assets & liabilities
ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାର ଏକ ରିପୋର୍ଟ ପ୍ରକାଶ କରିଛି ଏଡିଆର- ଆସୋସିଏସନ୍ ଫର୍ ଡେମାକ୍ରାଟିକ୍ ରିଫର୍ମସ। ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ସମ୍ପତ୍ତି ଓ ଋଣକୁ ନେଇ ଦେଇଥିବା ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ତିଆରି କରାଯାଇଛି। ସତ୍ୟପାଠକୁ ଦେଖିଲେ, ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ତାଙ୍କ ପାଖରେ ସର୍ବାଧିକ ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି।
ଦେଶର ଦ୍ୱିତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଲେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ। ତାଙ୍କ ପାଖରେ ୩୩୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ସମ୍ପତ୍ତିରେ ତୃତୀୟ ସ୍ଥାନରେ ଅଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ତାଙ୍କ ପାଖରେ ୫୧ କୋଟି ଟଙ୍କାର ସମ୍ପତ୍ତି ରହିଛି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ପତ୍ତିର ମୂଲ୍ୟ ୩ ମୁଖ୍ୟମନ୍ତ୍ରୀଙ୍କ ଭିତରେ ୨୨ ନମ୍ବରରେ ରହିଛି। ତାଙ୍କ ପାଖରେ ୧ କୋଟି ୯୭ ଲକ୍ଷ ଟଙ୍କା ରହିଛି। ସବୁଠାରୁ କମ ସମ୍ପତ୍ତି ଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ। ତାଙ୍କ ପାଖରେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।
ତା’ ଉପରକୁ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ପାଖରେ ମାତ୍ର ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ତା’ ପରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ପାଖରେ ୧ କୋଟି ୮୧ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ମୁଖ୍ୟମନ୍ତ୍ରୀଙ୍କମାନଙ୍କ ପାଖରେ ହାରାହାରି ୫୨ କୋଟି ୫୯ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।
ବାର୍ଷିକ ଆୟକୁ ଦେଖିଲେ, ମୁଖ୍ୟମନ୍ତ୍ରୀମାନଙ୍କ ବାର୍ଷିକ ଆୟ ହାରାହାରି ୧୩ ଲକ୍ଷ ୬୪ ହଜାର ଟଙ୍କା ରହିଛି। ଯାହାକି ଭାରତର ମୁଣ୍ଡ ପିଛା ଆୟ ୧ ଲକ୍ଷ ୮୦ ହଜାର ଟଙ୍କା ତୁଳନାରେ ୭.୩ ଗୁଣ ଅଧିକ ରହିଥିବା ଦେଖାଯାଇଛି।
ଅଧିକ ଋଣ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଭିତରେ ୧ ନମ୍ବରରେ ରହିଛନ୍ତି- ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ। ପେମା ଖଣ୍ଡୁଙ୍କ ପାଖରେ ୩୩୨ କୋଟିର ସମ୍ପତ୍ତି ଥିଲେ ବି ୧୮୦ କୋଟି ଟଙ୍କା ଋଣ ରହିଛି। ସେହିଭଳି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପାଖରେ ୫୧ କୋଟି ଟଙ୍କାର ସମ୍ପତ୍ତି ଥିଲେ ବି ୨୩ କୋଟିର ଋଣ ରହିଛି।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାଖରେ ସର୍ବାଧିକ ୯୩୧ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ମାତ୍ର ୧୦ କୋଟି ଟଙ୍କାର ଋଣ ରହିଛି। ସେହିଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖରେ ୧ କୋଟି ୯୭ ଲକ୍ଷ ଟଙ୍କାର ସମ୍ପତ୍ତି ଥିଲେ ବି ୯୫ ଲକ୍ଷ ଟଙ୍କାର ଋଣ ରହିଛି।
ସବୁଠାରୁ ଅଧିକ ଅପରାଧିକ ମାମଲା ଥିବା ମୁଖ୍ୟମନ୍ତ୍ରୀଙ୍କ ଭିତରେ 1 ନମ୍ବରରେ ଅଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ। ରେଡ୍ଡୀଙ୍କ ନାଁରେ ୮୯ଟି ମାମଲା ରହିଥିବାବେଳେ ଏଥିରୁ ୭୨ଟି ଗୁରୁତର ଅପରାଧ ରହିଛି। ଦ୍ୱିତୀୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ନାଁରେ ୪୭ଟି ମାମଲା ଥିବାବେଳେ ୧୧ଟି ଗୁରୁତର ମାମଲା ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ କେବଳ ଗୋଟିଏ ମାମଲା ରହିଛି।
(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
