Advertisment

କିଟ୍‌ ଓ କିସ୍‌ରେ ମାଳମାଳ ଆଇଏଏସ୍, ଆଇପିଏସଙ୍କୁ ଚାକିରି!

କେରଳ କ୍ୟାଡରର ଆଇପିଏସ ଅଫିସର ଥିବା କାହ୍ନୁଚରଣ ମହାଲି ଏବେ କିସର ମହାନିର୍ଦ୍ଦେଶକ ଅଛନ୍ତି। ବର୍ତ୍ତମାନ କିଟ ବିଶ୍ୱବିଦ୍ୟାଳୟର ଚିଫ୍ ପ୍ରୋକଟର ବା ମୁଖ୍ୟ ଶୃଙ୍ଖଳାରକ୍ଷାକାରୀ ଅଫିସର ଥିବା ପ୍ରଦୀପ ପଟ୍ଟନାୟକ ପୂର୍ବରୁ ଭୁବନେଶ୍ୱର କମିଶନରରେଟ ପୁଲିସରେ ଆଡିସନାଲ ଡିସିପି ଥିଲେ।

ଅଦ୍ୟତନ ହୋଇଛି
KIIT

KIIT

Advertisment

କିଟ୍ ହଷ୍ଟେଲରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପଦାକୁ ଆସିବା ପରେ ଏବେ କିଟ୍‌ ଉପରେ କାର୍ଯ୍ୟାନୁଷ୍ଠାନ ହେବାରେ କାହିଁକି ବିଳମ୍ବ ହେଉଛି ତାର ଏକ କାରଣ ପଦାକୁ ଆସିଛି। ସରକାରୀ ଚାକିରି ସରିବା ପରେ କିଟ୍ ଓ କିସରେ କିଭଳି ମାଳ ମାଳ ଆଇଏଏସ୍, ଆଇପିଏସ ଅଫିସର କାମ କରୁଛନ୍ତି, ଏମିତିକି ପ୍ରଭାବଶାଳୀ ଆଇଏଏସ୍ ଅଫିସରଙ୍କ ପତ୍ନୀ ଓ ସଂପର୍କୀୟ କାମ କରୁଛନ୍ତି ତାର ଗୁମର ପଦାକୁ ଆସିଛି। ଯାହାକୁ ନେଇ ବିଧାନସଭାରେ ବି କଥା ଉଠିଛି।

Advertisment

ନଜର ପକାନ୍ତୁ କିଟ ଓ କିସରେ କାମ କରୁଥିବା କିଛି ବରିଷ୍ଠ କର୍ମଚାରୀଙ୍କ ଉପରେ-

ଶକ୍ତି ଓ ଆଇଟି ସଚିବ ବିଶାଳ ଦେବଙ୍କ ପତ୍ନୀ ଡା. ଶ୍ରୁତି ବିଶାଲ ଦେବ ଏବେ କିଡସରେ ଜଣେ ଦାନ୍ତ ଡାକ୍ତର ଭାବେ କାମ କରୁଛନ୍ତି। ବିଶାଲ ଦେବ ଇଡକୋ ଏମଡି ଥିବାବେଳେ ପ୍ରାୟ 80 ଏକର ସରକାରୀ ଜମିକୁ କିଟକୁ ଯେଭଳି ଲିଜ୍ ଦେଇଥିଲେ, ସେ ନେଇ ଆପତ୍ତି ଉଠାଇଥିଲେ ସିଏଜି।

ଆତ୍ମହତ୍ୟା କରିଥିବା ନେପାଳ ଛାତ୍ରୀ ପ୍ରକୃତି ଲାମସାମ୍ ପ୍ରଥମେ କିଟର ଇଣ୍ଟରନେସନାଲ୍ ରିଲେସନ୍ସ ଅଫିସରେ ତାଙ୍କୁ ତାଙ୍କର ବଏଫ୍ରେଣ୍ଡ୍ ହଇରାଣ କରୁଥିବା କଥା ଜଣାଇଥିଲେ। ମାତ୍ର ତାର ସମାଧାନ ହୋଇପାରିନଥିଲା। ଆଉ ସେହି ଇଣ୍ଟରନେସନାଲ୍ ରିଲେସନ୍ସ ଅଫିସର ବର୍ତ୍ତମାନର ଡିଜି ହେଉଛନ୍ତି ଆଇଏଫ୍ଏସ୍ ଅଫିସର ଦେବରାଜ ପ୍ରଧାନ। ଦେବରାଜ ପ୍ରଧାନ ପୂର୍ବରୁ ନରୱେ ଆମ୍ବାସଡର ଥିଲେ।

Advertisment

କେରଳ କ୍ୟାଡରର ଆଇପିଏସ ଅଫିସର ଥିବା କାହ୍ନୁଚରଣ ମହାଲି ଏବେ କିସର ମହାନିର୍ଦ୍ଦେଶକ ଅଛନ୍ତି।

ବର୍ତ୍ତମାନ କିଟ ବିଶ୍ୱବିଦ୍ୟାଳୟର ଚିଫ୍ ପ୍ରୋକଟର ବା ମୁଖ୍ୟ ଶୃଙ୍ଖଳାରକ୍ଷାକାରୀ ଅଫିସର ଥିବା ପ୍ରଦୀପ ପଟ୍ଟନାୟକ ପୂର୍ବରୁ ଭୁବନେଶ୍ୱର କମିଶନରରେଟ ପୁଲିସରେ ଆଡିସନାଲ ଡିସିପି ଥିଲେ।

ଅ‍‍ବକାରୀ କମିଶନର ଆଇପିଏସ୍ ଅଫିସର ନରସିଂହ ଭୋଳଙ୍କ ପତ୍ନୀ ଡ. ସୀମା ଗୁପ୍ତା ଭୋଳ ଏବେ କିଟ୍‌ର କଂପ୍ୟୁଟର ସାଇନ୍ସ ବିଭାଗରେ ଆସୋସିଏଟ୍ ପ୍ରଫେସର ଅଛନ୍ତି। ସେହିଭଳି ରାଜ୍ୟ ସରକାରରେ କାର୍ଯ୍ୟ କରୁଥିବା ଜଣେ ଆଇଏଏସ୍ ଅଫିସରଙ୍କ ପତ୍ନୀ କିଟର ଇଣ୍ଟରନେସନାଲ୍ ରିଲେସନ୍ସ ଅଫିସରେ ଡେପୁଟି ଡାଇରେକ୍ଟର ଭାବେ କାମ କରୁଛନ୍ତି।

ଅନେକ ବରିଷ୍ଠ ନେତାଙ୍କ ପତ୍ନୀ ଓ ପୁଅ ଝିଅ ମଧ୍ୟ କିଟରେ ଚାକିରି କରୁଛନ୍ତି। ଯେମିତି ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ପତ୍ନୀ ଇପସିତା ଶତପଥୀ ଦୀର୍ଘ ବର୍ଷ ହେବ କିଟରେ ମ୍ୟାନେଜମେଣ୍ଟ ପ୍ରଫେସର ଭାବେ କାମ କରୁଛନ୍ତି। ସେହିଭଳି ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ କିଟର ସିଏସ୍‌ଆର ଡାଇରେକ୍ଟର ଭାବେ କାମ କରୁଛନ୍ତି। ଏ ତାଲିକା ଏମିତି ଖୁବ୍ ଲମ୍ବା।

ଏଭଳି ପ୍ରଭାବଶାଳୀ ଲୋକଙ୍କୁ ରଖିଥିବାରୁ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଷ୍ଟକର ହୋଇପଡ଼ୁଛି ବୋଲି କହିଛନ୍ତି ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ। ଅନେକ ଆଇଏଏସ୍ ଓ ଆଇପିଏସ୍‌ଙ୍କ ପତ୍ନୀ କିଟରେ କାମ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି ଓ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ।

ରବିବାର ନେପାଳୀ ଛାତ୍ରୀ ପ୍ରକୃତିଙ୍କ ମୃତ୍ୟୁ ପରେ ଯେଭଳି ସେମାନଙ୍କୁ ମାଡ଼ ମାରି ଜବରଦସ୍ତ କଟକର ରେଳ ଷ୍ଟେସନରେ ଛାଡ଼ି ଦିଆଗଲା ତାହା ଏବେ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିଛି। ଛାତ୍ର ଅଶାନ୍ତି ବେଳେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କ୍ୟାମ୍ପସରେ ଉପସ୍ଥିତ ଥିଲେ। ତାଙ୍କ ବିନା ନିର୍ଦ୍ଦେଶରେ ଅଫିସରମାନେ ଏଭଳି କରିବେ ନାହିଁ ବୋଲି କୁହାଯାଉଛି। ଅଚ୍ୟୁତ ସାମନ୍ତଙ୍କର ସବୁ ପ୍ରଭାବଶାଳୀ ମହଲରେ ପରିଚୟ ଓ ସଂପର୍କ ରହିଥିବାରୁ ଅଚ୍ୟୁତ ସାମନ୍ତଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ ବୋଲି ଚର୍ଚ୍ଚା ହେଉଛି।

(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର)

KIIT Bhubaneshwar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe