Advertisment

ସୀମାରେ ଯୁଦ୍ଧ ପରିସ୍ଥିତି: ଓଡ଼ିଶାରେ ଉଚ୍ଚସ୍ତରୀୟ ସର୍ତକତା, ଛୁଟି ବାତିଲ, କେନ୍ଦ୍ର ମାଗିଲା ପ୍ରସ୍ତୁତିର ଦୈନିକ ରିପୋର୍ଟ

ରାଜ୍ୟ ସରକାର ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସବୁ ଜିଲ୍ଲାପାଳ, ଆରଡିସିଙ୍କ ସମେତ ସବୁ ଆଇପିଏସ୍ ଅଫିସରମାନଙ୍କ ଛୁଟି ବାତିଲ କରିଦେଇଛନ୍ତି ।

author-image
Ordigital Desk
LokaSeva Bhaban

Lokaseba Bhaban

ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଓଡ଼ିଶା ସରକାର ରାଜ୍ୟରେ ଉଚ୍ଚସ୍ତରୀୟ ସତର୍କତାମୂଳକ ପଦକ୍ଷେପ ସହ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରିଛନ୍ତି । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହିତ ବରିଷ୍ଠ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ତଥା ସେମାନଙ୍କୁ ବିନା ଅନୁମତିରେ ହେଡକ୍ୱାର୍ଟର ନଛାଡ଼ିବାକୁ ସରକାର ତାଗିଦ୍ କରିଛନ୍ତି। ରାଜ୍ୟର ପ୍ରମୁଖ ପ୍ରତିଷ୍ଠାନ ଓ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। କେନ୍ଦ୍ର ସରକାର ଶୁକ୍ରବାର ରାତିରେ ୨୧ଟି ଆକ୍ସନ ପଏଣ୍ଟର ତାଲିକା ପଠାଇ ସେଗୁଡ଼ିକୁ ବିଭିନ୍ନସ୍ତରରେ ତୁରନ୍ତ ପାଳନ କରିବା ଓ ମେ’ ୭ ତାରିଖରେ ମକଡ୍ରିଲବେଳେ ଯେଉଁ ତ୍ରୁଟିସବୁ ପଦାକୁ ଆସିଥିଲା, ସେଗୁଡ଼ିକୁ ସୁଧାରିବା ପାଇଁ ସମନ୍ୱିତ ଅଭ୍ୟାସ କରି ପ୍ରତ୍ୟେକ ଦିନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୀମାନ୍ତରେ ଯୁଦ୍ଧଜନିତ ପରିସ୍ଥିତି ପାଇଁ ସୀମାବର୍ତ୍ତୀ ରାଜ୍ୟ ସମେତ ଦେଶର ବିଭିନ୍ନ ସହରରେ ସମସ୍ତ ପ୍ରକାରର ଶୋଭାଯାତ୍ରା, ଧାରଣା, ଧାର୍ମିକ ଆୟୋଜନ ଓ ବାଣ ଫୁଟାଇବା ଆଦି ଉପରେ କଟକଣା ଜାରି କରାଯାଇଥିଲେ ମଧ୍ୟ ଓଡ଼ିଶା ସରକାର ସେସବୁ ପ୍ରତି ଆଖିବୁଜି ଦେଇଛନ୍ତି। ଯେଉଁଥିପାଇଁ ଭୁବନେଶ୍ୱର-କଟକ ସହର ସମେତ ରାଜ୍ୟର ବିଭିନ୍ନ ଭାଗରେ ଅବାଧ ବାଣ ଫୁଟା ଜାରି ରହିଛି ଓ ଯାହା ସାଧାରଣ ଲୋକଙ୍କୁ ଆତଙ୍କିତ କରାଇଥିବା ଜଣାପଡ଼ିଛି ।

Advertisment

ଅଫିସରଙ୍କ ଛୁଟି ବାତିଲ, ଜିଲ୍ଲାରେ ବି ଲାଗୁ

ରାଜ୍ୟ ସରକାର ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସବୁ ଜିଲ୍ଲାପାଳ, ଆରଡିସିଙ୍କ ସମେତ ସବୁ ଆଇପିଏସ୍ ଅଫିସରମାନଙ୍କ ଛୁଟି ବାତିଲ କରିଦେଇଛନ୍ତି । ସରକାରଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ନଛାଡ଼ିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ଛୁଟି ବାତିଲ ନିର୍ଦ୍ଦେଶ ମଧ୍ୟରେ ଜିଲ୍ଲାପାଳମାନେ ମଧ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଛୁଟି ବାତିଲ କରି ସେମାନଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ତାଗିଦ୍ କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ଜିଲ୍ଲାର ସବୁ ତହସିଲଦାର, ବିଡିଓଙ୍କ ସମେତ ଜିଲ୍ଲାସ୍ତରରର ସବୁ ଅଫିସରମାନଙ୍କୁ ବିନା ପରାମର୍ଶରେ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବର୍ତ୍ତମାନର ଜାତୀୟ ସୁରକ୍ଷା ପରିସ୍ଥିତି ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ଅନ୍ୟ ପ୍ରମୁଖ ବିଭାଗଗୁଡ଼ିକ ପକ୍ଷରୁ ଖୁବଶୀଘ୍ର କର୍ମଚାରୀମାନଙ୍କ ଛୁଟି ବାତିଲ ନିମନ୍ତେ ନିର୍ଦ୍ଦେଶନାମା ଜାରି ହେବ ବୋଲି ସୂଚନା ମିଳିଛି ।

ପ୍ରମୁଖ ସ୍ଥାନଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି

ରାଜ୍ୟର କେତେକ ପ୍ରମୁଖ ସ୍ଥାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଉପକୂଳବର୍ତ୍ତୀ ଅଂଚଳ ସମେତ ପ୍ରତିରକ୍ଷା ପ୍ରତିଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଡ୍ରୋନ ଗତିବିଧି ନିରୀକ୍ଷଣ ପାଇର୍ କଡ଼ା ନିୟମ ଲାଗୁ ହୋଇଛି । କେତେକ ଅଂଚଳକୁ ‘ନୋ ଫ୍ଲାଇଁ ଜୋନ୍‌’ ଘୋଷଣା କରାଯିବା ସହ ବିନା ଅନୁମତିରେ ଡ୍ରୋନ୍ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ରାଜ୍ୟର ସମୁଦ୍ର ଉପକୂଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରତିରକ୍ଷା ସହ ଜଡ଼ିତ ରାଜ୍ୟର ପ୍ରମୁଖ ସ୍ଥାନ ଯଥା- ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର, କୋରାପୁଟର ଯୁଦ୍ଧବିମାନ ଉପକରଣ ନିର୍ମାଣ କେନ୍ଦ୍ର, ବଲାଙ୍ଗୀର ଜିଲ୍ଲାର ଗୋଳାବାରୁଦ କାରଖାନା, ହୀରାକୁଦ ବନ୍ଧ, ପାରାଦୀପ ଓ ଧାମରା ବନ୍ଦର ସମେତ ପୁରୀ ଶ୍ରୀଜଗନ୍ନାଥ ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । 

Advertisment

ଚୁପ୍ ବସିଛି କମିଶନରେଟ ପୁଲିସ

ଜାତୀୟ ସୁରକ୍ଷାକୁ ନେଇ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ସୀମାବର୍ତ୍ତୀ ରାଜ୍ୟଗୁଡ଼ିକ ସମେତ ବିଭିନ୍ନ ସହରରରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋର ଭଳି ସହରରେ ସମସ୍ତ ପ୍ରକାରର ଶୋଭାଯାତ୍ରା, ଧାରଣା ପ୍ରଦର୍ଶନ, ଧାର୍ମିକ ଆୟୋଜନ ସହ ବିସ୍ଫୋରକ ସାମଗ୍ରୀ ପ୍ରଦର୍ଶନ ଓ ବାଣ ଫୁଟାଇବା ଉପରେ କଟକଣା ଜାରି ହୋଇଛି । ଏପରିକି ରାଜନୀତିକ ଦଳ ଓ ଅନ୍ୟ ସଂଗଠନଗୁଡ଼ିକ ଦ୍ୱାରା ସବୁପ୍ରକାରର କାର୍ଯ୍ୟକ୍ରମ ଉପରେ ମଧ୍ୟ ଅଙ୍କୁଶ ଜାରି ହୋଇଛି । ମାତ୍ର ରାଜଧାନୀ ଭୁବନେଶ୍ୱର ସହରରେ ବେଧଡ଼କ ବାଣଫୁଟା ଜାରି ରହିଛି । ସୀମାରେ ଯୁଦ୍ଧ ପରିସ୍ଥିତିବେଳେ ଏଭଳି ବାଣଫୁଟା ରାଜଧାନୀବାସୀଙ୍କୁ ଅସୁରକ୍ଷିତ କରାଇଥିଲେ ମଧ୍ୟ କମିଶନରେଟ ପୁଲିସର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଯଦିଓ କେନ୍ଦ୍ର ସରକାର ଶୁକ୍ରବାର ଓଡ଼ିଶା ସରକାରଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରି ସିଭିଲ ଡିଫେନ୍ସ ନିୟମାବଳୀ-୧୯୬୮ର ଧାରା ୧୧କୁ ପ୍ରୟୋଗ କରିବାକୁ ଅନୁମତି ଦେଇଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ଏହା ଆବଶ୍ୟକୀୟ ସର୍ତକତାମୂଳକ ପଦକ୍ଷେପଗୁଡ଼ିକର ଦ୍ରୁତ ତଥା ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରିତାକୁ ନିଶ୍ଚିତ କରାଇବ ବୋଲି ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଗୃହ ମନ୍ତ୍ରଣାଳୟ ଅବଗତ କରିସାରିଛି ।

କେନ୍ଦ୍ର ସରକାରଙ୍କ ୨୧ଟି ଆକ୍ସନ ପଂଏଣ୍ଟ, ମାଗିଲେ ରିପୋର୍ଟ

ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (SDMA ଓ DDMA) ପାଇଁ ଏକ ଜରୁରୀ ପ୍ରସ୍ତୁତି ଚେକଲିଷ୍ଟ ( ୨୧ଟି ଆକ୍ସନ ପଂଏଣ୍ଟ) ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA)  ଜାରି କରିଛନ୍ତି। ଜାତୀୟ ସୁରକ୍ଷାକୁ ନେଇ ଉପୁଜିଥିବା ପରିସ୍ଥିତିରେ ନାଗରିକ ଓ ଭିତ୍ତିଭୂମିର ସୁରକ୍ଷା ନିଶ୍ଚିତ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ NDMA ନିର୍ଦ୍ଦେଶ ଦେଇଛି।

୧. ବ୍ଲାକଆଉଟ ଓ ସୁରକ୍ଷା ଅଭ୍ୟାସ: ସମସ୍ତ ଜିଲ୍ଲାକୁ ରାଜ୍ୟବ୍ୟାପୀ ବ୍ଲାକଆଉଟ ଓ ସୁରକ୍ଷା ଅଭ୍ୟାସ ପାଇଁ ନିର୍ଦ୍ଦେଶ ଜାରି କରାଯିବ।

୨. ନୋଡାଲ ବିଭାଗ ନିଯୁକ୍ତି: ଏକ ନୋଡାଲ ବିଭାଗ ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟ, ବିଦ୍ୟୁତ, ଶିକ୍ଷା ଆଦି ବିଭାଗ ସହ ସମନ୍ୱୟ ରକ୍ଷା କରାଯିବ।

୩. ଜରୁରୀ କାର୍ଯ୍ୟକାରୀ କେନ୍ଦ୍ର (SEOC): SEOCକୁ ୨୪ଘଣ୍ଟା କାର୍ଯ୍ୟକ୍ଷମ ରଖିବା ସହ ବ୍ୟାକଅପ ପାୱାର ଓ ବିବିଧ ଯୋଗାଯୋଗ ବ୍ୟବସ୍ଥା ସୁନିଶ୍ଚିତ କରାଯିବ।

୪. ବ୍ଲାକଆଉଟ ପାଇଁ SOP: ନଗରପାଳିକା, ପୁଲିସ, ହସ୍ପିଟାଲ ଓ ଅତ୍ୟାବଶ୍ୟକ ସେବା ପାଇଁ ବ୍ଲାକଆଉଟ ସମ୍ପର୍କିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରାଯିବ।

୫. ସଶସ୍ତ୍ର ବାହିନୀ ସହ ସମନ୍ୱୟ: ସଶସ୍ତ୍ର ବାହିନୀ ଓ ଗୁଇନ୍ଦା ସଂସ୍ଥାଙ୍କ ସହ ନିୟମିତ ସମନ୍ୱୟ ରକ୍ଷା କରାଯିବ।

୬. ଜରୁରୀ ସାମଗ୍ରୀ ମହଜୁଦ: ଟର୍ଚ, ଇନ୍ଧନ, ମେଡିକାଲ କିଟ, ପାଣି ଆଦି ଜରୁରୀ ସାମଗ୍ରୀ ରଣନୈତିକ ସ୍ଥାନମାନଙ୍କରେ ମହଜୁଦ ରଖାଯିବ।

୭. ଜନସଚେତନତା ଅଭିଯାନ: ଗଣମାଧ୍ୟମ, ମୋବାଇଲ ଆପ୍ ଓ SMS ମାଧ୍ୟମରେ ଜନସଚେତନତା ଅଭିଯାନ ଚଳାଯିବ।

୮. ଅଭ୍ୟାସ କାର୍ଯ୍ୟକ୍ରମ: ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବ୍ଲାକଆଉଟ ଓ ଆଶ୍ରୟସ୍ଥଳ ଅଭ୍ୟାସ କରାଯିବ।

୯. ଅବିସ୍ଫୋରିତ ବିସ୍ଫୋରକ ପାଇଁ ପ୍ରୋଟୋକଲ: ସଶସ୍ତ୍ର ବାହିନୀ ସହଯୋଗରେ ଅବିସ୍ଫୋରିତ ବିସ୍ଫୋରକ (UXO) ପାଇଁ ପ୍ରୋଟୋକଲ ପ୍ରସ୍ତୁତ କରାଯିବ।

୧୦. DDMA ସକ୍ରିୟତା: ସମସ୍ତ ଜିଲ୍ଲାରେ DDMAକୁ ସମ୍ପୂର୍ଣ୍ଣ ଅନ୍ତର୍ବିଭାଗୀୟ ସମନ୍ୱୟ ସହ ସକ୍ରିୟ କରାଯିବ।

୧୧. ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ମାନଚିତ୍ର: ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ସାର୍ବଜନିକ ସୁବିଧାର ଝୁଁକି ମାନଚିତ୍ର ପ୍ରସ୍ତୁତ କରାଯିବ।

୧୨. କଣ୍ଟ୍ରୋଲ ରୁମ: ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ସତର୍କତା ବ୍ୟବସ୍ଥା ସହ କଣ୍ଟ୍ରୋଲ ରୁମ ସ୍ଥାପନ ଓ କର୍ମଚାରୀ ନିୟୋଜନ କରାଯିବ।

୧୩. ସିଭିଲ ଡିଫେନ୍ସ ଓ ସ୍ୱେଚ୍ଛାସେବୀ ତାଲିମ: ସିଭିଲ ଡିଫେନ୍ସ ଓ୍ୱାର୍ଡେନ ଓ ସାମୁଦାୟିକ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦିଆଯିବ।

୧୪. ବିଦ୍ୟୁତ ବ୍ୟବସ୍ଥା ସମନ୍ୱୟ: ବ୍ଲାକଆଉଟ ଜୋନ ଓ ବିଦ୍ୟୁତ ବନ୍ଦ ଯୋଜନା ପାଇଁ ବିଦ୍ୟୁତ ବିଭାଗ ସହ ସମନ୍ୱୟ କରାଯିବ।

୧୫. ଏୟାର-ରେଡ ସାଇରନ: ବ୍ୟାକଅପ ପାୱାର ସହ ଏୟାର-ରେଡ ସାଇରନ ସ୍ଥାପନ ଓ କେନ୍ଦ୍ରୀୟ ସତର୍କତା ବ୍ୟବସ୍ଥା ସହ ସଂଯୋଗ କରାଯିବ।

୧୬. ଆଲୋକ ନିୟନ୍ତ୍ରଣ: ଆଲୋକ ନିୟନ୍ତ୍ରଣ ନିୟମ କଡ଼ାକଡ଼ି ପାଳନ କରାଯାଇ ନିୟମିତ ପରିଦର୍ଶନ ଓ ଜରିମାନା ବ୍ୟବସ୍ଥା ଲାଗୁ କରାଯିବ।

୧୭. ସାମୁଦାୟିକ ଆଶ୍ରୟସ୍ଥଳ: ସ୍କୁଲ, ହଲ, ବେସମେଣ୍ଟ ଆଦିରେ ସାମୁଦାୟିକ ଆଶ୍ରୟସ୍ଥଳ ପ୍ରସ୍ତୁତ ଓ ସାମଗ୍ରୀ ମହଜୁଦ କରାଯିବ।

୧୮. ସ୍ଥାନୀୟ ସଂଗଠନ ତାଲିମ: ରେସିଡେନ୍ସ ୱେଲଫେୟାର ଆସୋସିଏନସ ଓ ପଞ୍ଚାୟତମାନଙ୍କୁ ସତର୍କତା ବାର୍ତ୍ତା ପ୍ରଚାର ଓ ଦୁର୍ବଳ ଜନଗୋଷ୍ଠୀଙ୍କୁ ସହାୟତା ପାଇଁ ତାଲିମ ଦିଆଯିବ।

୧୯. ପରିବାର ସ୍ତରୀୟ ପ୍ରସ୍ତୁତି: ପରିବାରଗୁଡ଼ିକୁ ଜରୁରୀ କିଟ, ସାଇରେନ ସଚେତନତା ଓ ନିରାପଦ ଅଞ୍ଚଳ ଚିହ୍ନଟ ପାଇଁ ପ୍ରୋତ୍ସାହିତ କରାଯିବ।

୨୦. ମିଥ୍ୟା ସୂଚନା ନିୟନ୍ତ୍ରଣ: ଆଧିକାରିକ ମୁଖପାତ୍ର ଓ ଗଣମାଧ୍ୟମ ନିୟନ୍ତ୍ରଣ ମାଧ୍ୟମରେ ମିଥ୍ୟା ସୂଚନା ରୋକାଯିବ।

୨୧. ପଶୁସମ୍ପଦ ସ୍ଥାନାନ୍ତର: ପଶୁସମ୍ପଦ ପାଇଁ ଆଶ୍ରୟସ୍ଥଳ ମାନଚିତ୍ର ଓ ସମନ୍ୱିତ ଯତ୍ନ ଯୋଜନା ପ୍ରସ୍ତୁତ କରାଯିବ।

India Pakistan War