Advertisment

ଓଡ଼ିଶାରେ ଏକଛତ୍ରବାଦୀ ଶାସନ ଚାଲିଛି, ଗଣମାଧ୍ୟମର କଣ୍ଠରୋଧ ଅତ୍ୟନ୍ତ ନିନ୍ଦନୀୟ: କଂଗ୍ରେସ

ଓଡ଼ିଶାରେ ଏବେ ଅଭିବ୍ୟକ୍ତିର ସ୍ୱାଧୀନତା ସଙ୍କୁଚିତ ହେବାରେ ଲାଗିଛି । ଏହା ଆମ ଗଣତନ୍ତ୍ର ଲାଗି ଏକ ବିଡ଼ମ୍ବନା । ଯେଉଁ ସରକାର ଗଣତନ୍ତ୍ରର କଣ୍ଠରୋଧ କରେ ସେଠି ଘୋର ଅଘଟଣ ଘଟେ ।

congress

congress

Advertisment

ଓଡ଼ିଶାରେ ଏବେ ବିଜେଡି ସରକାର ଏକଛାତ୍ରବାଦୀ ଶାସନ ଚଳାଇଛି । ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଦମନ କରିବାକୁ ଅପପ୍ରୟାସ ବିଜେଡି ସରକାର କରୁଛି । ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଯେଉଁ ହୀନ କୌଶଳ ବିଜେଡି ସରକାର ପ୍ରୟୋଗ କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ ଅଭିଯୋଗ କରିଛି ।

Advertisment

ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାରକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଗଣମାଧ୍ୟମର କଣ୍ଠରୋଧ, ଗଣମାଧ୍ୟମ ସଂସ୍ଥା  ଓ ସାମ୍ବାଦିକମାନଙ୍କୁ ଦମନ ପାଇଁ ଯେଉଁ ଅପପ୍ରୟାସ ଚାଲିଛି ତାହା  ଗଣତାନ୍ତ୍ରିକ ରାଷ୍ଟ୍ରରେ କଦାପି ଗ୍ରହଣୀୟ ନୁହେଁ ଓ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,  ଓଡ଼ିଶାରେ ବିଗତ କିଛିବର୍ଷ ହେଲା ସାମ୍ବାଦିକମାନଙ୍କ ଉପରେ ଦମନରାଜ ଚାଲିଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣକୁ କଂଗ୍ରେସ କେବେହେଲେ ବରଦାସ୍ତ କରିବ ନାହିଁ । ଗଣତନ୍ତ୍ରକୁ ସଶକ୍ତ କରିବା, ଜନସାଧାରଣଙ୍କ ଅଭାବ ଅସୁବିଧାକୁ ସରକାର ଓ ସରକାରୀ ବ୍ୟବସ୍ଥାରେ ଥିବା ବିଭିନ୍ନ ଅଧିକାରୀ ମାନଙ୍କର ଧ୍ୟାନ ଆକର୍ଷଣ କରିବା ଏବଂ ଏସବୁର ସମାଧାନ ପାଇଁ ସରକାରଙ୍କୁ କଟୂ ସମାଲୋଚନା କରିବା ପ୍ରତ୍ୟେକ ସାମ୍ବାଦିକ ଏବଂ ଗଣମାଧ୍ୟମର ଧର୍ମ ଓ କର୍ତ୍ତବ୍ୟ । ସାମ୍ବାଦିକମାନେ ସତ୍ୟ ଓ ଠିକ୍ ସମ୍ବାଦ ପରିବେଷଣ କରିବେ ନାହିଁ ତ କ\'ଣ କେବଳ ବିଜେଡ଼ି ସରକାରଙ୍କର ସମସ୍ତ କଳାକାରନାମାକୁ ଚପାଇ ଦେଇ ପ୍ରଶଂସା ବା ଗୁଣଗାନ କରବେ କି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଏବେ ଅଭିବ୍ୟକ୍ତିର ସ୍ୱାଧୀନତା ସଙ୍କୁଚିତ ହେବାରେ ଲାଗିଛି । ଏହା ଆମ ଗଣତନ୍ତ୍ର ଲାଗି ଏକ ବିଡ଼ମ୍ବନା । ଯେଉଁ ସରକାର ଗଣତନ୍ତ୍ରର କଣ୍ଠରୋଧ କରେ ସେଠି ଘୋର ଅଘଟଣ ଘଟେ । ଏକଛତ୍ରବାଦୀ, ଅତ୍ୟାଚାରୀ ଓ ପ୍ରତିହିଂସା ପରାୟଣ ଶାସକ କେବଳ ଗଣତନ୍ତ୍ରର କଣ୍ଠରୋଧ କରେ । ଓଡ଼ିଶାରେ ଆଜି ସେହି ଅବସ୍ଥା ଦେଖିବାକୁ ମିଳୁଛି । ଏହି କିଛି ଦିନ ହେଲା ବିଜେଡି ସରକାର ଗୋଟିଏ ପରେ ଗୋଟିଏ ଗଣମାଧ୍ୟମ ସଂସ୍ଥା ଉପରେ ପ୍ରତିହିଂସାପରାୟଣ ହୋଇ ସରକାରୀ କଳର ସଂପୂର୍ଣ୍ଣ ଅପବ୍ୟବହାର ଓ ଚାପ ପ୍ରୟୋଗ କରି କଣ୍ଠରୋଧ କରିବାରେ ଲାଗିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଜନସାଧାରଣଙ୍କ ପ୍ରତିନିଧି ପରିବର୍ତେ ନିଜକୁ ରାଜା,ସ୍ୱେଚ୍ଛାଚାରୀ ଓ ଏକଛାତ୍ରବାଦୀ ଶାସକ ବୋଲି ପ୍ରମାଣିତ କରୁଛନ୍ତି ।  ରାଜ୍ୟ ସରକାରଙ୍କାର କଳାକାରନାମାକୁ ଯେଉଁ ଗଣମାଧ୍ୟମ ବା ସାମ୍ବାଦିକମାନେ ପ୍ରକାଶ ଓ ସମାଲୋଚନା କରୁଛନ୍ତି ତାଙ୍କ ଉପରେ ସରକାରୀ ପ୍ରାୟୋଜିତ ଆକ୍ରମଣ ହେଉଛି । ସେମାନଙ୍କୁ ସିଧାସଳଖ ଧମକ ଦିଆଯାଉଛି, ହଇରାଣ ହରକତ କରାଯାଉଛି । ଏପରିକି ସରକାରୀ କ୍ୱାଟର୍ସ ନେଇଥିଲେ ତାକୁ ଛାଡ଼ିବାକୁ ବାଧ୍ୟ କରାଯାଉଛି । ଏଭଳି ଆଚରଣ ଅତ୍ୟନ୍ତ ନିନ୍ଦନୀୟ । କଂଗ୍ରେସ ଦଳ ସରକାରଙ୍କ ଏତାଦୃଶ କାର୍ଯ୍ୟକୁ କେବେ ବରଦାସ୍ତ କରିବ ନାହିଁ । ସମ୍ବିଧାନରେ ଦିଆଯାଇଥିବା ଚତୁର୍ଥ ସ୍ତମ୍ଭର ସ୍ୱାଧୀନତାକୁ କ୍ଷୂଣ୍ଣ କରୁଥିବା ସରକାରଙ୍କ ବିରୋଧରେ କଂଗ୍ରେସ ଲଢ଼େଇ କରିବ । ଆଜି ରାଜ୍ୟରେ ଗଣମାଧ୍ୟମ ଜଗତ ପାଇଁ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ୧୭ ବର୍ଷ ହେଲା ସାମ୍ବାଦିକଙ୍କ ଅଧିସ୍ୱୀକୃତି କମିଟି ନାହିଁ । ସାମ୍ବାଦିକମାନେ ଦୀର୍ଘଦିନ ଧରି ଆବେଦନ କରିଥିଲେ ମଧ୍ୟ ଅଧିସ୍ୱୀକୃତି ମିଳୁନାହିଁ । ସରକାର ଏହି କମିଟିକୁ ନିଜ ଅଧିନରେ ରଖି ସାମ୍ବାଦିକମାନଙ୍କୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରୁଛନ୍ତି ।  ଓଡ଼ିଶାର ଲୋକ ବୁଝିସାରିଲେଣି ଏଠି ଆଇନର ଶାସନ ଚାଲିନାହିଁ । ସମ୍ବାଦ ଖବର କାଗଜ ଉପରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ବିଭାଗ ଦ୍ୱାରା ଚଢ଼ାଉ ଅତ୍ୟନ୍ତ ନିନ୍ଦନୀୟ ଓ ଏହା ଉଦ୍ଦେଶ୍ୟମୂଳକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Advertisment

ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ  ପଂଚାନନ କାନୁନଗୋ କହିଛନ୍ତି ଯେ, ଗୋଟିଏ ଖବରକାଗଜରେ ଜଣେ ସଂପାଦକ ଯେଉଁ ସମ୍ପାଦକୀୟ ଲେଖିବ ତାହା କ’ଣ ବିଜେଡି ସରକାରଙ୍କୁ ପଚାରି ଲେଖିବ କି? ସାମ୍ବାଦିକତା ବୃତ୍ତର ଧର୍ମ ହେଉଛି ସତ୍ୟ ଓ ନ୍ୟାୟକୁ ଲେଖିବା । ଯେଉଁ ସାମ୍ବାଦିକମାନେ ସରକାରଙ୍କର ଅନ୍ୟାୟ ଅନୀତି ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବ ତାକୁ ସରକାର ଆକ୍ରୋଶମୂଳକ ଆକ୍ରମଣ କରିବା ସ୍ୱେଚ୍ଛାଚାରିତାର ସବୁଠାରୁ ନିମ୍ନସ୍ତର ବୋଲି ବୁଝିବାକୁ ପଡ଼ିବ । ନବୀନ ପଟ୍ଟନାୟକ ଜଣେ ସ୍ୱେଚ୍ଛାଚାରୀ ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe