
ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ । ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ ପାଇଁ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକି ସବୁ ଦଳର ସହଯୋଗ ଲୋଡ଼ିଥିବାବେଳେ ବିଜେଡି ଓ କଂଗ୍ରେସ ନିଜର ବିଧାୟକ ଦଳ ବୈଠକ କରି ସରକାରଙ୍କୁ ଘେରିବାକୁ ରଣନୀତି ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି । ଶାସକ ବିଜେପି ମଧ୍ୟ ଆଜି ନିଜର ବିଧାୟକ ଦଳ ବୈଠକରେ ବିରୋଧୀ ଦଳର ରଣନୀତିକୁ ମାତ୍ ଦେବା ପାଇଁ ନିଜର ରଣନୀତିକୁ ଚୂଡ଼ାନ୍ତ କରିଛି । ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟିଙ୍କ ଅଭିଭାଷଣରୁ ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବ। ୨୦ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍ ବିଧାନସଭାରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି ।
ସର୍ବଦଳୀୟ ବୈଠକରେ ସହଯୋଗ ଲୋଡ଼ିଲେ ବାଚସ୍ପତି
ବଜେଟ୍ ଅଧିବେଶନ ପୂର୍ବରୁ ଆଜି ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଗୃହର ମର୍ଯ୍ୟାଦା ରକ୍ଷା କରିବା ସହ ଶୃଙ୍ଖଳିତ ଭାବେ ଗୃହ ପରିଚାଳନା ନିମନ୍ତେ ସେ ସବୁ ଦଳର ସଦସ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି। ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହିତ ରାଜ୍ୟର ବିଭିନ୍ନ ଜନହିତକର ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଯୋଗ ଦେଇଥିଲେ।
ସରକାରଙ୍କ ବିଫଳତା ଓ ରାଜ୍ୟ ସ୍ୱାର୍ଥକୁ ଅସ୍ତ୍ର କରିବ ବିଜେଡି
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସି ଦଳୀୟ ରଣନୀତି ଚୂଡ଼ାନ୍ତ ହୋଇଛି। ଏହି ବୈଠକ ସମ୍ପର୍କରେ ନବୀନ ନିଜ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ବିଫଳତାକୁ ଗୃହରେ ଉଠାଇବାକୁ ବିଧାୟକମାନଙ୍କୁ କୁହାଯାଇଛି । ଡବଲ ଇଞ୍ଜିନ ସରକାର କେବଳ ଫଟୋ ଉଠା ଓ ସ୍ଲୋଗାନରେ ବ୍ୟସ୍ତ ରହିଛି। ନିଜ ଅମଳ ଧାନକୁ ବିକ୍ରି ଓ ଚୋରି ଯିବା ଭୟରେ ଧାନମଣ୍ଡିରେ ଆମର ଚାଷୀମାନେ ଖୋଲାଆକାଶ ତଳେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି।
ବିଜେଡି ଏକମାତ୍ର ଦଳ ଯିଏକି ଚାଷୀଙ୍କ ସହ ସବୁସମୟରେ ରହିଛି ଓ ସରକାରଙ୍କ ଚାଷୀବିରୋଧୀ ନୀତି ବିରୁଦ୍ଧରେ ସଂଗ୍ରାମ କରୁଛି। ଧାନମଣ୍ଡିରେ କଟନୀଛଟନୀ, ୧୫୦କ୍ୱିଣ୍ଟାଲ ଧାନ ବିକ୍ରି ସିଲିଂ, ୪୮ଘଣ୍ଟା ମଧ୍ୟରେ ପ୍ରାପ୍ୟ ନମିଳିବା ଆଦିକୁ ଜୋରଦାର ଢଙ୍ଗରେ ବିଜେଡି ବିଧାୟକମାନେ ଗୃହରେ ଉତଥାପନ କରିବେ। ସେହିପରି ବଜେଟ୍ ଅର୍ଥ ଖର୍ଚ୍ଚରେ ବିଫଳତା, ମହିଳା ଓ ଶିଶୁ ଅସୁରକ୍ଷିତ, ମହାନଦୀ ବିବାଦର ସମାଧାନ ନହେବା, ଓଡ଼ିଆ ଅସ୍ମିତା ଆଦି ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଗୃହରେ ଉଠାଇବାକୁ ବିଜେଡି ନିଷ୍ପତ୍ତି ନେଇଛି ବୋଲି ନବୀନ ସୂଚନା ଦେଇଛନ୍ତି।
ସାଧାରଣ ଲୋକଙ୍କ ସମସ୍ୟା ଉଠାଇବ କଂଗ୍ରେସ
ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ବିଧାୟକ ଦଳର ବୈଠକ ବସି ରଣନୀତି ଚୂଡ଼ାନ୍ତ ହୋଇଛି। ଦଳର ବିଧାୟକମାନେ ସାଧାରଣ ଲୋକଙ୍କ ସମସ୍ୟା ସହ ଜଡ଼ିତ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଗୃହରେ ଉଠାଇବା ସହ ସରକାରଙ୍କୁ ଘେରିବା ପାଇଁ ରଣନୀତି ଚୂଡ଼ାନ୍ତ କରିଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ, ଗୋଟିଏ ଦାୟିତ୍ୱବାନ ବିରୋଧୀ ଦଳ ଭାବରେ କଂଗ୍ରେସ ଚାଷୀଙ୍କ ସମସ୍ୟା, ଶିଳ୍ପାଂଚଳରେ ପ୍ରଦୂଷଣ ଓ ବିସ୍ଥାପନ, ମହାନଦୀ ଜଳ ବିବାଦ ଭଳି ପ୍ରସଙ୍ଗ ଉଠାଇବ। ଚାଷୀଙ୍କୁ ମାଗଣା ବିଜୁଳି, ମହିଳା ସୁରକ୍ଷା, ଯୁବକଙ୍କୁ ନିଯୁକ୍ତି ଓ ଦଳିତ, ଆଦିବାସୀଙ୍କ ଜମି ପଟ୍ଟା ସମସ୍ୟା ନେଇ ଦଳ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି। ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି କଂଗ୍ରେସ ଗୃହ ମଧ୍ୟରେ ସ୍ୱର ଉତ୍ତୋଳନ କରିବ ବୋଲି ରଣନୀତି ପ୍ରସ୍ତୁତ କରିଛି।
ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ: ବିଜେପି
ବିରୋଧୀ ଦଳଗୁଡ଼ିକର ରଣନୀତି ମଧ୍ୟରେ ଶାସକ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧାୟକ ଦଳର ବୈଠକ ବସି ବିଧାନସଭା ପାଇଁ ରଣନୀତିକୁ ଚୂଡ଼ାନ୍ତ କରାଯାଇଛି ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବିରୋଧୀ ଦଳ ତରଫରୁ ଯେଉଁ ସବୁ ପ୍ରସଙ୍ଗ ଉପସ୍ଥାପନା କରାଯିବ, ତା’ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ରାଜ୍ୟରେ ବିଜେପି ସରକାରଙ୍କ ୧୯ମାସର ସମସ୍ତ ସଫଳତାକୁ ଆମେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିବୁ । ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ରାଜ୍ୟର ବିକାଶମୂଳକ ପଦକ୍ଷେପ ସଂପର୍କରେ ତଥ୍ୟ ରଖିବାକୁ ଦଳୀୟ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଫେବୃୟାରୀ ୧୭ରୁ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ (Odisha Assembly Budget Session) ବିଧାନସଭାର ବଜେଟ୍ ଅଧିବେଶନ ଚାଲିବ । ଫେବୃୟାରୀ ୨୦ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
