ଭୋଟ୍ ପୂର୍ବରୁ ଓଡ଼ିଶାରେ ବଢ଼େ ବିଧାୟକଙ୍କ ଦରମା: ସାଧାରଣ ଲୋକ ଓ କର୍ମଚାରୀଙ୍କ ଦୁଃଖ ବୁଝୁଛି କିଏ?

ମାତ୍ର ସାଢ଼େ ୫ବର୍ଷ ବ୍ୟବଧାନରେ ପୁଣିଥରେ ନିଜର ଦରମା ବଢ଼ାଇବାକୁ ରାଜ୍ୟର ୩ ପ୍ରମୁଖ ଦଳର ବିଧାୟକମାନେ ଏକଜୁଟ ହୋଇଛନ୍ତି ।

Odisha Assembly PhotoOR

ବିଧାନସଭା

Ordigital Desk
  • Published: Wednesday, 15 March 2023
  • Updated: 15 March 2023, 08:41 PM IST

Sports

Latest News

ମାତ୍ର ସାଢ଼େ ୫ବର୍ଷ ବ୍ୟବଧାନରେ ପୁଣିଥରେ ନିଜର ଦରମା ବଢ଼ାଇବାକୁ ରାଜ୍ୟର ୩ ପ୍ରମୁଖ ଦଳର ବିଧାୟକମାନେ ଏକଜୁଟ ହୋଇଛନ୍ତି । ଦରଦାମ ବୃଦ୍ଧି ଓ ଲୋକଙ୍କ ସେବାର ଆଳ ଦେଖାଇ ସେମାନଙ୍କ ଦରମା ବୃଦ୍ଧି ପାଇଁ ତୁରନ୍ତ ଗୃହରେ ବିଲ୍ ଆସୁ ବୋଲି ବିଧାନସଭାରେ ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକମାନେ ଏକସ୍ୱରରେ ଦାବି କରିଛନ୍ତି । ଆଉ ବିଧାୟକମାନଙ୍କ ଦାବିକୁ ଦୃଷ୍ଟିରେ ରଖି ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ମଧ୍ୟ ସରକାରଙ୍କୁ ଏହି ବିଲ୍ କିଭଳି ଗୃହକୁ ଆସିବ ସେ ଦିଗରେ ସମୟୋଚିତ ପଦକ୍ଷେପ ନେବାକୁ କହିଛନ୍ତି । ଏବେବି ଅନେକ ବର୍ଗର କର୍ମଚାରୀମାନଙ୍କୁ ରାଜ୍ୟ ସରକାର ମାସିକ ୮-୧୦ହଜାର ଟଙ୍କାରେ କାମ କରାଉଥିବାବେଳେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପରିବର୍ତ୍ତେ ବିଧାୟକମାନେ ନିଜ ଦରମା ଓ ପେନସନ୍ କିଭଳି ବଢ଼ିବ ସେ ନେଇ ବିଧାନସଭାରେ ଦଳମତ ଭୁଲି ଏକଜୁଟ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରଶ୍ନ ଉଠୁଛି, ପ୍ରତ୍ୟେକ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଧାୟକମାନଙ୍କ ଦରମା ବୃଦ୍ଧି ହେବା ଜରୁରୀ କି?

ସୂଚନା ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କ ଦରମା ଓ ପେନସନ ପରିମାଣ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ଚଳିତ ବଜେଟ୍ ଅଧିବେଶନ ନଚେତ୍ ଅତିବେଶୀରେ ଆଗାମୀ ମୌସୁମୀ ଅଧିବେଶନରେ ବିଧାୟକମାନଙ୍କ ଦରମା ଓ ଭିତ୍ତାକୁ ୨.୫୦ଲକ୍ଷ ଟଙ୍କାକୁ ବୃଦ୍ଧି ସମେତ ପୂର୍ବତନ ବିଧାୟକଙ୍କ ପେନସନ ପରିମାଣ ସର୍ବନିମ୍ନ ୧ଲକ୍ଷ ଟଙ୍କାକୁ ବଢ଼ାଇବାକୁ ବିଲ୍ ବିଧାନସଭାରେ ଆସିବ ବୋଲି ଜଣାପଡ଼ିଛି । ତେଲ ଓ ବିଜୁଳି ଦର ସହ ଦରଦାମ ବୃଦ୍ଧିର ଆଳ ଦେଖାଇ ଏବେ ଚଳିବା ସମ୍ଭବପର ହେଉନି, ତେଣୁ ଦରମା ଓ ଭତ୍ତା ବଢ଼ାଇବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଧାୟକମାନେ ଦାବି କରିଛନ୍ତି । ଦିଲ୍ଲୀ ସରକାର ଗତ ଦୁଇଦିନ ତଳେ ସମ୍ପୃକ୍ତ ରାଜ୍ୟର ବିଧାୟକମାନଙ୍କ ଦରମା ବୃଦ୍ଧି କରିଥିବାରୁ ଓଡ଼ିଶା ସରକାର ଅନୁରୂପ ପଦକ୍ଷେପ ନେବାକୁ ବିଜେଡି ବିଧାୟକ ମତ ରଖିଛନ୍ତି ।

Also Read

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର କର୍ମଚାରୀମାନେ ସେମାନଙ୍କର ଭତ୍ତା ଓ ପାରିଶ୍ରମିକ ବୃଦ୍ଧି ପାଇଁ ଦାବି କରି ରାଜରାସ୍ତାକୁ ବାରମ୍ବାର ଓହ୍ଲାଉଥିଲେ ମଧ୍ୟ ସେମାନଙ୍କ ପ୍ରତି ସକରାତ୍ମକ ଆଭିମୁଖ୍ୟ ପୋଷଣ କରୁନଥିବା ରାଜ୍ୟ ସରକାର ଏବେ ବିଧାୟକମାନଙ୍କ ପାଇଁ କାହିଁକି ଏତେ ଦରଦ ଦେଖାଉଛନ୍ତି । ତୃଣମୂଳସ୍ତରରେ ଲୋକଙ୍କ ସେବାରେ ନିୟୋଜିତ ଥିବା ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଏମବିକେ, ସିଆରପି ସମେତ ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଆଦି ବିଭିନ୍ନ ସମୟରେ ନିଜର ଦରମା ବୃଦ୍ଧି ପାଇଁ ଦାବି କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ରାଜ୍ୟ ସଚିବାଳୟଠୁ ଆରମ୍ଭ କରି ବ୍ଲକ ଅଫିସ୍ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଅଫିସରେ ସବୁଠୁ ଆଉଟସୋର୍ସିିଂରେ କର୍ମଚାରୀମାନେ ରହିଛନ୍ତି, ଯେଉଁମାନଙ୍କ ମାସିକ ଦରମା ୮ରୁ ୧୨ହଜାର ଟଙ୍କା ମଧ୍ୟରେ ରହିଛି ।

ସେମାନେ ବର୍ଷ ବର୍ଷ ଧରି ଏହି ଦରମାରେ କାର୍ଯ୍ୟ କରୁଛନ୍ତି । ତଥାପି ସରକାର ସେମାନଙ୍କର ଦାବି ଶୁଣୁନାହାନ୍ତି । ଆଜିଠୁ ସେମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରୁଛନ୍ତି । ଖୋଦ୍ ବିଧାନସଭାରେ ଏବେବି ୧୦୦ରୁ ଅଧିକ କର୍ମଚାରୀ ଦୀର୍ଘ ଦଶନ୍ଧି ଧରି ରହିଛନ୍ତି ଯେଉଁମାନେ ୮-୧୦ହଜାର ଟଙ୍କା ମାସିକ ଦରମାରେ ଅଛନ୍ତି । ଦରଦାମ ବୃଦ୍ଧି ଯୁଗରେ ମାସିକ ୮-୧୦ହଜାର ଟଙ୍କା ମଧ୍ୟରେ ପରିବାର ଚଳାଇବା ଏହି ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିଲେ ବି ସେମାନଙ୍କ ଦରମା ଅବା ପାରିଶ୍ରମିକ ବୃଦ୍ଧି ଦିଗରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବିଧାୟକମାନେ ଆଗ୍ରହ ଦେଖାଇ ନାହାନ୍ତି । ସେହିପରି ଗାଁ ଗହଳିରେ ବିଧବା, ବୃଦ୍ଧବୃଦ୍ଧା,ଦିବ୍ୟାଙ୍ଗମାନଙ୍କୁ ଭତ୍ତା ଦୀର୍ଘ ବର୍ଷ ଧରି ମାସିକ ୫୦୦ରୁ ୯୦୦ଟଙ୍କା ମଧ୍ୟରେ ଥିଲେ ବି ସରକାର ସେମାନଙ୍କ ଭତ୍ତା ପରିମାଣ ବୃଦ୍ଧି କରିବାକୁ ଆଗ୍ରହ ଦେଖାଉନାହାନ୍ତି । ଯଦିଓ ଏହି ଗରିବ ବର୍ଗର ଲୋକମାନଙ୍କ ପାଇଁ ଏତିକି ଟଙ୍କା ସମୁଦ୍ରକୁ ଶଙ୍ଖେ ପାଲଟିଛି ।

ଓଲଟା ବିଧାୟକମାନେ ସାଧାରଣ ନିର୍ବାଚନ ଆସିଲେ କିଭଳି ନିଜର ଦରମା ଓ ଭତ୍ତା ବଢ଼ିବ ସେଥିପାଇଁ ପ୍ରୟାସ ଆରମ୍ଭ କରିଦେଉଛନ୍ତି । ୨୦୦୦ ମସିହାରେ କ୍ଷମତାକୁ ଆସିବା ପରେ ନବୀନ ପଟ୍ଟନାୟକ ସରକାର ୨୦୦୪, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କ ଦରମା ବଢ଼ାଇ ସାରିଛନ୍ତି । ୨୦୦୩ରେ ବିଧାୟକମାନଙ୍କ ଦରମା ଓ ଭତ୍ତା ୨୧୯୫୦ଟଙ୍କା, ୨୦୧୧ରେ ୬୦ହଜାର ଟଙ୍କା, ୨୦୧୭ ସେପ୍ଟେମ୍ବରରେ ୧ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ଲୋକଙ୍କ ସମସ୍ୟା କଥା କହି କରୋନା ମହାମାରୀ କାଳରେ ନିଜର ହାତପାଣ୍ଠିକୁ ୩କୋଟି ଟଙ୍କା କରିସାରିଥିବା ରାଜ୍ୟର ଷୋଡ଼ଶ ବିଧାନସଭାର ବିଧାୟକମାନେ ଏବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଦରମା ଓ ଭତ୍ତା ଅଢ଼େଇ ଲକ୍ଷ ଟଙ୍କା ଓ ପେନସନ ୧ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ସରକାରଙ୍କ ଉପରେ ଚାପ ପକାଇଛନ୍ତି ।

ତେବେ ଏଡିଆର ଓ ଇଲେକ୍ସନ ୱାଚ ରିପୋର୍ଟ ଅନୁସାରେ ୨୦୧୯ ବିଧାନସଭାକୁ ନିର୍ବାଚିତ ବିଧାୟକମାନଙ୍କର ହାରାହାରି ସମ୍ପତ୍ତିର ପରିମାଣ ୪.୪୧ କୋଟି ଟଙ୍କା ଥିବାବେଳେ ପୁଣି ୫ବର୍ଷ ବ୍ୟବଧାନରେ ସେମାନଙ୍କର ଦରମା ଓ ଭତ୍ତା ବୃଦ୍ଧି କେତେ ଯୁକ୍ତିସଙ୍ଗତ ତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ଷୋଡ଼ଶ ଓଡ଼ିଶା ବିଧାନସଭାକୁ ଆସିଥିବା ମୋଟ ବିଧାୟକଙ୍କ ମଧ୍ୟରୁ ୯୫ଜଣ ହେଉଛନ୍ତି କୋଟିପତି । କଂଗ୍ରେସର ୭୮ପ୍ରତିଶତ, ବିଜେଡିର ୭୧ପ୍ରତିଶତ ଓ ବିଜେପିର ୩୯ପ୍ରତିଶତ ବିଧାୟକ ହେଉଛନ୍ତି କୋଟିପତି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଜେଡି ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୫.୦୮କୋଟି ଟଙ୍କା ଥିବାବେଳେ କଂଗ୍ରେସର ୫.୬୭କୋଟି ଟଙ୍କା ଓ ବିଜେପି ବିଧାୟକମାନଙ୍କର ୧.୦୧କୋଟି ଟଙ୍କାର ହାରାହାରି ସମ୍ପତ୍ତି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos