Advertisment

ଅଗଣତାନ୍ତ୍ରିକ ଢଙ୍ଗରେ ବନ୍ଦ କରିଦେଲେ ବିଧାନସଭା, ବର୍ଷିଲା ବିଜେପି

ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରେ କୌଣସି ଆଲୋଚନା ନକରି ରାଜ୍ୟ ସରକାର କାହିଁକି ହଠାତ୍ ସ୍ୱେଚ୍ଛାଚାରୀ ଭଳି ବିଧାନସଭା ବନ୍ଦ କରିଦେଲେ ବୋଲି ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିବା ସହ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

author-image
Ordigital Desk
Jayanarayana Mishra

Jayanarayana Mishra

ବିଧାନସଭା ବଜେଟ୍ ଅଧିବେଶନକୁ ଅଗଣତାନ୍ତ୍ରିକ ଉପାୟରେ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି । ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟିରେ କୌଣସି ଆଲୋଚନା ନକରି ରାଜ୍ୟ ସରକାର କାହିଁକି ହଠାତ୍ ସ୍ୱେଚ୍ଛାଚାରୀ ଭଳି ବିଧାନସଭା ବନ୍ଦ କରିଦେଲେ ବୋଲି ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିବା ସହ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଏ ସରକାର ହେଉଛି ପଳାୟନପନ୍ଥୀ ଓ ଓଡ଼ିଶାରେ ଏକ ନକଲି ସରକାର ଚାଲିଛି ବୋଲି କହି ଶ୍ରୀ ମିଶ୍ର କଟାକ୍ଷ କରିଥିଲେ ।

Advertisment

ଆଜି ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଥିଲେ ଯେ, ବିଧାନସଭାର ବଜେଟ୍ ଅଧିବେଶନ ଫେବୃୟାରୀ ୨୧ରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟ ଦିବସ ନିର୍ଘଣ୍ଟ ହୋଇଥିଲା । କିନ୍ତୁ ହଠାତ୍ ଅଗଣତାନ୍ତ୍ରିକ ଉପାୟରେ ଗତକାଲି ଅଧିବେଶନ ବନ୍ଦ କରାଯାଇଛି । ବିଧାନସଭାରେ ୭ଟି ବିଲ୍ ପାରିତ ହେବାର ଥିଲା କିନ୍ତୁ ରାଜ୍ୟ ସରକାର ବିଧାନସଭା ଛାଡ଼ି ପଳାଇଲେ । ଓବିସି କମିଶନ ସଂଶୋଧନ ବିଲ୍ ୨୦୨୩, ଓଡିଶା ଆପାର୍ଟମେଂଟ୍ ମାଲିକାନା ଓ ପରିଚାଳନା ବିଲ୍‌, ଜମି ଅଧିଗ୍ରହଣ ପୁର୍ନବାସ ଓ ଥଇଥାନ ସଂଶୋଧନ ବିଲ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଓ ଗୃହ କାର୍ଯ୍ୟ ପରିଚାଳନା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିରେ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସରକାର ଏସବୁ ବିଲକୁ ପ୍ରତ୍ୟାହାର କରି ନେଇ ବିଧାନସଭାକୁ ବନ୍ଦ କରିଦେଇଥିଲେ ।

ଓବିସି ବର୍ଗଙ୍କୁ କ୍ରମାଗତ ପ୍ରତାରଣା କରିଚାଲିଥିବା ରାଜ୍ୟ ସରକାରଙ୍କର ଏହା ଆଉ ଏକ ଚରମ ବିଶ୍ୱାସଘାତକତା ବୋଲି ସେ କହିଛନ୍ତି । ଆଇନ ତା ବାଟରେ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି । କିନ୍ତୁ ବାସ୍ତବରେ କ'ଣ ସତରେ ଆଇନ ତା'ବାଟରେ ଯାଉଛି? ବିଜେପି ବିଧାନସଭାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରସଙ୍ଗ ଉଠାଇଥିଲା । ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା ହେବାର ୬୦ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାର କାରଣ ଓ ଷଡ଼ଯନ୍ତ୍ରକାରୀ କିଏ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ । ସେହିପରି ଝାରସୁଗୁଡ଼ାରେ ଜଣେ ଛୋଟ ପିଲାକୁ ଅପହରଣ କରାଯାଇ ହତ୍ୟା କରାଯାଇଛି । ଓଡ଼ିଶାରେ ଏକ ନକଲି ସରକାର ଚାଲିଛି । ସାର୍ଟିଫିକେଟ ନକଲି, ଔଷଧ ନକଲି, ରତ୍ନଭଣ୍ଡାର ଚାବି ନକଲି, ଫାଇଭ-ଟି ବିଭାଗ ନକଲି । ବିଜେଡିର ନେତା,ମନ୍ତ୍ରୀ ଓ ବିଧାୟକମାନଙ୍କ ଦୁର୍ନୀତିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତିା

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଅଧିକାରୀ ହତ୍ୟା କଲେ କିନ୍ତୁ ୬୦ଦିନ ବିତିଯାଇଥିଲେ ବି ହତ୍ୟା ଓ ଷଡ଼ଯନ୍ତ୍ରକାରୀ କିଏ ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ । ବିଧାନସଭାରେ ଏହି ପ୍ରସଙ୍ଗ ସମେତ ଫାଇଭ-ଟି ବିଭାଗ ନାଁରେ ଚଂଚକତା, ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁ, ଦୁର୍ନୀତି ଓ ପିସିରେ ମାଲେମାଲ ଓଡ଼ିଶା ସରକାର, ରାଜ୍ୟରେ ବ୍ୟାପକ ଖଣିଜ ପଦାର୍ଥ ଲୁଟ୍‌, ମହାନଦୀ ଜଳ ବିବାଦ ପ୍ରସଙ୍ଗ, ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱାରର ଆତଙ୍କରାଜ, ପାନୀୟ ଜଳର ଅଭାବ ଓ ସମସ୍ୟା, ଜଙ୍ଗଲରେ ଲାଗିଥିବା ଅନିୟନ୍ତ୍ରିତ ନିଆଁ, ମିଶନ ଶକ୍ତି ନାଁରେ ମହିଳା ସଶକ୍ତିକରଣ କେବଳ ଲୋକ ଦେଖାଣିଆ ଓ ଭୋଟ୍ ସର୍ବସ୍ୱ, ବିଜେଡି ବିଧାୟକ କ୍ରୀତଦାସ ହୋଇଯିବା ଆଦି ପ୍ରସଙ୍ଗକୁ ପ୍ରଭାବୀ ଢଙ୍ଗରେ ଉଠାଇଥିଲା । କିନ୍ତୁ ସରକାର କୌଣସି ଗୋଟିଏ ବି ପ୍ରସଙ୍ଗରେ ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ । ରାଜ୍ୟ ସରକାର ବିକାଶର ଯେଉଁ ମିଛ ଚିତ୍ର ଦେଖାଇଥିଲେ ତାକୁ ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ପର୍ଦ୍ଦାଫାସ କରାଯାଇଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ,ବିଧାୟକ ବୁଧାନ ମୁର୍ମୁ, ଭବାନୀ ଭୋଇ, ପ୍ରକାଶ ସୋରେନଙ୍କ ସମେତ ଦଳର ମୁଖପାତ୍ର ମନୋଜ ମହାପାତ୍ର ଓ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

BjD Odisha Politics Odisha Assembly Bjp Bjd Politics