ବିଜେପି ନେତୃତ୍ୱାଧୀନ ସରକାର ରାଜ୍ୟରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇଛି । ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୩ଲକ୍ଷ କୋଟି ଟଙ୍କାର ରାଜପଥ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଆମେରିକାର ସଡ଼କ ଭଳି ଓଡ଼ିଶାର ରାଜପଥ ହେବ । ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ଓଡ଼ିଶା ଗସ୍ତରେ ଆସି ୪୧୩୭କୋଟି ଟଙ୍କାର ୧୯ଟି ଜାତୀୟ ରାଜମାର୍ଗ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରି ଗଡ଼କରୀ ଓଡ଼ିଶାରେ ସଡ଼କ ଭିତ୍ତିଭୂମିକୁ କିଭଳି ସୁଦୃଢ଼ କରାଯିବ ତା’ର ବ୍ଲୁ-ପ୍ରିଣ୍ଟ ରଖିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ନିକଟରେ ଓଡ଼ିଶାର ଆବଶ୍ୟକତାକୁ ଚାହିଁ ଏକାଧିକ ପ୍ରସ୍ତାବ ରଖିଥିବା ଜଣାପଡ଼ିଛି ।
୪୧୩୭କୋଟି ଟଙ୍କାର ୧୯ଟି ରାଜପଥ ପ୍ରକଳ୍ପର ଶୁଭାରମ୍ଭ
କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଗୁରୁବାର ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାରେ ୪୧୩୭କୋଟି ଟଙ୍କାର ୧୫୪କିମି ଲମ୍ବ ବିଶିଷ୍ଟ ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୨୯୦୫କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ, ୪୨୭କୋଟି ଟଙ୍କାର ୪ଟି ସିଆରଆଇଏଫ ବ୍ରିଜ୍ ଶିଳାନ୍ୟାସ ଓ ୮୪୧କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ଏବଂ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ଯୋଡ଼ିବା ପାଇଁ ସମ୍ପର୍କ ସେତୁର ଶିଳାନ୍ୟାସ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ଦ୍ୱାରା ସମ୍ପନ୍ନ ହୋଇଛି । ଏହାସହିତ ବିଶ୍ୱସ୍ତରୀୟ ଭିତ୍ତିଭୂମି ରାଜ୍ୟର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ଓ ଓଡ଼ିଶାର ସଡ଼କ ଭିତ୍ତିଭୂମି ଆମେରିକା ସ୍ତରରେ ପହଂଚିବ ବୋଲି ସେ କହିଛନ୍ତି ।
ଓଡ଼ିଶାରେ ୩ବର୍ଷରେ ୩ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ସରିବ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଯେ, ଓଡ଼ିଶାରେ ଉତ୍କୃଷ୍ଟ ବନ୍ଦର, ପ୍ରଚୁର ଖଣିଜ ସମ୍ପଦ ଓ ଜଙ୍ଗଲ ରହିଛି । ଯାହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଉନ୍ନତ ସଡ଼କ ଭିତ୍ତିଭୂମି ଏସବୁ କ୍ଷେତ୍ରକୁ ଆହୁରି ଆଗେଇନେବ । ଓଡ଼ିଶାରେ ଏବେ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ରାଜମାର୍ଗ ପ୍ରକଳ୍ପ କାର୍ଯ୍ୟକୁ ହାତକୁ ନିଆଯାଇଛି । ଏଥିରୁ ୬୦ହଜାର କୋଟି ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ୬୦ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଆଗାମୀ ଦିନରେ ୭୫ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ । ଏବେ ଆଉ ୪୦ହଜାର କୋଟି ଟଙ୍କା ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ଚାଲିଛି । ଏସବୁ ବ୍ୟତୀତ ୬୫୦କିମି ବିଶିଷ୍ଟ ୨୭ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି । ଆଗାମୀ ୩ବର୍ଷ ମଧ୍ୟରେ ରାଜ୍ୟରେ ୩ଲକ୍ଷ କୋଟି ଟଙ୍କାର କାର୍ଯ୍ୟ ଶେଷ ହେବ । ଓଡ଼ିଶାର ରାସ୍ତା ଆମେରିକାସ୍ତରର ହେବ । ନବରଙ୍ଗପୁର-ବିଶାଖାପାଟଣା ରାସ୍ତା ସମ୍ପୂର୍ଣ୍ଣ ହେଲେ ଲୋକେ ସାଢ଼େ ୪ଘଣ୍ଟାରେ ଗନ୍ତବ୍ୟ ସ୍ଥଳରେ ପହଂଚିବେ । ରାଂଚି-ସମ୍ବଲପୁର ୪ଲେନ୍ ବିଶିଷ୍ଟ ୧୫୦କିମି ରାସ୍ତା ପାଇଁ ୮ହଜାର କୋଟି ଟଙ୍କା ବ୍ୟୟ କରାଯିବ । କଟକ-ସମ୍ବଲପୁର ରାଜପଥ କାର୍ଯ୍ୟ ୨୦୨୫ ଜୁନ୍ ମାସ ସୁଦ୍ଧା ଶେଷ ହେବ । ଚଣ୍ଡିଖୋଲରୁ ପାରାଦୀପ ୮ଲେନ୍ ବିଶିଷ୍ଟ ରାସ୍ତା ୨୦୨୬ ଡିସେମ୍ବର ଶେଷ ସୁଦ୍ଧା ସରିବ । ଲୋକେ ଘଣ୍ଟାଏରେ ପାରାଦୀପରେ ପହଂଚିବେ । କ୍ୟାପିଟାଲ ରିଙ୍ଗରୋଡରେ ୬ଲେନ୍ ବିଶିଷ୍ଟ ରାସ୍ତାନିର୍ମାଣ କରାଯିବ । ଏଥିପାଇଁ ୭ହଜାର କୋଟି ଟଙ୍କାର ମଞ୍ଜୁରୀ ବିଭାଗ ଦେଇସାରିଛି । କ୍ୟାବିନେଟ୍ ଅନୁମୋଦନ ପରେ ଏହି କାର୍ଯ୍ୟ ଆରମ୍ଭ ହେବ । ସାତପଡ଼ା-କୃଷ୍ଣପ୍ରସାଦ ୮କିମି ବିଶିଷ୍ଟ ୫୦୦କୋଟି ଟଙ୍କାର ୨ଟି ବ୍ରିଜ୍ ପାଇଁ ଡିପିଆର ପ୍ରସ୍ତୁତ ସରିବ । ଓଡ଼ିଶା ପାଇଁ ସିଆରଆଇଏଫରେ ୧ହଜାର କୋଟି ଟଙ୍କା ମଞ୍ଜୁର ନିମନ୍ତେ ଶ୍ରୀ ଗଡ଼କରୀ ଘୋଷଣା କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ୯ହଜାର କୋଟି ଟଙ୍କାର ୧୩ଟି ପ୍ରକଳ୍ପ ପାଇଁ କରିଥିବା ଦାବିକୁ ସେ ଅନୁମୋଦନ କରୁଛନ୍ତି ବୋଲି ମଂଚରୁ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ ଦେଲେ ଏକାଧିକ ପ୍ରସ୍ତାବ
ଭୁବନେଶ୍ୱର-ପୁରୀ ୪ଲେନ୍ ବିଶିଷ୍ଟ ରାସ୍ତାକ ୬ଲେନ୍ କରିବା ନିମନ୍ତେ ପ୍ରସ୍ତାବ ରହିଛି । ମାତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରାସ୍ତାକୁ ୮ଲେନ୍ ବିଶିଷ୍ଟ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏହାସହିତ ସର୍ଭିର୍ସ ରୋଡ୍ ମଧ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆଗାମୀ ୧୦୦ବର୍ଷକୁ ଦୃଷ୍ଟିରେ ରଖି ଏହି ରାସ୍ତା ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ପ୍ରସ୍ତାବିତ କୋଷ୍ଟାଲ ହାଇୱେ ରାସ୍ତାକୁ ୨ଲେନ୍ ବଦଳରେ ୪ଲେନ୍ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ସିଆରଆଇଏଫରେ ୮୦୦କୋଟି ଟଙ୍କଗର ଆବଶ୍ୟକତା ଅଛି । କେନ୍ଦ୍ର ସରକାର ଯଦି ଏହି ଶେୟାର ପ୍ରଦାନ କରିବେ ତା’ହେଲେ ରାଜ୍ୟ ସରକାର ନିଜର ଅଂଶଧନ ଦେଇ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରି ସେସବୁକୁ ଶେଷ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ନିଜ ଅଭିଭାଷଣରେ ଓଡ଼ିଶା ପାଇଁ କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରଣାଳୟଠୁ ୧ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଅନୁରୋଧ କରିଛନ୍ତି । ଫଳରେ ଆଗାମୀ ଦିନରେ ଅନେକ ପ୍ରକଳ୍ପଗୁଡ଼ିକର ଡିପିଆର ପ୍ରସ୍ତୁତ ସହ ଏହା କାର୍ଯ୍ୟକାରୀ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଗଡ଼କରୀଜୀ ତାଙ୍କୁ ଓଡ଼ିଶା ପାଇଁ କ’ଣ ଦରକାର ବୋଲି ପଚାରିଥିଲେ । ଯାହା ଦରକାର ମୁଁ କରିକି ଯିବି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଓଡ଼ିଶାକୁ ଶିଳ୍ପର ହବ୍ କରିବାକୁ ଭିତ୍ତିଭୂମିର ଆବଶ୍ୟକତା ରହିଛି । ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଅଂଚଳକୁ ସଡ଼କ ସଂଯୋଗ କରିବାକୁ ଚେଷ୍ଟା କରୁଛନ୍ତି ଓ ୭୫ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।