Advertisment

ବିଧାନସଭା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବେ ବିଜେପି ବିଧାୟକ

‘ଦୁର୍ଭାଗ୍ୟର କଥା ଓଡ଼ିଶାରେ ଯେଉଁ ସରକାର ଚାଲିଛି, ସେଥିରେ କୌଣସି ବିଭାଗର କିଛି ଭୂମିକା ନାହିଁ। ସବୁ ନିଷ୍ପତ୍ତି ତୃତୀୟ ମହଲାରେ ହୁଏ।’

ଅଦ୍ୟତନ ହୋଇଛି
Nauri Naik

Nauri Naik

Advertisment

ବିଧାନସଭା ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି ବିଧାୟକ ଦଳ। ଆଜି ସମ୍ବଲପୁରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ବିଧାୟକ ନାଉରୀ ନାଏକ। ନୂଆଖାଇ ସମୟରେ ବାଚସ୍ପତି ନିର୍ବାଚନ କରାଯାଉଥିବାରୁ ବିଜେପି ବିଧାୟକ ଦଳ ଏହାକୁ ବର୍ଜନ କରିବ ବୋଲି ସେ କହିଛନ୍ତି।

Advertisment

ବିଧାୟକ ନାଉରୀ ନାଏକ କହିଛନ୍ତି, ଆସନ୍ତା ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏହି ତାରିଖ ଘୋଷଣା ହେବା ପରେ ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ ତଥା ବିଭିନ୍ନ ଫୋରମରୁ ଏହାକୁ ବିରୋଧ କରାଯାଇଥିଲା। ୨୦ ତାରିଖରେ ପଡୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ୨୦ ତାରିଖରେ ଆମେ ନୂଆ ଖାଇଲେ ବି ୨୧ ତାରିଖ ପର୍ଯ୍ୟନ୍ତ ତା’ର ପ୍ରଭାବ ରହିବ। ନୂଆଖାଇ ବେଳେ ପରିବାରର ସଦସ୍ୟମାନେ ଦୂରଦୂରାନ୍ତରୁ ଆସି ଏକାଠି ହୋଇଥାଆନ୍ତି। ନୂଆଖାଇ ପରେ ଭେଟଘାଟ କାର୍ଯ୍ୟକ୍ରମଗୁଡ଼ିକ ରହିଥାଏ। ନୂଆଖାଇ ପୂର୍ବରୁ ତିନି ଚାରି ଦିନ ଓ ଏହା ପରେ ତିନି ଚାରି ଦିନ ପର୍ଯ୍ୟନ୍ତ ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ରହେ। କିନ୍ତୁ ସରକାର ଏହାକୁ ଆଦୌ ବିଚାରକୁ ନନେଇ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ରଖିଛନ୍ତି।

ସେ କହିଛନ୍ତି, ଏହି ନିଷ୍ପତ୍ତିଗୁଡ଼ିକ ସଂସଦୀୟ ବ୍ୟାପାର ବିଭାଗ ନେଇଥାଏ। କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶାରେ ଯେଉଁ ସରକାର ଚାଲିଛି, ସେଥିରେ କୌଣସି ବିଭାଗର କିଛି ଭୂମିକା ନାହିଁ। ସବୁ ନିଷ୍ପତ୍ତି ତୃତୀୟ ମହଲାରେ ହୁଏ। ଆଉ ତୃତୀୟ ମହଲାରେ ଯେଉଁମାନେ ନିଷ୍ପତ୍ତି ନିଅନ୍ତି, ସମସ୍ତେ ଅଣ ଓଡ଼ିଆ। ଓଡ଼ିଶା ବିଷୟରେ ଜାଣି ନଥିବା ଏହି ଅଣ ଓଡ଼ିଆ ଅଫିସର ଓ ସେମାନଙ୍କ ମୁଖ୍ୟ ଭାବେ ୫ଟି ସଚିବ ସବୁ ନିଷ୍ପତ୍ତି ନେଉଛନ୍ତି। ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି। ଆଉ ଏହା ସତ ମଧ୍ୟ। ପଶ୍ଚିମ ଓଡ଼ିଶାର ସଂସ୍କୃତି ବିଷୟରେ ସେମାନଙ୍କର ଜ୍ଞାନ ନଥିବାରୁ ଆଜି ଏଭଳି ଏକ ସ୍ଥିତି ଉପୁଜିଛି। ୨୧ ତାରିଖରେ ବାଚସ୍ପତି ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି।

Advertisment

ଏହାଠାରୁ ଅଧିକ ଦୁର୍ଭାଗ୍ୟର କଥା, ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ବହୁ ବଡ଼ ବଡ଼ ନେତା ଥିବା ସତ୍ତ୍ୱେ ନିଷ୍ପତ୍ତି ବଦଳାଇବାକୁ ସରକାରଙ୍କୁ ପରାମର୍ଶ ଦେବାକୁ ସେମାନଙ୍କ ପାଖରେ ସାହାସ ନାହିଁ। ଆମେ ବାରମ୍ବାର ପ୍ରତିବାଦ କରିବା ପରେ ମଧ୍ୟ ବାଚସ୍ପତି ନିର୍ବାଚନ ତାରିଖକୁ ସରକାର ଘୁଞ୍ଚାଇ ନାହାନ୍ତି। ତେଣୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ବିଜେପି ବିଧାୟକ ଦଳ ପକ୍ଷରୁ ସଂପୂର୍ଣ୍ଣ ଭାବେ ବୟକଟ କରାଯିବ ‍‍ବୋଲି ଶ୍ରୀ ନାଏକ କହିଛନ୍ତି। 

ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସ ମଧ୍ୟ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବୋଲି ଘୋଷଣା କରିଛି।

Speaker Of Odisha Assembly State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe