Advertisment

ଓଡ଼ିଶାରେ ହେଉନି ତ ତାମିଲନାଡୁ ଏପିସୋଡ୍ ପୁନରାବୃତ୍ତି, ପାଣ୍ଡିଆନଙ୍କ ‘ଗୋଇଠା’ ମାରିବାକୁ ନେଇ ନବୀନ ନିରବ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କବଜା କରି ରଖାଯାଇଛି ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି।

ଅଦ୍ୟତନ ହୋଇଛି
undefined

naveen patnaik

Advertisment

ଓଡ଼ିଶାରେ ତାମିଲନାଡୁର ଜୟଲଳିତା-ଶଶୀକଳା ଏପିସୋଡ୍ ପୁନରାବୃତ୍ତି ହେଉନି ତ? ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି । ଆଉ ଏପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହୋଇଛନ୍ତି । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଗତ ବର୍ଷକ ମଧ୍ୟରେ ଅଧିକ ଖରାପ ହେଉଥିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଉଦବେଗ ଜଣାଇବା ସହ ତା’ର ଯାଂଚ ସ୍ୱତନ୍ତ୍ର କମିଟି ଦ୍ୱାରା ରାଜ୍ୟରେ ବିଜେପି ସରକାର ଆସିଲେ କରାଯିବ ବୋଲି କହିବା ପରେ ନବୀନ ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ଖରାପ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ ପାଇଁ କମିଟି ଗଠନ କରିବାକୁ ପାଲଟା ଜବାବ ଦେଇଛନ୍ତି । 

Advertisment

ଶେଷ ପର୍ଯ୍ୟାୟ ନିର୍ବାଚନରେ ଆଜି ଶେଷସ୍ପର୍ଶ ଦେବାକୁ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଓ କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଗତ ଏକବର୍ଷ ଧରି କାହିଁକି ଅଧିକ ଖରାପ ହୋଇଛି, ତା’ର ତଦନ୍ତ ରାଜ୍ୟରେ ବିଜେପି ସରକାର ଆସିଲେ ସ୍ୱତନ୍ତ୍ର କମିଟି ମାଧ୍ୟମରେ ଯାଂଚ କରିବ ବୋଲି ଘୋଷଣା କରିବାପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି । ଆଉ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆଜି ଗୋଟି ଦିନରେ ଦୁଇ ଦୁଇଥର ମିଡିଆକୁ ପ୍ରତିକ୍ରିୟା ଦେବାକୁ ବାଧ୍ୟ ହୋଇଛନ୍ତି । ଗୋଟିଏଥର ରେକର୍ଡିଂ ଭିଡିଓ ଓ ଅନ୍ୟଥର ଗଣମାଧ୍ୟମକୁ ଡାକି ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି । ମାତ୍ର କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ବିଜେଡି ନେତା ଭିକେ ପାଣ୍ଡିଆନ କାହିଁକି ତାଙ୍କୁ ଗୋଡ଼ ମାରିଲେ ସେ ନେଇ ମୁହଁ ଖୋଲିନାହାନ୍ତି କିମ୍ବା କୌଣସି ଜବାବ ରଖିନାହାନ୍ତି । ଯଦିଓ ବିଜେଡି ପକ୍ଷରୁ ଗତକାଲି ନବୀନଙ୍କ ଏକ ଭିଡିଓ ଜାରି କରାଯାଇ ‘ତାଙ୍କ ହାତ’କୁ ନେଇ ବିଜେପି ରାଜନୀତି ନକରୁ ବୋଲି କହିଥିଲେ । ତେବେ ସେହି ଭିଡିଓ ନବୀନଙ୍କ ଦ୍ୱାରା ପ୍ରସ୍ତୁତ କି ‘ଏଆଇ’ ଭିଡିଓ ତାକୁ ନେଇ ବିଜେପି ସନ୍ଦେହବ୍ୟକ୍ତ କରିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କବଜା କରି ରଖାଯାଇଛି ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ମାତ୍ର ସେ ନେଇ ମୁହଁ ଖୋଲୁନଥିବା ନବୀନ କିନ୍ତୁ ଗତକାଲି ଏକ ଭିଡିଓ ଜାରି କରି ତାଙ୍କ ହାତକୁ ନେଇ ଶସ୍ତା ରାଜନୀତି ନକରିବାକୁ ବିଜେପିକୁ ପରାମର୍ଶ ଦେଇଥିଲେ । ନିର୍ବାଚନୀ ସଭାରେ ନବୀନଙ୍କ ହାତକୁ ବିଜେଡି ସର୍ବେସର୍ବା ଭିକେ ପାଣ୍ଡିଆନ ଭିଡି ନେଉଥିବା ଦେଖିବାକୁ ମିଳିଥିଲା । ଆଉ ତାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ଏହାପରେ ବିଜେଡି ପକ୍ଷରୁ ନବୀନଙ୍କ ଏକ ଭିଡିଓ ଜାରି ହୋଇଥିଲା ଯେଉଁଥିରେ ନବୀନ ତାଙ୍କର ହାତକୁ ନେଇ ଶସ୍ତା ରାଜନୀତି କରାନଯାଉ ବୋଲି କହିଥିଲେ । ତେବେ ଉକ୍ତ ଭିଡିଓ ‘ଏଆଇ’ ପ୍ରସ୍ତୁତ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୋହରାଇଥିଲେ।

Advertisment

ଆଜି ନବୀନଙ୍କୁ ସଭାମଂଚରେ ପାଣ୍ଡିଆନ ଗୋଡ଼ ମାରୁଥିବାର ଏକ ଭିଡିଓକୁ ବିଜେପି ପକ୍ଷରୁ ଭାଇରାଲ କରାଯାଇ ତୁରନ୍ତ ପାଣ୍ଡିଆନ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲା । କିନ୍ତୁ ଗତକାଲି ‘ହାତକୁ ଭିଡ଼ିବା’ ନେଇ ପ୍ରତିକ୍ରିୟା ରଖିଥିବା ନବୀନ ଆଜି ଦୁଇଥର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ମଧ୍ୟ ତାଙ୍କୁ ଗୋଡ଼ମରା ଯିବା ସମ୍ପର୍କରେ ନିରବ ରହିଛନ୍ତି ।

ତେବେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଯେଭଳି ଭିଡ଼ି ଧରୁଛନ୍ତି ତାହା ନବୀନଙ୍କ ଉପରେ ତାଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱର ସ୍ପଷ୍ଟ ସନ୍ଦେଶ ଦେଉଛି । ସାର୍ବଜନୀନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଓ ଦଳର ସୁପ୍ରିମୋଙ୍କ ହାତକୁ ଭିଡ଼ିବାକୁ କେହି ସହଜରେ ଗ୍ରହଣ କରିପାରିବେନି ।

କେବଳ ସେତିକି ନୁହେଁ, ପାଣ୍ଡିଆନଙ୍କ ଉପସ୍ଥିତି ବିନା ନବୀନଙ୍କୁ କୌଣସି ନେତା- ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଫିସର ଭେଟିପାରୁନଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେଣୁ ତାମିଲନାଡ଼ୁରେ ତତକାଳୀନ ପ୍ରଭାବଶାଳୀ ଶଶୀକଳା ଯେଭଳି ରାଜ୍ୟର ୫ଥର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ତାଙ୍କ ମୃତ୍ୟୁର ଶେଷବର୍ଷ କାହାକୁ ମିଶିବାକୁ ଦେଉନଥିଲେ ଏବେ ଓଡ଼ିଶାରେ ସେଭଳି ପରିସ୍ଥିତି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe