Advertisment

ବିଜେଡିର ମାଷ୍ଟରଷ୍ଟ୍ରୋକ୍‌: ଜୁଲାଇ ୧୨ ସୁଦ୍ଧା ସରିବ ରାଜ୍ୟରେ ଓବିସି ସର୍ଭେ

ରାଜ୍ୟର ପ୍ରାୟ ୫୪ ପ୍ରତିଶତ ଲୋକ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ହୋଇଥିବାରୁ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଏହି ସର୍ଭେ ଶେଷ କରାଇ ଓବିସି ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ଶାସକ ବିଜେଡିର ଏହା ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି ।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ମଧ୍ୟରେ କ୍ଷମତାସୀନ ବିଜେଡି ସରକାର ଗତ ୨୦୨୧ ମେ’ ମାସରୁ ସ୍ଥଗିତ ଥିବା ଓବିସି ସର୍ଭେକୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ଜୁଲାଇ ୧୨ତାରିଖ ସୁଦ୍ଧା ରାଜ୍ୟରେ ଓବିସି ଗଣନାର ସମସ୍ତ ପ୍ରକ୍ରିୟା ଶେଷ ହେବ । ରାଜ୍ୟର ପ୍ରାୟ ୫୪ ପ୍ରତିଶତ ଲୋକ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ହୋଇଥିବାରୁ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଏହି ସର୍ଭେ ଶେଷ କରାଇ ଓବିସି ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ଶାସକ ବିଜେଡିର ଏହା ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୩୦ଟି ଜିଲ୍ଲାର ୩୧୪ ବ୍ଲକ ଓ ୧୧୪ଟି ପୌରାଂଚଳ(ମହାନଗର ନିଗମ ସମେତ)ରେ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଅର୍ଥନୀତିକ ସ୍ଥିତି ଜାଣିବା ପାଇଁ ସର୍ଭେ ଆରମ୍ଭ ହେବ । ଏହି ସମସ୍ତ ଗଣନା ପ୍ରକ୍ରିୟା ଚଳିତବର୍ଷ ଜୁଲାଇ ୧୨ତାରିଖ ସୁଦ୍ଧା ନିଶ୍ଚିତ ଭାବେ ଶେଷ ହେବ । ଏଥିପାଇଁ ରାଜ୍ୟ ଓବିସି କମିଶନଙ୍କ ସଦସ୍ୟ ସଚିବ ଭି ଭି ଯାଦବ ଗତ ୨୪ତାରିଖରେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଓ ଗାଇଡଲାଇନ୍ ଜାରି କରିଛନ୍ତି । ଏହାସହିତ ୬ଜଣ ଅତିରିକ୍ତ ସଚିବ ପାହ୍ୟାର ଅଫିସରଙ୍କୁ ୩୦ଟି ଜିଲ୍ଲାର ଜୋନାଲ ଅଫିସର ଦାୟିତ୍ୱ ନ୍ୟସ୍ତ ହୋଇଛି । ଆଜି ନିର୍ବାଚନ ଓ ଜନଗଣନାରେ ଅଭିଜ୍ଞତା ଥିବା ବରିଷ୍ଠ ଓଏଏସ୍ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ଆସନ୍ତା ସପ୍ତାହରେ ବ୍ଲକସ୍ତରରେ ସୁପରଭାଇଜର ଓ ଗଣନାକାରୀଙ୍କ ପାଇଁ ବିଡିଓ ଓ ତହସିଲଦାରଙ୍କ ଦ୍ୱାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ପଂଚାୟତରେ ଅଙ୍ଗନବାଡ଼ି କର୍ମୀ ଓ ସହରାଂଚଳରେ ୱାର୍ଡ ଅଫିସର, ଟ୍ୟାକ୍ସ କଲେକ୍ଟର ଆଦିମାନେ ଗଣନାକାରୀ କାର୍ଯ୍ୟ ତୁଲାଇବେ । ସେହିପରି ପ୍ରତ୍ୟେକ ୧୦ଜଣ ଗଣନାକାରୀଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏଁ ସୁପରଭାଇଜର(ପଂଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନବାଡ଼ି ସୁପରଭାଇଜର, ମାର୍କେଟିଂ ଇନ୍ସପେକ୍ଟର, ସହରାଂଚଳର ଜୋନାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି ।

ଚିହ୍ନଟ ହୋଇଥିବା ପ୍ରାଥମିକ ସ୍କୁଲ, ସରକାରୀ ଅନୁଷ୍ଠାନ, ସୁଲଭ ବିକ୍ରୟ କେନ୍ଦ୍ର ଆଦିରେ ଏହି ସର୍ଭେ କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ ସର୍ଭେ କେନ୍ଦ୍ରରେ ୨ରୁ ୫ଜଣ ଲେଖାଏଁ ଗଣନାକାରୀ ରହିବେ । ଘରୋଇ ଡିଲର ଯେଉଁଠି ଥିବେ ସେହି କେନ୍ଦ୍ରରେ ଜଣେ ଲେଖାଏଁ ଗଣନାକାରୀ ରହିବେ । ନିର୍ଦ୍ଧାରିତ ଅବଧି ମଧ୍ୟରେ ଗଣନା କାର୍ଯ୍ୟ ନିର୍ଦ୍ଦିଷ୍ଟ ଫର୍ମାଟ (ଆଇସିଆର ଫର୍ମ)ରେ କରାଯିବ । ଏଥିପାଇଁ ପରିବାରର ମୁଖିଆଙ୍କ ପରିଚୟ ପ୍ରମାଣପତ୍ରରୁ ଗୋଟିଏ (ଆଧାର କାର୍ଡ, ଭୋଟର କାର୍ଡ, ପ୍ୟାନ କାର୍ଡ ଅବା ପାସପୋର୍ଟ) ରହିବା ଜରୁରୀ । ଏହି ସର୍ଭେ ସଂକ୍ରାନ୍ତ ତଥ୍ୟ ମଧ୍ୟ ଉଭୟ ଡିଜିଟାଲ ଓ ସାଧାରଣ ଫର୍ମରେ ପୂରଣ ହେବ । ଏହି ସର୍ଭେ ପ୍ରକ୍ର୍ରିୟା ଯେଭଳି ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ ହେବ ତାହା ଜିଲ୍ଲାପାଳ ଓ ମହାନଗର କମିଶନରମାନେ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବା ସହ ସୁନିଶ୍ଚିତ କରିବେ । ଏପ୍ରିଲ-ମେ’ ମାସରେ ଏହି ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧୨ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଚଳିତବର୍ଷ ଜାନୁୟାରୀ ୨୫ତାରିଖରେ ରାଜ୍ୟ ମୁଖ୍ୟ ସଚିବ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଏହି ଓବିସି ସର୍ଭେ ପ୍ରକ୍ରିୟାକୁ କିଭଳି ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

Advertisment

ଉଲ୍ଲେଖଯୋଗ୍ୟ,ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ଆକଳନ ନିମନ୍ତେ ସର୍ଭେ କରାଇବା ପାଇଁ ରାଜ୍ୟ ଓବିସି କମିଶନଙ୍କୁ ଗତ ୨୦୨୧ ଫେବୃୟାରୀ ୨୬ତାରିଖରେ ରାଜ୍ୟ ସରକାର ଅନୁମତି ଦେଇଥିଲେ । ୨୦୨୧ ମେ’ ମାସରୁ ଓବିସି ଗଣନା ଆରମ୍ଭ ପାଇଁ ମଧ୍ୟ କମିଶନ ପ୍ରସ୍ତୁତି କରି ସାରିଥିଲେ । କିନ୍ତୁ କୋଭିଡ୍ ମହାମାରୀ ଯୋଗୁ ଏହି ସର୍ଭେକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଓବିସି ବର୍ଗର ଭୋଟରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କ୍ଷମତାସୀନ ବିଜେଡି ସରକାର ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୭ପ୍ରତିଶତ ସଂରକ୍ଷଣ ଧାର୍ଯ୍ୟ କରିଥିଲେ । କିନ୍ତୁ ହାଇକୋର୍ଟ ଏହି ସଂରକ୍ଷଣକୁ ରଦ୍ଦ କରିଥିଲେ ମଧ୍ୟ ବିଜେଡି ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ଓବିସି କାର୍ଡ ଖେଳି ସଫଳତା ହାସଲ କରିଥିଲା । ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ଆଉ ମାତ୍ର ୧୧ମାସ ଥିବାବେଳେ ଶାସକ ବିଜେଡି ପୁଣିଥରେ ଓବିସି କାର୍ଡ ଖେଳି ରାଜ୍ୟର ଏହି ବୃହତ ଭାଗ ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏବେ ଓବିସି ବର୍ଗର ପିଲାମାନଙ୍କୁ ସରକାରୀ ନିଯୁକ୍ତିରେ ମାତ୍ର ୧୧.୨୫% ସଂରକ୍ଷଣ ମିଳୁଛି ।

ସୂଚନାଯୋଗ୍ୟ, ୧୯୫୧ ମସିହାରୁ କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ତଥ୍ୟ ଜାରି କରୁଥିଲେ ମଧ୍ୟ ଓବିସି ଓ ଅନ୍ୟ ଜାତିର କେତେ ଲୋକ ରହୁଛନ୍ତି ତା’ର ତଥ୍ୟ ଜାରି ହେଉନାହିଁ । ଗତ ଜାନୁୟାରୀ ମାସରେ ବିହାର ସରକାର ଓବିସି ବର୍ଗର ଲୋକଙ୍କ ସାମାଜିକ ଓ ଅର୍ଥନୀତିକ ସ୍ଥିତି ଆକଳନ ସହ ସେମାନଙ୍କ ସଂଖ୍ୟା ଜାଣିବା ପାଇଁ ରାଜ୍ୟରେ ଜାତି ଗଣନା ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଓଡ଼ିଶା ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି । ରାଜ୍ୟର ବିଜେଡି ସରକାରଙ୍କ ଏଭଳି ପଦକ୍ଷେପ ଓବିସି ଭୋଟରଙ୍କୁ ତୁଷ୍ଟୀକରଣ ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅବଶ୍ୟ ଗତମାସରେ ରାଜ୍ୟ ବିଜେପି ପକ୍ଷରୁ ତୁରନ୍ତ ଓବିସି ସର୍ଭେ କରିବା ନିମନ୍ତେ କମିଶନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଯଦି ସରକାର ତୁରନ୍ତ ଏହି ସର୍ଭେ ନକରିବେ,ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଥିଲେ ।

ଭୁବନେଶ୍ୱରରୁ ପ୍ରକାଶ ସେଠୀଙ୍କ ରିପୋର୍ଟ 

BjD Naveen Patnaik Cmo Of Odisha OBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe