Advertisment

ନୂଆବର୍ଷରେ ନୂଆ ପିସିସି ସଭାପତି! ଲବି କାମ ଦେବନି କହିଲେ ମୋକିମ

ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ହେଲେ ଲବି ନୁହେଁ, ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ, ତାଙ୍କୁ ହିଁ ଏଆଇସିସି ଦାୟିତ୍ୱ ଦେବ ବୋଲି କହିଛନ୍ତି ମହମ୍ମଦ ମୋକିମ୍।

Odisha Congress Bhawan

Odisha Congress Bhawan

Advertisment

ବିନା ମୁଖିଆରେ ୫ ମାସ ବିତିଲାଣି, ଏବେ ନୂଆ ବର୍ଷକୁ ଅପେକ୍ଷା। ବର୍ଷ ୨୦୨୫ ଆରମ୍ଭରେ ରାଜ୍ୟ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିଯିବ ବୋଲି ଆଜି ବରିଷ୍ଠ ନେତା ମହମ୍ମଦ ମୋକିମ୍ ଦମ୍ଭୋକ୍ତି ବାଢ଼ିଥିବାବେଳେ ସାଂସଦ ସପ୍ତଗିରି ଉଲାକା ବି ଖୁବଶୀଘ୍ର ଜଣେ ଦକ୍ଷ ଲୋକଙ୍କୁ ଏ ପଦରେ ଏଆଇସିସି ବସାଇବ ବୋଲି ସଙ୍କେତ ଦେଲେଣି। ତେବେ ବରିଷ୍ଠ ନା ଯୁବ ଚେହେରା, କିଏ ପିନ୍ଧିବେ ରାଜ୍ୟ କଂଗ୍ରେସର ମୁଖିଆ ପଗଡ଼ି ? ଏ ପଦକୁ ନେଇ ଯେଉଁ ସବୁ ନେତାଙ୍କ ନାଁ ଚର୍ଚ୍ଚାରେ ସମସ୍ତେ କିନ୍ତୁ ନିଷ୍ପତ୍ତି ଦିଲ୍ଲୀ ହାଇକମାଣ୍ଡଙ୍କ ଉପରକୁ ଛାଡ଼ିଛନ୍ତି।

Advertisment

ନୂଆବର୍ଷରେ ନୂଆ ପିସିସି ସଭାପତି। ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ହେଲେ ଲବି ନୁହେଁ- ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ, ତାଙ୍କୁ ହିଁ ଏଆଇସିସି ମୁଖିଆ ଦାୟିତ୍ୱ ଦେବ ବୋଲି ଦୃଢତାର ସହ କହିଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍। ସେହିଭଳି ସଭାପତି ପଦ ପାଇବାକୁ କିଛି ନେତା ଦିଲ୍ଲୀରେ ଲବି କରୁଛନ୍ତି ବୋଲି ପୂର୍ବରୁ ବିଧାୟକ ତାରା ବାହିନୀପତିଙ୍କ ମନ୍ତବ୍ୟକୁ ବି କଟାକ୍ଷ କରିଛନ୍ତି ମୋକିମ୍। ମୋକିମ୍ କହିଛନ୍ତି ଯେ ତାରା ବାବୁ ହିଁ ବେଶି ଦିଲ୍ଲୀ ଯାଆନ୍ତି, ସେ ଜାଣିଥିବେ କାହାର କାଟତି କାମ କରେ।

ତେଣେ ମୋକିମଙ୍କ ଏ ମନ୍ତବ୍ୟର ବି ପ୍ରତିଜବାବ ରଖିଛନ୍ତି ତାରା। ସେ କହିଛନ୍ତି ଯେ ମୋ'ଠାରୁ ମୋକିମ ବାବୁ ଅଧିକ ଦିଲ୍ଲୀ ଯାଆନ୍ତି। ମୁଁ ଯାଏ ନାହିଁ। ଆବଶ୍ୟକ ପଡ଼ିଲେ ହାଇକମାଣ୍ଡ ଡାକିଲେ ମୁଁ ଯାଏ। ହେଲେ ମୋକିମ ବାବୁ ଓ ଅନ୍ୟ ନେତାମାନେ ଯାଆନ୍ତି। ତାଙ୍କର ପରିଚିତ ଅଛନ୍ତି, ସେ ଜାଣିଛନ୍ତି କାହାକୁ କହିଲେ କ'ଣ ହେବ। ତେବେ ଯଉଁମାନେ ଲବିରେ ଅଛନ୍ତି ସେମାନେ ଯିବା ଉଚିତ। ମୁଁ ଦିଲ୍ଲୀ ଯାଉନି କି ସଭାପତି ହେବାର ନାହିଁ।

Advertisment

୨୦୨୪ ସାଧାରଣ ନିର୍ବାଚନ ସହ ବିଧାନସଭା ଫଳାଫଳ ଆସିବା ପରଠୁ ଉଭୟ କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ରାଜ୍ୟବାସୀ, ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ। କିଏ ହେବେ ପ୍ରଦେଶ କଂଗ୍ରେସର ନୂଆ ମଙ୍ଗୁଆଳ? କାହା ନେତୃତ୍ୱରେ ଏଠି ଆଗକୁ ବଢ଼ିବ ଦେଶର ସର୍ବପୁରାତନ ଦଳ? କେତେବେଳେ ମୋକିମ୍ ତ କେତେବେଳେ ତାରା, ପୁଣି କେତେବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ଜୟଦେବ ଜେନା ଓ ଶ୍ରୀକାନ୍ତ ଜେନାଙ୍କ ନାଁକୁ ନେଇ ହୋଇ ଆସୁଛି ଜୋରଦାର ଚର୍ଚ୍ଚା। ଏସବୁ ବରିଷ୍ଠମାନଙ୍କ ନାଁକୁ ନେଇ ଚର୍ଚ୍ଚା ଭିତରେ ସଦ୍ୟ କରି ଏଣ୍ଟ୍ରି ମାରିଛନ୍ତି ଯୁବ ଚେହେରା ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲାକା। ହେଲେ ସେ କିନ୍ତୁ ଆଦୌ ରେସରେ ନଥିବା କହୁଥିବାବେଳେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିନ୍ତୁ ଏ ପଦରେ ଜଣେ ଯୁବକଙ୍କୁ ଦେଖିବାକୁ ଚାହୁଁଥିବା କହିଛନ୍ତି।

୨୪ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଗତ ଜୁଲାଇ ୨୧ରେ ରାଜ୍ୟ କଂଗ୍ରେସର ସବୁ କମିଟିକୁ ଭାଙ୍ଗି ଦେଇଥିଲା ଏଆଇସିସି। ସେବେଠୁ ସାଂଗଠନିକ କ୍ଷେତ୍ରରେ ଦଳ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟି ଯାଇଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ସମସ୍ୟାକୁ ଧରି ବି ଜୋରଦାର ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇ ପାରୁନି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ତେଣୁ ଏବେଠୁ କଂଗ୍ରେସକୁ ଜଣେ ଦକ୍ଷ ମଙ୍ଗୁଆଳର ଆବଶ୍ୟକତା ଥିବା କହିଲେଣି ରାଜନୈତିକ ସମୀକ୍ଷକ।

ଉଲ୍ଲେଖ ଥାଉ, ନଭେମ୍ବର ୪ରେ ପିସିସି ସଭାପତି ଚୟନ ପାଇଁ ଓଡ଼ିଶା ଆସିଥିଲା ଚରଣଦାସ ମହନ୍ତ ଓ ମିନାକ୍ଷୀ ନଟରାଜନଙ୍କ ଟିମ୍। ସେମାନେ AICCକୁ ରିପୋର୍ଟ ଦେଇ ସାରିଥିବାବେଳେ ଏବେ ନୂଆବର୍ଷରେ ନୂଆ ମଙ୍ଗୁଆଳ ଭାବେ କାହାକୁ ବାଛୁଛି କଂଗ୍ରେସ, ଦେଖିବାର କଥା।

Odisha Congress Mohammed Moquim PCC President Tara Prasad Bahinipati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe