୨୦ରେ ବାଚସ୍ପତି ନିର୍ବାଚନ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି

୮ଥରର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆସନ୍ତାକାଲି ପ୍ରୋଟେମ୍ ସ୍ପିକର(କାମଚଳା ବାଚସ୍ପତି) ଭାବେ ଶପଥ ନେବେ । ଜୁନ୍ ୧୮ ଓ ୧୯ତାରିଖ ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ଶ୍ରୀ ସ୍ୱାଇଁ ଶପଥ ପାଠ କରାଇବେ ।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ଫାଇଲ ଫଟୋ)

  • Published: Thursday, 13 June 2024
  • , Updated: 13 June 2024, 10:21 PM IST

ଆସନ୍ତା ୨୦ତାରିଖରେ ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ବିଧାନସଭାର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆଜି କାମଚଳା ବାଚସ୍ପତି(ପ୍ରୋଟେମ୍ ) ଭାବେ ନିଯୁକ୍ତି ମିଳିଛ । ରାଜ୍ୟପାଳ ରଘୁବର ଦାସ ଆଜି ସପ୍ତଦଶ ଓଡ଼ିଶା ବିଧାନସଭାର କାମଚଳା ବାଚସ୍ପତି ଭାବେ ଶ୍ରୀ ସ୍ୱାଇଁଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ୮ଥରର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆସନ୍ତାକାଲି ପ୍ରୋଟେମ୍ ସ୍ପିକର(କାମଚଳା ବାଚସ୍ପତି) ଭାବେ ଶପଥ ନେବେ । ଜୁନ୍ ୧୮ ଓ ୧୯ତାରିଖ ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ଶ୍ରୀ ସ୍ୱାଇଁ ଶପଥ ପାଠ କରାଇବେ । ୧୯ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ବୋଲି ଜଣାପଡ଼ିଛି । ୨୦ତାରିଖରେ ବାଚସ୍ପତି ନିର୍ବାଚନ ହେବ ।

ସୂଚନାଯୋଗ୍ୟ, ବିଜେପି ନିଜର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କୁ ବାଚସ୍ପତି ପଦରେ ଆସୀନ କରାଇପାରେ ବୋଲି ଚର୍ଚ୍ଚା ହେଉଛି । ବିଧାନସଭାରେ ବିଜେପିର ୭୮ ବିଧାୟକ ଓ ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ଉଭୟ ବାଚସ୍ପତି ଓ ଉପବାଚସ୍ପତି ପଦ ବିଜେପି ପାଖରେ ରହିବ ବୋଲି ଜଣାପଡ଼ିଛି ।

Related story