Advertisment

ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ପାଇଁ ସତର୍କବାଣୀ ଶୁଣାଇଲେ କଂଗ୍ରେସ ପ୍ରଭାରୀ

ଚେଲା କୁମାର କହିଛନ୍ତି, ନବ ଦାସଙ୍କ ଭଳି ଅବସ୍ଥା ଅନ୍ୟ ନେତାମାନଙ୍କର ହୋଇପାରେ। ଆଜି ନବ ତ କାଲି ଆଉ କିଏ।

author-image
Niranjan Mishra
ଅଦ୍ୟତନ ହୋଇଛି
Pradip Purohit and A Chellakumar

Pradip Purohit and A Chellakumar

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଲେ ବିରୋଧୀ। କଂଗ୍ରେସ ପ୍ରଭାରୀ ଚେଲା କୁମାର ଓ ବିଜେପି ନେତା ପ୍ରଦୀପ ପୁରୋହିତ ବିଜେଡି ନେତାମାନଙ୍କୁ ସତର୍କ କରିଲା ଭଳି ମତ ରଖିଛନ୍ତି। ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ପାଇଁ ସତର୍କବାଣୀ ଶୁଣାଇଛନ୍ତି କଂଗ୍ରେସ ପ୍ରଭାରୀ ଚେଲା କୁମାର।

Advertisment

ଚେଲା କୁମାର କହିଛନ୍ତି, ନବ ଦାସଙ୍କ ଭଳି ଅବସ୍ଥା ଅନ୍ୟ ନେତାମାନଙ୍କର ହୋଇପାରେ। ଆଜି ନବ ତ କାଲି ଆଉ କିଏ। ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ଆଶା ରଖିଥିବା ବ୍ୟକ୍ତିଙ୍କୁ ରାସ୍ତାରୁ ହଟାଇବାକୁ ବିଜେଡିର ଦ୍ୱିତୀୟ ଓ ତୃତୀୟ ରାଙ୍କ ନେତାଙ୍କ ଏହା ଚାଲ୍ ମଧ୍ୟ ହୋଇପାରେ। ବିଜେଡିରେ ବେଶି ପାଟି ଫିଟାଉଥିବା ନେତାଙ୍କୁ ଏହା ସତର୍କ ସୂଚନା । ଯେଉଁମାନେ ଦଳରେ ରହି ସତକୁ ସାମ୍ନାକୁ ଆଣିବା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି, ନବୀନ ଶାସନରେ ସେମାନଙ୍କ ସ୍ୱରକୁ ଦବେଇ ଦିଆଯାଉଛି ବୋଲି ଚେଲା କୁମାର କହିଛନ୍ତି।

ଚେଲା କୁମାର ଆହୁରି କହିଛନ୍ତି, ଏଠି ସରକାର କାମ କରୁନି। ମୁଁ ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଛି। ନବଙ୍କୁ ଜଣେ ଏଏସ୍‌ଆଇ ମାରିବା ଭଳି ଲାଗୁନି। ଅନେକ ସନ୍ଦେହ ରହୁଛି। ଏହା ଷଡ଼ଯନ୍ତ୍ର। ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟ, ଉତ୍ତର ଦେବା। ପୁଲିସ ଓ କ୍ରାଇମବ୍ରାଂଚ ତଦନ୍ତ ପ୍ରକ୍ରିୟା ଉପରେ ଭରସା ପାଉନି। ପରି ଓ ମମତା ମେହେର ମାମଲାରେ ବିଜେଡି ସରକାର କ’ଣ କରିଛି ବୋଲି ଚେଲା କୁମାର କହିଛନ୍ତି। ରାଜ୍ୟରେ ବିଜେଡ଼ି ଗୁଣ୍ଡାରାଜ ଚଲେଇଛି। କୋଟେରି ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ଖେଳାଉଛି। ଓଡ଼ିଶା ସରକାରରେ ଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏହି ଘଟଣା ନେଇ ସରକାରଙ୍କୁ କରିଥିବା ପ୍ରଶ୍ନର ଉତ୍ତର ବିଜେଡି ଦେଇପାରୁନି। ଆସନ୍ତା ବିଧାନସଭାରେ ଆଇନ ଶୃଙ୍ଖଳା, ନବ ଦାସ ହତ୍ୟା, ଚାଷୀ, ଦୁର୍ନୀତି, ଚିଟ୍ ଫଣ୍ଡ, ମାଇନିଂ ସ୍କାମ ପ୍ରସଙ୍ଗ ଉଠାଇବ ଦଳ ବୋଲି ଚେଲା କୁମାର କହିଛନ୍ତି।

Advertisment

ଅନ୍ୟପଟେ ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ସେ କହିଛନ୍ତି, ହତ୍ୟା ପଛରେ ବଡ ରହସ୍ୟ ଥିବା ସେ କହିଛନ୍ତି। ମୁଁ ଆଗରୁ ବି କହିଛି ନବୀନଙ୍କ ଅବର୍ତ୍ତମାନରେ ଯେଉଁମାନେ କ୍ଷମତାରେ ରହିବାକୁ ଚାହୁଁଛନ୍ତି ସେମାନେ ଏହି ହତ୍ୟା କରିଛନ୍ତି। ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଅଧିକାରୀ ହତ୍ୟା ପଛର ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଉଥିବା ଭଳି ମନେ ହେଉଛି। ଅଭିଯୁକ୍ତକୁ କ୍ରାଇମ୍‌ବ୍ରାଂଚ ଯେଉଭଳି ଟି’ ସାର୍ଟ ପିନ୍ଧାଇ ଭିଡିଓ ଭାଇରଲ କରିଲା, ତାହା ଦ୍ୱାରା କେବଳ ଅଭିଯୁକ୍ତକୁ ଏକମାତ୍ର ଷଡଯନ୍ତ୍ରକାରୀ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି।

ତେବେ ଏହି ଦୁଇ ନେତାଙ୍କ ମନ୍ତବ୍ୟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Naba Das Murder