍ଧକ ରହିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଓଏଏସ୍ ସଂଘର ୩ଦଫା ଦାବି ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

ବିଏମସି ଅତିରିକ୍ତ କମିଶନର ଶ୍ରୀ ସାହୁଙ୍କୁ ଆକ୍ରମଣ ଘଟଣା ପରେ ଓଏଏସ୍ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ତ୍ୱରିତ୍ ପଦକ୍ଷେପ ନେଇଥିଲା । ସଂଘର ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ଡାକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ଆଲୋଚନା କରିବା ସହ ଆନ୍ଦୋଳନ ଭଳି ନିଷ୍ପତ୍ତିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ । ଏହାସହିତ ଘଟଣାରେ ଦୋଷୀ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଉଭୟ ଆଇଏଏସ୍ ସଂଘ ଓ ଓଏଏସ୍ ସଂଘ ମିଳିତ ଭାବେ ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ  ସହ ଆଲୋଚନା ପରେ  ଆନ୍ଦୋଳନ ନକରିବାକୁ ନିଷ୍ପତ୍ତି ନେଇ ସଂଘ ପକ୍ଷରୁ ଗଣମାଧ୍ୟମକୁ ପ୍ରେସ୍ ରିଲିଜ୍ ଜାରି କରାଗଲା । କିନ୍ତୁ ସଂଘର ଏହି ନିଷ୍ପତ୍ତିକୁ ଜିଲ୍ଲା ସଂଘମାନେ ଗ୍ରହଣ କଲେନି ଓ ଏକତରଫା ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କଲେ । ପ୍ରାୟ ୨୬ଟି ଜିଲ୍ଲା ସଂଘ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବାପରେ ଓଏଏସ୍ ସଂଘ ପୁଣିଥରେ ଏକ ଜରୁରୀ ବୈଠକ ଡାକି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ପୂରଣ ପାଇଁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଦାବିପତ୍ର ପ୍ରଦାନ କଲା । ଏଥିରେ ମୁଖ୍ୟ ଅଭିଯୁକ୍ତ କିଙ୍ଗପିନ୍ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ, କାର୍ଯ୍ୟସ୍ଥଳରେ ଅଫିସରମାନଙ୍କୁ ସୁରକ୍ଷା ଓ ଆକ୍ରମଣ ଘଟଣାକୁ ସାର୍ବଜନୀନ ଭାବେ ସରକାର ନିନ୍ଦା କରିବା  ପାଇଁ ନିଃସର୍ତ୍ତ ଦାବି ଜଣାଇଲା । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଓଏଏସ୍ ସଂଘ କିଭଳି ଓ କେଉଁ ତଥ୍ୟପ୍ରମାଣ ଆଧାରରେ ଜଣେ ରାଜନୀତିକ ବ୍ୟକ୍ତି ଶ୍ର୍ରୀ ପ୍ରଧାନଙ୍କୁ ‘ମୁଖ୍ୟ ଅଭିଯୁକ୍ତ ଓ କିଙ୍ଗପିନ୍ ’ ବୋଲି ଦର୍ଶାଇଛି, ତାହା ସ୍ପଷ୍ଟ କରିବା ଦରକାର । ତା’ଛଡ଼ା ସଂଘ ତା’ର ସମସ୍ତ ୩ ଦଫା ଦାବିକୁ ବିନା ଆଲୋଚନାରେ ନିଃସର୍ତ୍ତ ମାନିନେବାକୁ ଦେଇଥିବା ଦାବିପତ୍ରରେ ଏକପ୍ରକାର ବ୍ଲାକମେଲ୍ ପାଇଁ ପ୍ରୟାସ କରିବାକୁ ପଛାଇ ନାହିଁ । ଯଦି ସଂଘର କର୍ମକର୍ତ୍ତାମାନଙ୍କ ପାଖରେ ଶ୍ରୀ ପ୍ରଧାନଙ୍କ ସମ୍ପୃକ୍ତିକୁ ନେଇ କୌଣସି ତଥ୍ୟପ୍ରମାଣ ରହିଛି ତାକୁ ଗଣମାଧ୍ୟମ କିମ୍ବା ପୁଲିସକୁ ହସ୍ତାନ୍ତର କରିବାରେ ସମସ୍ୟା କେଉଁଠି ବୋଲି ପ୍ରଶ୍ନ ଉଠିଛି । ସେଭଳି ନକରି ଓଏଏସ୍ ଅଫିସରମାନେ କାର୍ଯ୍ୟବନ୍ଦ କରିବା ସିଧାସଳଖ ସରକାରଙ୍କୁ ନାଲିଆଖି ଦେଖାଇବା ସଦୃଶ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଘଟଣାର ରାଜନୀତିକରଣ ଓ ସଂଘର ବୟାନ

ଏହି ଆକ୍ରମଣ ଘଟଣାକୁ ନେଇ ବିଜେଡି ଆରମ୍ଭରୁ ସକ୍ରିୟ ଥିବାବେଳେ ଏବେ ପରଦା ପଛରେ ରହି ଓଏଏସ୍ ସଂଘର ଆନ୍ଦୋଳନରେ ‘ଘିଅ’ ଢ଼ାଳୁଛି ବୋଲି ଚର୍ଚ୍ଚା ହେଉଛି । ବିଜେପି ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଏହି ଆନ୍ଦୋଳନ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଏହାପଛରେ ବିଜେଡିର ହାତ ଥିବା ସିଧାସଳଖ ଅଭିଯୋଗ କରିଛନ୍ତି । ବିଜେଡି ପ୍ରରୋଚନାରେ ସରକାରଙ୍କ ମୁଣ୍ଡ ତଳକୁ କରିବାକୁ ସଂଘର କିଛି ପୁରୁଣା କର୍ମକର୍ତ୍ତାଙ୍କୁ ଧରି ଏହି ଆନ୍ଦୋଳନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି ଯେ, “୩ଦିନ ମଧ୍ୟରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଅନୁରୋଧ କରିଥିଲୁ । ସଂଘ ଯେଉଁ ୩ଦଫା ଦାବି ଦେଇଛି ସରକାର ତାକୁ ଯଦି ସ୍ୱୀକାର କରିନେବେ ତା’ହେଲେ ଆମେ ଘଣ୍ଟାଏ ମଧ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯିବୁ ।” ସେପଟେ ବିଜେପି ମଧ୍ୟ ଏହି ଘଟଣାରେ ବେଶ୍ ମାପିଚୁପି  ଆଗକୁ ବଢ଼ୁଛି । ଗତକାଲି ବିଜେପି ନେତା ଜଗନ୍ନାଥ ପ୍ରଧାନ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ଦୁଇଘଣ୍ଟା ରହି ନିଜର ପକ୍ଷ ରଖି ସାରିଛନ୍ତି ।

Advertisment

କାହିଁକି ବାହାରି ପାରୁନି ସମାଧାନର ସୂତ୍ର

ଓଡ଼ିଶା ପ୍ରଶାସନିକ ସେବାର ଅଫିସରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ୩ଦିନ ପୂରିଲାଣି । ତଥାପି କାହିଁକି ସମାଧାନ ସୂତ୍ର ବାହାରି ପାରୁନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀ ନିଜେ ପ୍ରଥମଦିନରୁ ଘଟଣାରେ ହସ୍ତକ୍ଷେପ କରିବା ସହ ତାଙ୍କ ନିର୍ଦ୍ଦେଶରେ ସମସ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ଜେଲ ପଠାଇଥିବା ସତ୍ତ୍ୱେ ଓଏଏସ୍ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ପଛାଇନାହିଁ । ଏହି ଆନ୍ଦୋଳନର ସମାଧାନ ପାଇଁ ବରିଷ୍ଠ ପ୍ରଶାସନିକ ଅଫିସରମାନେ ନିଜଆଡ଼ୁ ପ୍ରୟାସ କରିବାର ଆବଶ୍ୟକତା ରହିଛି । ବିଶେଷକରି ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ନିଜସ୍ତରରେ ଏହି ଆନ୍ଦୋଳନର ସମାଧାନ ପାଇଁ ପ୍ରୟାସ କରି ଏହି ଅଚଳାବସ୍ଥାକୁ ଦୂର କରିପାରନ୍ତେ । ମାତ୍ର ରାଜ୍ୟ ସରକାରଙ୍କ ଏହି ଶୀର୍ଷସ୍ତରର ୩ ଅଫିସରଙ୍କର ସିଧାସଳଖ ନିୟନ୍ତ୍ରଣ ହେଉ ଅବା ସେମାନଙ୍କର ପ୍ରଭାବ ଓଏଏସ ସଂଘର କର୍ମକର୍ତ୍ତାଙ୍କ ଉପରେ ନାହିଁ ବୋଲି ଜଣାପଡ଼ିଛି । ଯେଉଁଥିପାଇଁ ସଂଘର କର୍ମକର୍ତ୍ତାମାନେ ଏହି ବରିଷ୍ଠ ଅଫିସରଙ୍କୁ ଭରସାକୁ ନେଇପାରୁନାହାନ୍ତି । ଅବଶ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଅଫିସରମାନଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିବାକୁ ପରାମର୍ଶ ଦେଇଛନ୍ତି । ସବୁ ସମସ୍ୟାର ସମଧାନ ପାଇଁ ସରକାରଙ୍କ ୧,୨,୩ ନମ୍ବର ପ୍ଲାନ୍ ଥାଏ । ସରକାରଙ୍କ ଉପରେ ଭରସା ରଖନ୍ତୁ ବୋଲି ଆହ୍ୱାନ ଦେବା ସହ ଆଇନକୁ ତା’ବାଟରେ ଯିବାକୁ ଦିଅନ୍ତୁ ବୋଲି କହିଛନ୍ତି । ମାତ୍ର ଓଏଏସ୍ ସଂଘରେ ଥିବା କିଛି ଆଗଧାଡ଼ିର କର୍ମକର୍ତ୍ତାଙ୍କର ବିଜେଡି ସହ ରହିଥିବା ଭିତରି ସମ୍ପର୍କ ଏହି ଅଚଳାବସ୍ଥାକୁ ଜାରି ରଖିଥିବା ଚର୍ଚ୍ଚା ହେଉଛି ।

ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ କେବେ

ରାଜ୍ୟରେ ପ୍ରଶାସନିକ ସେବାର ଅଫିସରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ବିଗତ ୩ଦିନ ଧରି ସାଧାରଣ ଲୋକଙ୍କୁ ବ୍ଲକ,ତହସିଲଠୁ ଆରମ୍ଭ କରି ରାଜ୍ୟସ୍ତରର ଅଫିସଗୁଡ଼ିକରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଓଏଏସ୍ ସଂଘର ବ୍ଲାକମେଲ୍ ଆଗରେ ମୁଣ୍ଡ ନୁଆଁଇ ସରକାର ଏହି ସମସ୍ୟାର ସମାଧାନ କରନ୍ତୁ ନଚେତ୍ ‘ଏସମା’ ଲଗାଇ ଅଫିସରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

ଅନ୍ୟପକ୍ଷରେ ସରକାରଙ୍କ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବା ସ୍ଥିତିରେ ନଥିବା ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ସହଦେବ ସାହୁ ଆଶଙ୍କା ବ୍ୟକ୍ତ କରିଛି । ଶ୍ରୀ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ସରକାର ଚାହିଁଲେ ଅଫିସର ଗିରଫ ହୋଇଯିବେ ଓ ସରକାର ଚାହିଁଲେ ଓଏଏସ୍ ସଂଘର ସମୂହ ଛୁଟିକୁ ବେଆଇନ ଘୋଷଣା କରିପାରିବେ । ଏସମା ଲାଗୁ କରି ଆନ୍ଦୋଳନକୁ ବେଆଇନ ଘୋଷଣା କରିପାରିବେ । ଏହାଦ୍ୱାରା ଯିଏ କାମରେ ଯୋଗଦେବେ ନାହିଁ ତାଙ୍କୁ ସରକାର ଗିରଫ କରିବାର ସୁଯୋଗ ରହିବ । କିନ୍ତୁ ମୁଁ ଭାବୁଛି ସରକାର ଏମିତି କରିବେ ନାହିଁ ।”

CM Mohan Charan Majhi