Advertisment

ମଧ୍ୟପ୍ରଦେଶ, ଛତିଶଗଡ଼ ଫଣ୍ଡା ଓଡ଼ିଶାରେ ଆପଣାଇପାରେ ବିଜେପି

ସମାନ ଢଙ୍ଗରେ ଛତିଶଗଡରେ ମଧ୍ୟ ଇସ୍ତାହାରରେ ‘ମହତାରୀ ବନ୍ଦନ’ ଯୋଜନା କରି ପ୍ରତି ମାସ ବିବାହିତ ମହିଳାଙ୍କୁ ୧ ହଜାର ଟଙ୍କା ଲେଖାଁଏ ଦେବାର ପ୍ରତିଶ୍ରୁତି ଦେଇଥିଲା ବିଜେପି। ଯାହାର କ୍ରେଜ୍ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଥିଲା।

author-image
Manoranjan Sial
BJP

BJP

ରାଜ୍ୟ ବିଜେପିର ବଡ଼ ଘୋଷଣା। ସରକାରକୁ ଆସିଲେ ମହିଳା ପାଇବେ ମାସିକ ୧୦୦୦ ଟଙ୍କା ସହାୟତା। ଅର୍ଥାତ ବର୍ଷକୁ ୧୨ ହଜାର। ବଡ଼ କଥା ହେଲା ସମାନ ଯୋଜନା ଘୋଷଣା କରି ମଧ୍ୟପ୍ରଦେଶ ଓ ଛତିଶଗଡରେ ସରକାରକୁ ଆସିଥିଲା ବିଜେପି। ସେଥିପାଇଁ ହିନ୍ଦୀ ହାର୍ଟଲ୍ୟାଣ୍ଡର ଏହି ଷ୍ଟ୍ରାଟେଜିକୁ ଓଡ଼ିଶାରେ ଆପଣାଇଛି ଦଳ। ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ‘ଲାଡଲି ବେହନା’ ଯୋଜନା। ଯେଉଁଥିରେ ଗରିବ, ଅସହାୟ ଓ ଭିନ୍ନକ୍ଷମ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରତି ମାସ ୧୨୫୦ ଟଙ୍କା ଲେଖାଁଏ ଦେଉଥିଲେ ଶିବରାଜ ସରକାର। ଭୋଟର କେଇ ମାସ ଆଗରୁ ଅର୍ଥାତ ଗତ ମାର୍ଚ୍ଚ ୨୦୨୩ରୁ ଲଞ୍ଚ ହୋଇଥିବା ଏହି ଯୋଜନା ମଧ୍ୟପ୍ରଦେଶରେ ବିଜେପିକୁ ଶାସନ ବଜାୟ ରଖିବାରେ ବେଶ ସହାୟକ ହୋଇଥିଲା।

Advertisment

ସମାନ ଢଙ୍ଗରେ ଛତିଶଗଡରେ ମଧ୍ୟ ଇସ୍ତାହାରରେ ‘ମହତାରୀ ବନ୍ଦନ’ ଯୋଜନା କରି ପ୍ରତି ମାସ ବିବାହିତ ମହିଳାଙ୍କୁ ୧ ହଜାର ଟଙ୍କା ଲେଖାଁଏ ଦେବାର ପ୍ରତିଶ୍ରୁତି ଦେଇଥିଲା ବିଜେପି। ଯାହାର କ୍ରେଜ୍ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ମହିଳା ବିଜେପି ସହ ଯୋଡି ହୋଇଥିଲେ। ଆଉ ଏହି ଦୁଇ ଯୋଜନା, ଦୁଇ ରାଜ୍ୟରେ ବାଜି ପଲଟେଇ ଦେଇଥିଲା। ତେଣୁ ଚର୍ଚ୍ଚା ହେଉଛି ନବୀନ ପଟ୍ଟନାୟକଙ୍କ ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ଏଠି ମଧ୍ୟ ସମାନ ରଣନୀତି ଆପଣେଇବାକୁ ଯାଉଛି।

ତେବେ ବିଜେଡି କହିଛି, ମହିଳା ସଶକ୍ତୀକରଣରେ ରାଜ୍ୟ ସରକାର ସବୁବେଳେ କାମ କରିଛନ୍ତି। ତେଣୁ ମହିଳା ନବୀନଙ୍କ ସହ ରହିବେ।

Advertisment

ଓଡ଼ିଶାରେ ପ୍ରାୟ ୫୦ ପ୍ରତିଶତ ମହିଳା ଭୋଟ ରହିଛି। ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର SHGରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟା ରହିଛନ୍ତି। ଯାହାକି ବିଜେଡିର ପ୍ରମୁଖ ଭୋଟ ବ୍ୟାଙ୍କ ବୋଲି କୁହାଯାଉଛି। ତାକୁ ଭାଙ୍ଗିବାକୁ ବିଜେପି ଗୋଟିଏ ପରେ ଗୋଟିଏ ଗୋଟି ଚାଳନା ଜାରି ରଖିଛି। ରାଜ୍ୟ ସରକାର SHGଙ୍କୁ ବିନା ସୁଧରେ ଋଣ, ମାଗଣା ସ୍କୁଟି ପୁଣି ମିଶନ ଶକ୍ତି କାଫେ ଏମିତି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ମହିଳା ଭୋଟକୁ ଅକ୍ତିଆରରେ ରଖିବାକୁ ଚେଷ୍ଟା କରିଥିବା ବେଳେ ବିଜେପି ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। SHG ରାଜ୍ୟର ନୁହେଁ, କେନ୍ଦ୍ରର। SHGଙ୍କୁ ବିନା ସୁଧରେ ଋଣ ଶ୍ରେୟ ରାଜ୍ୟର ନୁହେଁ କେନ୍ଦ୍ର ସରକାରର। ସେହିପରି SHGଙ୍କ ପାଇଁ ମୋଦିଙ୍କ ଲକ୍ଷପତି ଦିଦି, ନମୋ ଡ୍ରୋନ ଦିଦି ଯୋଜନା, ଆହୁରି କେତେ କଣ କରିଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପିର ଏ ଘୋଷଣା ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିପାରେ।

ଖାଲି ଓଡ଼ିଶା ନୁହେଁ, ସାରା ଦେଶରେ ମହିଳାଙ୍କୁ ଫୋକସ କରୁଛି ବିଜେପି। ମୋଦିଙ୍କ ଫୋକସରେ ଥିବା ୪ ବର୍ଗ ଭିତରେ ଗୋଟିଏ ବର୍ଗ ରହିଛନ୍ତି ମହିଳା। ତେବେ ବିଜେପିର ଏହି ଷ୍ଟ୍ରାଟେଜି କେତେ ସଫଳ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Bjp Loksabha Election