Advertisment

Odisha Police SI Scam : ପଂଚସଫ୍ଟ ପାଇଁ ଲୁକ୍ ଆଉଟ୍ ନୋଟିସ୍ , ଓପିଆରବି-ସିଲିକନକୁ ଛୁଇଁ ପାରୁନି କ୍ରାଇମବ୍ରାଂଚ

Odisha Police SI Scam : ପରୀକ୍ଷା ପରିଚାଳନା ସହ ଜଡ଼ିତ ଥିବା ସଂସ୍ଥା ଓପିଆରବି, ଆଇଟିଆଇ,ସିଲିକନ ଓ ପଂଚସଫ୍ଟର କେହି ଜଣେ ମଧ୍ୟ ଗିରଫ ହୋଇନାହାନ୍ତି । ଯାହାକି ତଦନ୍ତ ପ୍ରକ୍ରିୟାକୁ ସନ୍ଦେହଘେରକୁ ଟାଣି ନେଇଛି ।

police-job-scam-01

OPRB Exam Scam

Advertisment

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ପଂଚସଫ୍ଟ ଲିମିଟେଡର ମାଲିକ ଶଙ୍କର ପୃଷ୍ଟି ଓ ଏଚଆର ମୁଖ୍ୟ ମୁନ୍ନା ମହାନ୍ତିଙ୍କ ନାଁରେ ଲୁକଆଉଟ୍ ନୋଟିସ୍ ଜାରି କରିଛି କ୍ରାଇମବ୍ରାଂଚ । ମାତ୍ର ଏହି ନିଯୁକ୍ତି ପରୀକ୍ଷା ପରିଚାଳନା ସହ ଜଡ଼ିତ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ, କେନ୍ଦ୍ରୀୟ ଉଦ୍ୟୋଗ ଆଇଟିଆଇ ଲିମିଟେଡ୍ ଓ ସବଲେଟ୍ କମ୍ପାନୀ ସିଲିକନ୍ ଟେକଲାବକୁ ଏପର୍ଯ୍ୟନ୍ତ ଛୁଇଁବାରେ ସକ୍ଷମ ହୋଇପାରିନି କ୍ରାଇମବ୍ରାଂଚ । ଆଉ  ଏହି ତଦନ୍ତ ଚାଲିଥିବାବେଳେ ଦୁଇଦିନ ତଳେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) କିଭଳି ନିଜକୁ କ୍ଲିନଚିଟ୍ ଦେଲା ଓ କ୍ରାଇମବ୍ରାଂଚ କାହିଁକି ନିଯୁକ୍ତି ପରୀକ୍ଷା ସହ ସିଧାସଳଖ ଜଡ଼ିତ ଏହି ସଂସ୍ଥାଗୁଡ଼ିକୁ ନିଜର ତଦନ୍ତ ପରିସରଭୁକ୍ତ କରୁନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

କ୍ରାଇମବ୍ରାଂଚର ଲୁକଆଉଟ୍ ନୋଟିସ

କ୍ରାଇମବ୍ରାଂଚ ସୂତ୍ରରୁ ଜାରି ସୂଚନା ଅନୁସାରେ, ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ପଂଚସଫ୍ଟ ଲିମିଟେଡର ମାଲିକ ଶଙ୍କର ପୃଷ୍ଟି ଓ ଏହାର ଏଚଆର ମୁଖ୍ୟ ମୁନ୍ନା ମହାନ୍ତିଙ୍କ ବିରୁଦ୍ଧରେ ଲୁକଆଉଟ୍ ନୋଟିସ୍ ( Lookout Circular ) ଜାରି ହୋଇଛି । ଦୀର୍ଘ ୧୨ଦିନ ଧରି ସେମାନଙ୍କୁ ଖୋଜି ପାଇବାରେ ବିଫଳ ହେବାପରେ ସେମାନେ ଯେଭଳି ଦେଶ ଛାଡ଼ି ନଯିବେ ସେଥିପାଇଁ କ୍ରାଇମବ୍ରାଂଚ ଏହି ନୋଟିସ୍ ଜାରି କରିଥିବା କୁହାଯାଉଛି ।  ଏହି ଦୁଇ ଜଣ ଅଭିଯୁକ୍ତଙ୍କୁ ମାଷ୍ଟରମାଇଣ୍ଡ ଭାବେ ଅଭିହିତ କରି କ୍ରାଇମବ୍ରାଂଚ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଆଉ ୪ଟି ଟିମ୍ ଗଢ଼ି ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଉଥିବା ସୂଚନା ମିଳିଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ପରୀକ୍ଷା ପରିଚାଳନା ସହ ସିଧାସଳଖ ଜଡ଼ିତ ଥିବା ଓପିଆରବି ଓ ଆଇଟିଆଇ ଲିମିଟେଡର ଅଧିକାରୀମାନଙ୍କୁ କାହିଁକି ପଚରାଉଚୁରା କରିନାହିଁ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସିଲିକନ୍ ଟେକଲାବକୁ ଛୁଇଁପାରୁନି କ୍ରାଇମବ୍ରାଂଚ

ପରୀକ୍ଷା ପରିଚାଳନା ପାଇଁ ଓପିଆରବିଠାରୁ ଟେଣ୍ଡର ନେଇଥିବା କେନ୍ଦ୍ରୀୟ ଉଦ୍ୟୋଗ ଆଇଟିଆଇ ଲିମିଟେଡ୍ କେଉଁ ପରିସ୍ଥିତିରେ ‘ରିଚମାଇଣ୍ଡ ଡିଜିଟାଲ’ସଂସ୍ଥାକୁ ହଟାଇ ସିଲିକନ୍ ଟେକଲାବକୁ ସବଲେଟରେ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଲା ଏବଂ ସମ୍ପୃକ୍ତ ସିଲିକନ୍ ସଂସ୍ଥା କାହା ପଂଚସଫ୍ଟକୁ ଏହି କାର୍ଯ୍ୟାଦେଶ ଠିକାରେ ଟେକି ଦେବାବେଳେ ଓପିଆରବି କର୍ତ୍ତୃପକ୍ଷ ଓ ରାଜ୍ୟ ଗୃହ ବିଭାଗ କିଭଳି ଅନୁମତି ଦେଇଥିଲା ତାହା ଏପର୍ଯ୍ୟନ୍ତ ଖୋଳତାଡ଼ ହେଉନାହିଁ ।

Advertisment

କ୍ରାଇମବ୍ରାଂଚର ତଦନ୍ତ ଜାରି ରହିଥିବାବେଳେ ଓପିଆରବି କର୍ତ୍ତୃପକ୍ଷ ନିଜକୁ କ୍ଲିନଚିଟ୍ ଦେଇ ରାଜନୀତିକ ବୟାନବାଜି କରିବା ଭଳି ସ୍ପଷ୍ଟୀକରଣ ଗଣମାଧ୍ୟମକୁ ଜାରି କରିସାରିଛନ୍ତି । କ୍ରାଇମବ୍ରାଂଚ ମଧ୍ୟ ସିଲିକନ ଟେକଲାବ ସହ ଜଡ଼ିତ ଜଣେ ନିର୍ଦ୍ଦେଶକଙ୍କୁ ଡାକି ପଚରାଉଚୁରା କରି ଛାଡ଼ି ଦେଇଛି । ଆଇଟିଆଇ ଓ ସିଲିକନ  ସହ ଜଡ଼ିତ ଅଧିକାରୀମାନଙ୍କ ପ୍ରତି କ୍ରାଇମବ୍ରାଂଚ କାହିଁକି ନରମ ଆଭିମୁଖ୍ୟ ପୋଷଣ କରୁଛି ତାହା ମଧ୍ୟ ସନ୍ଦେହ ବଢ଼ାଇବାରେ ଲାଗିଛି ।

ବିରୋଧୀଙ୍କ ଟାର୍ଗେଟରେ ଓପିଆରବି ଓ ଗୃହ ବିଭାଗ

ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଖୋଲାଖୋଲି ଭାବେ ଏହି ନିଯୁକ୍ତି ପରୀକ୍ଷା(Odisha Police SI Scam ) କେଳେଙ୍କାରୀରେ ଓପିଆରବି ଅଧ୍ୟକ୍ଷ, ଗୃହ ସଚିବ ଓ ଢେଙ୍କାନାଳ ଲିଙ୍କ୍ ଥିବା କହିସାରିଛନ୍ତି । କଂଗ୍ରେସ ମଧ୍ୟ ଅନୁରୂପ ଅଭିଯୋଗ କରି ତା’ର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି । ମାତ୍ର କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ଘରୋଇ ସଂସ୍ଥା ‘ସିଲିକନ’ର କର୍ମକର୍ତ୍ତାମାନଙ୍କ ଦେହରେ ହାତ ମାରିବାରେ ସକ୍ଷମ ହୋଇପାରିନାହିଁ । ବିଗତ ୧୩ ଦିନ ମଧ୍ୟରେ କ୍ରାଇମବ୍ରାଂଚ ମାତ୍ର ୩ଜଣ ଦଲାଲଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଘଟଣା ଦିନ ୧୧୪ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କ ସମେତ ମୋଟ ୧୧୭ଜଣଙ୍କୁ ଗିରଫ କରିଥିଲା । ଏବେ ମୋଟ୍ ଗିରଫ ସଂଖ୍ୟା ୧୨୦ରେ ପହଂଚିଛି । ମାତ୍ର ପରୀକ୍ଷା ପରିଚାଳନା ସହ ଜଡ଼ିତ ଥିବା ସଂସ୍ଥା ଓପିଆରବି, ଆଇଟିଆଇ,ସିଲିକନ ଓ ପଂଚସଫ୍ଟର କେହି ଜଣେ ମଧ୍ୟ ଗିରଫ ହୋଇନାହାନ୍ତି । ଯାହାକି ତଦନ୍ତ ପ୍ରକ୍ରିୟାକୁ ସନ୍ଦେହଘେରକୁ ଟାଣି ନେଇଛି । 

ଓପିଆରବି ପ୍ରତି ସରକାରଙ୍କ ଅନୁକମ୍ପା କାହିଁକି

ମାତ୍ର ୩ଜଣ ଅଧିକାରୀ ଓ କିଛି କନେଷ୍ଟବଳଙ୍କୁ ନେଇ ଗଠିତ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଏକ ଛୋଟ ସଂସ୍ଥା ବୋଲି ଗତ ଦୁଇଦିନ ତଳେ ଓପିଆରବି କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ଆଉ ପରୀକ୍ଷା ପରିଚାଳନା ପାଇଁ ତାଙ୍କ ପାଖରେ ଭିତ୍ତିଭଭୂମି ନଥିବାର ଅସମର୍ଥତା ମଧ୍ୟ ଜାହିର କରିସାରିଛନ୍ତି । ଲକ୍ଷଲକ୍ଷ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଜଡ଼ିତ ଏହି ସଂସ୍ଥା ନିଜର ଅସମର୍ଥତା ଦର୍ଶାଇଥିବା ସତ୍ତ୍ୱେ ରାଜ୍ୟ ସରକାର କାହିଁକି ଏହି ଓପିଆରବି ଉପରେ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ୧୯୯୦ ଦଶନ୍ଧିରେ ଏଭଳି ଦୁର୍ନୀତିରେ ଜଡ଼ିତ ଥିବା ଯୋଗୁ ‘ଓପିଆରବି’ଠାରୁ ନିଯୁକ୍ତି ପ୍ରକ୍ରିୟାକୁ ଛଡ଼ାଇ ଅଣାଯାଇ ଷ୍ଟାଫ ସିଲେକ୍ସନ ଆୟୋଗଙ୍କୁ ନ୍ୟସ୍ତ ହୋଇଥିଲା । ଏବେ ଅନୁରୂପ ସ୍ଥିତି ଉପୁଜିଥିବା ସତ୍ତ୍ୱେ କେଉଁ ଅଦୃଶ୍ୟ କାରଣରୁ ସରକାର ‘ଓପିଆରବି’ ଉପରେ ଭରସା କରି ବସିଛନ୍ତି ତାହା ସାଧାରଣରେ ସନ୍ଦେହ ବଢ଼ାଇଛି ।

ଯଦିଓ ରାଜ୍ୟ ସରକାରଙ୍କ ପାଖରେ ଓଡିଶା ଲୋକସେବା ଆୟୋଗ , ଓଡିଶା ଷ୍ଟାଫ ସିଲେକ୍ସନ ଆୟୋଗ  ଏବଂ ଓଡିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ଆୟୋଗ ଭଳି ସୁସଂଗଠିତ ଓ ଦକ୍ଷ ସରକାରୀ ନିଯୁକ୍ତି ସଂସ୍ଥା ରହିଛି । ନିଜର ଅସାମର୍ଥ୍ୟତା ପ୍ରକାଶ କରୁଥିବା ସଂସ୍ଥା ମାଧ୍ୟମରେ ପୁଲିସ ଏସଆଇ ପରୀକ୍ଷା କରି ରାଜ୍ୟ ସରକାର ଲକ୍ଷ ଲକ୍ଷ ଯୁବକଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

Lookout Circular Odisha Police SI Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe