Advertisment

ନକ୍ସଲ ପ୍ରଭାବିତ ଅଞ୍ଚଳରେ ପିଡିଏସ୍ ଦୋକାନ,ରାସ୍ତା ଓ ବିଦ୍ୟୁତର ବ୍ୟବସ୍ଥା ଓଡ଼ିଶା କରୁ: ଅମିତ୍ ଶାହ

ଆଜି ଲୋକସେବା ଭବନର ପ୍ରଥମ ମହଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ,କେନ୍ଦ୍ରୀୟ ଫୋର୍ସର ଅଧିକାରୀ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଓଡ଼ିଶାର ନକ୍ସଲ ପରିସ୍ଥିତି ଓ ବିପର୍ଯ୍ୟୟ ପରିଚାଳନାର ସମୀକ୍ଷା କରିଥିଲେ ।

author-image
Ordigital Desk
Naveen Patnaik and Amit Shah

Naveen Patnaik and Amit Shah

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଆଜି ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଓ ନକ୍ସଲ ପରିସ୍ଥିତିର ସମୀକ୍ଷା କରିଛନ୍ତି। ନକ୍ସଲ ପ୍ରଭାବିତ ଅଂଚଳରେ ପିଡିଏସ୍ ଦୋକାନ, ରାସ୍ତା ନିର୍ମାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ନିମନ୍ତେ ଓଡ଼ିଶା ସ୍ୱତନ୍ତ୍ର ପାଣ୍ଠି ବରାଦ ଦିଗରେ ବିଚାର କରୁ ବୋଲି ଶ୍ରୀ ଶାହ କହିବା ସହ ରାଜ୍ୟର ଆପଦ ମିତ୍ରମାନଙ୍କୁ ବହୁମୁଖୀ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ସହ ରାସାୟନିକ ଓ ପରମାଣୁ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆବଶ୍ୟକ ପ୍ରଶିକ୍ଷଣ ସହ ହୋମଗାର୍ଡମାନଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶିକ୍ଷଣ ଦେବାକୁ ପରାମର୍ଶ ଦେଇଛନ୍ତି ।  ଏହାସହିତ ରାଜ୍ୟର ନକ୍ସଲ ପ୍ରଭାବିତ ଅଂଚଳରେ ସଡ଼କ ଓ ଯୋଗାଯୋଗ ନେଟୱାର୍କକୁ ସୁଦୃଢ଼ କରିବା ପାଇଁ ବିଶେଷକରି ସବୁ ଗାଁକୁ ଇଣ୍ଟରନେଟ୍ ସୁବିଧା ଦେବା ପାଇଁ ସମସ୍ତ ପ୍ରକାରର ସହାୟତା କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ଆଜି ଲୋକସେବା ଭବନର ପ୍ରଥମ ମହଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ,କେନ୍ଦ୍ରୀୟ ଫୋର୍ସର ଅଧିକାରୀ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଓଡ଼ିଶାର ନକ୍ସଲ ପରିସ୍ଥିତି ଓ ବିପର୍ଯ୍ୟୟ ପରିଚାଳନାର ସମୀକ୍ଷା କରିଥିଲେ । ଉଭୟ ପ୍ରସଙ୍ଗରେ ପ୍ରାୟ ୪୫ମିନିଟ୍ ଧରି ବୈଠକ ଚାଲିଥିଲା । ବୈଠକରେ ଶ୍ରୀ ଶାହ ଓଡ଼ିଶା ସରକାରଙ୍କ ଦ୍ୱାରା ବିପର୍ଯ୍ୟୟ ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତକୁ ବିପର୍ଯ୍ୟୟ ପ୍ରତିରୋଧ କରିବା ପାଇଁ ଉଦ୍ଦିଷ୍ଟ ଦୃଷ୍ଟିକୋଣ ଅନୁରୂପ ବୋଲି କହିଥିଲେ । ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ଶ୍ରୀ ଶାହ ପ୍ରତିଶ୍ରୁତି ଦେଇଛନ୍ତି । ୧୯୯୯ ମସିହା ମହାବାତ୍ୟା ପରଠୁ ବିପର୍ଯ୍ୟୟ ପରିଚାଳନା ଦିଗରେ ଓଡ଼ିଶାରେ ଅନେକ ପ୍ରଗତି ହୋଇଛି ବୋଲି ଶ୍ରୀ ଶାହ କହିବା ସହ ଓଡ଼ିଶା ସରକାରଙ୍କ ପ୍ରଶଂସା କରିଥିଲେ । ରାଜ୍ୟରେ ନିଯୁକ୍ତି ପାଇଥିବା ଆପଦ ମିତ୍ର ଓ ବିପର୍ଯ୍ୟୟ ଯୋଦ୍ଧାଙ୍କୁ ରାଜ୍ୟ ସରକାର ବହୁମୁଖୀ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶିକ୍ଷଣ କରିବାକୁ ସେ ପରାମର୍ଶ ଦେବା ସହ ବିଶେଷକରି ରସାୟନିକ ଓ ପରମାଣୁ ବିପର୍ଯ୍ୟୟକୁ ପରିଚାଳନାର ପ୍ରଶିକ୍ଷଣ ଦେବାକୁ କହିଛନ୍ତି । ଏହି ବିପର୍ଯ୍ୟୟ ବିନା ସଙ୍କେତରେ ଆସିଥାଏ ବୋଲି ଶ୍ରୀ ଶାହ କହିଛନ୍ତି । ସେହିପରି ରାଜ୍ୟର ହୋମଗାର୍ଡ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସେମାନଙ୍କୁ ବିପର୍ଯ୍ୟୟ ପ୍ରଶମନର ପ୍ରଶିକ୍ଷଣ ଦେବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର ମରାମତିକୁ ସୁନିଶ୍ଚିତ କରିବା ଓ ଏଥିପାଇଁ ନିୟମିତ ବଜେଟ୍ ବରାଦ କରିବାକୁ ମଧ୍ୟ ସେ କହିଛନ୍ତି । ରାଜ୍ୟରେ ଘଡ଼ଘଡ଼ି, ଅଂଶୁଘାତ ଓ ଜଙ୍ଗଲ ନିଆଁ ଆଦିରେ ଲୋକଙ୍କ ଜୀବନ ଯେଭଳି ନଯିବ ସେଥିପାଇଁ ରାଜ୍ୟ ପ୍ରଶାସନ ଆବଶ୍ୟକ ପ୍ରସ୍ତୁତି ଓ ପରିଚାଳନା ନିମନ୍ତେ ଏସଓପି(ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର) ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ବିପର୍ଯ୍ୟୟ ସମୟରେ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ମଧ୍ୟ ଧ୍ୟାନଦେବାକୁ ପରାମର୍ଶ ଦେଇଛନ୍ତି । ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଗାଁର ସ୍ୱେଚ୍ଛାସେବୀଙ୍କଠୁ ଆରମ୍ଭ କରି ରାଜ୍ୟ ପ୍ରଶାସନର ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ସେହିପରି ନକ୍ସଲ ସମସ୍ୟାର ସମୀକ୍ଷା କରି ଶ୍ରୀ ଶାହ ରାଜ୍ୟ ସରକାଣଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ କେନ୍ଦ୍ର ସରକାର ଯେଭଳି ନକ୍ସଲ ପ୍ରଭାବିତ ଅଂଚଳରେ ଭିତ୍ତିଭୂମି ବିକାଶ ଦିଗରେ ଅଧିକ ନିବେଶ କରୁଛନ୍ତି ସେଭଳି ଅନୁରୂପ ପଦେକ୍ଷପ ନେବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ରୀୟ ଫୋର୍ସ ସହାୟତାରେ ନକ୍ସଲ ମୂଳପୋଛ କରାଯିବା , ନକ୍ସଲ ପ୍ରଭାବିତ ଅଂଚଳରେ ସଡ଼କ ଭିତ୍ତିଭୂମିର ସୁଦୃଢ଼ୀକରଣ, ଯୋଗାଯୋଗ ନେଟୱାର୍କ ଓ ସବୁ ଗାଁକୁ ଇଂଟରନେଟ୍ ସଂଯୋଗ ପାଇଁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନକ୍ସଲ ପ୍ରଭାବିତ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥା, ଶିକ୍ଷା ଓ ନିଯୁକ୍ତି ଆଦି ସମସ୍ୟାର ମିଳିତ ଭାବେ ସମାଧାନ କରାଯିବା ଉଚିତ୍ ବୋଲି ଶ୍ରୀ ଶାହ କହିଥିଲେ ।

Advertisment

ଏହି ବୈଠକ ପ୍ରାୟ ୪୫ମିନିଟ୍ ଧରି ଚାଲିଥିଲା । ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ପ୍ରାୟ ୫-୭ ମିନିଟ୍ ଧରି ଅନୌପଚାରିକ କଥାବାର୍ତ୍ତା ହୋଇଥିଲା । ଏହି ସମୟରେ କେବଳ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ଶ୍ରୀ ଶାହ ପ୍ରାୟ ୧ଟା ୧୦ ମିନିଟରେ ଲୋକସେବା ଭବନର କନଭେନସନ ହଲ୍ ଛାଡ଼ି ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ଗସ୍ତ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମିଳିତ ଭାବେ ଭର୍ଚୁଆଲ ମୋଡରେ ୬୭୧ କୋଟି ଟଙ୍କାର କାମାକ୍ଷାନଗର-ଡବୁରୀ ୪ଲେନ୍ ବିଶିଷ୍ଟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟକୁ ଲୋକାର୍ପଣ କରିବା ସହ ୩୪ କୋଟି ଟଙ୍କା ବ୍ୟୟରେ ମୋଟେର-ବାନେଲ ଭାୟା ଲଡ଼ୁଗାଁ ରାସ୍ତାର ଉନ୍ନତିକରଣର ଶିଳାନ୍ୟାସ କରିଥିଲେ । ଶ୍ରୀ ଶାହ ଆଜି ସନ୍ଧ୍ୟା ୫ଟାରେ ଦଳୀୟ କାର୍ଯ୍ୟାଳୟରୁ ସିଧାସଳଖ ଦିଲ୍ଲୀ ଅଭିମୁଖେ ବାହାରି ଯାଇଛନ୍ତି । ଆଉ ବିମାନ ବନ୍ଦରରେ ପ୍ରସ୍ତାବିତ ଦଳୀୟ କୋର ଟିମ୍ ବୈଠକ  ବାତିଲ ହୋଇଥିବା ଜଣାପଡ଼ିଛି ।

Naveen Patnaik Naxal Amit Shah